ଜନମତକୁ ସମ୍ମାନ ନାହିଁ, ଯାହା ଚାଲିଛି କ୍ଷମତା ରାଜନୀତି..
– ପ୍ରସାଦ ରାଓ –
ଭୁବନେଶ୍ୱର, ଜୁନ୍ ୧୮: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଉଭୟ ଶାସକ ବିଜେଡ଼ି ଓ ବିରୋଧୀମାନେ ବେଶ୍ ବିଚଳିତ ଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ହେଉଛି । ଶାସକ ଦଳ ପ୍ରତିକୂଳ ବାତାବରଣ ସତ୍ୱେ ପଂଚମ ଥର ପାଇଁ କ୍ଷମତାକୁ ଫେରିବାକୁ ବ୍ୟଗ୍ର ଥିବା ସମୟରେ ବିରୋଧୀମାନେ ୧୮ ବର୍ଷ ହେଲା ଶାସନରେ ଥିବା ବିଜେଡ଼ିକୁ କ୍ଷମତାଚ୍ୟୁତ କରି ରାଜ୍ୟ ଦଖଲର ସ୍ୱପ୍ନ ଦେଖୁଛନ୍ତି । ଶାସକ ଓ ବିରୋଧୀଙ୍କ ଏହି ରାଜନୈତିକ ଲଢେଇ ଭିତରେ ଜନମତ ଗୁରୁତ୍ୱ ହେରାଇଛି । ଉଭୟେ ଜନମତକୁ ଉପେକ୍ଷା କରି ନିଜ ମତ ଜନତାଙ୍କ ଉପରେ ଲଦିବାର କୌଣସିି ସୁଯୋଗ ହାତଛଡା କରୁ ନାହାନ୍ତି । ଫଳରେ, ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗରେ ସଚେତନ ଜନତା କୌଣସି ମତ ଦେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳୁଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ପ୍ରତି କଥାକୁ ନେଇ ବାଦ, ବିବାଦ ଓଡ଼ିଶାକୁ ଜାତୀୟ ସ୍ତରରେ ଲୋକହସା କରୁଥିବା ବେଳେ ନୀରବଦ୍ରଷ୍ଟା ରହି ଥିବା ରାଜ୍ୟବାସୀ ଉପଯୁକ୍ତ ସମୟ ଓ ସୁଯୋଗକୁ ଅପେକ୍ଷାରେ ଥିବା ଲକ୍ଷ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ କିଛି ମାସ ହେଲା ରାଜ୍ୟ ରାଜନୀତିକୁ ସରଗରମ କରି ଥିବା କେତୋଟି ପ୍ରସଙ୍ଗକୁ ଏଠାରେ ଆଲୋଚନା କରିବା ଉଚିତ ମନେ କରୁଛି ।
ପ୍ରଥମେ ମହାନଦୀ ପ୍ରସଙ୍ଗକୁ ଯିବା । ୨୦୧୭ ପ୍ରାରମ୍ଭରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଥିବାରୁ ଶାସକ ବିଜେଡ଼ି ୨୦୧୬ ମଧ୍ୟ ଭାଗରୁ ମହାନଦୀକୁ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ଆନ୍ଦୋଳନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇ ଥିଲେ । ସରକାରଙ୍କ ଅଭିଯୋଗ ଥିଲା, ପଡୋଶୀ ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଓ ଛୋଟ, ବଡ ପ୍ରକଳ୍ପ ନିର୍ମାଣ କରି ନଦୀ ଜଳକୁ ଅବରୋଧ କରିବା ଦ୍ୱାରା ତଳ ମୁଣ୍ଡରେ ଥିବା ଓଡ଼ିଶା ଅଂଚଳର ଚାଷି ଜମିକୁ ପାଣି ମିଳୁ ନାହିଁ । ତଳ ମୁଣ୍ଡରେ ନଦୀ ଶୁଖିଲା ପଡିଛି । ଏହାଦ୍ୱାରା କେବଳ ଜଳସେଚନ ନୁହେଁ, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ମଧ୍ୟ ଉକ୍ରଟ ହୋଇଛି । ଛତିଶଗଡ଼ରେ ବିଜେପିର ସରକାର ଥିବାରୁ କେନ୍ଦ୍ର ସରକାର ପକ୍ଷପାତ ନୀତି ଅବଲମ୍ବନ କରି ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି । ଓଡ଼ିଶା ସରକାରଙ୍କ ଏହି ଅଭିଯୋଗ ନିଶ୍ଚିତ ଭାବେ ଗୁରୁତ୍ୱ ରଖୁଛି । ରାଜ୍ୟର ଅନ୍ୟୁନ ୧୫ଟି ଜିଲ୍ଲାର ଜନସାଧାରଣଙ୍କ ପାଇଁ ଅମୃତ ସଦୃଶ ମହାନଦୀ ଜଳକୁ ଉପର ମୁଣ୍ଡରେ ଛତିଶଗଡ଼ ହଡପ କରିବା ଏବଂ କେନ୍ଦ୍ର ସରକାର ରାଜ୍ୟ-ରାଜ୍ୟ ମଧ୍ୟରେ ନଦୀ ଜଳ ବଂଟନ ବିବାଦର ସମାଧାନ ପାଇଁ ଥିବା ଆଇନଗତ ବିଧି ବ୍ୟବସ୍ଥାକୁ ଉପେକ୍ଷା କରି ଛତିଶଗଡ଼ର ଅପକର୍ମକୁ ଘଂଟ ଘୋଡାଇବା ନିଶ୍ଚିତ ଭାବେ ଏକ ଗର୍ହିତ ବ୍ୟାପାର । କେନ୍ଦ୍ର ଓ ଛତିଶଗଡ଼ ସରକାର ଓଡ଼ିଶାକୁ ନାଲି ଆଖି ଦେଖାଇ ଦବାଇ ଦେବାର ପ୍ରୟାସ କରିବା କେବେ ବି ଓଡ଼ିଶାବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ ।
ତେବେ, ଓଡ଼ିଶା ସରକାର ଯେଉଁ ଢଙ୍ଗରେ ଆନ୍ଦୋଳନ ଆରମ୍ଭ କଲେ ତାହା ରାଜ୍ୟବାସୀଙ୍କୁ ଯୋଡିବା ପରିବର୍ତେ ଭାଗ ଭାଗ କରି ଦେଇଛି । ଶଙ୍ଖ ଚିହ୍ନ ଥିବା ସବୁଜ ପତାକା ଧରି ଶାସକ ବିଜେଡ଼ି ନେତାମାନେ ‘ମହାନଦୀ ବଂଚାଅ’ ନାଁରେ କରି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ସଭା, ଶୋଭାଯାତ୍ରା କରୁଥିବା ବେଳେ ପଦ୍ମ ଦଳିଆ ଗେରୁଆ ପତାକା ଧରି ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ଦେବାକୁ ପଛାଇ ନାହାନ୍ତି । ପଂଚାୟତ ନିର୍ବାଚନରେ ବିଜେପି ତଳକୁ ଖସି ଯାଇଥିବା କଂଗ୍ରେସ ଦଳର ନେତାମାନେ ମହାନଦୀ ଆନନ୍ଦାଳନ ପ୍ରସଙ୍ଗରେ ଉଭୟ ବିଜେଡ଼ି ଓ ବିଜେପିକୁ ସମାଲୋଚନା କରିବା ସହ ନିଜ ପତିଆରା ଜାହିର କରିବା ସକାଶେ ଅଲଗା କାର୍ଯ୍ୟକ୍ରମ ହାତକୁ ନେଇ ଥିଲେ । ଓଡ଼ିଶା ଦେଇ ପ୍ରବାହିତ ମହାନଦୀରେ ବର୍ଷା ଋତୁରେ ଆସୁ ଥିବା ବନ୍ୟା ଜଳର ଅଧାରୁ ଅଧିକ ଭାଗ ସମୁଦ୍ରକୁ ଚାଲି ଯାଉଥିବା ବେଳେ ତାହାକୁ ବିନିଯୋଗ କରିବା ସକାଶେ ରାଜ୍ୟ ସରକାର ୧୮ ବର୍ଷର ଶାସନ କାଳରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରି ନାହାନ୍ତି । ରାଜନୀତି ପାଇଁ ସରକାର ଆନ୍ଦୋଳନକୁ ମାଧ୍ୟମ କରିଛନ୍ତି । ଏହା ସରକାରଙ୍କ କୁମ୍ଭୀର କାନ୍ଦଣା ବୋଲି ରାଜ୍ୟ କଂଗ୍ରେସ ନେତାମାନେ ଯେଉଁ ଆକ୍ଷେପ କରୁଥିଲେ ତାହା କଟକ ବିଜେପି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଂଠରୁ ଶୁଣିବାକୁ ମିଳି ଥିଲା । ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଯିବା ପରେ ମହାନଦୀ ବିବାଦର ସମାଧାନ ସଂପର୍କରେ ସେ ପଦୁଟିଏ କହିଲେ ନାହିଁ କହିି ଉଭୟ ବିଜେଡ଼ି ଓ କଂଗ୍ରେସ ନେତାମାନେ କାନ୍ଦି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଥିବା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ତାତ୍ସଲ୍ୟ କରି – ଏହା ସରକାରଙ୍କ ‘କୁମ୍ଭୀର କାନ୍ଦଣା’ ବୋଲି ମନ୍ତବ୍ୟ ଦେଇଥିଲେ ।
କେନ୍ଦ୍ର ସରକାର ସ୍ୱଇଚ୍ଛାରେ ନ ହେଲେ ବି ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ମହାନଦୀ ଜଳ ବଂଟନ ବିବାଦର ସମାଧାନ ସକାଶେ ଏକ ଟ୍ରିବ୍ୟୁନାଲ ଗଠନ କରିଛନ୍ତି । ତିନି ଜଣିଆ ବିଚାରପତି ମଂଡଳୀଙ୍କୁ ନେଇ ଗଠିତ ଏହି ଟ୍ରିବ୍ୟୁନାଲରେ ବିଚାରଣା କାର୍ଯ୍ୟ ତ୍ୱରାନ୍ୱିତ କରିବା ସକାଶେ ଟର୍ମସ୍ ଅଫ୍ ରେଫରେନ୍ସ (ଟିଓଆର) ହସ୍ତାନ୍ତର ହୋଇ ସାରିଛି । ମହାନଦୀ ଜଳକୁ ବ୍ୟବହାର କରୁଥିବା ସମସ୍ତ ରାଜ୍ୟ ନିଜ ନିଜ ପ୍ରତିନିଧିଙ୍କୁ ଚୟନ କରି ଟ୍ରିବ୍ୟୁନାଲକୁ ପଠାଇବା ସହ ବିଚାରଣା କାର୍ଯ୍ୟରେ ସହଯୋଗ କରିବାକୁ ଟ୍ରିବ୍ୟୁନାଲ ନିର୍ଦେଶ ଜାରି କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ବିଚାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାକୁ ନ୍ୟାୟ ମିଳିବା ଆଶା ବଳବତ୍ତର ହୋଇଛି । ଏହାର ଶ୍ରେୟ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ତାଙ୍କ ଦ୍ୱାରା ଗଠିତ (ଓଡ଼ିଶାର ଅପିଲକୁ ବିଚାର କରି ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରି ଥିବା) ସୁପ୍ରିମ କୋର୍ଟ ଖଣ୍ଡପୀଠକୁ ମିଳିବା ଉଚିତ । ବିଜେଡ଼ି, ବିଜେପି ବା କଂଗ୍ରେସକୁ ନୁହେଁ । କାରଣ, ସବୁ ଦଳ ଭୋଟ ରାଜନୀତିକୁ ଆଖିରେ ରଖି ମହାନଦୀକୁ ଏକ ରାଜନୈତିକ ଲଢେଇରେ ପରିଣତ କରିଥିଲେ ସିନା ଜନମତକୁ ପ୍ରଧାନ୍ୟ ଦେଇ ଓଡ଼ିଶାବାସୀଙ୍କୁ ଏକାଠି କରି ଏକ ସଂଗଠିତ ଲଢେଇ ଦିଗରେ ପ୍ରୟାସ କରି ନ ଥିଲେ । ସମଗ୍ର ଦେଶରେ ଏବେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଜନମତ ତୀବ୍ର ହେଉଥିବା ଦେଖି ବିଜେପିର ସ୍ୱର ଟିକିଏ ନରମିଛି । ଓଡ଼ିଶାରେ ଦାୟିତ୍ୱରେ ଥିବା ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ପ୍ରଧାନ ନିଜ ସ୍ୱର ବଦଳାଇ ଛତିଶଗଡ଼ ମହାନଦୀ ଜଳ ହଡପ କରୁଥିବା ସ୍ୱୀକାର କରିଛନ୍ତି ଏବଂ ନିର୍ମାଣାଧୀନ ପ୍ରକଳ୍ପ ଗୁଡିକା କାର୍ଯ୍ୟ ବନ୍ଦ କରିବା ସକାଶେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହାୟତାରେ ଛତିଶଗଡ଼ ଉପରେ ଚାପ ପକାଇବାକୁ ପରାମର୍ଶ ଦେଇଛନ୍ତି । ତେବେ, ଧର୍ମେନ୍ଦ୍ରଙ୍କ ଏହି ପରିବର୍ତିତ ସ୍ୱରୂପକୁ ଓଡ଼ିଶାବାସୀ ବିଶେଷ ଗୁରୁତ୍ୱ ଦେଉ ନ ଥିବ ଲକ୍ଷ୍ୟ କରାଯାଇଛି ।
ରାଜ୍ୟ ସରକାର ‘ମହାନଦୀ ବଂଚାଅ’ ଆନ୍ଦୋଳନ ପୂର୍ବରୁ ଓଡ଼ିଶାରୁ ପ୍ରବାହିତ ବଂଶଧାରା ନଦୀର ଜଳକୁ ଆନ୍ଧ୍ର ହଡପ କରୁଥିବା ଅଭିଯୋଗ କରି ଆନ୍ଧ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନେଇ ଥିଲେ । ତେବେ, ତାହା ମହାନଦୀ ବଂଚାଅ ଆନ୍ଦୋଳନ ଆଗରେ ଧୀମା ପଡି ଯାଇଛି । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଚାଲିଛି । ଓଡ଼ିଶା ସରକାରଙ୍କ ଦୃଢ ବିରୋଧ ସତ୍ୱେ ଆନ୍ଧ୍ର ସରକାର ନିର୍ମାଣ କାର୍ଯ୍ୟ ରୋକୁ ନାହାନ୍ତି ବା କେନ୍ଦ୍ର ସରକାର ଆନ୍ଧ୍ରକୁ ପ୍ରବର୍ତାଉ ନାହାନ୍ତି । ଅପରପକ୍ଷରେ, ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ କରାଯିବ ବୋଲି ନିକଟରେ ଏହି ଅଂଚଳ ଗସ୍ତ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସକାଶେ ଆନ୍ଧ୍ର ସରକାରଙ୍କୁ ନିର୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ମାମଲା ଦାଏର କରି ଓଡ଼ିଶା ସରକାର ବସି ଯାଇଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏଠି ମଧ୍ୟ କେନ୍ଦ୍ର ଓ ଆନ୍ଧ୍ର ସରକାର ବିରୋଧରେ ମହାନଦୀ ଭଳି ମହାସମରର ସୁଯୋଗ ଥିବା ବେଳେ ସରକାର ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଇ ପୋଲାଭରମକୁ କିଛି ମାସ ହେଲା ଶୀତଳଭଣ୍ଡାରକୁ ଠେଲି ଦେଇଥିବା ଚିନ୍ତାର ବିଷୟ ହୋଇଛି । ବିରୋଧୀ ଦଳମାନେ ମଧ୍ୟ ପୋଲାଭରମକୁ ପ୍ରାୟତଃ ଭୁଳି ଗଲା ଭଳି ମନେ ହେଉଛି ।
ମହାନଦୀ, ପୋଲାଭରମ କେବଳ ନୁହେଁ, ପୁରୀ ଶ୍ରୀମନ୍ଦିରକୁ ନେଇ କିଛି ମାସ ହେଲା ରାଜ୍ୟ ରାଜନୀତି ସରଗରମ ରହିଛି । ଶ୍ରୀମନ୍ଦିରରେ ଦଇତାପତିଙ୍କ ଦୌରାତ୍ମ୍ୟ ଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତର୍ନରେ ବିଭ୍ରାଟ, ଶ୍ରୀଜୀଉଙ୍କୁ ଖାଇବାକୁ ନ ଦେଇ ଉପାସରେ ରଖି ଦେବା, ଶ୍ରୀମନ୍ଦିର ପରିସରରେ ପାଉଣା ଦାବି କରି ଭକ୍ତଙ୍କୁ ମାଡ ମରାଯିବା, ଝିଅ, ବୋହୁଙ୍କ ପ୍ରତି ଦୁର୍ବ୍ୟବହାର କରାଯିବା ଭଳି ଘଟଣାରେ ଜାତୀୟ, ଆନ୍ତର୍ଜାତିୟ ସ୍ତରରେ ଓଡ଼ିଶାକୁ ନିନ୍ଦିତ କରିଛି । ଏବେ, ଶ୍ରୀଜୀଉଙ୍କ ଅମୂଲ୍ୟ ରତ୍ନ ଭଣ୍ଡାରକୁ ନେଇ ଭକ୍ତଙ୍କ ମନରେ ସନେ୍ଦହ ସୃଷ୍ଟି କରା ଗଲାଣି । ମୁଖ୍ୟ ରତ୍ନ ଭଣ୍ଡାରର ଚାବି ହଜିଥିବା ସଂପର୍କରେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏପ୍ରିଲ ୪ ତାରିଖରୁ ଜାଣି ଥିଲେ ମଧ୍ୟ ସରକାରଙ୍କୁ ଅନ୍ଧାରରେ ରଖି ଥିଲେ । ମିଛ, ସତ କହି ପ୍ରଶାସନ ଚାବି ହଜିବା କଥାକୁ ଟାଳି ଦେବାକୁ ଚାହିଁ ଥିଲା ମଧ୍ୟ କଥା ପ୍ରଘଟ ହୋଇଯିବାରୁ ରାଜନୀତି ଯୋର୍ ଧରିଛି । ପୁରୀ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଜନ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । କୁଶପୁତ୍ତଳିକା ଦାହ ସହ ଆଇନ ମନ୍ତ୍ରୀଙ୍କୁ ଗିରଫ କରାଯିବା ଦାବିରେ ପୁରୀ ସହର ଓ ରାଜଧାନୀ ଭୁବନେଶ୍ୱର ଉଠ୍ ବସ୍ ହେବା ପରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ପରିସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରିଛନ୍ତି । ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି । ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ଟିଓଆର୍ (ଟର୍ମସ୍ ଅଫ୍ ରେଫରେନ୍ସ) ଜାରି କରି ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କମିସନଙ୍କୁ ସରକାରଙ୍କ ନିର୍ଦେଶ ରହିଛି ।
ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଓ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦାପ ଜେନାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ସରକାର ହଟାଇ ଦେବା ଭଳି ନିଷ୍ପତ୍ତି ପରେ ରତ୍ନ ଭଣ୍ଡାରର ଡ଼ୁପ୍ଲିକେଟ୍ ଚାବି ରେକର୍ଡ ରୁମ୍ ରୁ ମିଳି ଯିବା ଆଉ ଏକ ଚମକ୍ରାର କୁହାଯାଇପାରେ । ତେବେ, ମିଳିଥିବା ଲଫାଫା, ଏହା ଉପରେ ଲେଖା ଥିବା ‘ଏହା ରତ୍ନ ଭଣ୍ଡାରର ଡ଼ୁପ୍ଲିକେଟ୍ ଚାବି’ ଏବଂ ରତ୍ନ ଭଣ୍ଡାର ଭିତରେ କଣ ଅଛି, କଣ ନାହିଁ ତାହାକୁ ନେଇ ପୁଣି ଥରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଅସଲି ଚାବି କାଠି କୁଆଡେ ଗଲା ତାହାକୁ ନେଇ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇ ଯାଇଛି । ଚାବି ହଜିବାର ପୂର୍ବ ଓ ପର ସମସ୍ତ ଘଟଣା ଏବେ ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ ହୋଇ ସାରି ଥିବା ତଦନ୍ତ କମିସନ୍ ମୁଖ୍ୟ ଜଷ୍ଟିସ୍ ରଘୁବୀର ଦାସ ଜଣାଇ ଦେବା ପରେ ମଧ୍ୟ ଭୋଟ ରାଜନୀତିରେ ବିଶ୍ୱାସ କରୁଥିବା ନେତାଙ୍କ ପାଟି ବନ୍ଦ ହେଉ ନାହିଁ । ପାଖାପାଖି ୪୦ ବର୍ଷ ହେଲା ଶ୍ରୀମନ୍ଦିରର ମୁଖ୍ୟ ରତ୍ନ ଭଣ୍ଡାର ଖୋଲି ନ ଥିବା ଏବେ ଚର୍ଚ୍ଚାକୁ ଆସିବା ପରେ ସେହି ସମୟ ଖଣ୍ଡ ମଧ୍ୟରେ ଆସୁଥିବା କଂଗ୍ରେସ, ବିଜେଡ଼ି-ବିଜେପି ମେଂଟ ଓ ବିଜେଡ଼ି ସରକାର ଦାୟୀ ରହିବା ସ୍ୱାଭାବିକ । ପୁରୀ ଶ୍ରୀମନ୍ଦିରରେ ୨୦୧୫ ନବକଳେବର ସମୟରୁ ଲାଗି ରହିଥିବା ବିଭ୍ରାଟ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେବଳ ନୁହେଁ, ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ରାଜ୍ୟର ଜଣେ ଭୋଟଦାତା ହୋଇ ନ ଥିବାରୁୁ ତାଙ୍କୁ ସରକାର ଅଣଦେଖା କରୁଛନ୍ତି ବୋଲି ପୁରୀ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି । ପୁରୀ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଶ୍ରୀମନ୍ଦିର ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ଚିନ୍ତିତ । ଏବେ, ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରରେ ସଂସ୍କାର ଉଦ୍ୟମ ଆରମ୍ଭ ହୋଇଛି । ରତ୍ନ ଭଣ୍ଡାର ଚାବି ହଜିବା, ମିଳିବା ନେଇ ଅଯଥା ବାଦ ବିବାଦ, ହଟ୍ଟଗୋଳ ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟକୁ ଦିଗହରା କରିପାରେ । ତେଣୁ, ରାଜ୍ୟ ସରକାର ଅଧିକ ସଚେତନ ଭାବେ ମନ୍ଦିର ପରିଚାଳନାରେ ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏଥିରେ ଅବହେଳା ହେଲା ରାଜ୍ୟବାସୀ କେବେ ବି ସରକାରଙ୍କୁ କ୍ଷମା କରିବେ ନାହିଁ ।
କାଳିଆ ହିସାବ ଠିକ ଦେଵ