ସାବିତ୍ରୀ ଗଣେଷନଙ୍କ ଜୀବନୀ ଉପରେ ଆଧାରିତ ନୂଆ ସିନେମା ‘ମହାନଟୀ’
– ଶିବ ପ୍ରସାଦ ଦାସ-
ଗତ ମଇ ୮ ତାରିଖରେ ଚାଳିଶି ଦଶକର ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାବିତ୍ରୀ ଗଣେଷନଙ୍କ ଜୀବନୀ ଉପରେ ଆଧାରିତ ତେଲୁଗୁ ଓ ତାମିଲ ଦ୍ୱିଭାଷୀୟ ସିନେମା ରିଲିଜ ହୋଇଛି । ଏହି ସିନେମା ତେଲଗୁ ଓ ତାମିଲ ସିନେମା ପ୍ରେମୀ ତଥା ୫୦ ଦଶକରେ ଯେଉଁମାନେ ସାବିତ୍ରୀଙ୍କ ସିନେମା ଦେଖିଛନ୍ତି ସେମାନଙ୍କୁ ପୁଣିଥରେ ପ୍ରେକ୍ଷାଳୟକୁ ଟାଣି ନେଇଛି । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାବିତ୍ରୀଙ୍କ ଜୀବନୀ ଉପରେ ଆଧାରିତ ସିନେମା “ମହାନଟୀ”ରେ ନିର୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ସିନେ ନିର୍ଦେଶକ ନାଗ ଅଶ୍ୱିନୀ ଓ ସଂଳାପ ରଚନା କରିଛନ୍ତି ମାଧବ ବୁରା । ସାବିତ୍ରୀ ଭୂମିକାରେ କୀର୍ତୀ ସୁରେଶ, ଜେମିନି ଗଣେଷନ ଭୂମିକାରେ ଦଲକର ସଲମାନ ଓ ସାମ୍ବାଦିକ ମଧୁରବାଣୀ ଭୂମିକାରେ ସାମାଥ ପ୍ରଭୁ ଅଭିନୟ କରିଥିବା ବେଳେ ୨ ଘଂଟା ୫୭ ମିନିଟର ଏହି ସନେମା ଉଭୟ ତେଲଗୁ ଓ ତାମିଲ ଭାଷାରେ ପ୍ରଦର୍ଶିତ ହେଉଛି ।
ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାବିତ୍ରୀଙ୍କ ଜୀବନୀ ବହୁ ସଂଘର୍ଷମୟ ଘଟଣାବଳୀ ଉପରେ ଆଧାରିତ । ବାଲ୍ୟ ଜୀବନରେ ବାପାଙ୍କୁ ହରାଇ ମାମୁଁ ଘରେ ଲାଳନ ପାଳନ ହୋଇଥିଲେ ସାବିତ୍ରୀ । ବିନା ଗୁରୁରେ ସେ ସୁନ୍ଦର ନୃତ୍ୟ ଓ ଅଭିନୟ କରିପାରୁଥିଲେ । ମାତ୍ର ୧୪ ବର୍ଷ ବୟସରେ ସେ ଦକ୍ଷିଣ ଭାରତୀୟ ସିନେମା ପ୍ରତି ଆକର୍ଷିତ ହୋଇ ସିନେମାରେ ଅଭିନୟ କରିବା ଲାଗି ମାଡ୍ରାସ ଚାଲି ଯାଇଥିଲେ । ସେଠି ଜେମିନି ଗଣେଷନଙ୍କ ସହ ତାଙ୍କର ସାକ୍ଷାତ ହୁଏ ଓ ଜେମିନି ତାଙ୍କ ପ୍ରଥମ ଫଟୋଗ୍ରାଫି ନିଅନ୍ତି । ତାପରେ ଆରମ୍ଭ ହୁଏ ତାଙ୍କ ସିନେ ଜଗତରେ ନୂଆଁ ଜୀବନର ସୂତ୍ରପାତ । ପ୍ରଥମେ ପ୍ରଥମେ ତାଙ୍କ ପିଲ୍ମ ଦର୍ଶକଙ୍କୁ ବୋର୍ କରିଥିଲା । ଏହା ସତ୍ୱେ ତାଙ୍କ ଆକର୍ଷଣୀୟ ଚେହେରା ଯୋଗୁଁ ସେ ବହୁ ସିନେମା ଲାଗି ସୁଯୋଗ ପାଇଥିଲେ । କିନ୍ତୁ, ତାଙ୍କ ଅଧର୍ଯ୍ୟ ପଣିଆ ଯୋଗୁଁ ବହୁ ସିନେମା ତାଙ୍କ ହାତ ଛଡା ହୋଇଥିଲା । ପରବର୍ତୀ ମୂହୁର୍ତର୍ରେ ସେ ସିନେମାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଥିଲେ ଯାହା ଦର୍ଶକଙ୍କୁ ଆକର୍ଷିତ କରିଥିଲା । ପ୍ରଥମ ଥର ଲାଗି ତେଲୁଗୁ ସିନେମା ‘ଦେବଦାସ’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ଏଥି ସହ ଜେମିନି ଗଣେଷନଙ୍କ ସହ ତାଙ୍କ ପ୍ରେମ ସଂପର୍କ ଅଧିକ ନିବିଡ ହୋଇଥିଲା ।
ଗଣେଷନ ପୂର୍ବରୁ ବିବାହିତ ଥିଲେ । ତଥାପି, ସେ ସାବିତ୍ରୀଙ୍କୁ ବିବାହ କରିବାକୁ ଚାହିଁ ଥିଲେ । ବହୁ କଷ୍ଟରେ ସେ ଏଥି ଲାଗି ସାବିତ୍ରୀଙ୍କୁ ମନେଇବା ସହ ଶେଷରେ ତାଙ୍କୁ ବିବାହ କରିଥିଲେ । ଏହି ପ୍ରେମ ବିବାହକୁ ନେଇ ସାବିତ୍ରୀଙ୍କୁ ତାଙ୍କ ପରିବାରରେ ବିରୋଧର ସାମନା କରିବାକୁ ପଡିଥିଲା । ସେଥିଲାଗି ତାଙ୍କୁ ମା ଓ ମାମୁଁଙ୍କ ଠାରୁ ଅଲଗା ହେବାକୁ ପଡିଥିଲା । ଏହା ପରେ ‘ମାୟାବଜାର’ ପିଲ୍ମ ତାଙ୍କ ଫିଲ୍ମ କ୍ୟାରିୟରରେ ଆହୁରି ସଫଳତା ଆଣିଥିଲା । ଗୋଟିଏ ପରେ ଗୋଟିଏ ଦକ୍ଷିଣ ଭାରତୀୟ ସିନେମାରେ ତାଙ୍କ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାଙ୍କ ବାସ୍ତବ ଜୀବନରେ ଏହା ପ୍ରତିକୂଳ ପ୍ରଭାବ ପକାଇ ଥିଲା । ତାଙ୍କର ଏହି ସଫଳତାରେ ଇର୍ଷାନ୍ୱିତ ହୋଇ ପଡୁଥିଲେ ତାଙ୍କ ସ୍ୱାମୀ ଜେମିନି ଗଣେଷନ । ଏହିଭଳି ଭାବରେ ମତଭେଦ ଭିତରେ ଯେତେବେଳେ ସେ ଜାଣନ୍ତି ଜେମିନି ଗଣେଷନ ବିବାହିତ ଓ ତାଙ୍କ ସହ ଅନୈତିକ ସଂପର୍କ ରଖିଛନ୍ତି ତାଙ୍କ ମନ ଦୁଃଖରେ ଭରି ଯାଇଥିଲା । ସାବିତ୍ରୀଙ୍କ ଦ୍ୱିତୀୟ ପୁତ୍ର ଜନ୍ମ ପରେ ତାଙ୍କ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଛେଦ ପଡିଥିଲା । ଆଉ ସବୁଦିନ ଲାଗି ତାଙ୍କ ସ୍ୱାମୀ ଓ ତାଙ୍କ ମଧ୍ୟରେ ବିବାହ ବିଛେଦ ହୋଇଥିଲା । ଏହି ଦୁଃଖଦ ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ଏହା ପରେ ପରେ ସେ ମାତ୍ରଧିକ ନିଶା ସେବନ କରିବା ଆରମ୍ଭ କରି ଦେଇଥିଲେ । ନିଶା ସେବନ ଓ ନିଃସଙ୍ଗ ଜୀବନ ଭିତରେ ଜୀବନ ଛଟପଟ ହେଉଥିବା ବେଳେ ତାଙ୍କୁ ଆୟକର ବିଭାଗର ସାମନା କରିବାକୁ ପଡିଥିଲା । ସେ ଆୟକର ବିଭାଗ ଦ୍ୱାରା ଦଂଡିତ ହୋଇଥିଲେ ଏବଂ ସିନେମାରେ ମଧ୍ୟ କ୍ଷତି ସହିବାକୁ ପଡିଥିଲା । ଏହି ଘଟଣା ପରେ ସେ ତାଙ୍କ ସମ୍ପତ୍ତିର ବୃହତ ଭାଗ ଗରିବଙ୍କ କଲ୍ୟାଣ ଲାଗି ଦାନ କରିଥିଲେ । ଏମେତିକି ସମାଜସେବା ଲାଗି ସେ ନିଜ ଗହଣା ଓ ଲୁଗାପତ୍ରକୁ ମଧ୍ୟ ନିଲାମ କରି ଦେଇଥିଲେ । ଆସ୍ତେ ଆସ୍ତେ ତାଙ୍କ ସ୍ୱାସ୍ଥ୍ୟରେ ଘୋର ଅବନତି ଦେଖିବାକୁ ମିଳି ଥିଲା । ଶେଷରେ ସେ କୋମା ଅବସ୍ଥାକୁ ଚାଲି ଯାଇଥିଲେ ।
ଏହି ସମୟରେ ଜଣେ ପତ୍ରକାର ମଧୁରବାଣୀଙ୍କ ନଜରକୁ ଏହି ଘଟଣା ଆସିଥିଲା ଓ ସେ ଦକ୍ଷିଣ ଭାରତୀୟ ସିନେ ଜଗତର ସୁପରଷ୍ଟାରଙ୍କ ଘଟଣାବହୁଳ ଜୀବନୀ ଉପରେ ଲେଖିବା ଆରମ୍ଭ କରିଥିଲେ । ସେହି ରଚନା ଉପରେ ପର୍ଯ୍ୟବେଶିତ ହେଉଛି ସିନେମା ‘ମହାନଟୀ’ । ଏକଦା ପ୍ରେମ ମାଧୁର୍ଯ୍ୟପୂର୍ଣ୍ଣ ଅଭିନୟ ଦ୍ୱାରା ଦର୍ଶକକୁ ବିଭୋର କରୁଥିବା ସୁପରଷ୍ଟାର ସାବିତ୍ରୀ ଶେଷରେ ‘ଦେବଦାସ’ର ଜୀବନ ପରି ବିରହ ବିଛେଦରେ ଛଟପଟ ହୋଇ ଜୀବନ ହାରିଥିଲେ । ପରିବାରର ସମସ୍ତ ବିରୋଧ ସତ୍ୱେ ପ୍ରେମ ବିବାହ ଓ ଭୁଲ ପସନ୍ଦ ତାଙ୍କ ଜୀବନରେ ଦୁଃଖର କାରଣ ହୋଇଥିଲା । ଏହି ଦ୍ୱିଭାଷୀ ଦକ୍ଷିଣ ଭାରତୀୟ ସିନେମା ‘ମହାନଟୀ’ରେ ସୁଖର ପସରା ବାଂଟୁଥିବା କଳାକାର ଜୀବନର ବାସ୍ତବ ଅନ୍ଧାରର କାହାଣୀ ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରି ପାରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS