ସିଧାସଳଖ ନୁହେଁ, ୟୁପିଏସସି ମାଧ୍ୟମରେ ପୁଲିସ ଡ଼ିଜି ନିଯୁକ୍ତ କରିବାକୁ ରାଜ୍ୟମାନଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ, ଜୁଲାଇ ୦୪ : ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରମାନେ ଆଉ ନିଜ ଇଚ୍ଛା ମୁତାବକ କୌଣସି ପୁଲିସ ଅଫିସରଙ୍କୁ ଡ଼ିଜିପି (ପୁଲିସ ମହାନିର୍ଦେଶକ) ଭାବେ ନିଯୁକ୍ତି ଦେଇ ପାରିବେ ନାହିଁ । ୟୁପିଏସସି (ୟୁନିୟନ ପବ୍ଲିକ ସର୍ଭିସ କମସନ) ମାଧ୍ୟମରେ ହିଁ ଏହି ନିଯୁକ୍ତି ହେବା ବୋଲି ମଙ୍ଗଳବାର (୩ ତାରିଖ) ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ଏହି ମର୍ମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଏବେ, ରାଜ୍ୟମାନଙ୍କ ଦ୍ୱାରା ସିଧିସଲଖ ଡ଼ିଜିପି ନିଯୁକ୍ତି ହେବା ପରିବର୍ତେ ସେମାନେ ଡ଼ିଜିପି ବା ପୁଲିସ କମିସନର ପଦବୀ ପାଇଁ ଯେଉଁ ପୁଲିସ ଅଫିସରମାନଙ୍କ ଯୋଗ୍ୟତା ରହିଛି ବୋଲି ଭାବୁଥିବା ସେଭଳି ସିନିୟର ପୁଲିସ ଅଫିସରଙ୍କ ନାମ ତାଲିକା ୟୁପିଏସସିକୁ ପଠାଇବେ । ୟୁପିଏସସି ଏହି ତାଲିକାକୁ ପରଖି ଡ଼ିଜିପି ବା ପୁଲିସ କମିସନର ପଦ ପାଇଁ ଯୋଗ୍ୟ ତିନି ଜଣ ସିନିୟର ଅଫିସରମାନଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବ । ସେହି ତିନି ଜଣିଆ ତାଲିକାରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରମାନେ ନିଜ ମନମୁତାବକ ଅଧିକାରୀଙ୍କୁ ପୁଲସ ଡ଼ିଜିପି ବା ପୁଲିସ କମିସନର ପଦରେ ନିଯୁକ୍ତ ଦେଇ ପାରିବେ ବୋଲି କୋର୍ଟ କହିଛନ୍ତି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଦେଶରେ ପୁଲିସ ବିଭାଗରେ ସଂସ୍କାର ସଂପର୍କରେ ବିଭିନ୍ନ ପରାମର୍ଶ ସହ ମଙ୍ଗଳବାର ଦିନ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ରାୟ ଦେଇଥିବା ସୁପ୍ରିମ କୋର୍ଟ ଖଣ୍ଡପୀଠର ଅନ୍ୟ ଦୁଇ ଜଣ ସଦସ୍ୟ ହେଉଛନ୍ତି ଜଷ୍ଟିସ ଏଏନ୍ ଖାନୱିଲକର ଓ ଜଷ୍ଟିସ ଡ଼ି.ୱାଇ ଚନ୍ଦ୍ରଚୂଡ । ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଯେଉଁମାନଙ୍କୁ ଡ଼ିଜିପି ଭାବେ ନିଯୁକ୍ତି ଦେବାକୁ ମନୋନୀତ କରାଯିବ ବା ନିଯୁକ୍ତି ଦିଆଯିବ, ସେମାନଙ୍କର କାର୍ଯ୍ୟକାଳ ଅନ୍ୟୁନ ଦୁଇ ବର୍ଷ ଥିବା ଆବଶ୍ୟକ । ପୁଲିସ ଅଫିସର ନିଯୁକ୍ତି କ୍ଷେତ୍ରରେ ରାଜ୍ୟମାନଙ୍କର ଯଦି କିଛି ଅଧିକାର ବା ନିଜସ୍ୱ ଆଇନ ରହିଛି ତାହା ଏହି ଆଦେଶ ପରେ ସ୍ଥଗିତ ରହିଲା ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରୁଲିଂ ଦେଇଛନ୍ତି । ପୁଲିସ ବ୍ୟବସ୍ଥାରେ ସଂସ୍କାର ସଂପର୍କିତ ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ସିଂହଙ୍କ ଏକ ପିଆଇଏଲ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ଏକ ରାୟ କିଛିଟା ପରିବର୍ତର୍ନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ ହୋଇଥିଲା । ସିଂହଙ୍କ ପିଆଇଏଲ ଉପରେ ଚୂଡାନ୍ତ ରାୟ ଦେଇ ସୁପ୍ରିମ କୋର୍ଟ ଖଣ୍ଡପୀଠ ମଙ୍ଗଳବାର ଦିନ ସରକାରଙ୍କୁ ଏହି ନିର୍ଦେଶ ଦେଇଥିବା ଜଣାପଡିଛି ।
୨୦୦୬ ମସିହାରେ ପୁଲିସ ସଂସ୍କାର ଉପରେ ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଦେଇ ପୁଲିସ ମହାନିର୍ଦେଶକ (ଡ଼ିଜିପି) ଓ ଏସ୍.ପିମାନଙ୍କ କାର୍ଯ୍ୟକାଳ ଅନ୍ୟୁନ ଦୁଇ ବର୍ଷ ଧାର୍ଯ୍ୟ କରାଯିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାର କୋର୍ଟ ରାୟରେ କେତେକ ପରିବର୍ତର୍ନ ପାଇଁ ଅବେଦନ କରିଥିଲେ । ପୁଲିସ ଡ଼ିଜିପି ଓ ଏସ୍.ପିମାନଙ୍କ କାର୍ଯ୍ୟକାଳ ଅନ୍ୟୁନ ଦୁଇ ବର୍ଷ ଧାର୍ଯ୍ୟ କରାଯିବା ଭଳି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ପାଇଁ ୨୦୦୬ରେ ସୁପ୍ରିମ କୋର୍ଟ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ କେନ୍ଦ୍ର ବା ରାଜ୍ୟ ସରକାରମାନେ ଏଯାବତ୍ କାର୍ଯ୍ୟକାରୀ କରି ନ ଥିବା ଦାର୍ଶାଇ ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଗତ ବର୍ଷ ସେପ୍ଟେମ୍ବର ମାସ ୮ ତାରିଖରେ ଯେଉଁ ଆବେଦନ କରିଥିଲେ କୋର୍ଟ ତାହା ୁପରେ ଶୁଣାଣୀ ପାଇଁ ରାଜି ହୋଇ ଥିଲେ । ପୂର୍ବତନ ଅଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଦ୍ୱାରା ୨୦୦୬ରେ ପ୍ରସ୍ତୁତ ହୋଇଥିବା ମଡ଼େଲ ପୋଲିସ ବିଲ୍କୁ ମଧ୍ୟ କାର୍ଯ୍ୟକାରୀ କରାଯିବାକୁ ଉପାଧ୍ୟାୟ କୋର୍ଟରେ ଆବେଦନ କରିଥିଲେ । ସେ ଏହା ଉପରେ ତୁରନ୍ତ ଶୁଣାଣୀ ପାଇଁ କୋର୍ଟକୁ ନିବେଦନ କରିଥିଲେ ।
୨୦୦୬ରେ ଦୁଇ ଜଣ ପୂର୍ବତନ ପୁଲିସ ମହାନିର୍ଦେଶକ (ଡ଼ିଜିପି) ପ୍ରକାଶ ସିଂହ ଓ ଏନକେ ସିଂହଙ୍କ ପକ୍ଷରୁ ମଧ୍ୟ ଏକ ପିଆଇଏଲ (ଜନସ୍ୱାର୍ଥ ମାମଲା) ହୋଇଥିଲା । ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ପିଆଇଏଲ୍ ର ବଚାରଣା କରି ଡ଼ିଜିପି ନିଯୁକ୍ତି ୟୁପିଏସସି ମାଧ୍ୟମରେ କରାଯିବାକୁ ଏବଂ ସରକାର ଯେପରି ପୁଲିସ ଉପରେ ଅନଧିକାର ଚାପ ସୃଷ୍ଟି ନ କରିନ୍ତି ତାହା ସୁନିଶ୍ଚିତ କରିବା ସକାଶେ ଏକ ଷ୍ଟେଟ୍ ସିକ୍ୟୁରିଟି କମିସନ ଗଠନ କରାଯିବାକୁ ନିର୍ଦେଶ ଦେଇଛନ୍ତି । ମେରିଟ୍ ଭିତ୍ତିରେ ଓ ପାରଦର୍ଶିତା ରଖି ପୁଲିସ ଡ଼ିଜିପି ଓ ପୁଲିସ ଅଫିସରମାନଙ୍କ ନିଯୁକ୍ତି କରାଯିବା ଏବଂ ସେମାନଙ୍କ ସର୍ବନିମ୍ନ କାର୍ଯ୍ୟକାଳ ଅନ୍ୟୁନ ଦୁଇ ବର୍ଷ ଧାର୍ଯ୍ୟ କରାଯିବାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ପୁଲିସର ତଦନ୍ତ ଏବଂ ଆଇନ ଶୃଙ୍ଖଳା ରକ୍ଷା ବ୍ୟବସ୍ଥାକୁ ଅଲଗା ଅଲଗା କରାଯିବାକୁ କୋର୍ଟ ପରାମର୍ଶ ଦେବା ସହ ଡ଼ିଏସପି ପଦ ଓ ତା’ ତଳକୁ ଥିବା ପୁଲିସ ଅଧିକାରୀଙ୍କ ବଦଳି, ପଦୋନ୍ନତି, ପୋଷ୍ଟିଂ ଓ ଅନ୍ୟାନ୍ୟ ଚାକିରୀ ସଂପର୍କିତ ବିଷୟ ସଂପର୍କରେ ସୁପାରିଶ କରିବା ସକାଶେ ଏକ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ ଗଠନ କରାଯିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଏସ୍.ପି ଓ ତଦୁଧ୍ୱର୍ ସ୍ତରର ପୁଲିସ ଅଧିକାରୀଙ୍କ ବିରୋଧରେ ଆସୁଥିବା ଦୁର୍ବ୍ୟବହାର, ହାଜତ ମୃତ୍ୟୁ, ନିର୍ମମ ବ୍ୟବହାର ଓ ହାଜତରେ ଦୁଷ୍କର୍ମ ଭଳି ଅତ୍ୟନ୍ତ ଗୁରୁତର ଅଭିଯୋଗର ତଦନ୍ତ ପାଇଁ ପ୍ରତ୍ୟେକ ରାଜ୍ୟରେ ପୁଲିସ କଂପ୍ଲୋନ୍ ଅଥରିଟି ପ୍ରତିଷ୍ଠା କରାଯିବାକୁ ମଧ୍ୟ ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । ସେହିଭଳି, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ପୁଲିସ ସଂସ୍ଥାର ମୁଖ୍ୟ ପଦ ପାଇଁ ମନୋନୟନ ଓ ନିଯୁକ୍ତି ନିମନ୍ତେ ପ୍ୟାନେଲ ପ୍ରସ୍ତୁତ କରିବା ସକାଶେ ଏକ ଜାତୀୟ ସିକ୍ୟୁରିଟି କମିସନ ଗଠନ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି । ନିଯୁକ୍ତି ପାଉଥିବା ଅଧିକାରୀଙ୍କ କାର୍ଯ୍ୟକାଳ ଅନ୍ୟୁନ ଦୁଇ ବର୍ଷ ଧାର୍ଯ୍ୟ ହେବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । କୋର୍ଟ ପୂର୍ବରୁ ଦେଇଥିବା ନିର୍ଦେଶ ଗୁଡିକୁ କାର୍ଯ୍ୟକାରୀ କରାଯାଇ ନଥିବାରୁ ଯେଉଁ ସବୁ କୋର୍ଟ ଅବମାନନା ଅଭିଯୋଗମାନ ହୋଇଛି ସେସବୁ ବିଚାରାଧୀନ ଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS