ରାଜଧାନୀ ବାସିନ୍ଦାଙ୍କ ନିକଟରେ ଉଭୟ ବିଜେଡ଼ି ଓ ବିଜେପି ଉତ୍ତରଦାୟୀ
– ପ୍ରସାଦ ରାଓ –
ଭୁବନେଶ୍ୱର : ମାତ୍ର ୧୬ ମିମି ବର୍ଷାରେ ରାଜଧାନୀ ଭୁବନେଶ୍ୱର ଜଳାର୍ଣ୍ଣବ ହୋଇ ସହରବାସୀଙ୍କୁ ହନ୍ତସନ୍ତ କରିବା କିଛି ନୂଆ କଥା ନୁହେଁ । ସହରର କଳେବର ବୃଦ୍ଧି ସଂଗେ ସଂଗେ ଏହି ସମସ୍ୟା ଉକ୍ରଟ ହେବାରେ ଲାଗିଛି । ରାଜଧାନୀର ରୂପ ଯେତେ ବଦଳୁଛି ସମସ୍ୟା ସେତେ ବଢୁଛି । ‘ସ୍ମାଟ୍ ସିଟି’ ଘୋଷଣା ପରେ ପରିସ୍ଥିତି ଅଧିକ ଉଦବେଗଜନକ ହୋଇଛି । ସହରକୁ ସ୍ମାର୍ଟ କରିବା ପାଇଁ ବାଣୀବିହାରରୁ ବାପୁଜୀ ନଗର ପର୍ଯ୍ୟନ୍ତ ରାସ୍ତା ଦୁଇ ପାଶ୍ୱର୍କୁ ଯେଭଳି ଭାବେ ଖୋଳି ଦିଆଯାଇଛି ସନ୍ଧ୍ୟା ସମୟରେ ସେହି ରାସ୍ତା ଦେଇ ଯାତାୟତ ଅତ୍ୟନ୍ତ କଷ୍ଟକର ହେଉଛି । ମାଷ୍ଟର କ୍ୟାଂଟିନ ଛକରୁ ବାପୁଜୀ ନଗର ଛକକୁ ଯିବା ସକାଶେ ଅନ୍ୟୁନ ଅଧ ଘଂଟାରୁ ୪୫ ମିନିଟ ସମୟ ଲାଗୁଛି । ରାସ୍ତା ଦୁଇ କଡକୁ ଖୋଳି ବାଡ ପକାଇ ଦିଆଯାଇ ଥିବା ବେଳେ ରାସ୍ତା ଅପର ପାଶ୍ୱର୍ରେ ଥିବା ଦୋକାନ ବଜାରକୁ ଯିବାକୁ ବିକଳ୍ପ ବ୍ୟବସ୍ଥା ହୋଇ ନାହିଁ । ଫଳରେ, ବଜାର କରିବାକୁ ଯାଉଥିବା ଚାରି ଚକିଆ ଯାନ ବ୍ୟବହାରକାରୀ ରାସ୍ତା ମଝିରେ ଗାଡି ପାର୍କିଂ କରୁଛନ୍ତି । ଫଳରେ, ରାସ୍ତା ଅବରୋଧ ହୋଇ ରାଜମହଲ ଆଡକୁ ଯିବା ଯମଯଂତ୍ରଣା ସଦୃଶ ହେଉଛି । ସେହିପରି, ମାର୍କେଟିଂ ପାଇଁ ଆସୁ ଥିବା ଦୁଇ ଚକିଆ ଯାନ ଚାଳକମାନେ ପାର୍କିଂ ପାଇଁ ଗଳି କନ୍ଦି ଖୋଜୁଛନ୍ତି । ଦୋକାନ ଗୁଡିକ ସାମନାରେ ଛୋଟ, ବଡ ଗାଡି ପାର୍କିଂ ହୋଇ ଅଧିକ ସମସ୍ୟା ସୃଷ୍ଟି ହେଉଛି । ଥରେ ସେହି ଜାମ୍ ରେ ଫସି ଗଲେ ସେଠାରୁ ବାହାରି ହେବ କି ନାହିଁ ମନରେ ସନେ୍ଦହ ରହୁଛି ।
ଏବେ କେବଳ ମାଷ୍ଟର କ୍ୟାଂଟିନରୁ ରାଜମହଲ ରାସ୍ତା ନୁହେଁ; ସତ୍ୟନଗର ଓଭରବ୍ରିଜ୍ ଦେଇ ଖାରବେଳ ନଗର, ରାମମନ୍ଦିରକୁ ସଂଯୋଗ କରୁଥିବା ବିଗ୍ ବଜାର ରାସ୍ତା ଏବଂ କଟକ-ପୁରୀ ରାସ୍ତା ଅଧିକ ଯଂତ୍ରଣାମୟ ହୋଇଛି। ବିଦ୍ୟୁତ ବିତରଣ କଂପାନୀମାନେ ଭୂତଳ କେବୁଲ ମାଧ୍ୟରେ ବିଦ୍ୟୁତ ଯୋଗାଣ ପାଇଁ ବର୍ଷାଧିକ ସମୟ ହେଲା କେବୁଲ ବିଛା କାମ ଚଳାଇଛନ୍ତି ଯେ ତାହା ସରିବାର ନାଁ ନେଉ ନାହିଁ । ଭୂତଳ କେବୁଲ ବିଛାଇବା ପାଇଁ ରାସ୍ତା ପାଶ୍ୱର୍କୁ ଖୋଳି ଦିଆଯାଇ ବାଡ ପକାଇ ଦିଆଯାଇଛି । କାମ ସରୁ ନ ଥିବାରୁ ରାସ୍ତା ସଂକୁଚିତ ହୋଇ ଟ୍ରାଫିକ ସମସ୍ୟା ଉକ୍ରଟ ହେବ ସହ ଯାନବାହାନ ଚଳାଚଳ ବିପଦ ସଂକୁଳ ହୋଇପଡିଛି । ଏହାଛଡା, ବଡ ସମସ୍ୟା ହୋଇଛି ସହରର ବିଭିନ୍ନ ଅଂଚଳରେ ବ୍ୟବହାରଯୋଗ୍ୟ ହୋଇ ସାରିଥିବା ଏବଂ ନିର୍ମାଣାଧିନ ଥିବା ଓଭରବ୍ରିଜ୍ ଗୁଡ଼ିକ । ବ୍ୟବହାର ହେଉଥିବା ଓଭରବ୍ରିଜ୍ ଗୁଡିକର ତଳେ ଥିବା ରାସ୍ତାର ମରାମତି ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ବଡ ବଡ ଗର୍ତର୍ ରହି ସାଧାରଣ ଦିନରେ ଦୁର୍ଘଟଣା ଘଟୁଛି । ସମାନ୍ୟ ବର୍ଷାରେ ଜଳ ନିଷ୍କାସନ ହୋଇ ନ ପାରି ଗର୍ତଗୁଡିକ ଜଳାର୍ଣ୍ଣବ ହୋଇ ରହିବା ଦ୍ୱାରା କିଭଳି ଭୟଂକର ପରିସ୍ଥିତି ସୃଷ୍ଟି ହେଉଥିବ ତାହା ସହଜରେ ଅନୁମାନ କରି ହେବ । ନିର୍ମାଣାଧିନ ଓଭରବ୍ରିଜ୍ କଥା ନ କହିବା ଭଲ । ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ବା ପୂର୍ତର୍ ବିଭାଗ ଏହି ଦରଖଂଡିଆ ରାସ୍ତାରେ ଯାନବାହନ କିଭଳି ଚଳାଚଳ ହେଉଥିବ ତାହା ଚିନ୍ତା କରୁଥିବେ ବୋଲି ଅମେ ଭାବୁନୁ । ଯାନବାହନ କଥା ଛାଡନ୍ତୁ, ସାମାନ୍ୟ ବର୍ଷାରେ ପାଦରେ ବା ସାଇକେଲରେ ଯିବା ମଧ୍ୟ ବିପଦସଂକୁଳ ମନେ ହେଉଛି ।
ବର୍ଷା ଜଳ ନିଷ୍କାସନ ପାଇଁ ସହରର ବିଭିନ୍ନ ଅଂଚଳରେ ନାଳ, ନର୍ଦ୍ଦମା ରହିଛି ସିନା ସେଗୁଡିକର ଠିକ୍ ଭାବେ ସଫେଇ ହେଉ ନାହିଁ । ଫଳରେ, ବାହ୍ୟ ମଇଳା ନାଳନର୍ଦ୍ଦମାରେ ଜମି ରହି ବର୍ଷା ଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସାମାନ୍ୟ ବର୍ଷାରେ ରାଜଧାନୀ ବାସିନ୍ଦା କୃତ୍ରିମ ବନ୍ୟା ସହ ନାଳ ନର୍ଦ୍ଦମାର ମଇଳାରେ ପାଣିରେ ଗୋଡ ଗୁଡାଇ ଯିବା ଆସିବା କରିବାରେ ଏକପ୍ରକାର ଅଭ୍ୟସ୍ତ ହୋଇ ସାରିଲେଣି । ତେଣୁ, ପ୍ରତିବାଦର ସ୍ୱର କ୍ଷୀଣ । ଗଲା ଶନିବାର (ଜୁନ ୩୦ ତାରିଖ) ଅପରାହ୍ନରେ ରାଜଧାନୀରେ ମାତ୍ର ଅଧ ଘଂଟିଆ (୧୬.୨ ମିମି) ବର୍ଷା ହୋଇ ଯେଭଳି ବେହାଲ୍ ପରିସ୍ଥିତି ସୃଷ୍ଟି ହେଲା ତାହା କିଛି ଦିନ ତଳେ ଲଗାଣ ବର୍ଷାରେ ଉବୁଟୁବୁ ହେଉଥିବା ମୁମ୍ବାଇ ସହରର ଭ୍ରମ ସୃଷ୍ଟି କରିଥିଲା । ରାସ୍ତାରେ ଛୁଟି ଥିବା ପାଣି ସୁଅରେ ଏକାଧିକ ସଂଖ୍ୟକ ଛୋଟ, ବଡ ଗାଡି ଭାସୁ ଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମ ପାଇଁ ଖବରର ବଡ ଖୋରାକ ହୋଇ ଥିଲା । ନବେ ଦଶକ ପୂର୍ବରୁ ରାଜଧାନୀ ଅବସ୍ଥା ଏଭଳି ନ ଥିଲା । ନବେ ଦଶକ ପରେ ହିଁ ରାଜଧାନୀର ନବକଳେବର ଆରମ୍ଭ ହୋଇ ନୂଆ ନୂଆ ସମସ୍ୟାକୁ ଡ଼ାକି ଆଣିଛି । ସ୍ମାର୍ଟ ସିଟି ଘୋଷଣା ଯେଭଳି ସଚେତନତା ଓ ତତ୍ପରତା ଆଶା କରା ଯାଉଥିଲା ତାହା ଦେଖିବାକୁ ମିଳୁ ନାହିଁ । ଭୁବନେଶ୍ୱର ମହାନଗର ନିଗମ ମେୟର ପ୍ରତ୍ୟହ ସନ୍ଧ୍ୟାରେ ବଲେରୋରେ ବସି ସହରରେ ପଇଁତରା ମାରୁଥିବା ଆମେ ଦେଖୁଛୁ । କିନ୍ତୁ, ସେ ଯାଉଥିବା ରାସ୍ତା କଡରେ କିଭଳି କୁଢ କୁଢ ମଇଳା ଜମି ରହିଛି ତାହା ତାଙ୍କ ନଜରକୁ ଆସୁ ନ ଥିବା କ୍ଷୋଭର ବିଷୟ ହୋଇଛି ।
ସାମାନ୍ୟ ବର୍ଷାରେ ସହର ଜଳାର୍ଣ୍ଣବ ହେଲେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗକୁ ଦୋଷ ଦେଇ ଭୁବନେଶ୍ୱର ମହାନଗର ନିଗମର ମେୟର ଓ କର୍ପୋରେଟରମାନେ ଖସିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ, ବର୍ଷାଜଳ ନିଷ୍କାସନ ପାଇଁ କେମିତି ନାଳ ନର୍ଦ୍ଦମା ସଫେଇରେ ଉନ୍ନତି ଆସିବ ଏବଂ ରାସ୍ତା କଡରେ ଗଦା ହେଉଥିବା କୁଢ କୁଢ ମଇଳା ପ୍ରତିଦିନ ସଫା ହେବ, ସେ ଦିଗରେ ସେମାନଙ୍କ ଧ୍ୟାନ ନାହିଁ । ଆଉ ରହିଲା ସରକାରଙ୍କ କଥା । ୨୦୦୦ ମସିହାରୁ ରାଜ୍ୟରେ ଗୋଟିଏ ଆଂଚଳିକ ଦଳ (ବିଜେଡ଼ି)ର ସରକାର ଚାଲିଛି । ରାସ୍ତାଘାଟ ନିର୍ମାଣ, ନାଳ ନର୍ଦ୍ଦମା ସଫେଇ ପ୍ରଭୃତି ବାବଦରେ ନଗର ଉନ୍ନୟନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ମାର୍ଟ ସିଟି ଘୋଷଣା ପରେ ଭୁବନେଶ୍ୱରକୁ ବିଶ୍ୱସ୍ତର ସହରରେ ପରିଣତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଓ ଶାସନରେ ଥିବା ତାଙ୍କ ବଡ ବଡିଆ ସରକାରୀ ଅଧିକାରୀମାନେ ରାଜ୍ୟବାସୀଙ୍କୁ ସ୍ୱପ୍ନ ଦେଖାଉଛନ୍ତି । କିନ୍ତୁ, ୧୮ ବର୍ଷରେ ରାଜଧାନୀର ଏଭଳି ପ୍ରମୁଖ ସମସ୍ୟା ସବୁ ଅଣଦେଖା ହୋଇ ରହିଛି ।
ସାମାନ୍ୟ ବର୍ଷାରେ ପୁରୀ ସହରର ବଡଦାଣ୍ଡ ଉବୁଟୁବୁ ହୋଇ ନାଳନର୍ଦ୍ଦମାର ମଳଯୁକ୍ତ ମଇଳା ପାଣି ରାସ୍ତାରେ ଭାସୁଛି । ଦେଶ, ବିଦେଶର ପର୍ଯ୍ୟଟକଙ୍କ ଅନ୍ୟତମ ମୁଖ୍ୟ ଆକର୍ଷଣ ହୋଇଥିବା ରାଜଧାନର ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ ଛୋଟବଡ ମନ୍ଦିର ମଇଳା ପାଣିରେ ବୁଡି ରହୁଛି । କୋଣାର୍କ ସୂର୍ଯ୍ୟ ମନ୍ଦିର କଥା ନ କହିବା ଭଲ । ବର୍ଷାରେ ଉବୁଟୁବୁ ହେଉଥିବା ମନ୍ଦିରର କାରୁକାର୍ଯ୍ୟ ଦେଖିବାକୁ ଆସୁ ଥିବା ପର୍ଯ୍ୟଟକମାନେ ଆଂଠୁ ଉପର ପର୍ଯ୍ୟନ୍ତ ପୋଷାକ ଟେକିବାକୁ ବାଧ୍ୟ ହେଉଛନ୍ତି । ସାମାନ୍ୟ ବର୍ଷାରେ କଟକ, ସମ୍ବଲପୁର, ବ୍ରହ୍ମପୁର ଭଳି ସହର ଜଳାର୍ଣ୍ଣବ ହୋଇପଡୁ ଥିବା ନିତି ଦିନ ଖବର । ସରକାର ରାଜଧାନୀକୁ ସମ୍ଭାଳି ପାରୁ ନାହାନ୍ତି, ସେସବୁ ସହର କଥା ପଚାରେ କିଏ ? ଏଭଳି ବିଶୃଙ୍ଖଳା ପାଇଁ କେବଳ ୧୮ ବର୍ଷର ବିଜେଡ଼ି ସରକାରଙ୍କୁ ଦାୟି କରାଯାଇ ନ ପାରେ । ବିଜେଡ଼ି ସରକାରରେ ପ୍ରଥମ ନଅ ବର୍ଷ (୨୦୦୦-୨୦୦୯) ବିଜେପି ମଧ୍ୟ ଭାଗୁଆଳୀ ଥିଲା । ନଗର ଉନ୍ନୟନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ମନ୍ତ୍ରୀମାନେ ହାତରେ ରଖି ଥିଲା । ତେଣୁ, ଆଜିର ସଂକଟ ପାଇଁ ଉଭୟ ବିଜେଡ଼ି ଓ ବିଜେପି ରାଜଧାନୀବାସୀଙ୍କ ନିକଟରେ ଉତ୍ତରଦାୟୀ ହେବା ଆବଶ୍ୟକ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS