ଶ୍ରଦ୍ଧାଂଜଳୀ ଜାତୀୟ ମହିଳା ଫୁଟବଲ ଦଳର ସହକାରୀ କୋଚ୍
ଭୁବନେଶ୍ୱର, ୨୯ ଜୁନ୍: ଧୀରେ କଥା କହୁଥିବା ଓଡ଼ିଆ ଝିଅ ଶ୍ରଦ୍ଧାଂଜଳୀ ସାମନ୍ତରାୟଙ୍କୁ ୧୭ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ ଦଳର ସହକାରୀ କୋଚ୍ ଭାବେ ନିଯୁକ୍ତି ମିଳିଛି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆସନ୍ତା ଡ଼ିସେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ ଗେମ୍ସରେ ଯୋଗ ଦେବାକୁ ଥିବା ଜାତୀୟ ମହିଳା ଫୁଟବଳ ଦଳକୁ ସେ ତାଲିମ ଦେବେ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ତାଙ୍କ ପାଇ ନୂଆ ନୁହେଁ । ଅତୀତରେ ସେ ଜାତୀୟ ମହିଳା ଫୁଟବଲ ଦଳର ଉପ ଅଧିନାୟିକା ଓ ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇ ଓଡ଼ିଶା ତଥା ଭାରତକୁ ଗୌରାବାନ୍ୱିତ କରିଛନ୍ତି । ବ୍ରିକ୍ସ ଗେମ୍ସରେ ଯୋଗ ଦେବା ପୂର୍ବରୁ ଜାତୀୟ ମହିଳା ଫୁଟବଲ ଦଳକୁ ନୂଆଦିଲ୍ଲୀର ସାଇ କେନ୍ଦ୍ରରେ ତାଲିମ ଦେବା ବ୍ୟବସ୍ଥା କରାଯାଇଛି । ଜୁଲାଇ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ତାଲିମ ଶିବିର ଅନୁଷ୍ଠିତ ହେବ । ଶ୍ରଦ୍ଧାଂଜଳୀ ଜାତୀୟ ଦଳ ପାଇଁ ମନୋନୀତ ଖୋଳାଳୀଙ୍କୁ ଏହି ଶିବିରରେ କୋଚିଂ ଦେବେ । ସେ ଓଡ଼ିଶା ମହିଳା ଫୁଟବଲ ଦଳର ଅଧିନାୟିକା ଥିଲେ । ବର୍ତମାନ ସେ ଓଡ଼ିଶାର ମୁଖ୍ୟ କୋଚ୍ ଅଛନ୍ତି । ‘ନାଲକୋ’ର ମାନବ ସମ୍ଭଳ ବିଭାଗ (କ୍ରୀଡ଼ା)ରେ ଜଣେ ଏକଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରୁଥିବା ଶ୍ରଦ୍ଧାଂଜଳୀଙ୍କୁ ଏହି ସଫଳତା ପାଇଁ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଅଭନନ୍ଦନ ଜ୍ଞାପନ କରାଯାଇଛି । ସେ ଓଡ଼ିଶା ଓ ଜାତୀୟ ଦଳରେ ଖେଳିବା ସମୟରେ ପଡିଆରେ ଡ଼ିଫେଣ୍ଡର ଭାବେ ଦାୟିତ୍ୱ ତୁଲାଇବା ସହ ପ୍ରତିପକ୍ଷଙ୍କ ବିରୋଧରେ ଗୋଲ୍ ବର୍ଷା କରି ଦେଶ ପାଇଁ ସୁନାମ ଆଣିଛନ୍ତି । ଖେଳାଳୀ ଭାବେ ବିଭିନ୍ନ ସମୟରେ ସେ ବିଭିନ୍ନ ଚ୍ୟାଲେଂଜର ସମ୍ମୁଖୀନ ହୋଇଛନ୍ତି । ବର୍ତମାନ ମିଳି ଥିବା ଦାୟିତ୍ୱକୁ ମଧ୍ୟ ସୁଚାରୁ ରୂପେ ତୁଲାଇବେ ବୋଲି ଶ୍ରଦ୍ଧାଂଜଳୀ ଆଶା ପ୍ରକାଶ କରିଛନ୍ତି । ବ୍ରିକ୍ସ ଗେମ୍ସରେ ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଦଳ ଅଂଶ ଗ୍ରହଣ କରିବେ । ସବୁ ଦଳ ଶକ୍ତିଶାଳୀ ହୋଇ ଥିବାରୁ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ମହିଳା ଫୁଟବଲ ଦଳକୁ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ସେ ୧୫ ବର୍ଷରୁ କମ୍ ଓ ୧୬ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ ଦଳର ସହକାରୀ କୋଚ୍ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ତେଣୁ ସେହି ଅଭିଜ୍ଞତା ଏବେ କାମରେ ଲାଗିବ ବୋଲି ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS