ନନ୍ଦନକାନନରେ ଦୁଃଖିନି ସିଂପାଂଜୀ, ପାନ ଛେପରେ ଜୁଡୁବୁଡୁ କୁମ୍ଭୀର !
ଭୁବନେଶ୍ୱର: କଲିକତାରୁ ଆସିଥିବା ଏକ ବଂଗୀୟ ପରିବାର ରବିବାର ଅପରାହ୍ନରେ ବୁଲି ଯାଇଥିଲେ ନନ୍ଦନକାନନ (ବାରଙ୍ଗରେ ଥିବା ଚିଡ଼ିଆଖାନା) । ବୁଲିବା ସମୟରେ ଦେଖିବାକୁ ପାଇଲେ ଖୁଆଡରେ ଏକାକୀ ଜୀବନ କାଟୁଥିବା ଏକ ସିଂପାଂଜୀକୁ, ଯାହା ପେଟରେ ଝୁଲି ରହିଛି ବିରାଟକାୟ ଟିଉମର୍ । ପରିବାରକୁ ଚିଡ଼ିଆଖାନା ବୁଲାଉ ଥିବା କର୍ମଚାରୀଙ୍କ ସ୍ୱାଭାବିକ ବୟାନ ଥିଲା…‘ଏକାକୀ ଜୀବନ କାଟୁଥିବା ଦୁଃଖିନି ସିଂପାଂଜୀ’ା ବଂଗୀୟ ପରିବାର ଆହୁରି ମଧ୍ୟ ଦେଖି ଥିଲେ, ଚିଡ଼ିଆଖାନାର ତାର ଜାଲି ଘେରରେ ଶୋଇ ରହି ଥିବା ବିରାଟକାୟ କୁମ୍ଭୀରକୁ । ଯାହାର ମୁଣ୍ଡରେ ପଡି ରହି ଥିବା ମେଂଚା ମେଂଚା ନାଲି ପାନ ପିକ । ବୋଧହୁଏ, ଚିଡ଼ିଆଖାନା ବୁଲି ଆସି ଥିବା କେହି ପର୍ଯ୍ୟଟକ କାଠ ସଦୃଶ ପଡି ରହି ଥିବା କୁମ୍ଭୀରକୁ ଚହଲାଇବାକୁ ଉଦ୍ୟମ କରି ବିଫଳ ହେବାରୁ ତା’ ମୁଣ୍ଡକୁ ପାନ ଛେପରେ ରଂଗାଇ ଦେଇ ଥିଲା । ଏହାକୁ ଚଂଚଳତା କହିବ ଠିକ୍ ହେବ ନା ଅସଭ୍ୟ ଆଚରଣ କୁହାଯିବ, ପ୍ରଶ୍ନ କରିଛନ୍ତି ଏହି ପରିବାର ।
ରବିବାର ଅପରାହ୍ନ ଆକାଶ ମେଘୁଆ ଥିଲେ ବି ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବାକୁ ପଡି ଥିଲା ନନ୍ଦନକାନନ ବୁଲି ଯାଇ ଥିବା ପର୍ଯ୍ୟଟକଙ୍କୁ । ଗଛ ଛାଇ ବି ଆଶ୍ୱସ୍ତ କରି ପାରି ନଥିଲା ସେମାନଙ୍କୁ । ରକ୍ଷଣାବେକ୍ଷଣ ଅଭାବ ସହ ନନ୍ଦନକାନନରେ ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ଥିବା ସୀମିତ ସାଧନ ନିରାଶ କରୁଛି ରାଜ୍ୟ ବହାରୁ ଆସୁଥିବା ପର୍ଯ୍ୟଟକଙ୍କୁ । ପୂର୍ବରୁ ଯାହା ସବୁ ମନୋରଂଜନ ସାଧନ ଥିଲା ଇତି ମଧ୍ୟରେ ସେଥିରୁ ଅଧିକାଂଶ ଅଚଳ ହୋଇ ଯାଇଛି ବା ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନିଆ ଯାଇଛି । ପର୍ଯ୍ୟଟକଙ୍କୁ ଚିଡ଼ିଆଖାନାର ବିସ୍ତିର୍ଣ୍ଣ ଅଂଚଳ ବୁଲାଇ ଦେଖାଇବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସାଧନ ଉପଲବ୍ଧ ନାହିଁ । ଫଳରେ, ପର୍ଯ୍ୟଟକ ନିରାଶ ହେଉଥିବା କହିଛନ୍ତି ଏହି ପରିବାର ।
ରବିବାର ଅପରାହ୍ନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜୀ ମଧ୍ୟ ପରିବାର ସହ ଯାଇ ଥିଲେ ନନ୍ଦନକାନନ । ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ସେ ବିତାଇ ଥିଲେ ନନ୍ଦନକାନନରେ । ତିନିଟି ବ୍ୟାଟେରୀ ଚାଳିତ ଗାଡି ସାହାଯ୍ୟରେ ରାଜ୍ୟପାଳଙ୍କ ପରିବାରକୁ ପ୍ରାଣୀ ଉଦ୍ୟାନ, ପକ୍ଷୀ ବିହାର, ଭାଲୁ, କଲରାପତରିଆ ବାଘ, ବିରଳ କଳା ପଟା ଚିହ୍ନ ଥିବା ବାଘ ଭିକି ଓ ତା’ର ଦୁଇ ଭଉଣୀ ଧଳା ବାଘୁଣୀ ଚିନୁ ଓ ମୌସୁମୀଙ୍କୁ ଦେଖାଇ ଥିଲେ ନନ୍ଦନକାନନ କର୍ତୃପକ୍ଷ ଓ କର୍ମଚାରୀମାନେ । କାଂଜିଆ ହ୍ରଦ ଡ଼ଙ୍ଗା ଘାଟରେ ବସି ରାଜ୍ୟପାଳ କିଛି ସମୟ ପ୍ରକୃତିକୁ ଉପଭୋଗ କରିଥିବା ବେଳେ ତାଙ୍କ ପରିବାର ନୌକା ବିହାରର ମଜା ନେଇ ଥିଲେ । ବୋଧହୁଏ ରାଜ୍ୟପାଳଙ୍କ ଗସ୍ତରେ ନନ୍ଦନକାନନ କର୍ତୃପକ୍ଷ ଓ କର୍ମଚାରୀମାନେ ବ୍ୟସ୍ତ ରହିବାରୁ ଅନ୍ୟ ପର୍ଯ୍ୟଟକମାନେ ନିଜକୁ ଅବହେଳିତ ମନେ କରିଥିଲେ ।
ମୋବାଇଲ ଫଟୋ: ସୁର୍ଜିତ କୁମାର ଦେ, କୋଲକାତା
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS