ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ମହାସ୍ନାନ ସରିଲା, ୧୨ ତାରିଖ ଯାଏଁ ‘ଅଣସର’ରେ ରହିବେ ତିନି ଠାକୁର
ପୁରୀ, ଜୁନ ୨୮ (ପ୍ରସାଦ ରାଓ): ଜ୍ୟେଷ୍ଠ ପୁର୍ଣ୍ଣିମା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବର ଦିନ । ପୂଣ୍ୟ ଜନ୍ମ ତିଥି । ମହାପ୍ରଭୁ ନିଜେ ଏହା ବ୍ରହ୍ମା ଓ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିବା ସ୍କନ୍ଦ ପୁରାଣରେ ଉଲ୍ଲେଖ ଥିବା ସୂଚନା ମିଳିଛି। ଜ୍ୟେଷ୍ଠ ମାସର ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଆବିର୍ଭାବ ଘଟି ଥିବାରୁ ସେହି ଦିନ ତାଙ୍କ ଜନ୍ମତିଥି ପାଳନ କରାଯିବା ସହ ପ୍ରଭୁଙ୍କ ପ୍ରତିମାକୁ ଅଧିବାସ ପୂର୍ବକ ମହାସ୍ନାନ ବିଧାନ ଅନୁଯାୟୀ ମହାସମାରେହରେ ସ୍ନାନ କରା ଯିବାକୁ ଶ୍ରୀଜଗନ୍ନାଥଙ୍କ ନିର୍ଦେଶ ଥିବା ଏଥିରେ ଦର୍ଶା ଯାଇଛି । ଏହାଦ୍ୱାରା ମହାପ୍ରଭୁଙ୍କ କୋଟି ଜନ୍ମାର୍ଜିତ ପାପରାଶିର ବିନାଶ ହେବା ସହ ଯେଉଁମାନେ ଏହି ମହାସ୍ନାନର ଦର୍ଶନ କରିବେ ସେମାନଙ୍କୁ ସମସ୍ତ ତୀର୍ଥ ସ୍ନାନ, ସବୁ ପ୍ରକାର ଯଜ୍ଞାନୁଷ୍ଠାନ ଓ ସର୍ବବିଧ ଦାନର ଫଳପ୍ରାପ୍ତି ହେବ ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ।
ଆଜି (ଗୁରୁବାର) ସେହି ପବିତ୍ର ଦିବସ । ପ୍ରତି ବର୍ଷ ଭଳି ଆଜି ମଧ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମହାସ୍ନାନ ଶ୍ରୀମନ୍ଦିର ପରିସରରେ ମହାସମାରୋହରେ ସଂପନ୍ନ ହୋଇଛି । ବର୍ଷା ଓ ଖରାଟିଆ ପାଗର ଲୁଚକାଳିରେ ତିନି ଠାକୁର ୧୦୮ ଗରା ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରି ଗଜାନନ ବେଶ ଧାରଣ କରିଥିଲେ । ଲକ୍ଷାଧିକ ଭକ୍ତ ଏହାକୁ ଦର୍ଶନ କରି ନିଜକୁ ସର୍ବପାପରୁ ମୁକ୍ତି କରି ଥିବାର ବିଶ୍ୱାସ ନେଇ ଫେରି ଥିଲେ । ଏହା ହେଉଛି ତିନି ଠାକୁରଙ୍କ ମାଉସୀମା ଯାତ୍ରା (ରଥ ଯାତ୍ରା)ର ପ୍ରାରମ୍ଭିକ ପର୍ବ । ତିନି ଠାକୁର ଶୁକ୍ରବାରରୁ ଅଣସରକୁ ଯିବା ପରେ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଇବେ । ଅଣସର ସମୟରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ନିଷିଦ୍ଧ ଥିବାରୁ ଭକ୍ତମାନେ ବ୍ରହ୍ମଗିରିରେ ଥିବା ଶ୍ରୀଅଲାରନାଥଙ୍କ ମନ୍ଦିରକୁ ଯାଇ ଶିବ ଦର୍ଶନ କରିବାର ବିଧି ରହିଛି । ତେଣୁ, ଶ୍ରୀ ଅଲାରନାଥଙ୍କ ପୀଠରେ ବିଧିବିଧାନ ଅନୁଯାୟୀ ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।
ଆଜି ସ୍ନାନ ପୂର୍ଣ୍ଣିମା ଅବସରରେ ସକାଳୁ ସକାଳୁ ତିନି ଠାକୁରଙ୍କୁ ‘ଧାଡି ପହଣ୍ଡି’ରେ ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନବେଦୀକୁ ଅଣାଯାଇ ମହାସ୍ନାନ ବିଧି ସଂପନ୍ନ କରାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ, ତାଙ୍କ ପରେ ପ୍ରଭୁ ବଳଭଦ୍ର, ପ୍ରଭୁ ଜଗନ୍ନାଥ ଏବଂ ଶେଷରେ ମା’ ସୁଭଦ୍ରାଙ୍କୁ ସ୍ନାନ ବେଦୀକୁ ଅଣା ଯାଇଥିଲା । ଗରାବଡୁ ସେବକମାନେ ମନ୍ଦିର ପରିସରରେ ଥିବା ସୁନାକୂଅଁରୁ ଆଣି ଥିବା ୧୦୮ ଗରା ଅଭିମନ୍ତ୍ରିତ ଜଳରେ ପୂଜାପଣ୍ଡା ସେବାୟତମାନେ ପ୍ରଭୁ ସୁଦର୍ଶନଙ୍କ ସହ ତିନି ଠାକୁରଙ୍କୁ ସ୍ନାନ କରାଇ ଥିଲେ । ସ୍ନାନ ପରେ ସେବାୟତମାନେ କେତେକ ନୀତିକାନ୍ତି ସାରି ତିନି ଠାକୁରଙ୍କୁ ହାତୀ ବେଶରେ ସଜାଇ ଭକ୍ତମାନଙ୍କ ଦର୍ଶନ କରାଇ ଥିଲେ । ସନ୍ଧ୍ୟା ସାଢେ ୭ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି । ଏହି ସମୟରେ ଭକ୍ତମାନେ ସ୍ନାନବେଦୀ ନିକଟକୁ ଯାଇ ତିନି ଠାକୁରଙ୍କୁ ଦର୍ଶନ କରି ପାରିବେ । କିନ୍ତୁ, ଠାକୁରଙ୍କୁ ଛୁଇଁବା ଉପରେ କଡା କଟକଣା ରହିଛି । ସାହାଣମେଲା ଦର୍ଶନ ପରେ ତିନି ଠାକୁରଙ୍କୁ ପାରଂପରିକ ରିତିରେ ଆଡମ୍ବରରେ ‘ଅଣସର’ ଘରକୁ ନିଆଯିବା ଏବଂ ମହାସ୍ନାନ ଯୋଗୁ ତିନି ଠାକୁର ଜ୍ୱରରେ ପିଡ଼ିତ ହୋଇ ଥିବାରୁ ସେମାନଙ୍କୁ ବିଭିନ୍ନ ପ୍ରକାର ପଥି ଦେଇ ସେବା କରିବା ବିଧି ରହିଛି । ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ (ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ରଥଯାତ୍ରା ପଡୁ ଥିବାରୁ) ୧୩ ତାରିଖ ତିନି ଠାକୁର ଅଣସରରୁ ବାହାରି ନବଯୌବନ ଦର୍ଶନ ଦେବେ ।
ଏହି ବିଧିବିଧାନର ସୁପରିଚାଳନା ପାଇଁ ପୁରୀରେ ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ସମାପନ କରିବା ସକାଶେ ୪୨ ପ୍ଲାଟୁନ ପୁଲିସ ବାହିନୀ ମୁତୟନ ଅଛନ୍ତି । ଏଥିସହ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ କରାଯାଇଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS