ରାଜନୀତି ଚାଲିଛି, ଧାନର ଏମଏସପିକୁ ନେଇ ଚାଷି ଖୁସି ନା ଦୁଃଖୀ ଜାଣିବାକୁ କାହାରି ଆଗ୍ରହ ନାହିଁ
-
ପ୍ରସାଦ ରାଓ –
ଭୁବନେଶ୍ୱର, ଜୁଲାଇ ୦୫ : କେନ୍ଦ୍ର ସରକାର ବୁଧବାର ଦିନ ୧୪ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଧାନ ସମେତ ଅନ୍ୟ ୧୩ଟି କୃଷିଜାତ ଦ୍ରବ୍ୟର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି ତାହା ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଧାର୍ଯ୍ୟ ହୋଇଥିବା ବିରୋଧୀ କହୁଛନ୍ତି । ଏହି ଦୁଇଟି ରାଜ୍ୟ ବିଜେପି ଶାସିତ ଏବଂ ବିଭିନ୍ନ କାରଣରୁ ଏହି ଦୁଇ ରାଜ୍ୟରେ ବର୍ତମାନ ଅବସ୍ଥାପିତ ଥିବା ସରକାର ବିରୋଧରେ ଜନ ଅସନ୍ତୋଷ ତେଜୁଛି । ଆଗାମୀ ନିର୍ବାଚନରେ ଏହାର ପ୍ର୍ରଭାବକୁ ଏଡାଇବା ପାଇଁ କେନ୍ଦ୍ର ସରକାର ଏମଏସପିକୁ ଅସ୍ତ୍ର କରିଛନ୍ତି ବୋଲି ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଚାଷି ଓ ଗ୍ରାମାଂଚଳ ଭୋଟରଙ୍କ ଅସନ୍ତୋଷର ଶିକାର ହୋଇ ସହରାଂଚଳରୁ ପାଇଥିବା ଭୋଟରେ ଦୁଇ ଅଙ୍କ ଆସନରେ ସୀମିତ ହୋଇଯାଇ ଥିଲା । ବିଧାନସଭାରେ ତିନି ଅଙ୍କ ବିଶିଷ୍ଟ ଆସନ ପାଇବା ସକାଶେ ଦଳ ଯେଉଁ ଆଶା ବାନ୍ଧି ଥିଲା ତାହାକୁ କଂଗ୍ରେସ ଧୂଳିସାତ କରି ଗ୍ରାମାଂଚଳ ଭୋଟ ସହାୟତାରେ ଦୁଇ ଅଙ୍କ ଆସନ ପାଇ ଆଶାତୀତ ସଫଳତା ହାସଲ କରିଥିଲା । ଆଗାମୀ ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ନିର୍ବାଚରେ ସେଭଳି ପରିସ୍ଥିତି ସୃଷ୍ଟି ନ ହେବା କେନ୍ଦ୍ର ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଚାହୁଁଛନ୍ତି ।
୨୦୧୮-୧୯ ଖରିଫ ବର୍ଷ ପାଇଁ ବୁଧବାର ଘୋଷିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଅନ୍ୟ ରାଜ୍ୟର ପ୍ରତିକ୍ରିୟା ତୁରନ୍ତ ମିଳି ନାହିଁ । ତେବେ, ଏହି ଘୋଷଣା ପରେ ଓଡ଼ିଶାରେ ଯେଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି ତାହା ଏଠାରେ ଆଲୋଚନା କରାଯାଇପାରେ । ଗୋଟିଏ ପଟେ ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଚାଷିଙ୍କୁ ପ୍ରଲୁବ୍ଧ କରିବା ପାଇଁ ଧାନ ସମେତ ୧୪ଟି ଫସଲର ସହାୟକ ମୂଲ୍ୟ ଦେଢ ଗୁଣ ବୃଦ୍ଧି କରିଛନ୍ତି ବୋଲି ଓଡ଼ିଶାର ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ ପ୍ରତିକ୍ରିୟା ବ୍ୟକ୍ତି କରିଥିବା ବେଳେ ଅନ୍ୟ ପଟେ ସେମାନେ ଘୋଷଣା ହୋଇଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଏହା ‘କଟା ଘା’ରେ ଚୂନ ମାରିଲା ଭଳି’ହୋଇଥିବା କହୁଛନ୍ତି । ତେବେ, କାହାର କଟା ଘା’ ଓ ଚୂନ , ତାହା ସ୍ପଷ୍ଟ ନୁହେଁ । ରାଜ୍ୟରେ ଧାନ ଚାଷ ଉପରେ ନିର୍ଭର କରୁଥିବା ଚାଷିଙ୍କ ସଂଖ୍ୟା ସର୍ବାଧିକ । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପୋକ, ରୋଗରେ ଫସଲ ନଷ୍ଟ ହୋଇ ଚାଷି ସର୍ବସ୍ୱାନ୍ତ ହେବା ସହ ରାଜ୍ୟର ବିଭିନ୍ନ ଅଂଚଳରେ ଚାଷି ଆତ୍ମହତ୍ୟା ବଢୁ ଥିବା ଦେଖିବାକୁ ମିଳୁଛି । ଚାଷି ଆତ୍ମହତ୍ୟା ଆଉ ପଶ୍ଚିମ ଓଡ଼ିଶାରେ ସୀମିତ ନାହିଁ, ରାଜ୍ୟର ବିଭିନ୍ନ ଅଂଚଳକୁ ବ୍ୟାପି ଗଲାଣି । ଚାଷି ଆତ୍ମହତ୍ୟାର ପ୍ରମୁଖ୍ୟ କାରଣ ହେଉଛି, ଚାଷ ଜମି ଥିବା ସ ଋଣ ଶୁଝୁ ଥିବା ଜମି ମାଳିକଙ୍କୁ ସମବାୟ ବ୍ୟାଙ୍କରୁ କୃଷି ଋଣ ମିଳୁଥିବା ବେଳେ ଭାଗରେ ଚାଷ କରୁଥିବା ଚାଷି ସରକାରୀ ଋଣ ନ ପାଇ ଘରୋଇ ବ୍ୟକ୍ତି ବା ସଂସ୍ଥାରୁ ଉଚ୍ଚ ସୁଧ ହାରରେ ଋଣ ନେଇ ଚାଷ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ, ରୋଗ, ପୋକରେ ଫସଲ ନଷ୍ଟ ହୋଇ ଗଲେ ଋଣ ଶୁଝିବା ମୁସ୍କିଲ । ଭଲ ଫସଲ ହେଲେ ବଜାର ସୁବିଧା ନ ଥିଲେ ଅଭାବୀ ବିକ୍ରି ସମସ୍ୟା । ଚାଷି ଋଣ ଶୁଝି ନ ପାରି ଆତ୍ମହତ୍ୟାକୁ ଶେଷ ଉପାୟ ଭାବେ ଧରି ନେଲେଣି । ଏଭଳି ନ କରିବା ସକାଶେ ସେମାନଙ୍କୁ ପ୍ରବର୍ତର୍ାଇବା ବଦଳରେ ସରକାର ଚାଷି ଆତ୍ମହତ୍ୟାକୁ ଭିନ୍ନ ରୂପ ଦେଇ ସେମାନଙ୍କ ପରିବାରର ମନୋବଳ ଭାଂଗି ଦେଉଛନ୍ତି।
କେବଳ ଧାନ ନୁହେଁ, ଅନ୍ୟ ଫସଲ ଓ ପନି ପରିବା ଚାଷରେ ମଧ୍ୟ ଏକାଭଳି ସମସ୍ୟା ଚାଷିଙ୍କୁ ଭୋଗିବାକୁ ପଡୁଛି । ପ୍ରଥମରେ, ରାଜ୍ୟରେ ବିଭିନ୍ନ ଫସଲ ଓ ପନିପରିବା ବିକ୍ରି ପାଇଁ ବଜାର ସୁବିଧା ନାହିଁ । ଚାଷିଙ୍କ ଉତ୍ପାଦନ ଗଚ୍ଛିତ ରଖିବା ପାଇଁ ଯଥେଷ୍ଟ ସଂଖ୍ୟାରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ଫଳରେ, ଚାଷି ଉତ୍ପାଦିତ ଫସଲ ଓ ପନି ପରିବାର ଉତ୍ପାଦନ ଖର୍ଚ୍ଚ ଠାରୁ କମ୍ ମୂଲ୍ୟ ପାଇଲେବି ନିଜର ଅଭାବି ସଂସାରକୁ ଚଳାଇବା ପାଇଁ ଉତ୍ପାଦିତ ସାମଗ୍ରୀ ବିକିବାକୁ ବାଧ୍ୟ ହେଉଛନ୍ତି । ଦ୍ୱିତୀୟରେ, ପ୍ରକୃତିକ ବିପର୍ଯ୍ୟୟ, ପୋକ, ରୋଗରେ ଫସଲ ନଷ୍ଟ ହେଲେ କ୍ଷତିଭରଣାର ଉପାୟ ମଧ୍ୟ ମିଳୁନି । ଚାଷି ଧାନ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନ କରି ବର୍ଷ ସାରା ଚଳିବା ସହ ପିଲାଙ୍କୁ ପାଠ ପଢାଇବା, ଝିଅ ବାହାଘର କରିବା ଓ ଅନ୍ୟାନ୍ୟ ଆବଶ୍ୟକତା ମେଂଟାଇବା ପାଇଁ ସାହୁକାରଙ୍କ ଉପରେ ନିର୍ଭରଶୀଳ ହେଉଛି । ଋଣ ପରିଶୋଧ ହୋଇ ନ ପାରିଲେ ବେକରେ ଦଉଡି ଦେଇ ବା କୀଟନାାକ ପିଇ ମରୁଛି । ଏହା ହେଉଛି ସର୍ବଭାରତୀୟ ଚିତ୍ର । ଓଡ଼ିଶାରେ ବି ଏଭଳି ଚିତ୍ର ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁୁ କଳଂକିତ କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତିର ବନ୍ଧ ବାନ୍ଧୁଛନ୍ତି ନିର୍ବାଚନ ପରେ ତାହା କାର୍ଯ୍ୟକାରୀ କରୁ ନ ଥିବାରୁ ଚାଷିର ଦୁଃଖ ବଢୁଛି । ରାଜ୍ୟ ସରକାରଙ୍କ କୁଇଂଟାଲ ପିଛା ୧୦୦ ଟଙ୍କା ବୋନସ ଭଳି ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ହେଉଥିବା ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ଘୋଷଣା ଦ୍ୱାରା ଚାଷି ପ୍ରଲୋଭିତ ହେଉଚି ସତ, କିନ୍ତୁ ପରେ ସେସବୁ ‘ଫାଙ୍କା ଥିଲା’ ବୋଲି ଜାଣିବା ପରେ ହତାଶ ହେଉଛି ।
ଏଠାରେ ଉଲ୍ଳେଖଯୋଗ୍ୟ, ୨୦୧୬ରେ ଓଡ଼ିଶା ସରକାର ହିସାବ କରିଥିଲେ ରାଜ୍ୟରେ ଚାଷିଙ୍କ ଧାନ ଉତ୍ପାଦନ ବାବଦରେ କୁଇଂଟାଲ ପିଛି ଖର୍ଚ୍ଚ ଆସୁଛି ୨୩୪୪ ଟଙ୍କା । ଚାଷିଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁିଂଟାଲ ପିଛା ୨,୯୩୦ ଟଙ୍କା ମିଳିିବା ଉଚିତ । ରାଜ୍ୟ ବିଧାନସଭାରେ ଏନେଇ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ଧାନର ଏମଏସପି ୨୯୩୦ଟଙ୍କା ଧାର୍ଯର୍୍ୟ କରାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ବାଚସ୍ପତିଙ୍କ ନେତୃତ୍ୱରେ ରାଜ୍ୟ ବିଧାନସଭାର ଏକ ସର୍ବଦଳୀୟ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସମୟ ମାଗା ଗଲା । କିନ୍ତୁ, ପ୍ରଧାନମନ୍ତ୍ରୀ ସମୟର ଅଭାବ କଥା କହି ସର୍ବଦଳୀୟ ବିଧାନସଭା ପ୍ରତିନିଧି ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ରାଜ୍ୟର ଦାବି ସତ୍ୱେ ୨୦୧୭ ଖରିଫ ଋତୁ ପାଇଁ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରି ମାତ୍ର ୮୦ ଟଙ୍କା ବଢାଇଲେ । ଚାଷି କୁଇଂଟାଲ ପିଛା ଧାନର ସହାୟକ ମୂଲ୍ୟ ୨,୯୩୦ ପାଇବା ଆଶାରେ ଥିବା ବେଳେ ମିଳିଲା ୧୫୫୦ ଟଙ୍କା । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଅଧିନରେ ଥିବା ‘କମିସନ ଫର୍ ଏଗ୍ରିକଲଚରାଲ କଷ୍ଟ୍ ଏଣ୍ଡ୍ ପ୍ରାଇସ୍’ (ସିଏସିପି) ଦ୍ୱାରା ଧାର୍ଯ୍ୟ ଧାନର ଉତ୍ପାଦନ ଖର୍ଚ୍ଚକୁ ଆଖିରେ ରଖି କେନ୍ଦ୍ର ସରକାର ଏହି ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଥିବା କହି ଓଡ଼ିଶାର ଦାବିକୁ ଏଡାଇ ଗଲେ । ଓଡ଼ିଶାର ଚାଷିଙ୍କ ପାଇଁ ଅଲଗା ଭାବେ ବିଚାର କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ଆଡୁ ରୋକଠୋକ ଜଣାଇ ଦିଆଗଲା । ୨୦୧୮ରେ ମଧ୍ୟ ଓଡ଼ିଶା ସରକାରଙ୍କ ଦାବି ସେୟା ରହିଛି । କିନ୍ତୁ, କେନ୍ଦ୍ର ତାହାକୁ ଅଣଦେଖା କରି ସାଧାରଣ ଧାନର କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୫୫୦ଟଙ୍କାରୁ ୧୭୫୦ ଟଙ୍କାକୁ ଓ ‘ଏ’ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୯୦ଟଙ୍କାରୁ ୧୭୯୦ ଟଙ୍କାକୁ ବୃଦ୍ଧି କରିଛି ।
ସିଏସିପି ଧାନ ଚାଷିଙ୍କ ଉତ୍ପାଦନ ଖର୍ଚ୍ଚ କୁଇଂଟାଲ ପିଛା ୧୧୬୬ ଟଙ୍କା ଧାର୍ଯ୍ୟ କରିଥିବା ଦର୍ଶାଇ କେନ୍ଦ୍ର ସରକାର ଧାନର ଏମଏସପି କୁଇଂଟାଲ ପିଛା ୧୫୫୦ରୁ ୧୭୫୦ ଟଙ୍କାକୁ ବୃଦ୍ଧି କରି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତିର ପ୍ରତିପାଳନ କରିଥିବା ବାହାସ୍ଫୋଟ ମାରୁଛନ୍ତି । ୨୦୨୨ ସୁଦ୍ଧା ଦେଶରେ ଚାଷିଙ୍କ ଆୟ ଦୁଇ ଗୁଣ ବଢି ଯିବ ବୋଲି ବିଜେପି ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପ୍ରମୁଖ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ‘ ଐତିହାସିକ’ ଦର୍ଶାଇ ସରକାରଙ୍କୁ ସାବାସି ଦେବାକୁ ପଛାଉ ନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି – ୨୦୧୬ରେ ଓଡ଼ିଶା ସରକାର ଚାଷିଙ୍କ ଧାନର ଉତ୍ପାଦନ ଖର୍ଚ୍ଚ କୁଇଂଟାଲ ପିଛା ୨୩୪୪ଟଙ୍କା ହେଉଥିବା କେଉଁ ଆଧାରରେ ଆକଳନ କରି ଏମଏସପି କୁଇଂଟାଲ ପିଛା ୨୯୩୦ ଟଙ୍କା କରାଯିବାକୁ କେନ୍ଦ୍ର ନିକଟରେ ଦାବି କରିଥିଲେ? ସେହିଭଳି, ସିଏପିସି ଧାନର ଉତ୍ପାଦନ ଖର୍ଚ୍ଚ କୁଇଂଟାଲ ପିଛା ୧୧୬୬ ଟଙ୍କା ହେଉଛି ବୋଲି ଧାର୍ଯ୍ୟ କରିଛି କେଉଁ ମାପକାଠିକୁ ନେଇ ?? କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏପିସି ଆକଳନର ଦ୍ୱାହି ଦେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇ ଓଡ଼ିଶା ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ନିଜ ଆକଳନକୁ ନେଇ କେନ୍ଦ୍ରକୁ ଘେରୁଛନ୍ତି । ବୁଧବାର ଘୋଷିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ବିରୋଧ କରି ଓଡ଼ିଶାରେ ଶାସକ ବିଜେଡ଼ି କେନ୍ଦ୍ର ବିରୋଧରେ ଅଭିଯାନ ଚାଲୁ ରଖିବାକୁ ଘୋଷଣା କରିଛି । ସ୍ୱାମୀନାଥନ କମିସନ ସୁପାରିଶକୁ ଆଧାର କରି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଥିଲେ ଚାଷିଙ୍କୁ ଆଉ ୩୦୦ ଶହ ଟଙ୍କା ଅଧିକ ମିଳି ଥା’ନ୍ତା ବୋଲି ସରକାରୀ ଦଳର ଜଣେ ମୁଖପାତ୍ର ଏଠାରେ ସୂଚନା ଦେଇଛନ୍ତି । ୨୦୧୬ରେ ରାଜ୍ୟ ସରକାର ନିର୍ଣ୍ଣୟ କରିଥିବା ଧାନର କୁଇଂଟାଲ ପିଛା ଉତ୍ପାଦନ ଖର୍ଚ୍ଚକୁ ହିସାବକୁ ନେଲେ ୨୦୧୮-୧୯ ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଏମଏସପି ଚାଷିଙ୍କୁ କୁଇଂଟାଲ ପିଛା ୫୯୪ଟଙ୍କା କ୍ଷତିରେ ପକାଉଛି ବୋଲି ମଧ୍ୟ କେତେକ ଆକଳନ କରିଛନ୍ତି । ତେବେ, ପୂର୍ବ ୟୁପିଏ ସରକାରଙ୍କ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାପୋକାର୍ଡ ବିଜେପିର ଦାବିକୁ ସୁହାଉଛି । ୨୦୧୨-୧୩ରେ ୟୁପିଏ-୨ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏକକାଳୀନ ୧୭୦ ଟଙ୍କା ବୃଦ୍ଧି କରିଥିବା ବେଳେ ବର୍ତର୍ମାନର ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ୨୦୧୮-୧୯ ପାଇଁ ଧାନର ଏମଏସପି ୨୦୦ ଟଙ୍କା ବୃଦ୍ଧି କରି ଦୁଇ ଦଶନ୍ଧି ପରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ବିଜେପି ଦାବି କରୁଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏହି ବାଦାନୁବାଦ ଭିତରେ ବାସ୍ତବ ଚାଷିର ସ୍ୱର ହଜି ଯାଇଛି । ବୁଧବାର ଘୋଷିତ ଏମଏସପିକୁ ନେଇ ଚାଷି କେତେ ଖୁସି ନା ଦୁଃଖି ତାହା ଜାଣିବା ସକାଶେ କୌଣସି ସରକାର ବା ରାଜନୈତିକ ଦଳ ତୁରନ୍ତ ଆଗ୍ରହ ପ୍ରକାଶ କରି ନ ଥିବା ହିଁ ବିଡ଼ମ୍ବନାର ବିଷୟ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS