ଅରବିନ୍ଦଙ୍କୁ ବିଜେଡ଼ିର ନିର୍ବାଚନୀ ଥୋପ !
ଭୁୂବନେଶ୍ୱର,ଜୁଲାଇ ୧୧(ମୋଅନୁଭବ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ବିଜେଡି ସଂଗଠନକୁ ମଜବୁତ କରିବା ଲାଗି ଅସନ୍ତୁଷ୍ଟ ନେତାଙ୍କୁ ନିର୍ବାଚନୀ ଥୋପ ଦେବା ଆରମ୍ଭ କରିଦେଇଛି । ଆଜି ଏହି ଘଟଣା କ୍ରମରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲିଙ୍କୁ ସରକାର ବିହନ ନିଗମର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ବିଜେପିରୁ ତିନି ଥର ବିଧାୟକ ହୋଇଥିବା ଢ଼ାଲି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେବା ସହ ଉପାନ୍ତ ମାଲକାନଗିରିରୁ ଆସି ନବୀନ ପଟ୍ଟନାୟଙ୍କ ଆଶୀର୍ବାଦରେ ଭୁବନେଶ୍ୱରର ଜୟଦେବ ଆସନ ପରି ସମ୍ମାନଜନକ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । କିନ୍ତୁ, ସେ ରାଜଧାନୀର ରାଜନୈତିକ ଅଳିନ୍ଦରେ ନିଜକୁ ଖାପ ଖୁଆଇ ନ ପାରି ସ୍ଥାନୀୟ ଶାସକ ଦଳ ନେତାଙ୍କ ଅକ୍ରୋଶର ଶିକାର ହୋଇଥିଲେ । ଏପରିକି, ଜଣେ ଝିଅ ନିଜକୁ ଢ଼ାଲିଙ୍କ କନ୍ୟା ବୋଲି ଦାବି କରି ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଥିଲା । ପରବର୍ତୀ ସମୟରେ ବିଜେଡି ରାଜନୀତିରୁ ଅରବିନ୍ଦ ଏକ ପ୍ରକାର ଗାଏବ ହୋଇ ଯାଇଥିଲେ । ରାଜଧାନୀର ରାଜନୈତିକ ଅଳିନ୍ଦରେ ତାଙ୍କୁ ଆଉ ଦେଖିବାକୁ ମିଳୁ ନ ଥିଲା । ବିଜେଡ଼ିରେ ତାଙ୍କୁ ଏକଘରିକିଆ କରି ଦିଆଯାଇଥିଲା । ସଂପ୍ରତି ବିରୋଧି କଂଗ୍ରେସ ରାଜନୀତିରେ ବ୍ୟାପକ ପରିବର୍ତନ ସାଙ୍ଗକୁ ଦକ୍ଷିଣ ଓଡିଶାର ଯୁବ ନେତା ପ୍ରଦୀପ ମାଝୀଙ୍କୁ ପିସିସିର ଅନ୍ୟତମ କାର୍ଯ୍ୟକାରୀ ସଭାପତି କରାଯିବା ପରେ କ୍ରମଶଃ ମାଲକାନଗିରି ଓ ନବରଙ୍ଗପୁର ରାଜନୀତିର ମୋଡ ବଦଳିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରିରୁ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ନେତାଙ୍କୁ ବିଜେଡ଼ି ଗୁରୁତ୍ୱ ଦେବା ଆରମ୍ଭ କରିଛି । ବିହନ ନିଗମରୁ ଯୋଗେନ୍ଦ୍ର ତ୍ରିପାଠୀଙ୍କ ଅଚାନକ ଇସ୍ତଫା ଓ ତାଙ୍କ ସ୍ଥାନରେ ବୁଧବାର ଦିନ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଢ଼ାଲିଙ୍କୁ ଥଇଥାନ କରାଯିବା ପଛରେ ଦକ୍ଷିଣ ଓଡ଼ିଶାକୁ ନେଇ ବିଜେଡ଼ିର ବିବ୍ରତ ଅବସ୍ଥା ଉଜାଗର ହୋଇଛି । ଏହା ଅରବିନ୍ଦଙ୍କ ପାଇଁ ନିର୍ବାଚନୀ ଥୋପ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS