ଅଣସରରେ ତିନି ଠାକୁର, ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼
ପୁରୀ, ୩୦ ଜୁନ୍: ଗୁରୁବାର ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ସରିବା ପରେ ତିନି ଠାକୁର ଜ୍ୱରରେ ପୀଡ଼ିତ ହୋଇ ଶ୍ରୀମନ୍ଦିର ପରିସରରେ ଥିବା ଅଣସର ପିଣ୍ଡିରେ ଦେବ ବୈଦ୍ୟଙ୍କ ଦ୍ୱାରା ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ଠାରୁ ୧୪ ଦିନ ପାଇଁ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଠାକୁର ଦର୍ଶନ ଆରମ୍ଭ ହୋଇଛି । ଏହି ୧୪ ଦିନ ଶ୍ରୀମନ୍ଦିରେ ପଟି ଦିଅଁ ପୂଜା ପାଇବେ । ଶ୍ରୀଜଗନ୍ନାଥ ଦର୍ଶନ ଅଭିଳାଷୀମାନେ ବ୍ରହ୍ମଗିରି ଯାଇ ସେଠାରେ ପ୍ରଭୁଙ୍କୁ ଅଲାରନାଥ ରୂପରେ ଦର୍ଶନ କରିବେ । ଏହାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଉ ଏକ ଲୀଳା କୁହାଯାଉଛି । ବ୍ରହ୍ମଗିରିର ଅଲାରନାଥ ପୀଠ ଏହି ୧୪ ଦିନ ଦ୍ୱତୀୟ ଶ୍ରୀକ୍ଷେତ୍ର ପାଲଟିଛି । ଅଗଣିତ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହାବାହୁଙ୍କ ଦର୍ଶନ ପାଇଁ ଅଣସର ସମୟରେ ଅଲାରନାଥ ପୀଠକୁ ଯାଇଥା’ନ୍ତି । ସେଠାରେ ଜଗନ୍ନାଥଙ୍କ ପାଇଁ ଖିରି ଭୋଗ ହୋଇଥାଏ । ଆନନ୍ଦ ବଜାରରେ ଭକ୍ତମାନେ ଏହି ଭୋଗ ପାଇ ଥା’ନ୍ତି ।
ଅଲାରନାଥ ପୀଠକୁ ନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି । ପୁରୁଷୋତ୍ତମ ଚନ୍ଦ୍ରିକାରୁ ମିଳୁ ଥିବା ପ୍ରମାଣ ଅନୁଯାୟୀ ଜଣେ ତାଂତ୍ରିକ ବାବାଙ୍କ ନାମରେ ଏହି ପୀଠ ହୋଇଥିବା କୁହାଯାଉ ଥିବା ବେଳେ ଭକ୍ତି ଅନ୍ଦୋଳନ ସମୟରେ ଶ୍ରୀଚୈତନ୍ୟଙ୍କ ଜଗନ୍ନାଥ ଭକ୍ତିରୁ ଏହି ପୀଠର ସୃଷ୍ଟି ବୋଲି ଅନ୍ୟ କିଛି ମତ ରହିଛି । ତାଂତ୍ରିକ ବାବାଙ୍କୁ ନେଇ ପ୍ରଚଳିତ କାହାଣୀ ହେଉଛି – ଅଲବିନ୍ଦା ଆଚାର୍ଯ୍ୟ ନାମକ ଜଣେ ବ୍ରାହ୍ମଣ ତଥା ପରମ ତାଂତ୍ରିକ ବାବା ଅଣସର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ତଂତ୍ର ବଳରେ ଏକ ବଟ ବୃକ୍ଷରେ ଆସି ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର ନିକଟ ସମୁଦ୍ର କୂଳରେ ଅବତରଣ କରି ଥିଲେ । ସେ ଭ୍ରମର ବେଶରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ମନ୍ଦିର ଭିତରେ ଏକ ଅଷ୍ଟଦଳ ପଂକଜକୁ ଦେଖି ବିମୋହିତ ହେବା ସହ ତାହା ଉପରେ ବସିବାକୁ ଉଦ୍ୟମ କରିଥିଲେ । ତେବେ, ତାଂତ୍ରିକ ବାବାଙ୍କ ଏହି ଉଦ୍ୟମ ବେଳେ ପଦ୍ମର ସମସ୍ତ ପାଖୁଡା ଏକ ସୁନ୍ଦର ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ । ଅଲବିନ୍ଦା ବାବା ଏତିରେ ଅପମାନବୋଧ କରି ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ହୋଇ ଥିବାରୁ ସମୁଦ୍ର ମଧ୍ୟରେ ଆତ୍ମବିସର୍ଜନ ପାଇଁ ଯାଇ ଥିଲେ । ତାଂତ୍ରିକ ବାବା ଅଲବିନ୍ଦାଙ୍କ ଆତ୍ମହତ୍ୟା ଉଦ୍ୟମ ସମୟରେ ଉକ୍ତ ବଟ ବୃକ୍ଷରୁ ଏକ ମାଂକଡ ଲଂପ ଦେଇ ତାଙ୍କ ଗତିପଥକୁ ବଦଳାଇ ଦେଇଥିଲା । ଏହା ମହାପ୍ରଭୁଙ୍କ ନିର୍ଦେଶ ବୋଲି ଭାବି ନେଇ ଅଲବିନ୍ଦା ବାବା ଉକ୍ତ ଗତିପଥରେ ଦକ୍ଷିଣାଭିମୁଖୀ ଯାତ୍ରା କରି ବ୍ରହ୍ମଗିରିରେ ପହଂଚି ଚତୁର୍ଦ୍ଧା ନାରାୟଣମୂର୍ତର୍ୀଙ୍କ ଦର୍ଶନ କରି ଭାବ ବିହ୍ୱଳ ହୋଇପଡି ଥିଲେ । ସେହିଠାରେ ବାବା ନିଜ ତଂତ୍ର ବିଦ୍ୟା ତ୍ୟାଗ କରି ନାରାୟଣଙ୍କ ପୂଜାରେ ମଜ୍ଜି ଯିବା ଯୋଗୁ ଅଲବିନ୍ଦାଙ୍କ ପ୍ରଭୁ ବା ନାଥ ଭାବରେ ପୀଠର ନାମ ଅଲବିନ୍ଦାନାଥ ହୋଇଥିଲା । ପରେ ତାହା ଅପଭ୍ରଂଶ ହୋଇ ଅଲାରନାଥ ହୋଇଥିବା କୁହାଯାଉଛି ।
ସେହିଭଳି ଆଉ ଏକ କିମ୍ବଦନ୍ତୀ ହେଉଛି – ଭକ୍ତି ଅନ୍ଦୋଳନ ସମୟରେ ଶ୍ରୀଚୈତନ୍ୟ ଦେବ ତାଙ୍କ ଜୀବନର ଶେଷ ୧୮ ବର୍ଷ ପୁରୀରେ ଅବସ୍ଥାନ କରିବା ସମୟରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଦେଖି ବିଭୋର ହୋଇ ଥିଲେ । କିନ୍ତୁ, ତାହା ପରଦିନ ଅଣସର ସମୟରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ପୀଡ଼ିତ ହୋଇ ଏହାକୁ ପ୍ରସମିତ କରିବା ସକାଶେ ସମୁଦ୍ର କୂଳେ କୂଳେ ଚାଲିଥିଲେ । ଚାଲି ଚାଲି ଯାଇ ସେ ବ୍ରହ୍ମଗିରିରେ ପହଂଚିବା ପରେ ନାରାୟଣଙ୍କୁ ପାଇ ବିଭୋର ହୋଇ ଯାଇଥିଲେ । ଏହି ବିଭୋରତା ମଧ୍ୟରେ ସେ ସେଠାରେ ପଡି ଥିବା ଏକ ବଡ ପଥର ଉପରେ ଦଣ୍ଡବତ ସ୍ୱରୂପ ପ୍ରଣିପାତ କରିଥିଲେ । ଜଗନ୍ନାଥଙ୍କ ଦର୍ଶନ ପାଇ ସେ କୃତାର୍ଥ ହୋଇଥିଲେ ମଧ୍ୟ ତାଙ୍କ ବିରହ ଜ୍ୱାଳାରେ ଶରୀର ଏତେଦୂର ଉତ୍ତପ୍ତ ଥିଲା ଯେ ଉକ୍ତ ପ୍ରସ୍ତରଖଣ୍ଡ ତାଙ୍କ ଶରୀର ଆକୃତି ଭଳି ତରଳି ଯାଇଥିଲା, ଯାହାକି ବର୍ତମାନ ମନ୍ଦିର ପରିସରରେ ପୂଜା ପାଉଛି । ଅଣସର ସମୟରେ ଶ୍ରୀମନ୍ଦିର ସମତୁଲ ମହାପ୍ରସାଦ ଅଳାରନାଥରେ ମିଳିଥାଏ । ଅଲାରନାଥଙ୍କ ପ୍ରିୟ ଭୋଗ ଖିରି । ମହାପ୍ରଭୁ ଅଲାରନାଥଙ୍କ ଖିରି ଭୋଗକୁ ନେଇ ମଧ୍ୟ କିମ୍ବଦନ୍ତୀ ରହିଛି । କପିଳ ସଂହିତାରେ ଥିବା ଏକ ବର୍ଣ୍ଣନା ଅନୁସାରେ ଉପନୟନ ଓ ମନ୍ତ୍ର ଶିଖି ନ ଥିବା ଜଣେ ୫ ବର୍ଷର ବାଳକ ହାତରୁ ପ୍ରଭୁ ଖିରି ଖାଇ ପ୍ରମାଣ କରିଛନ୍ତି ଯେ, ଭକ୍ତ ମନରେ ଭାବ ଥିଲେ ମନ୍ତ୍ର, ଉପଚାରର କୌଣସି ଆବଶ୍ୟକତା ନାହିଁ। ମହାପ୍ରଭୁଙ୍କ ଦେହରେ ଏବେ ବି ଥିବା ଖିରିଖିଆ ଫୋଟକା ଦାଗ ଏହାକୁ ପ୍ରମାଣିତ କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS