ଅନାସ୍ଥା ଭୋଟ ଆଜି, ମୋଦୀ ସରକାର ନୟାନ୍ତ ହେବା ନିଶ୍ଚିତ
ନୂଆଦିଲ୍ଲୀ, ୨୦ ଜୁଲାଇ (ମୋ ଅନୁଭବ.କମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଟିଡ଼ିପି ସମେତ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଲୋକସଭାରେ ଆଲୋଚନା ଓ ଭୋଟ ହେବାକୁ ଯାଉଛି । ପ୍ରସ୍ତାବ ଉପରେ ପୂର୍ବାହ୍ନ ୧୧ଟାରେ ଆଲୋଚନା ଆରମ୍ଭ ହେଇ ସନ୍ଧ୍ୟାରେ ଭୋଟ ହେବ ବୋଲି ଲୋକସଭା ସୂତ୍ରରୁ ସୂଚନା ମିଳିଛି । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ କାଟ୍ କରିବା ପାଇଁ ବିଜେପିର ଆବଶ୍ୟକତା ଠାରୁ ଅଧିକ ସଂଖ୍ୟା ଥିବା ଦୃଷ୍ଟିରୁ ଫଳାଫଳ କଣ ହେବ ତାହା ସମସ୍ତେ ଜାଣନ୍ତି । ତେବେ, କଂଗ୍ରେସ, ଟିଡ଼ିପି ସମେତ ଅନ୍ୟ ବିରୋଧୀ ଦଳମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂଗଠିତ ଭାବେ ବିଜେପିକୁ ଘେରିବାକୁ ଅଂଟା ଭିଡି ଥିବାରୁ ଭୋଟ ଶାସକ ଦଳ ସପକ୍ଷରେ ଗଲେ ଆଲୋଚନା ଯେ ସରଗରମ ହେ, ତାହା ନିଶ୍ଚିତ ହୋଇଯାଇଛି ।
ବିରୋଧୀ ଦଳମାନେ ମୋଦୀ ସରକାରଙ୍କୁ ଘେରିବା ପାଇଁ ସରକାରଙ୍କ ଚାରି ବର୍ଷର ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିବେ । ତେଣୁ, ଏନେଇ ବିଜେପି ଯୋରଦାର ଆକ୍ରମଣର ସମ୍ମୁଖୀନ ହେବ । ବିରୋଧୀ ଦଳଙ୍କ ଅଭିଯୋଗ ରହିବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୪ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାତାରାତି ନୋଟବନ୍ଦୀ ଯୋଗୁ କଳାଧନ ମିଳିବା ଦୂର କଥା, ଶାସକ ଦଳର ନେତୃବୃନ୍ଦ ସେଥିରୁ ଯଥେଷ୍ଟ ଫାଇଦା ଉଠାଇଛନ୍ତି । ନୋଟବନ୍ଦୀ ଯୋଗୁ କେବଳ ସାଧାରଣ ନାଗରିକ ହିନସ୍ତା ହେଲେ । ଦେଶରେ ଆର୍ଥ ବ୍ୟବସ୍ଥା ଭୂଷୁଡିବା ସହ ବହୁ ସଂସ୍ଥା ବନ୍ଦ ହୋଇ ଯିବାରୁ ଲକ୍ଷାଧିକ ଯୁବକ ନିଯୁକ୍ତି ହରାଇଲେ । ଅପରପକ୍ଷରେ, ସରକାରଙ୍କ ବର୍ଷକୁ ଦୁଇ କୋଟି ନିଯୁକ୍ତି ସୃଷ୍ଟି ପ୍ରତିଶ୍ରୁତି ଧୂଅାଁବାଣ ହୋଇ ରହିଗଲା । ଦେଶରେ ଏକକ ଟିକସ ବ୍ୟବସ୍ଥା ‘ଜିଏସଟି’ ଲାଗୁ ହେବା ପରେ ଛୋଟବଡ ବ୍ୟବସାୟୀ ହନ୍ତସନ୍ତ ହେବା ସାର ହୋଇଛି । ଏହାଛଡା, କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଦାବିକୁ ଅଗ୍ରାହ୍ୟ କରି ଥିବା ଆଲୋଚନା ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବ । କାରଣ, କେବଳ ଆନ୍ଧ୍ର ପ୍ରଦେଶ ନୁହେଁ, ଓଡ଼ିଶା, ବିହାର ଭଳି ରାଜ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇ ଆସୁଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ ତାହାକୁ ଅଗ୍ରାହ୍ୟ କରୁଛନ୍ତି । ଦିଲ୍ଲୀରେ ନିର୍ବାଚିତ ସରକାର ଥାଇ ମଧ୍ୟ କେନ୍ଦ୍ର ଶାସିତ ଅଂଚଳ ହୋଇ ଥିବାରୁ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ । ସବୁ କଥାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନିର୍ବାଚିତ ସରକାରଙ୍କୁ ପଙ୍ଗୁ କରି ଦେଇଛି । ଦିଲ୍ଲୀକୁ ଏକ ପୂର୍ଣ୍ଣାଂଗ ରାଜ୍ୟ ମାନ୍ୟତା ଦିଆଯିବା ସକାଶେ ବିଭିନ୍ନ ସମୟରେ ହୋଇଥିବା ଦାବି ପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି । ତେଣୁ, ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଏସବୁ ବିଷୟକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବା ନିଶ୍ଚିତ । ତେଣୁ, ଆଲୋଚନା କେଉଁ ଦିଗକୁ ଯିବ ଏବଂ କେନ୍ଦ୍ର ସରକାରଙ୍କୁ କାହା ସମର୍ଥନ ମିଳିବ ଏବଂ କେଉଁମାନେ ବିରୋଧ କରିବେ ତାହା ଦେଖିବାକୁ ଦେଶବାସୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବଳ ଗୋଟାଇବା ପାଇଁ ଗୁରୁବାର ଦିନ ଟିଡ଼ିପି (ତେଲୁଗୁ ଦେଶମ ପାର୍ଟି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସମର୍ଥନ ଲୋଡିଛି । ଟିଡ଼ିପି ସଂସଦୀୟ ଦଳର ନେତା ୱାଇଏସ ଚୌଧୁରୀଙ୍କ ନେତୃତ୍ୱରେ ଟିଡ଼ିପିର ଏକ ପ୍ରତିନିଧି ଦଳ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଭେଟି ଅନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଚିଠି ଓ ଏକ ବୁକଲେଟ୍ ପ୍ରଦାନ କରିଥିଲେ । ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଟିଜି ଭେଙ୍କଟେଶ, କେ.ନାରାୟଣା ଓ ନରସିଂହ ରାଓ ଏହି ପ୍ରତିନିଧି ଦଳରେ ଥିଲେ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇ କିଭଳି ବିଶ୍ୱାସଘାତକତା କରିଛି, ତାହା ବୁକଲେଟ୍ ରେ ବିସ୍ତୃତ ଭାବେ ଦର୍ଶାଯାଇଥିବା ଜଣାପଡିଛି । ଏହି ବିଶ୍ୱାସଘାତକତା ଯୋଗୁ ଟିଡ଼ିପି କେନ୍ଦ୍ରରେ କ୍ଷମତାସୀନ ଏନଡ଼ିଏ ସହ ନିଜର ସଂପର୍କ ତୁଟାଇ ଥିଲା । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହଭାଗିତାରେ କାର୍ଯ୍ୟ କରିବା ଉଚିତ ଥିବା ବେଳେ ମୋଦୀ ସରକାର ତାହା ନ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଦାବିକୁ ଏଡାଇ ଆସିଛନ୍ତି । ତେଣୁ, ଟିଡ଼ିପି ଏନଡ଼ିଏରୁ ଓହରି ଆସିବା ସହ ଏହି ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଚିତ ଶିକ୍ଷା ଦେବାକୁ ଚାହୁଁଛି ବୋଲି ଟିଡ଼ିପି ପକ୍ଷରୁ କୁହାଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍)ର ଉପସ୍ଥିତି ରହିଛି ।
ତେବେ, ଲୋକସଭା ଗଣିତ ଦେଖିଲେ ଶୁକ୍ରବାର ହେବାକୁ ଥିବା ଅନାସ୍ଥା ଭୋଟ ଫଳାଫଳ ଶାସକ ଏନଡ଼ିଏ ସପକ୍ଷରେ ଯିବା ନିଶ୍ଚିତ ଥିବା ଜଣାପଡୁଛି । ବର୍ତର୍ମାନ ୫୩୫ ସଭ୍ୟ ଥିବା ଲୋକସଭାରେ ସରକାରଙ୍କୁ ଅନାସ୍ଥା ଭୋଟରେ ଜିତିବା ପାଇଁ ୨୬୮ ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି । ଗୁରୁବାର ଦିନ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ର ମହାଜନ କେନ୍ଦ୍ରାପଡା (ଓଡ଼ିଶା) ଲୋକସଭା କ୍ଷେତ୍ରର ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ର ଗ୍ରହଣ କରି ନେଇଛନ୍ତି । ସେହିଭଳି, କେରଳ କଂଗ୍ରେସ (ଏମ) ନେତା ଜୋସ୍ କେ ମଣି ରାଜ୍ୟସଭାକୁ ମନୋନୀତ ହେବା ପରେ ଲୋକସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ, ଲୋକସଭା ସାଂସଦଙ୍କ ସଂଖ୍ୟା ୫୩୩କୁ ଖସି ଆସିଛି । ଏହା ଛଡା ୱାଇଏସଆର କଂଗ୍ରେସର ୫ ଜଣ ଏମପି ଲୋକସଭାରୁ ଇସ୍ତାଫା ଦେଇଥିଲେ, ଯାହାକି ବୁଧବାର ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗୃହୀତ ହୋଇ ଯାଇଛି । ଦୁଇ ଜଣ ବିଜେପି ଏମପି ବିଏସ ୟେଦୁରାପ୍ପା ଓ ବି. ଶ୍ରୀରାମୁଲୁଙ୍କ ଇସ୍ତଫା ମଧ୍ୟ ବାଚସ୍ପତି ଦୁଇ ଦିନ ତଳେ ଗ୍ରହଣ କରି ସାରିଛନ୍ତି । ଏହି ଭଳି ଲୋକସଭାରେ ୧୧ଟି ସାଂସଦ ପଦ ଖାଲି ରହିଛି । ତେଣୁ, କେନ୍ଦ୍ର ସରକାରଙ୍କୁ ଅନାସ୍ଥା ଭୋଟ ଜିତିବା ସକାଶେ ୨୬୭ ସାଂସଦଙ୍କ ସମର୍ଥନ ଯଥେଷ୍ଟ । ବର୍ତର୍ମାନ ଲୋକସଭାରେ ଏକାକୀ ବିଜେପିର (ବାଚସ୍ପତିଙ୍କୁ ମିଶାଇ)୨୭୪ ସାଂସଦ ଥିବା ବେଳେ ଶାସକ ଏନଡ଼ିଏର ସାଂସଦ ସଂଖ୍ୟା ହେଉଛି ୩୧୩ ରହିଛି। ଶିବ ସେନା (୧୮), ଏଲଜେପି (୬) ଓ ଏସଡ଼ିଏ (୪) ବିଜେପି ସହ ଅଛନ୍ତି । ଅପରପକ୍ଷରେ, ଲୋକସଭାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ସାଂସଦ ସଂଖ୍ୟା ୬୩ ଥିବା ବେଳେ ଏଆଇଏଡ଼ିଏମକେର ୩୭, ତୃଣମୂଳ କଂଗ୍ରେସର ୩୪, ବିଜେଡ଼ିର ୧୯, ଟିଡ଼ିପିର ୧୬ ଓ ଟିଆରଏସର ୧୧ ଏଭଳି ବିରୋଧୀ ଗୋଷ୍ଠୀରେ ୨୨୨ ସାଂସଦ ରହିଛନ୍ତି । ଅନାସ୍ଥା ଭୋଟରେ ବିଜେଡ଼ି ଓ ଏଆଇଏଡ଼ିଏମକେ ସାଂସଦଙ୍କ ଭୂମିକାକୁ ନେଇ ବିରୋଧୀ ଗୋଷ୍ଠୀ ମଧ୍ୟ ସନେ୍ଦହରେ । ଏହି ଦୁଇ ଦଳ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ଭୋଟ ବେଳେ ଅନୁପସ୍ଥିତ ରହି ପାରନ୍ତି ବୋଲି ବିରୋଧୀ ସନେ୍ଦହ କରୁଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ମଧ୍ୟ ଏହି ପ୍ରସଙ୍ଗରେ ନିଜ ମୁହଁ ବନ୍ଦ ରଖି ସସ୍ପେନ୍ସ୍ ବଢାି ଥିବା ବେଳେ ଦଳର ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ, ‘ଶୁକ୍ରବାର ଦିନ ବିଜେଡ଼ିର ସମସ୍ତ ସାଂସଦ ଲୋକସଭାରେ ଉପସ୍ଥିତ ରହିବାକୁ ଦଳ ହ୍ୱିପ୍ ଜାରି କରିଛି। ଅନାସ୍ଥା ଭୋଟ ସମୟରେ ଦଳର ସାଂସଦମାନଙ୍କ ଭୂମିକା କଣ ହେବ ତାହା ଗୃହରେ ଜଣାଇ ଦିଆଯିବ’ ବୋଲି କହିଛନ୍ତି । ଏଆଇଏଡ଼ିଏମକେ ଓ ବିଜେଡ଼ିର ଭୂମିକା ଯାହା ବି ହେଉ ଶୁକ୍ରବାର ଦିନ ବିରୋଧୀଙ୍କ ସଂଗଠିତ ଆକ୍ରମଣ ଯେ ସରକାରଙ୍କୁ ନୟାନ୍ତ କରିବ, ଏଥିରେ କୌଣସି ସନେ୍ଦହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS