ସବୁ ଜିନିଷରେ ବିଷ, ଖାଇବା କଣ ?


– ପ୍ରସାଦ ରାଓ –
ଭୁବନେଶ୍ୱର, ଜୁଲାଇ ୧୨: କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ସମଗ୍ର ରାଜ୍ୟର ଏବେ ପ୍ରମୁଖ ସମସ୍ୟା ହୋଇଛି ବଜାରରେ ମିଳୁ ଥିବା କେମିକାଲ ମିଶ୍ରିତ ଅପରପକ୍ୱ ଖାଦ୍ୟପଦାର୍ଥ । ଫଳ ବଜାର ଯାଆନ୍ତୁ ବା ପନିପରିବା ବଜାର, ସବୁଠି ଲାଗିଛି ବିଷର ବେପାର । ପୂର୍ବରୁ ବଜାରରେ ଯେଉଁ ପନି ପରିବା ମିଳୁ ଥିଲା ସେସବୁ ଅଧିକ ଦିନ ରହିଲେ ଶୁଖି ଯାଉଥିଲା ସିନା ଦିନେ ଦୁଇ ଦିନରେ ପଚୁ ନ ଥିଲା । ସେହିଭଳି ବିଭିନ୍ନ ପ୍ରକାର ଫଳ – କଦଳୀ, ଅମୃତଭଣ୍ଡା, ସପୁରୀ ଠାରୁ ଆରମ୍ଭ କରି ସେଓ, ଅଙ୍ଗୁର ପର୍ଯ୍ୟନ୍ତ ଉପଭୋକ୍ତାମାନେ ବଜାରରୁ କିଣି ସପ୍ତାହ ସପ୍ତାହ ଧରି ଘରେ ଗଚ୍ଛିତ ରଖୁ ଥିଲେ ସିନା ଦିନେ ଅଧେରେ ସେସବୁ ପଚୁ ନ ଥିଲା । ଆଜିର ଦିନରେ ଜନସାଧାରଣ ସ୍ୱାସ୍ଥ୍ୟ ସଚେତନ ହେବା ସହ ନିୟମିତ କଂଚା ପରିବା ଓ ଫଳ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ଉପକାରୀ ବୋଲି ଡ଼ାକ୍ତରୀ ପରାମର୍ଶ ଅପରିବର୍ତିତ ରହିଛି । ତେବେ, ସ୍ୱାସ୍ଥ୍ୟବର୍ଦ୍ଧକ ଫଳ, ପନି ପରିବା ଓ ବଜାରରେ ମିଳୁଥିବା ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟର ପରିଭାଷା ବଦଳି ଯାଇଛି । ବଜାରକୁ ଆସୁଥିବା ପନି ପରିବା ଦୁଇ ଦିନରୁ ଅଧିକ ରହିଲେ ପଚି ଦୁର୍ଗନ୍ଧ ହେଉଥିବା ବେଳେ ଫଳ କଥା ନ କହିବା ଭଲ । ଗ୍ୟାସ୍ ଚ୍ୟାମ୍ବରରେ କଂଚା ଫଳକୁ ଜବରଦସ୍ତ ପଚାଇ ଖାଉଟୀ ବଜାରକୁ ଛଡା ଯାଉଛି । ଘରକୁ ଆଣି ଥିବା ଫଳ ଦିନେ, ଦୁଇ ଦିନରେ ନ ସାରିଲେ ତାହା ଉପରକୁ ସୁନ୍ଦର ଦିଶୁ ଥିଲେ ବି ଭିତରେ ଭିତରେ ପଚି ଖାଦ୍ୟ ଅନୁପଯୋଗୀ ହୋଇଯାଉଛି।
ରାସ୍ତା କଡରେ ଛୋଟ ବଡ ଦୋକାନରେ ଝୁଲୁ ଥିବା କଦଳୀ କାନ୍ଧି ଦେଖି ଥିବେ । ଗାଢ ସବୁଜ ରଂଗର କଦଳୀ କାନ୍ଧିକୁ ଦେଖାଇ ଦୋକାନୀ କହିବ – ‘ଆଜ୍ଞା, କାଲି ସକାଳକୁ ପାଚି ଖାଇବାଯୋଗ୍ୟ ହୋଇ ଯିବ’ । ସତକୁ ସତ ରାତିରେ ସଂପୂର୍ଣ୍ଣ ସବୁଜ ବା ଇଷତ ହଳଦିଆ ପଡି ଆସୁଥିବା କଦଳୀ କାନ୍ଧି ପରଦିନ ସକାଳୁ ସକାଳୁ ସଂପୂର୍ଣ୍ଣ ହଳଦିଆ ପଡି ଗ୍ରାହକଙ୍କ ପାଇଁ ଲୋଭନୀୟ ହୋଇଯାଉଛି । ମୋଟା ମୋଟା ହଳଦିଆ କଦଳୀ ଫେଣା ଠେଲା ଗାଡିରେ ଦେଖି ଗ୍ରାହକ ଲୋଭରେ କିଣୁଛନ୍ତି । ତେବେ, ତାହା ଘରକୁ ନେବା ପରେ ଜବରଦସ୍ତ ନିଜେ ଖାଇ ଅନ୍ୟମାନଙ୍କୁ ନ ଖୁଆଇଲେ କଦଳୀ ସବୁ ଡେଂଫ ଆଡୁ ପଚିବା ଆରମ୍ଭ ହୋଇ ଦୁଇ ଦିନରେ ଖାଦ୍ୟ ଅନୁପଯୋଗୀ ହୋଇ ପଡୁଛି । ତୁରନ୍ତ ଖାଇଲେ ଦରପାଚିଲା ଖାଇବାକୁ ବାଧ୍ୟ । ପନି ପରିବା ଓ ଫଳ ବଜାରକୁ ଗଲେ ଛନଛନିଆ ପରିବା ଓ ଫଳ ଦେଖି ଗ୍ରାହକ ପଚାରୁଛନ୍ତି – ‘ଗ୍ୟାସ୍ ବା କେମିକାଲ ଦିଆ ନୁହଁ ତ?’ ବିକ୍ରେତାର ନିର୍ଲଜ୍ଜ ଉତ୍ତର ହେଉଛି – ‘ଗ୍ୟାସ୍ ବା କେମିକାଲ ନ ଥିବା ଜିନିଷ ଆଜି କାଲି କୋଉଠି ମିଳୁଛି’!
ବର୍ଷକର ଅଧିକାଂଶ ସମୟ ରାଜ୍ୟ ବାହାରୁ (ଆନ୍ଧ୍ର, କର୍ଣ୍ଣାଟକ, ପଶ୍ଚିମ ବଂଗ, ମଧ୍ୟ ପ୍ରଦେଶ)ରୁ ଆସୁଥିବା ପନି ପରିବା ଏବଂ କଶ୍ମୀର, ନାସିକ, ବାଙ୍ଗାଲୋର, ଅନ୍ଧ୍ରରୁ ଆସୁଥିବା ଫଳ ଉପରେ ଓଡ଼ିଶାବାସୀ ନିର୍ଭରଶୀଳ । ଗ୍ୟାସ୍, କେମିକାଲ, ମହମ ଓ ରଂଗ ଦିଆ ଯାଇଥିବା ଏହି ଫଳ ଓ ପନିପରିବା ବିଷାକ୍ତ ଜାଣି ସୁଦ୍ଧା ଖାଉଟୀ କିଣି ଖାଇବାକୁ ବାଧ୍ୟ । ପ୍ରଶ୍ନ ହେଲେ ଦୋକାନୀ କହୁଛନ୍ତି, ‘ଆମେ କଣ ଗ୍ୟାସ ବା କେମିକାଲ ଦେଉଛୁ? ସବୁ ସିଆଡୁ ଦିଆ ହୋଇ ଆସୁଛି’ । ଖାଉଟୀ ଏଭଳି ଉତ୍ତରରେ ଅଭ୍ୟସ୍ତ ହୋଇ ଗଲେଣି । ଯାହା ମିଳୁଛି ବଜାରରୁ ଗୋଟାଉଛନ୍ତି । ପ୍ଲାଷ୍ଟିକ ଚାଉଳ, ପ୍ଲାଷ୍ଟିକ ଅଣ୍ଡା ଯୁଗରେ ଆମ୍ବ, କଦଳୀ, ପିଜୁଳି, ଲିଚୁ, ସେପଟା, ସପୁରୀ, କମଳା, ସେଓ, ଅଙ୍ଗୁର ପ୍ଲାଷ୍ଟିକ ନ ହେଲେ ବି ଗ୍ୟାସ୍ ଓ କେମିକାଲରେ ବୁଡ଼ି ଗ୍ରାହକମାନଙ୍କ ନିକଟରେ ପହଂଚୁଛି । ଆମେ ସେସବୁ ଖାଇ ଭାଗ୍ୟକୁ ନିନ୍ଦୁଛୁ । ଖୋଦ୍ ରାଜଧାନୀରେ ସରକାର ଓ ସରକାରୀ ବଡ ବାବୁମାନେ ଉପଭୋକ୍ତା ହୋଇ ଏପ୍ରକାର ବିଷର ବଜାର ପ୍ରତି ଆଖି ବୁଜି ଦେଉଥିବା ବେଳେ ଛୋଟ ସହରର ଗ୍ରାହକଙ୍କୁ କିଏ ପଚାରେ !
ନିକଟରେ ଆସାମ ସରକାର ଆନ୍ଧ୍ରରୁ ଆମଦାନୀ ହୋଇଥିବା ମାଛରେ ‘ଫର୍ମୋଲିନ୍’ କେମିକାଲ ବ୍ୟବହାର ହେଉଥିବା ଲ୍ୟାବ ଟେଷ୍ଟ୍ରୁ ଜାଣିବା ପରେ ରାଜ୍ୟରେ ଆନ୍ଧ୍ର ମାଛ ଆମଦାନୀ ଓ ବିକ୍ରିକୁ ନିଷିଦ୍ଧ କରିଛନ୍ତି । ବୁଧବାର ଦିନ ଆସାମର ନିଷେଧାଦେଶ ପରେ ଓଡ଼ିଶା ସରକାରଙ୍କ ଆଖି ଖୋଲିଛି । ସଜ ମାଛକୁ ଅଧିକ ଦିନ ମଜଭୂତ ବା ଟାଣ ରଖିବା ସକାଶେ ‘ଫର୍ମୋଲିନ୍’ ନାମକ ରସାୟନ ବ୍ୟବହାର କରାଯାଇଥାଏ, ଯାହାକି କ୍ୟାନସରକାରକ । ବର୍ଷ ବର୍ଷ ଧରି ଆନ୍ଧ୍ର ମାଛ ଓଡ଼ିଶା ଆସୁଛି ଏବଂ ଓଡ଼ିଶା ଦେଇ ପ୍ରତି ଦିନ ଶହ ଶହ ଟ୍ରକ ଆନ୍ଧ୍ର ମାଛ ପଡୋଶୀ ପଶ୍ଚିମ ବଂଗକୁ ଯାଉଛି । ରାଜ୍ୟର ସାଧାରଣ ଗ୍ରାହକଙ୍କ ସମେତ ଛୋଟ, ବଡ ହେଟେଲ (ତାରକା ହୋଟେଲ ମଧ୍ୟ ଅନ୍ତର୍ଭୁକ୍ତ) ହେଉଛନ୍ତି ଏହାର କ୍ରେତା । ତାରକା ହୋଟେଲରେ ବଟର ଦେଇ ଏହି ମାଛକୁ ସୁସ୍ୱାଦୁ ବ୍ୟଂଜନରେ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କ ଟେବୁଲରେ ପରଶା ଦିଆ ଗଲେ ଗ୍ରାହକ ଆନନ୍ଦ ନେବା ଛଡା ଏହି ମାଛର ଅସଲି ରୂପ ଜାଣୁ ନାହାନ୍ତି । ଅନେକ ସମୟରେ ପଚା ମାଛ ବି ପରଶା ଯାଉଛି ସୁନ୍ଦର ଭାବେ ମସଲା ଦିଆଯାଇ । ଗ୍ରାହକ ତାହା ଖାଉଛନ୍ତି । ରାଜ୍ୟ ସରକାରଙ୍କ ଖାଦ୍ୟ ନିରୀକ୍ଷକ ଓ ଖାଉଟୀ ବିଭାଗ ସଂପୁର୍ଣ୍ଣ ଅନ୍ଧ ନ ହୋଇ ମଧ୍ୟ ଅନ୍ଧ ଭଳି ପଡି ରହୁଛନ୍ତି ।
ସରକାର ସବୁ ଜାଣି ଆନ୍ଧ୍ର ମାଛକୁ କେବେ ନିଷିଦ୍ଧ କରି ନ ଥିଲେ । ବୁଧବାର ଆସାମ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଓଡ଼ିଶା ସରକାରଙ୍କ ନିଦ ଭାଂଗିଛି । ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟରୁ ଆମଦାନୀ ହେଉଥିବା ମାଛରେ ‘ଫର୍ମୋଲିନ୍’ର ଉପସ୍ଥିତି ଥିବା ଆବଶ୍ୟକ ପରୀକ୍ଷାରୁ ଜଣା ପଡିବା ପରେ ଆସାମ ସରକାର ରାଜ୍ୟକୁ ଆନ୍ଧ୍ର ମାଛର ଆମଦାନୀ ଓ ବିକ୍ରି ନିଷିଦ୍ଧ କରିଥିବା ଦେଖି ଗୁରୁବାର ଦିନ ଓଡ଼ିଶା ସରକାର ମିଡ଼ିଆ ଦ୍ୱାରା ଚାପଗ୍ରସ୍ତ ହୋଇ ଆନ୍ଧ୍ରରୁ ଆସୁଥିବା ମାଛର କ୍ୱାଲିଟି ଯାଂଚ ପାଇଁ ମତ୍ସ୍ୟ ବିଭାଗକୁ ନିର୍ଦେଶ ଦିଆ ଯାଇଛି ବୋଲି କହିଛନ୍ତି । ସାଧାରଣତଃ ମାଛ ବେପାରୀମାନେ ମାଛକୁ ଅଧିକ ଦିନ ସଂରକ୍ଷିତ ରଖିବା ସକାଶେ (ଶିଘ୍ର ନ ପଚି ଟାଣ ରହିବା ସହ ତାଜା ଦେଖାଯିବା ସକାଶେ) ସଦ୍ୟ ଧରା ଯାଇ ଥିବା ମାଛକୁ ଫର୍ମୋଲିନରେ ବୁଡାଇ ଥାଆନ୍ତି ବା ସେଥିରେ ଫର୍ମୋଲିନ୍ ସ୍ପ୍ରେ କରିଥା’ନ୍ତି । ଓଡ଼ିଶାରେ ମତ୍ସ୍ୟ ବିଭାଗ ନିର୍ଦେଶକ ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ତେବେ, ରାଜ୍ୟରେ ସିଧାସଳଖ ମାଛ ବେପାରରେ ସଂପୃକ୍ତ ଥିବା ଓଡ଼ିଶା ସରକାର ଆଗରୁ କଣ ଏକଥା ଜାଣି ନ ଥିଲେ? ଜନସାଧାରଣରେ ଏଭଳି ପ୍ରଶ୍ନ ଉଠୁଛି । କେବଳ ମାଛ ନୁହେଁ, ବଜାରରେ ମିଳୁ ଥିବା ଫଳ ଓ ପନିପରିବାର ମଧ୍ୟ ନମୂନ ସଂଗ୍ରହ କରାଯାଇ ଲ୍ୟାବ୍ ଟେଷ୍ଟ ହେବା ଆବଶ୍ୟକ ବୋଲି ଖାଉଟୀ ମହଲରେ ମତ ପ୍ରକାଶ ପାଉଛି । ଏହା ନ ହେଲେ, ଆମ ପରବର୍ତୀ ପିଢି ବିଷ ହିଁ ବିଷ ଖାଇବେ । କର୍କଟ ଭଳି ରୋଗରୁ କାହାରିକୁ ମୁକ୍ତି ମିଳିବ ନାହିଁ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS