୧୦୦ ମିଟର ଦୌଡ଼: ନିଜ ଜାତୀୟ ରେକର୍ଡ ଭାଂଗିଲେ ଦୂତୀ
ଭୁବନେଶ୍ୱର, ୩୦ ଜୁନ୍: ଆସାମର ଗୌହାଟୀ ଠାରେ ଶୁକ୍ରବାର ଶେଷ ହୋଇଥିବା ୫୮ ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥେଲେଟିକ୍ସ ଚାଂପିଅନସିପ ମହିଳା ୧୦୦ ମିଟର ଦୌଡ଼ରେ ସ୍ପ୍ରିନ୍ଟ କ୍ୱିନ୍ ଦୂତୀ ଚାନ୍ଦ ସେମି ଫାଇନାଲରେ ନିଜ ଜାତୀୟ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେମି ଫାଇନାଲରେ ଦୂତୀଙ୍କ ପୂର୍ବ ରେକର୍ଡ ଥିଲା ୧୧.୩୦ ସେକେଣ୍ଡ । ଶୁକ୍ରବାର ଦିନ ସେ ୧୧.୨୯ ସେକେଣ୍ଡରେ ମହିଳା ୧୦୦ ମିଟର ଦୌଡ଼ ଶେଷ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ । ତେବେ, ଫାଇନାଲରେ ସେ ୧୧.୩୨ ସେକେଣ୍ଡରେ ଏହି ଦୌଡ଼ ଶେଷ କରି ମହିଳା ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅଗଷ୍ଟ ମାସରେ ଇଂଡୋନେସିଆର ଜାକର୍ତର୍ାଠାରେ ହେବାକୁ ଥିବା ଏସିଆନ୍ ଗେମ୍ସର ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗ ନେବାକୁ ସେ ପୁର୍ବରୁ ଯୋଗ୍ୟତା ହାସଲ କରିସାରଛନ୍ତି । ଏସିଆନ୍ ଗେମ୍ସ ପାଇଁ ହାତରେ ଦୁଇ ମାସ ସମୟ ଥିବାରୁ କଠିନ ପରିଶ୍ରମ କରୁଥିବା ଦୂତୀ ୧୧.୧୦ ସେକେଣ୍ଡ ଟାଇମିଂରେ ମହିଳା ୧୦୦ ମିଟର ଦୌଡ଼ ଶେଷ କରିବାକୁ ଲକ୍ଷ୍ୟ ରଖି ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁରୁବାର ଦିନ ୧୦୦ ମିଟର ଦୌଡରେ ଭଲ ପ୍ରଦର୍ଶନ କରି ସେ ସେମି ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଶୁକ୍ରବାର ଦିନ ଉଭୟ ସେମି ଫାଇନାଲ ଓ ଫାଇନାଲ୍ ରେସ୍ ହୋଇଥିଲା ।
ଏସିଆନ ଗେମ୍ସ ଯୋଗ୍ୟତା ପାଇଁ ଆଥେଲେଟିକ ଫେଡେରେସନ ଅଫ୍ ଇଂଡ଼ିଆ (ଏଏଫଆଇ) ମହିଳା ୧୦୦ ମିଟର ନିମନ୍ତେ ୧୧.୬୭ ସେକେଂଡ ମାପଦଣ୍ଡ ଧାର୍ଯ୍ୟ କରିଥିବା ବେଳେ ଦୂତୀ ହିଟ୍ସରେ ୧୧.୪୨ ସେକେଂଡରେ ୧୦୦ ମିଟର ଦୌଡ ଶେଷ କରି ଏସିଆନ ଗେମ୍ସରେ ଭାଗ ନେବାର ଯୋଗ୍ୟତା ହାସଲ କରିଥିଲେ । ଜାକର୍ତର୍ା ଏସିଆନ ଗେମ୍ସରେ ସେ ଦୁଇଟି ବିଭାଗରେ ଭାଗ ନେବା ଏତିରୁ ନିଶ୍ଚିତ ହୋଇ ଯାଇଛି । ଏସିଆନ୍ ଗେମ୍ସରେ ଦୂତୀଙ୍କ ସମେତ ଆଉ ଦୁଇ ଓଡ଼ିଆ ଖେଳାଳୀ ଭାଗ ନେବେ । ହର୍ଡଲ୍ସରେ ଜଉନା ମୁର୍ମୁ ଓ ହେଫଥାଲନରେ ପୁର୍ଣ୍ଣିମା ହେମ୍ବ୍ରମ ଏଥିପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି । ଗୌହାଟୀରେ ଶୁକ୍ରବାର ସରି ଥିବା ୫୮ ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥେଲେଟିକ୍ସ ଚାଂପିଅନସିପରେ ଜଉନା ମୁର୍ମୁ ୪୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଥିବା ବେଳେ ହେଫଥାଲନରେ ପୂର୍ଣ୍ଣିମା ହେମ୍ବ୍ରମ ୫୯୯୮ ପଏଂଟ ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଭାରତୀୟ ଆଥେଲେଟିକ ଫେଡେରେସନ୍ (ଏଏଫଆଇ) ହେଫଥାଲନରେ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତାର ମାପଦଣ୍ଡ ୫୪୦୦ ପଏଂଟ ରଖି ଥିବା ବେଳେ ପୂର୍ଣ୍ଣିମା ୫୯୯୮ ପଏଂଟ ପାଇ ସିଧାସଲଖ ଜାକର୍ତା ଯିବାକୁ ଯୋଗ୍ୟତା ହାସଲ କରିଛନ୍ତି । ତେବେ, ଅନ୍ୟତମ ଓଡ଼ିଆ ଆଥେଲେଟ୍ ଶ୍ରାବଣୀ ନନ୍ଦ ଗୁରୁବାର ମହିଳା ୧୦୦ ମିଟର ଦୌଡକୁ ୧୧.୯୬ ସେକେଂଡରେ ଶେଷ କରି ଥିଲେ । ଫାଇନାଲରେ ମଧ୍ୟ ଶ୍ରାବଣୀ ମହିଳା ୨୦୦ ମିଟର ଦୌଡ଼ରେ ବ୍ରୋଂଜ୍ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପୂର୍ବରୁ ସେ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରି ନାହାନ୍ତି ।
ଗୌହାଟୀରେ ସରି ଥିବା ୫୮ ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥେଲେଟିକ୍ ଚାଂପିଅନସିପରେ ଓଡ଼ିଶା ମୋଟ ୫ଟି ପଦକ ପାଇଛି । ଦୂତୀ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ପାଇ ଥିବା ବେଳେ ଜଉନା ୪୦୦ ମିଟର ହର୍ଡଲ୍ସରେ ଓ ପୂର୍ଣ୍ଣିମା ହେଫଥାଲନରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଶ୍ରାବଣୀଙ୍କୁ ମହିଳା ୨୦୦ ମିଟର ଦୌଡ଼ରେ ବ୍ରୋଂଜ୍ ପଦକ ମିଳିଛିି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS