ଅନାସ୍ଥା ପ୍ରସ୍ତାବ ଆଲୋଚନା ଥିଲା ରାହୁଲ ଓ ମୋଦୀଙ୍କ ‘ମେଲୋଡ୍ରାମା’
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୨ ଜୁଲାଇ : ଶୁକ୍ରବାର ଲୋକସଭାରେ ଯାହା ସବୁ ଘଟି ଗଲା ତାହା ଦେଶବାସୀ ଅତି ନିକଟରୁ ଦେଖିବାକୁ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ) ସରକାର ଗୃହରେ ନିଜର ବହୁମତ ସାବ୍ୟସ୍ତ କରି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଏକତା ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଛନ୍ତି । କର୍ଣ୍ଣାଟକରେ କ୍ଷମତା ପାଇଁ ଅସହଜ ମେଂଟ କରିଥିବା ଜେଡ଼ିଏସ୍ ମୁଖ୍ୟମନ୍ତ୍ରୀ ଏଚ.ଡ଼ି କୁମାରସ୍ୱାମୀ ତାଙ୍କ ସହ କ୍ଷମତାରେ ସହଭାଗୀ ଥିବା କଂଗ୍ରେସର ମାନସିକ ଅତ୍ୟାଚାରକୁ ନେଇ କାନ୍ଦିବା ଦୃଶ୍ୟ ବିରୋଧୀ ଏକତା ପ୍ରତି ଆହ୍ୱାନ ହୋଇଥିବା ବେଳେ ଦେଶରେ କଂଗ୍ରେସର ଦୁର୍ବଳ ସ୍ଥିତି କୌଣସି ପ୍ରକାର ଅନ୍ୟ ଅଣ-ବିଜେପି ରାଜନୈତିକ ଦଳ ସହ ନିର୍ବାଚନ-ପୂର୍ବ ବା ନିର୍ବାଚନ-ପର ମେଂଟ କରି ୨୦୧୯ରେ କ୍ଷମତାକୁ ଫେରିବା ଯେ ଏତେ ସହଜ ନୁହଁ, ତାହା ଶୁକ୍ରବାର ଲୋକସଭାରେ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ କଂଗ୍ରେସ ଓ ତାହାର ସହଯେଗୀ ଦଳଙ୍କ ଦୟନୀୟ ସ୍ଥିତିରୁ ସ୍ପଷ୍ଟ ହୋଇଯାଇଛି । ବିଜେପିର ସଂଖ୍ୟା ନିକଟରେ ପରାଜିତ ହେବା ପରେ ପୁନର୍ବାର ସେମାନେ ଏକତ୍ରିତ ହୋଇ ଲଢିବାକୁ ସାହାସ ଜୁଟାଇବେ କି ନାହିଁ ତାହା ସନେ୍ଦହର ବିଷୟ ହୋଇଛି । ତେବେ, ବିଜେପି ଭଳି ସାଂପ୍ରଦାୟିକ ଶକ୍ତି ବିରୋଧରେ ମିଳିତ ସଂଗ୍ରାମ ଜାରି ରଖିବାକୁ ଶନିବାର ଦିନ କମ୍ୟୁନିଷ୍ଟ ନେତାମାନେ ଦେଇ ଥିବା ଆଶ୍ୱାସନା କଂଗ୍ରେସର ଆଶାବାଡି ହେବ ବୋଲି ଆଶା କରାଯାଇପାରେ । କମ୍ୟୁନିଷ୍ଟ ନେତାଙ୍କ ମନ୍ତବ୍ୟରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଓ କମ୍ୟୁନିଷ୍ଟ ମିଶି ମୋଦୀଙ୍କ ମୁକାବିଲା କରିବାର କ୍ଷୀଣ ଆଭାସ ମିଳୁଛି ।
ଶୁକ୍ରବାର ଦିନ ଲୋକସଭାରେ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ନାଁରେ ପୂର୍ବାହ୍ନ୧୦ଟାରୁ ରାତି ୧୧ଟା ପର ପର୍ଯ୍ୟନ୍ତ ଯେଉଁ ନାଟକବାଜୀ ଚାଲିଲା ତାହାକୁ ‘ମେଲୋଡ୍ରାମା’ ହିଁ କୁହାଯାଇ ପାରେ । ‘ମେଲୋଡ୍ରମା’ର ଅର୍ଥ ହେଉଛି ମାତ୍ରାଧିକ ନାଟକବାଜୀ । କେନ୍ଦ୍ରରେ ଚାରି ବର୍ଷରୁ ଅଧିକ ସମୟ ହେଲା କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଅସହିଷ୍ଣୁତାକୁ ନେଇ ଦେଶର ବୁଦ୍ଧିଜୀବୀ ନାରାଜ । ଚାରି ବର୍ଷରେ ଆଠ କୋଟି କର୍ମ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି କିଛି ଲକ୍ଷ୍ୟରେ ସୀମିତ ରହି ଯାଇ ଥିବାରୁ ବେକାର ଯୁବକ, ଯୁବତୀ ନାରାଜ । ବିମୁଦ୍ରାକରଣ ଓ ଜିଏସଟି ନାଁରେ ସାଧାରଣ ଜନତା ଓ ଛୋଟବଡ ଉଦ୍ୟୋଗର ଅର୍ଥନୀତିକୁ ଅସ୍ତବ୍ୟସ୍ତ କରି ଦିଆଯାଇ ଥିବାରୁ ବ୍ୟବସାୟୀ ଓ ସାଧାରଣ ଜନତା ନାରାଜ । ଚାଷି ଆଶା କରି ଥିଲେ ଦେଶରେ ଶାସନ ବ୍ୟବସ୍ଥାରେ ପରିବର୍ତର୍ନ ହେଲେ ସେମାନଙ୍କ ଅବସ୍ଥାରେ ମଧ୍ୟ ପରିବର୍ତର୍ନ ହେବ । ୨୦୧୪ ନିର୍ବାଚନ ସମୟରେ ସେମାନଙ୍କୁ ଏଭଳି ପ୍ରତିଶ୍ରୁତି ମିଳି ଥିଲା । କିନ୍ତୁ, ୟୁପିଏ ସରକାରର ପତନ ଘଟାଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏର ସରକାର ପ୍ରତିଷ୍ଠା ହେବା ପରେ ମଧ୍ୟ ଚାଷିଙ୍କ ସମସ୍ୟା ପୂର୍ବବତ୍ ରହିଛି । ସରକାର ବଡ ବଡ ଶିଳ୍ପପତିଙ୍କ ପାଇଁ, ଚାଷିଙ୍କ ପାଇଁ ନୁହଁ – ଏଭଳି ଧାରଣା ସୃଷ୍ଟି ହେବା ପରେ ଦେଶବ୍ୟାପୀ ଚାଷି ଆନ୍ଦୋଳନ ମୁଣ୍ଡ ଟେକି ଥିଲା ଏବଂ ଚାଷିକୂଳ ସେମାନଙ୍କ ଦାବି ସମୂହକୁ ନେଇ ରାଜରାସ୍ତାକୁ ଆସି ଥିଲେ । ଗୁଜରାଟ ଚାଷି ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପିକୁ ନିର୍ବାଚନ ସମୟରେ ପ୍ରତ୍ୟାଖାନ କରିବାରୁ ସହରୀ ଭୋଟରଙ୍କ ସହାନୁଭୂତିରେ ବିଜେପି ଗୁଜରାଟରେ ଦୁଇ ଅଙ୍କର ଆସନ ପାଇ ସରକାର ଗଠନ କଲା । କଂଗ୍ରେସ ବିଜେପିକୁ କଡା ଟକ୍କର ଦେବାରେ ସକ୍ଷମ ହେଲା । ଏହି ଝଟକା ପରେ ପ୍ରଧାନମନ୍ତ୍ରୀ ମୋଦୀ ଚାଷିଙ୍କ କଥା ଚିନ୍ତା କରିବାକୁ ସମୟ ପାଇଲେ । ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଚାରି ବର୍ଷ ପରେ ଏନଡ଼ିଏ ସରକାର ଚାଷିଙ୍କ ପାଇଁ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ପଦାର୍ଥର ଯେଉଁ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କଲେ ତାହା ସମୁଦ୍ରକୁ ଶଂଖେ ଭଳି। ଧାନ ଚାଷି ପାଇବେ କୁଇଂଟାଲ ପିଛା ଅଧିକ୨୦୦ ଟଙ୍କା । ଏହା ଏନଡ଼ିଏ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ବୋଲି ବିଜେପି ବାହାସ୍ପୋଟ ମାରୁଛି । କଂଗ୍ରେସ ସରକାର ଅମଳରେ ଧାନର ଏମଏସପି ୨୦୦ ଟଙ୍କା ପାଖାପାଖି କେବେ ବଢି ନ ଥିଲା କହି ଚାଷିଙ୍କୁ ସାନ୍ତ୍ୱନା ଦେବାକୁ ଉଦ୍ୟମ କରୁଛି । କିନ୍ତୁ, ଚାଷିକୂଳ ସନ୍ତୁଷ୍ଟ ନୁହନ୍ତି । କାରଣ, ସେମାନଙ୍କ ଅର୍ଥନୈତିକ ଭବିଷ୍ୟତ ଯେ ଅସୁରକ୍ଷିତ, ତାହା ସେମାନେ ଭଲ ଭାବେ ଜାଣନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତି ସମାଜର ଆଉ ଏକ ବଡ଼ ବର୍ଗ କ୍ଷୁବ୍ଧ । ସେମାନେ ହେଉଛନ୍ତି ଦଳିତ ଓ ସଂଖ୍ୟାଲଘୁ । ବିଭିନ୍ନ ଆଳରେ ଏହି ଦୁଇ ବର୍ଗଙ୍କ ଉପରେ ଅତ୍ୟାଚାର ଏବଂ ମବ୍ ଲିଂଚିଂ (ଭିଡ଼ ଭିତରେ ବିଭିନ୍ନ ଆଳରେ ପିଟି ପିଟି ମାରି ଦିଆଯିବା ଘଟଣା) ବଢି ଥିବା କଥାକୁ ନେଇ ଦେଶର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଚିନ୍ତିତ । ଏହାକୁ ରୋକିବା ସକାଶେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇ ଥିବା ବେଳେ ରାଜ୍ୟ ସରକାରମାନେ ଏହାକୁ ରୋକିବା ସକାଶେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ କହି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ନିଜ ମୁଣ୍ଡରୁ କଳଂକ ପୋଛି ଦେଇଛନ୍ତି । ଏସବୁ ସାମାଜିକ ଘଟଣା ବ୍ୟତୀତ ଦେଶର ବିଭିନ୍ନ ଜାତୀୟକରଣ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ବଡ ବଡ ବ୍ୟବସାୟୀ ଲୁଟି ନେଇ ଦେଶାନ୍ତରୀ ହୋଇଯିବା ଏବଂ ସେମାନେ ଦେଶ ଛାଡି ପଳାଇବା ପରେ ନରେନ୍ଦ୍ର ମୋଦୀଙ୍କ ସରକାର ସିବିଆଇ, ଇଡ଼ିକୁ ସେମାନଙ୍କ ପଛରେ ଲଗାଇ ସମୁଦ୍ର ବାଲିରୁ ଛୁଂଚି ଖୋଜିବାର ପ୍ରୟାସ କରୁଥିବା ଦେଶବାସୀଙ୍କୁ ବିଚଳିତ କରୁଛି । ବ୍ୟାଙ୍କ ଗୁଡିକରେ ଥିବା ଜନସାଧାରଣଙ୍କ କଷ୍ଟାର୍ଜିତ ଧନ ଆବଶ୍ୟକତା ସମୟରେ ଫେରସ୍ତ ମିଳିବ କି ନାହିଁ ସନେ୍ଦହ । ଫଳରେ, ଜନସାଧାରଣ ବ୍ୟାଙ୍କରୁ ଜମା ଅର୍ଥକୁ କାଢି ଆଣି ପୁନର୍ବାର ନିଜ ଘରେ ରଖୁ ଥିବାରୁ ବ୍ୟାଙ୍କ ଗୁଡିକର ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗି ଥିବା ଆଉ ଏକ ସମସ୍ୟା ହୋଇଛି । ଦେଶରେ ପୁଣି ଥରେ ନଗଦ କାରବାର ବଢିଛି ।
ଦେଶରେ ଏତେ ସବୁ ସମସ୍ୟା ଥିବା ବେଳେ ଏନଡ଼ିଏ ସରକାରଙ୍କ ଗତ ଚାରି ବର୍ଷ ଶାସନ କାଳରେ ସବୁ ସମସ୍ୟା ଉପରେ ଲୋକସଭାରେ ଆଲୋଚନା ହେବା ଅବକାଶ ଜୁଟି ନ ଥିଲା । ଶୁକ୍ରବାର କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏସବୁ ସମସ୍ୟାକୁ ନେଇ ଆଲୋଚନା କରିବାର ଏକ ବଡ଼ ସୁଯୋଗକୁ ହାତଛଡା କରିବେ ନାହିଁ ବୋଲି ସମସ୍ତେ ଆଶା କରିଥିଲେ । ସବୁ ରାଜନୈତିକ ଦଳ ‘ହ୍ୱିପ୍’ ଜାରି କରି ନିଜ ନିଜ ଦଳର ସାଂସଦମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରିଥିଲେ । କିନ୍ତୁ କଣ ହେଲା ? ସବୁ ରାଜନୈତିକ ଦଳ ଏତେ ସବୁ ଜାତୀୟ ସମସ୍ୟାକୁ ଛାଡି ନିଜ ନିଜ ଦଳର ସଂକୀର୍ଣର୍ ରାଜନୀତି ପାଇଁ ଏଭଳି ଏକ ସୁଯୋଗର ହାତଛଡା କରିବାକୁ ପଛାଇଲେ ନାହିଁ । ଓଡ଼ିଶାର ଶାସକ ବିଜେଡ଼ି ଠାରୁ ପ୍ରଥମେ ସଂକୀର୍ଣ୍ଣ ରାଜନୀତିର ଆରମ୍ଭ ହେଲା । ଦଳ ଓଡ଼ିଶାର ସ୍ୱାର୍ଥ ଜଡିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ସମେତ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିରେ ଶୁକ୍ରବାର ଲୋକସଭାରେ ଯୋରଦାର ଆଲୋଚନା କରିବ ଏବଂ ପୁରୀ ସାଂସଦ ପିନାକୀ ମିଶ୍ର ଏହାର ନେତୃତ୍ୱ ନେବେ ବୋଲି ଗୁରୁବାର ଦିନ ବିଜେଡ଼ି ସଂସଦୀୟ ଦଳ ନିଷ୍ପତ୍ତି ନେଇଥିବା ବେଳେ ଶୁକ୍ରବାର ସକାଳେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ଟେଲିଫୋନ୍ କଲ୍ ସବୁ କିଛି ଓଲଟପାଲଟ କରି ଦେଇଥିଲା । ବିଜେଡ଼ି ସଂସଦୀୟ ଦଳର ନେତା ଭର୍ତୃହରି ମହତାବ ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେଉ ହେଉ ସମଦୂରତା କଥା କହି ଅନ୍ୟ ୧୮ ସାଂସଦଙ୍କ ସହ କକ୍ଷତ୍ୟାଗ କଲେ । ଦଳର ଯୁକ୍ତି ହେଲା, ଉଭୟ ୟୁପିଏ ଓ ଏନଡ଼ିଏ ସରକାର ୧୪ ବର୍ଷ ହେଲା ଓଡ଼ିଶାର କୌଣସି କଥା ଶୁଣୁ ନାହାନ୍ତି, ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରି ଲାଭ କଣ ?
ଓଡ଼ିଶା କଂଗ୍ରେସ ନେତୃତ୍ୱ ଏହାକୁ ବିଜେଡ଼ିର ବିଜେପି ପ୍ରୀତି ବୋଲି କହୁଥିବା ବେଳେ ସାଧାରଣ ଜନତା ଭାବୁଛନ୍ତି ବହୁ କୋଟି ଟଙ୍କାର ଚିଟ୍ ଫଣ୍ଡ୍ କେଲେଂକାରୀ, ଡ଼ି’ ବ୍ରଦର୍ସ ଓ ଟିଟୋଙ୍କ ଭଳି ଅପରାଧୀଙ୍କ ସାମ୍ରାଜ୍ୟ ବିସ୍ତାର ଏବଂ ଅନ୍ୟାନ୍ୟ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଜନକ ଥିବାରୁ ଏବଂ ଦଳର ମନ୍ତ୍ରୀ, ବିଧାୟକ ଏବଂ ଉଭୟ ପୁଲିସ ଓ ସାଧାରଣ ପ୍ରଶାସନର ବହୁ ଅଧିକାରୀ ସିବିଆଇ ଜାଲରେ ପଡି ସାରି ଥିବାରୁ ବା ସିବିଆଇର ସ୍କାନରରେ ଥିବାରୁ ମୁଖ୍ୟମନ୍ତ୍ରୀ ସମଦୂରତାର ଦ୍ୱାହି ଦେଇ ବିଜେପିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ବିଜେଡ଼ି ଜରୁରୀ ସମୟରେ ଏଭଳି ମୁହଁ ଲୁଚାଇବାର ପୂର୍ବରୁ ମଧ୍ୟ ବହୁ ନଜିର ରହିଛି ବୋଲି ଶୁକ୍ରବାର ଓ ଶନିବାର ଦିନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଛି । କେବଳ ବିଜେଡ଼ି ନୁହେଁ, ତେଲେଙ୍ଗାନାର କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଓ ମହାରାଷ୍ଟ୍ରର ବିଜେପି ସହଯୋଗୀ ଶିବ ସେନା ଶୁକ୍ରବାରର ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭୋଟଦାନରୁ ବିରତ ରହି ପରୋକ୍ଷରେ ବିଜେପିକୁ ସହାଯ୍ୟ କରିଥିଲେ । ଟିଆରଏସର ୧୧, ଶିବ ସେନାର ୧୮ ଓ ବିଜେଡ଼ିର ୧୯ ସାଂସଦ ଭୋଟଦାନରୁ ବିରତ ହେବା ପରେ ଯେଉଁ ୪୫୧ ସାଂସଦ ଗୃହରେ ଉପସ୍ଥିତ ଥିଲେ ସେଥିରୁ ୩୨୫ ଜଣ ସରକାର ସପକ୍ଷରେ ଓ ୧୨୬ ସାଂସଦ ସରକାର ବିରୋଧରେ ଭୋଟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ବାନା ଉଡାଇବା ସହ ପୁନର୍ବାର ୨୦୨୪ରେ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସକୁ ଆହ୍ୱାନ ଦେଇ ଅନାସ୍ଥା ପ୍ରସ୍ତାବ ଆଲୋଚନାର ପୂର୍ଣ୍ଣଚ୍ଛେଦ ଟାଣି ଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ହରକତ୍ ରୁ ସ୍ପଷ୍ଟ ହୋଇଛି, ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ ହିଁ ଦେଶରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ବିରୋଧୀ ଏକତା ମୂଲ୍ୟହୀନ । ତେଣୁ, କଂଗ୍ରେସ ସହ ଠିଆ ହେଉ ଥିବା ଅଣ-ବିଜେପି ଦଳଙ୍କୁ ଚେତାଇ ଦେଇଛି, ଅତୀତରେ ଚାଷି ନେତା ଚରଣ ସିଂହଙ୍କ ଠାରୁ ଆରମ୍ଭ କରି ଚନ୍ଦ୍ରଶେଖର, ଦେବେ ଗୌଡାଙ୍କ ପର୍ଯ୍ୟନ୍ତ ନେତାଙ୍କୁ କଂଗ୍ରେସ ଦଳ ସିଡ଼ି ଚଢାଇ ପରେ ସେମାନଙ୍କ ପାଦ ତଳୁ କାର୍ପେଟ୍ ଟାଣି ନେଇଥିଲା । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଦଳ ଦ୍ୱାରା ଅପମାନିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ଠିଆ ହୋଇ ଏହି ମନ୍ତବ୍ୟ ଦେବା ସମୟରେ ତାଙ୍କରି ଦଳର ତୁଙ୍ଗ ନେତା ତଥା ବିଜେପିର ପ୍ରାଣ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ ହତାଶାର ସହ ଆଗ ଧାହିରେ ବସି ମୋଦୀଙ୍କୁ ଶୁଣା ଥିବା ଦେଖିବାକୁ ମିଳି ଥିଲା । ୟୁପିଏ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ତ ରକ୍ତ ଚାଉଳ ଚୋବାଉ ଥିଲେ ।
ଆଲୋଚନା ବେଳେ ମେଲୋଡ୍ରାମାଟିକ୍ ଥିଲା ସଂସଦରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟବହାର । ରାହୁଲ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୃହରେ ଉତ୍ଥାପନ କରିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନରେ ଥିଲା ଅପରିପକ୍ୱତା । ଭାରତୀୟ ଜାତୀୟ କଂଗ୍ରେସ ଭଳି ଏକ ଶତାଧିକ ବର୍ଷର ପୂରୁଣା ଦଳର ଶୀର୍ଷ ନେତାଙ୍କ ଠାରୁ ଯେଭଳି ଗାମ୍ଭିର୍ଯ୍ୟ ଆଶା କରା ଯାଉଥିଲା ତାହା ରାହୁଲଙ୍କ ଠାରେ ଦେଖିବାକୁ ମିଳି ନ ଥିଲା। ମୋଦୀଙ୍କ ଭଳି ଜଣେ ଚତୁର ନେତାଙ୍କୁ ସେ ସୁଯୋଗ ଦେଇ ଥିଲେ କଂଗ୍ରେସ ଦଳର ଚାରି ପୁରୁଷ ଉଦ୍ଧାର କରିବା ପାଇଁ । ଭାଷଣ ସାରିବା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସନ ନିକଟକୁ ଯାଇ ତାଙ୍କୁ କୁଣ୍ଡାଇ ଧରିବା ଏବଂ ନିଜ ଆସକୁ ଫେରିବା ପରେ କଂଗ୍ରେସ ସାଥୀମାନଙ୍କୁ ଆଖି ମିଟିକା ମାରିବା ବୋଧହୁଏ ଥିଲା ମୋଦୀଙ୍କ ପାଇଁ କଂଗ୍ରେସ ବିରୋଧରେ ସବୁଠାରୁ ଶାଣିତ ଅସ୍ତ୍ର । ମୋଦୀ ଜଣେ ଗୁରୁଜନ ଭାବେ ଏହି ଆଲିଂଗନକୁ ସୌଜନ୍ୟତାର ସହ ନ ନେଇ ପ୍ରଧାନମନ୍ତ୍ରୀ ଆସନରେ ବସିବା ପାଇଁ ଏହା ରାହୁଲଙ୍କ ବ୍ୟାକୁଳତା ବୋଲି ବର୍ଣର୍ନା କରିବାକୁ ପଛାଇ ନ ଥିଲେ । ପ୍ରଧାନମନ୍ତ୍ରୀ ସହିଷ୍ଣୁତା ଓ ନମ୍ରତା କଥା କହୁଥିବା ବେଳେ ତାଙ୍କ ଭାଷଣ ଥିଲା କଂଗ୍ରେସ ଓ ତାହାର ସହଯୋଗୀ ଦଳମାନଙ୍କ ପ୍ରତି ଅସହିଷ୍ଣତାରେ ଭରା । ଏହା ଶାସକ ବିଜେପିର ଗାରିମା କେତେଦୂର ବଢାଇବାରେ ତାହା ସମୟ କହିବ ।
ଦେଶର ୧୨୫ କୋଟି ଜନତାଙ୍କ ସମର୍ଥନରେ ଏନଡିଏ କ୍ଷମାସୀନ ହୋଇଛି ଏବଂ ଜନତାର ଆଶୀର୍ବାଦ ଥିବା ଯାଏଁ ସେ ପ୍ରଧାନମନ୍ତ୍ରୀ ରହିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ତରଳ ଅବସ୍ଥାରେ ଥିବା ବିରୋଧୀ ମେଂଟ ପାଇଁ ଏକ ବଡ଼ ଆହ୍ୱାନ । ସରକାରଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆସିଥିଲା ତାହା କଂଗ୍ରେସ ଓ ୟୁପିଏ ସହଯୋଗୀଙ୍କ ନକାରାତ୍ମକ ଭାବନାର ସଂକେତ ଦେଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ଉପଲକ୍ଷ ଥିଲେ ରାହୁଲ ଗାନ୍ଧୀ ଓ ତାଙ୍କ ମା’ଶ୍ରୀମତୀ ସୋନିଆ ଗାନ୍ଧୀ । ଉଭୟେ ଗୃହରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ୯୦ ମିନିଟର ସମାଲୋଚନା ଶୁଣି ହଜମ କରିବା ବ୍ୟତୀତ ଅନ୍ୟ ଗତି ନ ଥିଲା । ୩୨୫ ସାଂସଦଙ୍କ ପଶୁବଳ ନିକଟରେ ୧୨୬ ବିରୋଧୀ ସାଂସଦଙ୍କ ସ୍ୱର ହଜି ଯାଇଛି ସିନା କଂଗ୍ରେସ ଓ ଯୁପିଏକୁ ଆଗାମୀ ଦିନରେ ନିଜ ଘର ସଜାଡିବାକୁ ଏକ ସୁଯୋଗ ଦେଇଛି । ରାହୁଲ ଶୁକ୍ରବାରର ଅଭିଜ୍ଞତାରୁ ନିଜକୁ ସଜାଡି ପାରିଲେ ବିଜେପି ପାଇଁ ବଡ ଶିକ୍ଷା ହେବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS