ଥାଇଲ୍ୟାଣ୍ଡରେ ଆନନ୍ଦର ଲହରୀ, ଥ୍ୟାମ ଲୁଇଙ୍ଗ ଗୁମ୍ଫାରୁ ଉଦ୍ଧାର ହେଲେ କୋଚ୍ ଙ୍କ ସମେତ ସମସ୍ତ ୧୨ ବାଳକ
ବ୍ୟାଂକକ, ଜୁଲାଇ ୧୧: ଥାଇଲ୍ୟାଣ୍ଡର ଥ୍ୟାମ ଲୁଇଙ୍ଗ ଗୁମ୍ଫାରେ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଫସି ରହି ଥିବା ୧୬ ବର୍ଷରୁ କମ୍ ଥାଇ ଫୁଟବଲ ଦଳର କୋଚଂଙ୍କ ସମେତ ସମସ୍ତ ୧୨ ଜଣ ବାଳକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି । ରବିବାରରୁ ଆରମ୍ଭ ହୋଇ ଥିବା ଏହି ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି । ରବିବାର ଦିନ ପ୍ରଥମ ଦଫାରେ ୪ ଜଣ ବାଳକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୋମବାର ଦିନ ଆଉ ୪ ଜଣ ବାଳକଙ୍କୁ ଉଦ୍ଧାର କରାଯାଇଥିଲା । ମଙ୍ଗଳବାର ଦିନ ଶେଷ ପର୍ଯ୍ୟାୟରେ ୪ ଜଣ ବାଳକଙ୍କ ସମେତ ସେମାନଙ୍କ କୋଚ୍ ଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୯୦ ଜଣ ବୁଡାଳୀ (ଡାଇଭର୍) ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ସେଥିରୁ ୫୦ ଜଣ ବିଦେଶୀ ହୋଇଥିବା ବେଳେ ୪୦ ଜଣ ଥାଇ ନେଭି ସିଲ୍ ର ବୋଲି ଜଣାପଡିଛି । ଉଦ୍ଧାର ହୋଇଥିବା ସମସ୍ତ ବାଳକଙ୍କୁ ଉତ୍ତର ଥାଇଲ୍ୟାଣ୍ଡର ଚିଆଙ୍ଗ ରାଏ ହସପିଟାଲରେ ଭର୍ତି କରାଯାଉଛି । ଶେଷ ପର୍ଯ୍ୟାୟରେ ଉଦ୍ଧାର ହୋଇଥିବା ୪ ବାଳକ ଓ ସେମାନଙ୍କ କୋଚ୍ ୧୭ ଦିନ ଧରି ଏହି ଅଣ ଓସାରିଆ ସଂକୀର୍ଣ୍ଣ ଗୁମ୍ପାର ସାଢେ ୪ କିମି ଭିତରେ ଫସି ରହି ଥିଲେ । ମଙ୍ଗଳାବାର ଉଦ୍ଧାର କାର୍ଯ୍ୟ ସରିବା ପରେ ଥାଇଲ୍ୟାଣ୍ଡ ସମେତ ସମଗ୍ର ବିଶ୍ୱରେ ଆନନ୍ଦର ଲହରି ଖେଳି ଯାଇଛି । ସମସ୍ତେ ଉଦ୍ଧାରକାରୀ ଦଳଙ୍କୁ ପ୍ରଶଂସା କରିଛନ୍ତି ।
‘ଆଜି ଥାଇ ନାଗରିକ, ଟିମ୍ ଥାଇଲ୍ୟାଣ୍ଡ ଅସମ୍ଭବକୁ ସମ୍ଭବ କରିପାରିଛି’ ବୋଲି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ମିଳିତ କମାଣ୍ଡର ମୁଖ୍ୟ ନାରୋଙ୍ଗସାକ ଓସାଟାନାକୋର୍ଣ୍ଣ କହିଛନ୍ତି । ଉଦ୍ଧାର ହୋଇଥିବା କୋଚ୍ ଙ୍କ ସମେତ ୧୨ ବାଳକ ଚିଆଙ୍ଗ ରାଏ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ହସପିଟାଲରେ ସେମାନଙ୍କ ଆଖି, ନ୍ୟୁଟ୍ରେସନ୍ ସ୍ତର ଓ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ପରୀକ୍ଷା କରାଯିବା ସହ କୌଣସି ପ୍ରକାର ରୋଗରେ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିବା ସକାଶେ ରକ୍ତ ନମୂନା ପରୀକ୍ଷା ପାଇଁ ବ୍ୟାଂକକ୍ ପଠାଯାଇଛି । ସେମାନେ କେବଳ ନିଜ ପରିବାର ଓ ସଂପର୍କିୟଙ୍କୁ ଏକ କାଚ ସ୍କିନ୍ ଦେଇ ବା ଦୁଇ ମିଟର ଦୂରରୁ ଦେଖି ପାରିବେ । ପରିବାର ସଦସ୍ୟାମାନେ ସେହି ସମୟରେ ମେଡ଼ିକାଲ ଗାଉନ, ଫେସ୍ ମାସ୍କ ଓ ହେୟାର ନେଟ୍ ପିନ୍ଧି ଉପସ୍ଥିତ ରହିବା ଆବଶ୍ୟକ ବୋଲି ମେଡ଼ିକାଲ କର୍ତୃପକ୍ଷ କହିଛନ୍ତି ।
ଗଲା ଜୁନ ୨୩ ତାରିଖ ଦିନ ଏହି ୧୨ ଥାଇ ବାଳକ ଓ ସେମାନଙ୍କ କୋଚ ଫୁଟବଲ ପ୍ରାକ୍ଟିସ ପରେ କୌତୁହଳବଶତଃ ଥ୍ୟାମ ଲୁଇଙ୍ଗ ଗୁମ୍ଫାରେ ପ୍ରବେଶ କରି ବାଟବଣା ହୋଇ ବାହାରକୁ ବାହାରି ପାରି ନ ଥିଲେ । ଗୁମ୍ଫାଟି ଅତ୍ୟନ୍ତ ସଂକୀର୍ଣର୍ ଓ ଦୁର୍ଗମ ଥିବା ବେଳେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଜଳ ଆସି ଗୁମ୍ଫାକୁ ବୁଡାଇ ରଖି ଥିଲା । ପରିବାର ବର୍ଗ ପିଲାଙ୍କ ସନ୍ଧାନରେ ଆସି ଗୁମ୍ଫା ଭିତରେ ସେମାନେ ଫସି ରହିଥିବା ଜାଣିବା ପରେ ଉଦ୍ଧାର କରାଯିବାକୁ ନିବେଦନ କରିଥିଲେ । ଗୁମ୍ପାରେ ପାଣି ଭର୍ତି ଥିବାରୁ ସେଥିରେ ପ୍ରବେଶ କରିବା ଏକ ଅସମ୍ଭବ ବ୍ୟାପାର ଥିବା ଜାଣିବା ପରେ ଥାଇ ସରକାରଙ୍କ ନିବେଦନକ୍ରମେ ଦେଶ, ବିଦେଶର ପ୍ରଶିକ୍ଷିତ ବୁଡାଳୀମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ପାଣି କମିବା ପରେ ଥାଇଲ୍ୟାଣ୍ଡର ଇଲାଇଟ୍ ନେଭି ସିଲ୍ ପ୍ରତିକୂଳ ପରିସ୍ଥିତି ସତ୍ୱେ ଗୁମ୍ଫାରେ ପ୍ରବେଶ କରି ଫସି ରହି ଥିବା ୧୨ ବାଳକ ଓ ସେମାନଙ୍କ କୋଚଙ୍କୁ ଉଦ୍ଧାର କରିଛନ୍ତି । ପ୍ରଥମେ ଗୁମ୍ପା ଭିତରେ ଫସି ରହି ଥିବା ସମସ୍ତଙ୍କୁ ଅମ୍ଳଜାନ, ଖାଦ୍ୟ ଓ ଓøଷଧ ଯୋଗାଣ ବ୍ୟବସ୍ଥା ହୋଇଥିଲା । ପରିବାର ସହ ଯୋଗଯୋଗ ପାଇଁ ଇଲୋକେଟ୍ରାନିକ ଗେଜେଟର ସହାୟତା ମଧ୍ୟ ଦିଆଯାଇଥିଲା । ନେଭି ସିଲ୍ ବୁଡାଳୀ ଓ ଚିକିତ୍ସକମାନେ କଷ୍ଟେମଷ୍ଟେ ଅଣଓସାରିଆ ଗୁମ୍ଫା ଭିତରକୁ ପହଁରି ପହଁରି ଯାଇ ଫସି ରହି ଥିବା ବାଳକମାନଙ୍କ ସହ ଯୋଗଯୋଗ କରିଥିଲେ । ‘ବନ୍ୟା ଜଳ ଓ ସମୟ’ ସହ ସେମାନଙ୍କୁ ସଂଘର୍ଷ କରିବାକୁ ପଡି ଥିଲା ବୋଲି ଉଦ୍ଧାରକାରୀ ଦଳ କହିଛନ୍ତି । ପାଣି, କାଦୁଅରେ ଭର୍ତି ଅଣଓସାରିଆ ଗୁମ୍ଫା ଭିତରୁ ଏହି ବାଳକମାନଙ୍କୁ ଉଦ୍ଧାର କରିବା ସବୁଠାରୁ ବଡ କଠିନ କାର୍ଯ୍ୟ ଥିଲା । ତେଣୁ, ନିରାପଦ ଭାବେ ସମସ୍ତଙ୍କୁ ଉଦ୍ଧାର କରାଯିବା ସବୁଠାରୁ ବଡ଼ ସଫଳତା ବୋଲି ବିଚାର କରାଯାଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS