ମୁକ୍ତିକାନ୍ତ ଓ ଦ୍ୱିତୀୟ ବ୍ରହ୍ମଣୀ ସେତୁକୁ ନେଇ ରାଉରକେଲା ରାଜନୀତି ଉଷ୍ଣ
ଭୁବନେଶ୍ୱର,୦୩ ଜୁଲାଇ(ସ୍ୱତନ୍ତ୍ର ରିପୋର୍ଟ): ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ମଂଡଳୀ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟଲକୁ ମେଡିକାଲ କଲେଜରେ ପରିଣତ କରାଯିବା ଦାବିକୁ ନେଇ କିଛି ଦିନ ହେଲା ରାଜନୀତି ସରଗରମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇଟି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ପରେ ଭୁଲି ଗଲେ । ତାଙ୍କୁ ସେହି ନିର୍ବାଚନୀ ପ୍ରତିଶ୍ରୁତି ମନେ ପକାଇ ଦେବା ପାଇଁ ରାଉରକେଲାର ଜଣେ ଯୁବକ ମୁକ୍ତିକାନ୍ତ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଛନ୍ତିି । ତେବେ, ଦିଲ୍ଲୀରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବା ସୁଯୋଗ ନ ଦେବାରୁ ମୁକ୍ତିକାନ୍ତ ଅନଶନରେ ବସି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ମୁକ୍ତିକାନ୍ତଙ୍କ ଏହି ପଇଁତରା ରାଉରକେଲା ରାଜନୀତିକୁ ଅଧିକ ଉଷ୍ମ କରିଛି । ଯନ୍ତରମନ୍ତର ପୁଲିସ ମୁକ୍ତିକାନ୍ତଙ୍କୁ ଅନଶନ ସ୍ଥଳରୁ ବଳପୂର୍ବକ ହଟାଇ ଦେଇ ପ୍ରଥମେ ଗିରଫ କରିଥିବା କଥା କହିଥିଲେ ମଧ୍ୟ ପରେ ତାଙ୍କୁ ଛାଡି ଦେଇଥିଲେ । ପୁଲିସର ଦମନଲୀଳା ସତ୍ୱେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଜିଦ୍ ରେ ସେ ଦିଲ୍ଲୀର ରାମଲୀଳା ମଇଦାନରେ ଅନଶନ ଚାଲୁ ରଖି ବିଜେପି ବିରୋଧୀ ଶକ୍ତିଙ୍କ ସମର୍ଥନ ଗୋଟାଉଛନ୍ତି । ମୁକ୍ତିକାନ୍ତଙ୍କ ଏହି ‘ସୋଲୋ’ ପଦଯାତ୍ରା ପଛରେ ରାଜନୀତି ରହିଛି କି ନାହିଁ ସ୍ପଷ୍ଟ ନୁହେଁ । ତେବେ, ବିଜେପି ଏଥି ପାଇଁ ତାଙ୍କରି ଦଳର ବିଧାୟକ ଦିଲ୍ଲୀପ ରାୟଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିବା ବେଳେ କଂଗ୍ରେସ ମୁକ୍ତିକାନ୍ତଙ୍କୁ ନେଇ ବେଶ୍ ଉତ୍ସାହିତ । ସେଥିରୁ ପଦଯାତ୍ରା ପଛରେ ଜଣେ କେହି ବଡ଼ ମୁଣ୍ଡର ଭିତିରି ସମର୍ଥନ ଥିବାର ସନ୍ଦେହ ସୃଷ୍ଟି ହୋଇଛି । ଏହି ପଦଯାତ୍ରା ମୁକ୍ତିକାନ୍ତଙ୍କୁ ଦେଶବ୍ୟାପୀ ଚର୍ଚ୍ଚାରେ ରଖିଥିବା ବେଳେ ଗଣମାଧ୍ୟମ ଓ ବିଜେପି ବିରୋଧୀ ରାଜନେତାମାନେ ଯେଭଳି ସମର୍ଥନ ଦେଉଛନ୍ତି ତାହା ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କୁ ଅଡୁଆରେ ପକାଇବା ନିଶ୍ଚିତ । ଏହା ଓଡ଼ିଶା ବିଜେପି ନେତୃତ୍ୱର ଅପାରଗତାକୁ ମଧ୍ୟ ପଦାରେ ପକାଇ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଇସ୍ପାତ ସହର ରାଉରକେଲା ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର । ପଡୋଶୀ ଝାରଖଂଡ ଓ ଛତିଶଗଡ଼ର ଲୋକମାନେ ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ଏହି ସହର ଉପରେ ନିର୍ଭର କରିଥା’ନ୍ତି । ସହରର ପ୍ରମୁଖ ଶିଳ୍ପ ସଂସ୍ଥା ହେଉଛି ରାଉରକେଲା ଇସ୍ପାତ କାରଖାନା(ଆରଏସପି) । ଫଳରେ, ପ୍ରତିଦିନ ବହୁ ସଂଖ୍ୟକ ମାଲବାହୀ ଟ୍ରକ ସହରକୁ ଯିବା, ଆସିବା କରି ରାସ୍ତାରେ ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି କରିଥାଏ । ସହରରେ ପ୍ରବେଶ ପାଇଁ ବ୍ରହ୍ମଣୀ ନଦୀ ଉପରେ ଥିବା ପୁରୁଣା ସେତୁ ହିଁ ଏକମାତ୍ର ମାଧ୍ୟମ । ଏହି ସେତୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଇସ୍ପାତ ନଗରୀର ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ମୁନସିପାଲ କର୍ପୋରେସନ ଅଧିନରେ ଥିବା ସହରାଂଚଳ ହସପିଟାଲ୍ କଥା ନ କହିବା ଭଲ । ଡାକ୍ତରଖାନାରେ ଫାର୍ମାସିଷ୍ଟ ରୋଗୀ ଦେଖନ୍ତି, ଆଉ ଡାକ୍ତରଙ୍କ ଦର୍ଶନ ନ ଥାଏ । ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ପ୍ରମୁଖ ସମସ୍ୟା ହୋଇ ରହିଛି । ତେଣୁ, ସମସ୍ତ ଭିତ୍ତିଭୂମି ଥିବା ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ)କୁ ମେଡିକାଲ କଲେଜର ମାନ୍ୟତା ଦେଇ ସ୍ଥାନୀୟ ଅଧିବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି । ଅଂଚଳବାସୀଙ୍କ ଆଉ ଏକ ଅଭିଯୋଗ ରହିଛି । ତାହା ହେଉଛି, ତାଲଚେର-ବିମଳାଗଡା ରେଳ ଲାଇନ ନିର୍ମାଣରେ ଶିଥିଳତା । ବହୁ ଦିନ ହେଲା କାମ ଅଟକି ରହି ଥିଲେ ମଧ୍ୟ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରୁ ନାହାନ୍ତି ।
ଦୀର୍ଘ ଦିନ ହେଲା ରାଉରକେଲା ସହର ଓ ସୁନ୍ଦରଗଡ଼ ଜିଲ୍ଲାର ଏହି ସବୁ ପ୍ରମୁଖ ସମସ୍ୟାର ସମାଧାନ ହୋଇପାରୁ ନ ଥିବାରୁ ୨୦୧୪ ସାଧାରଣ ନିର୍ବାଚନରେ ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ (ବିଜେଡ଼ି) ଅଧିପତ୍ୟ ଜାହିର କରିଥିବା ବେଳେ ସୁନ୍ଦରଗଡ ଲୋକସଭା ଓ ରାଉରକେଲା ବିଧାନସଭା ଆସନ ବିଜେପି ହାତକୁ ଯାଇ ଥିଲା । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କେନ୍ଦ୍ରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଅଛନ୍ତି । ରାଉରକେଲା ବିଧାୟକ ଅଛନ୍ତି ପୁରୁଖା ରାଜନେତା ଦିଲ୍ଲୀପ ରାୟ । ବିଧାୟକ ଦିଲ୍ଲୀପ ରାୟ ରାଉରକେଲା ଅଧିବାସୀ । ସେ ବିଧାୟକ ହେବା ପରେ ନିଜ ଦଳର ନେତା ତଥା ପ୍ରଧାନମନ୍ତ୍ରୀଙ୍କୁ ଏହି ସବୁ ପ୍ରମୁଖ ପ୍ରସଙ୍ଗ ସଂପର୍କରେ ଅବଗତ କରାଇବା ସହ ତୁରନ୍ତ ସମାଧାନ ପାଇଁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ଥିବା ବେଳେ ଏକ ଜନସଭାରେ ଭାଷଣ ଦେଇ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ରାଉରକେଲାର ଇସ୍ପାତ ଜେନେରାଲ ହସପିଟାଲକୁ ମେଡ଼ିକାଲ କଲେଜର ମାନ୍ୟତା ଦେବା ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରିବେ ବୋଲି ରାଉରକେଲାବାସୀଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ, ମୋଦୀ ଶାସନ ଚାରି ବର୍ଷ ଅତିକ୍ରମ କରି ପଂଚମ ବର୍ଷରେ ପଦାର୍ପଣ କରିଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା କରାଯାଇ ନାହିଁ । ବିଧାୟକ ରାୟ ଏନେଇ ବହୁବାର ପ୍ରଧାନମନ୍ତ୍ରୀକୁ ପତ୍ର ଲେଖିବା ସତ୍ୱେ କୌଣସି ଅଗ୍ରଗତି ହେଉ ନ ଥିବାରୁ ସେ ନିଜେ କ୍ଷୁବ୍ଧ । ସୁଯୋଗ ପାଇଲେ ସେ ପ୍ରଧାନମନ୍ତ୍ରୀ ଓ ନିଜ ଦଳକୁ ଶାଣିତ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଦୀର୍ଘ ଦୁଇ ବର୍ଷ ହେଲା ସେ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଥିବା ଦେଖିବାକୁ ମିଳୁଛି । ବିଧାୟକ ଦିଲ୍ଲୀପ ରାୟଙ୍କ ଏହି ରାଗ ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱକୁ ଅଡୁଆରେ ପକାଇଛି । ଏହି ନିର୍ବାଚନ ବର୍ଷରେ ବିଜେଡ଼ି ଓ କଂଗ୍ରେସ ଏଥିରୁ ଫାଇଦା ନେବାକୁ ଟାକି ରହି ଥିବା ବେଳେ ମୁକ୍ତିକାନ୍ତଙ୍କ ପଦଯାତ୍ରା ଓ ଅନଶନ ରାଜନୀତିକୁ ଅଧିକ ରୋଚକ କରିଛି ।
ମୁକ୍ତିକାନ୍ତ ରାଉରକେଲାର ଜଣେ ଉଦୀୟମାନ ଯୁବକ, ଯିଏକି ଏହି ଏସବୁ ସମସ୍ୟାର ସମାଧାନ ଦାବିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଅତୀତର ପ୍ରତିଶ୍ରୁତି ମନେ ପକାଇ ଦେବାକୁ ଅଡ଼ି ବସିଛନ୍ତି । ଏଥିପାଇଁ ସେ ପଦଯାତ୍ରାରେ ଦିଲ୍ଲୀ ଯିବା ଓ ସେଠାରେ ଅନଶନରେ ବସିବା ରାଉରକେଲାବାସୀଙ୍କ ହୃଦୟକୁ ଛୁଇଁ ଥିବା ବେଳେ କଂଗ୍ରେସ ଏଥିରୁ ଫାଇଦା ନେବାକୁ ସବୁମନ୍ତେ ଉଦ୍ୟମ କରୁଛି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମୁକ୍ତିକାନ୍ତଙ୍କ ସମର୍ଥନରେ ଟୁଇଟ୍ କରିବା ସହ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ଭିତ୍ତିଭୂମି ବିକାଶ ଲାଗି ୨୦ ଲକ୍ଷ ଟଙ୍କାର ପାଣ୍ଠି ଗଠନ କଥା ଘୋଷଣା କରିବାରୁ ରାଜ୍ୟ କଂଗ୍ରେସ ନେତୃତ୍ୱ ଉତ୍ସାହ ଦେଖାଇ ଅର୍ଥ ସଂଗ୍ରହ କରିବା ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ରାଜନୈତିକ ରୂପ ଦେଇଛି । ବିଜେପି ରାଜ୍ୟ ନେତୃତ୍ୱ ଏହି ପଦଯାତ୍ରା ପଛରେ ଦିଲ୍ଲୀପ ରାୟଙ୍କ ହାତ ଥିବା ଦର୍ଶାଇ ଦିଲ୍ଲୀପଙ୍କୁ ସମାଲୋଚନା କରିବାକୁ ପଛାଉ ନାହିଁ । ବିଜେପି ରାଜ୍ୟ ସାଧାରଣ ସଂପାଦକ ଧିରେନ ସେନାପତି ସମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଆନୁସାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ମୁକ୍ତିକାନ୍ତଙ୍କ ପଦଯାତ୍ରା ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଅଭିଯୋଗ କରି ବିଜେପିର ଦୁର୍ବଳତା ପଦାରେ ପକାଇଛନ୍ତି । ରାଉରକେଲାର ଏକ ମହିଳା ସଂଗଠନ ପକ୍ଷରୁ ବିଧାୟକ ଦିଲ୍ଲୀପ ରାୟଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିଜେପିର ଗାତ୍ରଦାହକୁ ପଦାରେ ପକାଇଛି ।
ଅନ୍ୟ ପକ୍ଷରେ, ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଦଳ ପକ୍ଷରୁ ସଂଗୃହିତ ୨୦ ଲକ୍ଷ ଟଙ୍କା ପାଣ୍ଠି ତାଙ୍କୁ ପ୍ରଦାନ କରିବାକୁ ଏବଂ ସବୁ ସମସ୍ୟାର ସମାଧାନ ପାଇଁ ଆଲୋଚନ କରିବାକୁ ଯୋଜନା ପ୍ରସ୍ତୁତ କରି ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ସହ ଯୋଗଯୋଗ କରିଥିବା ସୂଚନା ମିଳିଛି । ମୁକ୍ତିକାନ୍ତଙ୍କ ସମର୍ଥନରେ ସହରରେ ବାଇକ୍ ରାଲି ହୋଇ ଥିବା ବେଳେ ଆନେ୍ଦାଳନ ପ୍ରତି ସ୍ଥାନୀୟ କମ୍ୟୁନିଷ୍ଟ ନେତାମାନେ ସମର୍ଥନ ଜଣାଇବା ଘଟଣାକ୍ରମର ରାଜନୈତିକ ଗୁରୁତ୍ୱ ବଢାଇ ଦେଇଛି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଆଡୁ ମୁକ୍ତିକାନ୍ତଙ୍କ ପ୍ରତି ହୋଇଥିବା କଥିତ ଦୁର୍ବ୍ୟବହାରକୁ ସାମାଜିକ ଗଣମାଧ୍ୟମରେ ଯୋରଦାର ପ୍ରଚାର କରାଯାଉ ଥିବାରୁ ଆଗାମୀ ନିର୍ବାଚନରେ ତାହା ବିଜେପିକୁ ଅଡୁଆରେ ପକାଇବା ନିଶ୍ଚିତ ।
ଏଭଳି ପରିସ୍ଥିତିରେ, ବ୍ରହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଓ ମେଡିକାଲ କଲେଜ ପ୍ରସଙ୍ଗକୁ ନେଇ ଦିଲ୍ଲୀପ-ଜୁଏଲ ଶୀତଳ ଯୁଦ୍ଧ ସମ୍ମୁଖ ଯୁଦ୍ଧରେ ପରିଣତ ହୋଇଥିବା ବିଜେପି ପାଇଁ ଅଡୁଆ ହୋଇଛି । ଗୋଟିଏ ପଟେ ବିଧାୟକ ଦିଲ୍ଲୀପ ରାୟ, କଂଗ୍ରେସ, ଆପ୍ ଓ କମ୍ୟୁନିଷ୍ଟ ଦଳ ଏବଂ ଅନ୍ୟ ପଟେ ବିଜେପି ଓ ଜୁଏଲ । ଏହି ପ୍ରସଙ୍ଗରୁ ଶାସକ ବିଜେଡି ନିଜକୁ ଦୂରେଇ ରଖି ଥିବା ଅଭିନୟ କରୁଥିଲେ ମଧ୍ୟ ଦିଲ୍ଲୀପଙ୍କ ଗତିବିଧି ଉପରେ କଡା ନଜର ରଖି ଥିବା ମନେ ହେଉଛି । ଯନ୍ତରମନ୍ତରରୁ ମୁକ୍ତିକାନ୍ତଙ୍କୁ ହଟାଇ ଦିଆଯିବା ପରେ ସେ ଦିଲ୍ଲୀର ରାମଲୀଳା ମଇଦାନରେ ଅନଶନରେ ବସିଛନ୍ତି । କିନ୍ତୁ, ତାଙ୍କ ସମର୍ଥନରେ ରାଉରକେଲାରେ ରାଜନୀତିର ନିଆଁ ଜଳୁଛି । ପୂର୍ବରୁ ଜଙ୍ଗଲ ଅନୁମତି ମିଳୁ ନ ଥିବା ଦର୍ଶାଇ ସରକାର ବିଭିନ୍ନ ପ୍ରକଳ୍ପ କାମକୁ ଟାଳି ଚାଲି ଥିଲେ । ଏବେ ବନ ବିଭାଗର କ୍ଲିୟରାନ୍ସ ଥାଇ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିବା ରହସ୍ୟମୟ ମନେ ହେଉଛି । ସୁନ୍ଦରଗଡ ଜିଲ୍ଲା ବିଜେପିର ଦୁର୍ଗ ଥିବା ବେଳେ ଅଂଚଳର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ଏତେ ଉଦାସୀନ ହେବାର କାରଣ କଣ ? ଦିଲ୍ଲୀପ ବିଜେଡ଼ି ଆଡକୁ ଢଳୁ ଥିବାରୁ ବିଜେପି ଆକ୍ରୋଶ ରଖି ଏଭଳି କରୁ ନାହିଁ ତ ?? ଏଭଳି ଅନେକ ପ୍ରଶ୍ନ ଏବେ ରାଉରକେଲା ବାସୀଙ୍କୁ ବିବ୍ରତ କରୁଥିବା ଦେଖିବାକୁ ମିଳୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS