ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଶୁକ୍ରବାର, ଏବେ ନଜର ବିଜେଡ଼ି ଉପରେ
– ପ୍ରସାଦ ରାଓ –
ନୂଆଦିଲ୍ଲୀ,୧୯ ଜୁଲାଇ: ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦିଆ ନ ଯାଇ ଟିଡ଼ିପି ପ୍ରତି ବିଶ୍ୱାସଘାତ କରାଯିବା ଏବଂ ଦେଶର ବିଭିନ୍ନ ଅଂଚଳରେ ଦଳିତ ଓ ସଂଖ୍ୟାଲଘୁ ଜନସାଧାରଣଙ୍କ ପ୍ରତି ଆକ୍ରମଣ ଓ ହତ୍ୟା ଘଟଣା ବୃଦ୍ଧି ପାଇଥିବା ପ୍ରତିବାଦରେ ଆନ୍ଧ୍ର ପ୍ରଦେଶର ଶାସକ ତେଳୁଗୁ ଦେଶମ ପାର୍ଟି ସମେତ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ତାହାକୁ ଆଲୋଚନା ଓ ଭୋଟ ପାଇଁ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ବୁଧବାର ଦିନ ଗ୍ରହଣ କରିଛନ୍ତି । ୧୦ ଦିନ ମଧ୍ୟରେ ଏହା ଉପରେ ଆଲୋଚନା ଓ ଭୋଟ ହେବ ବୋଲି ସେ କହିଛନ୍ତି । ତେବେ, ଶାସକ ଓ ବିରୋଧୀଙ୍କ ଗତିବିଧିରୁ ଶୁକ୍ରବାର ଦିନ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେଉଥିବା ସ୍ପଷ୍ଟ ହୋଇଯାଇଛି ।
ବୁଧବାର ପାର୍ଲାମେଂଟ ମୌସୁମୀ ଅଧିବେଶନ ପ୍ରଥମ ଦିବସ ଥିଲା । ବାଚସ୍ପତି ଶ୍ରୀମତୀ ମହାଜନ ଅନାସ୍ଥା ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ କରି ଦୁଇ ତିନି ଦିନ ମଧ୍ୟରେ ଆଲୋଚନା ଓ ଭୋଟର ତାରିଖ ଘୋଷଣା କରିବେ ବୋଲି ସ୍ପଷ୍ଟ କରିଦେବା ପରେ ରାଜନୈତିକ ବାତାବାରଣ ଚଳଚଂଚଳ ହୋଇଛି । ଶାସକ ବିଜେପି ଦଳର ଏମପିମାନଙ୍କୁ ହ୍ୱିପ୍ ଜାରି କରି ଶୁକ୍ରବାର ଦିନ ଗୃହରେ ଗୁରୁତ୍ୱପୂର୍ଣର୍ ବୈଧାନିକ ବିଷୟ ଆଲୋଚନା ହେବାକୁ ଥିବାରୁ ଦଳର ସମସ୍ତଏମପି ଗୃହରେ ଉପସ୍ଥିତ ରହିବାକୁ ଏବଂ ସରକାରଙ୍କ ଯାହା ନିଷ୍ପତ୍ତି ହେବ ତାହାକୁ ସମର୍ଥନ ଦେବାକୁ ନିର୍ଦେଶ ଦେଇଛି । ବିଜେପି ମୁଖ୍ୟ ସଚେତକ ଅନୁରାଗ ଠାକୁର ଦଳର ଏମପିମାନଙ୍କୁ ଚିଠି ଲେଖି ଦଳର ନିଷ୍ପତ୍ତି ସୂଚାଇଛନ୍ତି । ତେବେ, ଶୁକ୍ରବାର ଦିନ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବେଳେ ଓଡ଼ିଶାର ଶାସକ ବିଜେଡ଼ି ଓ ଏହାର ନେତା ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟ ତଥା ଦେଶର ସମସ୍ତ ଜନସାଧାରଣ ଓ ରାଜନେତାଙ୍କ ଦୃଷ୍ଟି ରହିଥିବା ଦେଖିବାକୁ ମିଳୁଛି । ଏହା ସତ ଯେ, ବିଜେପି ଅନାସ୍ଥା ଭୋଟରେ ହାରିବା ସ୍ଥିତିରେ ନାହିଁ । କିନ୍ତୁ, କଂଗ୍ରେସ ଓ ବିଜେପି ସହ ସମଦୂରତା କଥା କହି ଆସୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ରାଜନୈତିକ ଘଡ଼ିସନ୍ଧି ମୂହୂର୍ତରେ କି ନିଷ୍ପତ୍ତି ନେବେ ତାହା ଜାଣିବାକୁ ରାଜ୍ୟବାସୀ ଉତ୍ସୁକ ଅଛନ୍ତି ।
ବର୍ତମାନ ଲୋକସଭାରେ ୫୩୫ ସଭ୍ୟ ଥିବା ବେଳେ ବିଜେପି ନେତୃତ୍ୱଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ର ସାଂସଦଙ୍କ ସଂଖ୍ୟା ହେଉଛି ୩୧୩ । ସେଥିରୁ ଏକାକୀ ବିଜେପିର ଏମପିଙ୍କ ସଂଖ୍ୟା ହେଉଛି ୨୭୪ (ଲୋକସଭା ବାଚସ୍ପତିଙ୍କୁ ମିଶାଇ) । ଏନଡ଼ିଏରେ ଅଛନ୍ତି ଶିବସେନାର ୧୮, ଏଲଜେପିର ୬ ଓ ଏସଏଡି (ଶୀରୋମଣି ଅକାଳୀ ଦଳ)ର ୪ ଏମପି । ଲୋକସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୨୬୮ ସଭ୍ୟଙ୍କ ସମର୍ଥନ ଆଶ୍ୟକ ଥିବା ବେଳେ ବିଜେପି ଏକାକୀ ସେହି ସଂଖ୍ୟାରୁ ଅଧିକ ରହିଛି । ତଥାପି, ମୋଦୀ ସରକାର ଅନାସ୍ଥା ପ୍ରସ୍ତାବକୁ ନେଇ ଚିନ୍ତିତ ଥିବା ଦେଖିବାକୁ ମିଳୁଛି । କାରଣ, ଖୁବଶୀଘ୍ର ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) ଭଳି ଏକ ବଡ଼ ସମର୍ଥକ ଦଳ ଏନଡ଼ିଏରୁ ଓହରି ଯାଇ କେନ୍ଦ୍ର ସରକାରଙ୍କ ବିଶ୍ୱାସଘାତକତା ବିରୋଧରେ ଲୋକସଭାରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛି । କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାଟିଁ, ଦୁଇ କମ୍ୟୁନିଷ୍ଟ ଦଳ ସମେତ ଅଧିକାଂଶ ବିରୋଧୀ ଦଳ ଏବେ ବିଜେପି ଓ ମୋଦୀ ସରକାରଙ୍କ ବିରୋଧରେ ମିଳିତ ମୋର୍ଚ୍ଚ ଖୋଲିଛନ୍ତି । ଜମ୍ମୁ-କଶ୍ମୀରରେ ବିଜେପି ପିଡ଼ିପିକୁ ପ୍ରତାରଣ କରି ସରକାର ଭାଂଗିବା ସହ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି କରାଇ ଥିବାରୁ ପିଡ଼ିପି କ୍ଷୁବ୍ଧ । ରାଜନୈତିକ ଦୃଷ୍ଟିରୁ ବିରୋଧୀ ମୋର୍ଚ୍ଚା ପାଇଁ ଏହା ଲାଭଦାୟକ ହୋଇଛି । ଏନଡ଼ିଏରେ ଥିବା ଶିବସେନାର ସ୍ୱର କେତେବେଳେ ବଦଳୁଛି ତାହା ବିଜେପି ନିଜେ ଜାଣିପାରୁ ନାହିଁ । ବିଭିନ୍ନ କାରଣରୁ ବିଜେପି ଏମପିଙ୍କ ଭିତରେ ବି ମତାନ୍ତର, ମନାନ୍ତର ରହିଛି । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଏସବୁ ପଦାକୁ ଆସିବା ଆଶଙ୍କା ରହିଛି । ପରିସ୍ଥିତି କେତେବେଳେ କେଉଁ ମୋଡ ନେବ ସେ ନେଇ ବିଜେପି ସନ୍ଦେହରେ । ଏହି କାରଣରୁ ଗତ ପାର୍ଲାମେଂଟ ଅଧିବେଶନରେ ସରକାର ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ବାଚସ୍ପତିଙ୍କୁ ଏହି ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରିବାକୁ ଦେଇ ନ ଥିଲେ । ଟିଡ଼ିିପି ଓ ୱାଇଏସଆର କଂଗ୍ରେସ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବିରେ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ଟିଆରଏସ ଓ ଏଆଇଡିଏମକେ କାବେରୀ ନଦୀ ଜଳ ବଂଟନ ପ୍ରସଙ୍ଗକୁ ନେଇ ଗୃହ ଅଚଳ କରି ରଖିବାରୁ ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ ନ କରି ସରକାରଙ୍କୁ ସୁହାଇଲା ଭଳି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରି ଦେଇଥିଲେ ।
ବୁଧବାରରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଅନ୍ୟୁନ ୨୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହେବାକୁ ଥିବା ଜରାପଡିଛି । ସରକାର ଏଥିସକାଶେ ବିଧିବଦ୍ଧ ଯୋଜନା କରିଥିବା ବେଳେ ବିରୋଦୀ ଦଳ ଆଡୁ ଆସିଥିବା ଅନାସ୍ଥା ପ୍ରସ୍ତାବ ଏବଂ ଏହା ଉପରେ ଆଲୋଚନା ପାଇଁ ବାଚସ୍ପତିଙ୍କ ନିଷ୍ପତ୍ତି ସରକାରଙ୍କୁ ଅଡୁଆରେ ପକାଇଛି । ଅନାସ୍ଥା ପ୍ରସ୍ତାବ ଆଣି ଥିବା ବିରୋଧୀ ଦଳମାନେ ଜାଣନ୍ତି ଲୋକସଭାରେ ସେମାନଙ୍କ ସ୍ଥିତି କଣ । ଳୋକସଭାରେ ବିଜେପିର ନିଜସ୍ୱ ୨୭୪ (ବାଚସ୍ପତିଙ୍କୁ ମିଶାଇ) ସାଂସଦ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ସାଂସଦଙ୍କ ସଂଖ୍ୟା ହେଉଛି ୬୩ । ଏଆଇଡ଼ିଏମକେର ୩୭, ତୃଣମୂଳ କଂଗ୍ରେସର ୩୪, ବିଜେଡ଼ିର ୨୦, ଟିଡ଼ିପିର ୧୧ ଓ ଟିଆରଏସର ୧୧ ସାଂସଦ ମିଶିଲେ ବି ବିରୋଧୀଙ୍କ ସଂଖ୍ୟା ୨୨୨ରେ ସୀମିତ । ଶୁକ୍ରବାର ଦିନ ଟିଏମସି (ତୃଣମୂଳ କଂଗ୍ରସ)ର ୩୪ ଜଣ ନେତା ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାରୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସୋମବାରକୁ କରାଯିବାକୁ ଟିଏମସି ପକ୍ଷରୁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଥିଲା । ତେବେ, ବାଚସ୍ପତି ରାଜି ନ ହେବାରୁ ଦଳର ସମସ୍ତ ସାଂସଦ ଶୁକ୍ରବାର ଦିନ ଲୋକସଭାରେ ଉପସ୍ଥିତ ରହିବାକୁ ଟିଏମସି ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି । ଶୁକ୍ରବାର ଦିନ ଲୋକସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବାତିଲ କରାଯାଇ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ବାଚସ୍ପତି ସ୍ପଷ୍ଟ କରି ଦେଇଛନ୍ତି ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ରହିବା କାରଣ ହେଉଛି, ଶୁକ୍ରବାର ମୋଦୀ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବେଳେ ବୁଧବାର ରାତି ସୁଦ୍ଧା ନବୀନ ନିଜ କାର୍ଡ ଖୋଲି ନାହାନ୍ତି । ଦଳ କାହାକୁ ସମର୍ଥନ କରିବ, କାହାକୁ ବିରୋଧ କରିବ ବା ସମଦୂରତାର କାର୍ଡ ଖେଳିବ – ତାହା ସ୍ପଷ୍ଟ ନୁହେଁ । ବିଜେଡ଼ି ସୁପ୍ରିମୋ ସବୁ ଜାତୀୟ ପ୍ରସଙ୍ଗରେ ସମଦୂରତା କଥା କହି ନିଜକୁ ସୁରକ୍ଷିତ ରଖି ଆସୁ ଥିବାରୁ ଅନାସ୍ଥା ପ୍ରସ୍ଥାବ ଆଲୋଚନାରେ ମଧ୍ୟ ସେହି ଭଳି କିଛି ଷ୍ଟାଣ୍ଡ୍ ନେଇ ପାରନ୍ତି ବୋଲି ବିରୋଧୀମାନେ ଅନୁମାନ କରୁଛନ୍ତି । ଦଳ ଗୋଟିଏ ପଟେ କେନ୍ଦ୍ରୀୟ ଅବହେଳା କଥା କହି ବିଜେପି ଓ ମୋଦୀ ସରକାରଙ୍କୁ ଦୃଢ ବିରୋଧ କରୁଥିବା କହୁଥିବା ବେଳେ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ବିରୋଧୀଙ୍କ ସହ ନ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାନି ତଳେ ଛପି ଯାଉଛି । ଏବେ, ଚିଟ ଫଣ୍ଡ୍ କେଲେଂକାରୀକୁ ନେଇ ସିବିଆଇ ତଦନ୍ତ ପୁଣିଥରେ ଯୋରଦାର ହେବା ସହ ବିଜେଡ଼ି ମନ୍ତ୍ରୀ, ବିଧାୟକ, ଅଫିସର ଓ ନେତାଙ୍କ ପରିବାରକୁ ଟାର୍ଗେଟ୍ କରାଯାି ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିବ୍ରତ । ଏହି ପରିସ୍ଥିତିରେ ଶୁକ୍ରବାର ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟ ବେଳେ ବିଜେଡ଼ି ସାଂସଦମାନେ ମୋଦୀ ବିରୋଧୀ ଆଭିମୁଖ୍ୟ କଡାକଡି ଭାବେ ପ୍ରଦର୍ଶନ କରିବେ କି ମୋଦୀଙ୍କ କାନି ତଳେ ଛପି ଯିବେ, ତାହା ଦେଖିବାକୁ ଓଡ଼ିଶାବାସୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ନବୀନଙ୍କ ସମଦୂରତା ମଂତ୍ର ରାଜନୀତି ଦୃଷ୍ଟିରୁ ଠିକ୍ ହୋଇପାରେ, କିନ୍ତୁ ଯେଉଁ ସବୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇ ଥିବାରୁ ଦଳ ନିଜର ରାଜନୈତିକ ସୁବିଧା ଦେଖିବ କି ଦେଶର ସ୍ୱାର୍ଥକୁ ଦେଖିବେ, ତାହା ଦେଖିବା ସମୟ ଆସିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS