ଆସାମ, ଓଡ଼ିଶା ପରେ ଗୋଆରେ ମାଛ ବ୍ୟବସାୟରେ ଚଡ଼କ
– ପ୍ରସାଦ ରାଓ –
ଭୁବନେଶ୍ୱର,୧୮ ଜୁଲାଇ: ଆସାମ, ଓଡ଼ିଶା ପରେ ଗୋଆରେ ମାଛ ବ୍ୟବସାୟରେ ଚଡକ ପଡିଛି । ରାଜ୍ୟ ବାହାରୁ ଆମଦାନୀ ହେଉଥିବା ମାଛରେ ଫର୍ମାଲିନ ଭଳି ବିଷାକ୍ତ ରସାୟନ ରହୁଥିବା ନେଇ ବିବାଦ ତେଜିବାରୁ ଗୋଆ ସରକାର ଜୁଲାଇ ଶେଷ ପର୍ଯ୍ୟନ୍ତ ପଡୋଶୀ ରାଜ୍ୟରୁ ମାଛ ଆମଦାନୀକୁ ନିଷିଦ୍ଧ କରୁଥିବା ଗୋଆରୁ ମିଳି ଥିବା ଖବରରୁ ଜଣାପଡିଛି । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି (ବୁଧବାର) ପାନାଜୀ ଠାରେ ଏହି ସୂଚନା ଦେଇଛନ୍ତି । ସନ୍ଧ୍ୟା ସୁଦ୍ଧା ଏସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପାନାଜୀ ଠାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି । ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଗୋଆ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି ।
ଠିକ୍ ସପ୍ତାହକ ତଳେ ଆସାମ ସରକାର ଆନ୍ଧ୍ରରୁ ଆମଦାନୀ ହେଉଥିବା ମାଛରେ ମାରାତ୍ମକ ଫର୍ମାଲିନର ଉପସ୍ଥିତି ଥିବା ଜାଣିବା ପରେ ରାଜ୍ୟରେ ଆନ୍ଧ୍ର ମାଛର ଆମଦାନୀ ଓ ବିକ୍ରିକୁ ନିଷିଦ୍ଧ କରିଥିଲେ । ଏହି ରସାୟନିକ ଦ୍ରବଣ ମୃତ ବ୍ୟକ୍ତି, ଜୀବଜନ୍ତୁଙ୍କ ଶରୀରକୁ ଅଧିକ ଦିନ ସତେଜ ରଖିବା ସକାଶେ ବ୍ୟବହାର କରାଯାଇଥାଏ । ଯେହେତୁ ଆନ୍ଧ୍ର ପ୍ରଦେଶରୁ ବିଭିନ୍ନ ରାଜ୍ୟକୁ ରପ୍ତାନୀ ହେଉଥିବା ମାଛ ରେଳ ୱାଗନ ବା ଟ୍ରକ୍ ଯୋଗେ ଯାଉଛି, ସେସବୁ ରାଜ୍ୟରେ ମାଛ ପହଂଚିବାକୁ ସପ୍ତାହକରୁ ଅଧିକ ସମୟ ଲାଗୁଛି । ତେଣୁ, ରପ୍ତାନୀ ହେଉଥିବା ମାଛକୁ ଅଧିକ ଦିନ ସତେଜ ରଖିବା (ଆଖିକୁ ଦିଶିବା) ପାଇଁ ଏହି ରସାୟନିକ ଦ୍ରବଣର ବ୍ୟବହାର କରାଯାଉଛି । ବଡ ବଡ ମାଛ ବ୍ୟବସାୟୀମାନେ ରପ୍ତାନୀ ହେବାକୁ ଥିବା ସତେଜ ମାଛକୁ ଫର୍ମାଲିନ ଦ୍ରବଣରେ ବୁଡାଇ ଦୀର୍ଘ ଦିନ ପରେ ବି ସତେଜ ଦେଖାଯିବା ବ୍ୟବସ୍ଥା କରୁଛନ୍ତି । ଏଥିସକାଶେ ମାଛରେ ଫର୍ମାଲିନର ସ୍ପ୍ରେ ହେଇଥିବା ମଧ୍ୟ ଜଣାପଡିଛି । ଏହି ରସାୟନିକ ଦ୍ରବଣ କ୍ୟାନସରକାରକ ବୋଲି ବିଶେଷଜ୍ଞମାନେ କହି ସାରିଛନ୍ତି ।
ଆସାମ ସରକାର ପ୍ରଥମେ ରାଜ୍ୟକୁ ଆମଦାନୀ ହେଉ ଥିବା ଆନ୍ଧ୍ର ମାଛରେ ଫର୍ମାଲିନ ଦିଆଯାଉଥିବା ଯାଂଚରୁ ଜାଣିବା ପରେ ଆନ୍ଧ୍ରରୁ ମାଛ ଆମଦାନ ଓ ବିକ୍ରିକୁ ନିଷିଦ୍ଧ କରିଥିଲେ । ଠିକ୍ ଗୋଟିଏ ଦିନ ପରେ ଓଡ଼ିଶା ସରକାର ଆସାମର ପଦାଙ୍କ ଅନୁସରଣ କରିଛନ୍ତି । ସାମାଜିକ ଗଣମାଧ୍ୟମର ଚାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାଂଚ ଓ ଚଢାଉ ଚାଲିଛି । ଭୁବନେଶ୍ୱର ୪ ନମ୍ବର ୟୁନିଟ ମାଛ ମାର୍କେଟରୁ ଏହି ଚଢାଉ ଆରମ୍ଭ କରାଯାଇ ନମୂନା ସଂଗ୍ରହ କରା ଯାଇଥିଲା । ସଂଗୃହିତ ୯ଟି ମାଛର ନମୂନାରୁ କେବଳ ପାଂପଲେଟ୍ ମାଛରେ ଫର୍ମାଲିନ ମିଳି ଥିବା ସରକାରୀ ଭାବେ କୁହାଯାଇଛି । ଏହାପରେ, ଭୁବନେଶ୍ୱର ବିଭିନ୍ନ ଅଂଚଳ ସମେତ କଟକ ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମରେ, ସମ୍ବଲପୁର ମହାନଗର ନିଗମ, ବାଲେଶ୍ୱର, ବଲାଙ୍ଗୀର ପ୍ରଭୃତି ଅଂଚଳରେ ତିନି ଦିନ ହେଲା ଚଢାଉ ଚାଲିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ମାଛ ବଜାରମାନଙ୍କରେ ଚଢାଉ କରାଯିବାକୁ ସରକାର ନିର୍ଦେଶ ଦେଇଛନ୍ତି । ସଂଗ୍ରହ କରାଯାଉଥିବା ନମୂନା ଯାଂଚ ପାଇଁ ଭୁବନେଶ୍ୱର ପରୀକ୍ଷାଗାରକୁ ଆସୁଛି । ମତ୍ସବିଭାଗ ଓ ଫୁଡ ଇନିସପେକ୍ଟରମାନଙ୍କ ମିଳିତ ଚଢାୁ ଦେଖି ହୋଲସେଲ୍ ମାଛ ବ୍ୟବସାୟୀମାନେ ଛନକା ପଡି ଯାଇଛନ୍ତି । ଚଢାଉ ଭୟରେ ସେମାନେ ଗୋଦାମ ସବୁ ବନ୍ଦ କରି ପଳାଉଛନ୍ତି । ଫଳରେ, ମାଡ ପଡୁଛି ଖୁଚୁରା ବେପାରୀଙ୍କ ଉପରେ । ମାଛରେ ଘାତକ ଫର୍ମାଲିନର ମିଶ୍ରଣ ଥିବା ଆଶଙ୍କାରେ ଗ୍ରାହକମାନେ ମାଛ କିଣିବାକୁ କୁଣ୍ଠା ପ୍ରକାଶ କରୁଥିବାରୁ ଖୁଚୁରା ମାଛ ବଜାରରେ ବ୍ୟବସାୟ ଶତକଡା ୪୦ରୁ ୫୦ ଭାଗ କମି ଯାଇଥିବା ଖୁଚୁରା ବ୍ୟବସାୟୀଙ୍କ ଠାରୁ ଜଣାପଡିଛି ।
ହୋଲେସେଲ୍ ମାଛ ବ୍ୟବସାୟୀଙ୍କ ସଂଘ ନିଜ ଆଡୁ ଗୋଟିଏ ମାସ ପାଇଁ ସମୁଦ୍ର ମାଛ ଆମଦାନୀ ବନ୍ଦ ଘୋଷଣା କରିଥିଲେ ମଧ୍ୟ ଖୁଚୁରା ବଜାରକୁ ଚିଙ୍ଗୁଡ଼ି, ପାଂପଲେଟ୍ ଓ ଅନ୍ୟାନ୍ୟ ସାମୁଦ୍ରିକ ମାଛ ଆସୁଛି । ତେବେ, ଦର ଅଧାରୁ ଅଧିକ କମ୍ ଥିଲେ ବି ଗ୍ରାହକ ଜିଅନ୍ତା ମାଛ ଖୋଜୁଛନ୍ତି । ସପ୍ତାହକ ତଳେ ରାଜଧାନୀରେ ଯେଉଁ ଜିଅନ୍ତା ମାଛର ଦର କିଲୋ ପିଛା ୨୦୦ରୁ ୨୨୦ ଟଙ୍କା ଥିଲା, ‘ଫର୍ମାଲିନ୍’ ଚଡକ ପରେ ତାହା କିଲୋ ପିଛା ୧୪୦/୧୫୦ ଟଙ୍କାକୁ ଖସି ଆସିଛି । କେବଳ ଆନ୍ଧ୍ର ମାଛରେ ନୁହେଁ, ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳରୁ ରାଜଧାନୀକୁ ଆସୁଥିବା (ପାଂପଲେଟ୍, ଇଲିଶି ଭଳି ଦାମୀ ମାଛ) ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ୍ ଭଳି ଦ୍ରବଣ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି । ତେବେ, ରାଜ୍ୟ ସରକାରଙ୍କ ଯାଂଚରୁ ରୋହି, ଭାକୁର, ମିରିକାଳି ନମୂନାରେ ଫର୍ମାଲିନ ମିଳି ନ ଥିବା ପ୍ରଶାସନ କହିବା ସହ ସାମୁଦ୍ରିକ ମାଛକୁ ଫୋକସ୍ କରୁଛନ୍ତି । ତୃତୀୟ ଦିନ ପାଇଁ ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ମାଛ ବଜାର ଓ ଗୋଦାମ ଗୁଡିକରେ ଚଢାଉ ଚାଲିଛି । କଟକ ପୌର ନିଗମ ପକ୍ଷରୁ ପ୍ରେସ୍ ଛକରେ ଥିବା ଏକ ଗୋଦାମ ଉପରେ ଚଢାଉ କରାଯାଇ ନମୂନା ସଂଗ୍ରହ କରାଯିବା ପରେ ପରୀକ୍ଷା ପାଇଁ ଭୁବନେଶ୍ୱର ଫୁଡ୍ ଟେଷ୍ଟିଂ ଲ୍ୟାବ୍କୁ ପଠା ଯାଇଛି । ସେମାବାର ଦିନ କଟକର ବିଭିନ୍ନ ଅଂଚଳରୁ ଆଠଟି ନମୂନା ସଂଗ୍ରହ କରାଯାଇଥିଲା । ସଂଗୃହିତ ରେହି, ଭାକୁର ନମୂନାରୁ ଫର୍ମାଲିନ ମିଳି ନାହିଁ ବୋଲି ମତ୍ସ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି । ତେବେ, ଆନ୍ଧ୍ରରୁ ଆସୁଥିବା ମାଛର କନସାଇନମେଂଟ୍ ଉପରେ ସେମାନେ ନଜର ରଖିଥିବା ସୂଚନା ଦେଇଛନ୍ତି । ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର ସହରରେ ଚଡାଉ ଓ ମାଚର ନମୂନା ସଂଗ୍ରହ ଚାଲିଛି । ଫର୍ମାଲିନ୍ ଦିଆ ମାଛ ଓଡ଼ିଶା ବଜାର ପାଇଁ କିଛି ନୂଆ ନୁହେଁ । ବର୍ଷ ବର୍ଷ ଧରି ଆନ୍ଧ୍ରରୁ ଆସୁଥିବା ମାଛ ଓଡ଼ିଶାବାସୀ ଖାଉଛନ୍ତି । ବରଫ ଦିଆ ମାଛ ହୋଇ ଥିବାରୁ ସୁଆଦ ଲାଗୁନି କହି ସାଦାରଣ ଖାଉଟୀ ମାଛ ବଜାରରୁ ଜିଅନ୍ତା ମାଛ ବା ଆଖପାଖ ଅଂଚଳର ନଦୀ ମାଛ କରିବାକୁ ପସନ୍ଦ କରୁଛନ୍ତି । ତେବେ, ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଛୋଟ, ବଡ ହୋଟେଲରେ (ତାରକା ହୋଟେଲରେ ମଧ୍ୟ) ଆନ୍ଧ୍ର ମାଛର ବହୁଳ ବ୍ୟବହାର ହେଉଛି । ସ୍ଥାନୀୟ ମାଚ ଅପେକ୍ଷା ଆନ୍ଧ୍ର ମାଛର ଦାମ୍ କମ୍ ରହୁ ଥିବାରୁ ବ୍ୟବସାୟୀମାନେ ଆନ୍ଧ୍ର ମାଛକୁ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟ ସରକାର ଓ ଯୋଗାଣ ବିଭାଗ ଅଧିନରେ ଥିବା ଫୁଡ୍ ଇନିସପେକ୍ଟରମାନେ ଆଗରୁ କେବେ ଯାଂଚ ନ କରି ଏବେ ହଠାତ ଚଢାଉ ନାଁରେ ଆତଙ୍କ ସୃଷ୍ଟି କରୁଥିବା ସମସ୍ତଙ୍କୁ ଆଚମ୍ବିତ କରିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS