‘ମୋଅନୁଭବ.କମ୍’ର ଅଭିନନ୍ଦନ
ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଛାପା ଗଣମାଧ୍ୟମରେ କାମ କରିବା ପରେ ଅବସର ନେଇ ଇଂଟରନେଟ୍ ସାମ୍ବାଦିକତାକୁ ଆପଣାଇବି, ଏହା ମୁଁ କେବେ କଳ୍ପନା କରି ନ ଥିଲି । କାରଣ, ନ୍ୟୁଜ୍ ପୋର୍ଟାଲ ମାଧ୍ୟମରେ ସାମ୍ବାଦିକତାର ବିଶେଷ କିଛି ଅଭିଜ୍ଞତା ନ ଥିଲା । ଛାପା ଗଣମାଧ୍ୟମରେ ଆବଶ୍ୟକତା ଅନୁଯାୟୀ ‘ୱେବ୍ ପେଜ୍’ର ବ୍ୟବହାର ହୋଇଥାଏ । ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ ପଦରୁ ଅବସର ନେବା ପରେ ପ୍ରଥମେ ଚିନ୍ତା କରି ଥିଲି ଛାପା ଗଣମାଧ୍ୟମରେ ହିଁ ବାକି ସମୟ ଦେବି । କିନ୍ତୁ, ବିଧିର ବିଧାନ ଭିନ୍ନ । ୧୯୮୪-୮୫ରେ ‘ସମ୍ବାଦ’ର ନୂତନ ଅଫସେଟ୍ ମୁଦ୍ରଣ କୌଶଳ ଆମକୁ ଆକର୍ଷିତ କରିବାରୁ ଅକ୍ଷରଖଂଜା ଛାପା ଗଣମାଧ୍ୟମ ଛାଡି ନୂତନ ମୁଦ୍ରଣ କୌଶଳରେ ଛପା ହେଉଥିବା ଖବରକାଗଜରେ କାମ କରିବାକୁ ଆଗ୍ରହୀ ହୋଇଥିଲୁ । ୩୦ ବର୍ଷରୁ ଅଧିକ ଛାପା ଗଣମାଧ୍ୟମରେ କାମ କରିବା ପରେ ନୂଆ କିଛି କରିବାର ଇଚ୍ଛା ୨୦୧୭ରେ ଟାଣି ଆଣିଲା ଇଂଟରନେଟ୍ ସାମ୍ବାଦିକତାକୁ ।
ଏହି ନୂଆ କିଛି କରିବାର ଇଚ୍ଛାରୁ ଜନ୍ମ ନେଇଛି ‘ମୋଅନୁଭବ.କମ୍’ । ନିଜ ଅନୁଭବକୁ ଅନ୍ୟମାନଙ୍କ ସହ ବାଂଟିବା ଏବଂ ଅନ୍ୟମାନଙ୍କ ଅନୁଭବକୁ ସମ୍ମାନ ସହକାରେ ଇଂଟରନେଟ୍ ମାଧ୍ୟମରେ ପ୍ରସାରିତ କରି ସଂପର୍କ ଯୋଡିବା ଲକ୍ଷ୍ୟ ନେଇ ୧୪ ମାସ ତଳେ ଆରମ୍ଭ କରିଥିଲି ଏହି ୱେବ୍ ପୋର୍ଟାଲ । କେବଳ ଅନୁଭବ ନୁହେଁ; ବିଭିନ୍ନ ରୁଚିର ଖବର ଏବଂ ତାହାର ବିଶ୍ଲେଷଣ ସହ ସାହିତ୍ୟ, ସଂସ୍କୃତି, କ୍ରୀଡା, କଳା, ବାଣିଜ୍ୟ ଓ ମନୋରଂଜନ ଧର୍ମୀ ଖବରକୁ ପ୍ରାଧାନ୍ୟ ଦେଇ ୨୦୧୭ ଏପ୍ରିଲ ୧୪ ତାରିଖ ପଣା ସଂକ୍ରାନ୍ତୀ ଦିନ ‘ମୋଅନୁଭବ.କମ୍’ ଜନ୍ମ ନେଇ ଥିଲା । ଆଜି ଆନନ୍ଦର ସହ କହିବାକୁ ଚାହୁଁଛି, ୨୦୧୮ ଜୁନ ମାସ ଶେଷ ଦିନ ସୁଦ୍ଧା ସାତ ଲକ୍ଷ ୧୧ ହଜାରରୁ ଅଧିକ ପାଠକ (ଇଂଟରନେଟ୍ ବ୍ୟବହାରକାରୀ) ‘ମୋଅନୁଭବ’କୁ ଅନାବିଳ ସମର୍ଥନ ଦେଇଛନ୍ତି । ୨୦୧୮ ମେ’ ମାସରେ (ଗୋଟିଏ ମାସରେ) ୮୯ ହଜାର ୧୩୫ ପାଠକ ‘ମୋଅନୁଭବ.କମ୍’ରୁ ଖବର ପଢି ଆମକୁ ଉତ୍ସାହିତ କରିଥିବା ବେଳେ ଜୁନ୍ ମାସରେ ଏହି ସଂଖ୍ୟା ଅଛି ୧ ଲକ୍ଷ ୧୫ ହଜାରରୁ ଅଧିକ । ପ୍ରଥମ ଥର ପାଇଁ ଗୋଟିଏ ମାସ (ଜୁନ୍ ୨୦୧୮)ରେ ୧ ଲକ୍ଷରୁ ଅଧିକ ପାଠକଙ୍କ ଆଦର ପାଇବା ନିଶ୍ଚିତ ଭାବେ ‘ମୋଅନୁଭବ.କମ୍’ ପାଇଁ ଖୁସିର ବିଷୟ ।
ଏହା କିଛି ମନଗଢା କାହାଣୀ ନୁହେଁ । ସମସ୍ତେ ବିଶ୍ୱାସ କରୁଥିବା ‘ଗୁଗୁଲ୍ ଅନାଲିଟିକ୍ସ’ର ଗ୍ରାଫିକାଲ୍ ତଥ୍ୟ ଉପରେ ଏହା ଆଧାରିତ । ଯେକେହି ଚାହିଁଲେ ‘ଗୁଗୁଲ୍’କୁ ଯାଇ ଏହି ତଥ୍ୟ ପରଖି ପାରିବେ । ‘ମୋଅନୁଭବ’ର ଫେସ୍ ବୁକ୍ ‘ଲାଇକ୍’ ହେଉଛି ୨, ୬୨୨ । ବନ୍ଧୁମାନେ ପ୍ରଶ୍ନ କରୁଛନ୍ତି, ସରକାରୀ ପ୍ରୋତ୍ସାହନ ନ ଥାଇ ପାଖାପାଖି ଦେଢ ବର୍ଷ ହେଲା ସଂସ୍ଥା କେମିତି ଚାଲିଛି? ସେମାନଙ୍କୁ ମୋର ବିନମ୍ର ଉତ୍ତର ହେଉଛି, ସାମ୍ବାଦିକତା ପ୍ରତି ମନରେ ଆଦର ଥିଲେ ଓ ନିଜ ଲେଖନୀ ଉପରେ ବିଶ୍ୱାସ ରହିଥିଲେ ସବୁ କିଛି ସମ୍ଭବ । ଆଜି ନ ହେଲେ କାଲି ‘ମୋଅନୁଭବ.କମ୍’ ସରକାରଙ୍କ ନଜରକୁ ଆସିବ ଏବଂ ସଂସ୍ଥାକୁ ସରକାରୀ ସ୍ୱୀକୃତି ସହ ପ୍ରୋତ୍ସାହନ ମଧ୍ୟ ମିଳିବ । ୨୦୧୮ ଜୁନ୍ ମାସରେ ‘ମୋଅନୁଭବ.କମ୍’ର ପାଠକ ସଂଖ୍ୟା ୧ ଲକ୍ଷ ୧୫ ହଜାରରୁ ଅଧିକ ଥିବା ସମୟରେ ମାସ ଶେଷ ସୁଦ୍ଧା ୟୁନିକ୍ ଭ୍ୟୁଅର୍ ସଂଖ୍ୟା ହେଉଛି ୩୮,୦୩୯ । ଏହାର ଶ୍ରେୟ ଯାଉଛି ‘ମୋଅନୁଭବ.କମ୍’ ସହ ଯୋଡି ହୋଇଥିବା ଖବରଦାତା ଓ ପାଠକମାନଙ୍କୁ । ଏହାଛଡା, ୧୪ ମାସ ହେଲା ମୋ ପ୍ରତି ବିଶ୍ୱାସ ରଖି ଆସିଥିବା ମୋ’ ପରିବାର, ବନ୍ଧୁ, ଶୁଭେଚ୍ଛୁ, ମାର୍କେର୍ଟିଂ ସହଯୋଗୀ, ବିଜ୍ଞାପନଦାତା, ଅଗଣିତ ପାଠକ, ଗୁଗୁଲ୍ ଏବଂ ସମୟ, ଅସମୟରେ ବାଟ ଦେଖାଉଥିବା ସର୍ଭିସ ପ୍ରୋଭାଇଡର୍ ଓ ତାଙ୍କ ସହଯୋଗୀମାନଙ୍କୁ ଏହି ସଫଳତାର ଶ୍ରେୟ ଦେବାକୁ ଚାହୁଁଛି । ୧୪ ମାସ ମଧ୍ୟରେ ସୀମିତ ସାଧନ ସତ୍ତ୍ୱେ ‘ମୋଅନୁଭବ.କମ୍’କୁ ଏକ ସମ୍ମାନଜନକ ସ୍ଥିତିରେ ପହଂଚାଇବାକୁ ହୋଇଥିବା କଠିନ ପରିଶ୍ରମର ଫଳ ହେଉଛି ଏହି ପାଠକୀୟ ଆଦର । ‘ଗୁଗୁଲ ଆନାଲିଟିକ୍ସ’ର ତଥ୍ୟ ମୋତେ ଅଧିକ ଉତ୍ସାହିତ କରିଛି । ବିଶ୍ୱର ୨୪ଟି ରାଷ୍ଟ୍ରରେ ‘ମୋଅନୁଭବ.କମ୍’ କିଛି ନା କିଛି ପାଠକ ଅଛନ୍ତି । ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଏହାର ପାଠକ ରହି ଥିବା ‘ଗୁଗୁଲ୍’ ରିପୋର୍ଟରୁ ଜଣାପଡିଛି । ଏହି ସଫଳତା ପାଇଁ ପୁଣି ଥରେ ସମସ୍ତଙ୍କୁ ଅଭିନନ୍ଦନ ଓ ଆନ୍ତରିକ କୃତଜ୍ଞତା ଜଣାଉଛି । – ମୁଖ୍ୟ ସଂପାଦକ
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS