ରାଜ୍ୟରେ ବର୍ଷା ବିତ୍ପାତ, ତିନି ଠାକୁର ବାହୁଡିଲେ ପୁରୀ ଶ୍ରୀମନ୍ଦିରକୁ
ଭୁବନେଶ୍ୱର, ୨୨ ଜୁଲାଇ: ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ପ୍ରଳୟଂକରି ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଆଜି ସନ୍ଧ୍ୟାରେ ବାହୁଡିଛନ୍ତି ପୁରୀ ଶ୍ରୀମନ୍ଦିରକୁ । ପୁରୀ ସହରରେ ଲଗାଣ ବର୍ଷା ଯୋଗୁ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ କରି ବଡ ଦେଉଳର ବାଇଶି ପାହାଚ ପର୍ଯ୍ୟନ୍ତ ଜଳାର୍ଣ୍ଣବ ରହି ଥିଲା । ତିନି ଠାକୁରଙ୍କ ରଥ ଚକ ମଧ୍ୟ ଅର୍ଧାଧିକ ବୁଡି ଯାଇଥିଲା । ତେଣୁ, ଆଜିର ବାହୁଡ଼ା ଯାତ୍ରା କେମିତି ସମାପନ ହେବ ସେ ନେଇ ଭକ୍ତଙ୍କ ମନରେ ସଂଶୟ ଲାଗି ରହି ଥିଲା । ତେବେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାୟା ଅପାର । ଆଜି ପାଗ ଶୁଖିଲା ରହିବା ସହ ନିର୍ଦ୍ଧାରିତ ସମୟ ଠାରୁ ଅଢେଇ ଘଂଟା ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ତିନି ରଥ ଆସି ସିଂହଦ୍ୱାରରେ ଲାଗି ଯାଇଥିଲା ।
ପୁରୀରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟା ୨୦ମିନିଟରେ ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନଙ୍କ ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିର ବାହାରକୁ ଅଣା ଯିବା ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା । ତାଙ୍କ ପଛକୁ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ୯ଟା ୪୫ ମିନିଟରେ ବଡ଼ ଠାକୁର ଶ୍ରୀବଳଭଦ୍ର ପହଣ୍ଡିରେ ଆସି ‘ତାଳଧ୍ୱଜ’ ରଥରେ ଆସିନ ହୋଇଥିଲେ । ଶ୍ରୀବଳଭଦ୍ରଙ୍କ ପରେ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆସି ଥିଲେ ମା’ ସୁଭଦ୍ରା। ୧୦ଟା ୦୫ ମିନିଟରେ ସେ ‘ଦେବଦଳନ’ ରଥରେ ଆସିନ ହେବା ପରେ ମହାବାହୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ୧୦ଟା ୨୫ ମିନିଟରେ ପ୍ରଭୁ ଶ୍ରୀଜଗନ୍ନାଥ ଘଂଟଘଂଟା, ହୁଳହୁଳି ଓ ‘ଜୟ ଜଗନ୍ନାଥ’ ଧ୍ୱନୀ ମଧ୍ୟରେ ପହଣ୍ଡିରେ ଆସି ତାଙ୍କ ପ୍ରିୟ ରଥ ‘ନନ୍ଦିଘୋଷ’ରେ ଆସିନ ହେବା ପରେ ପୁରୀ ଗଜପତି ମହାରାଜା ନିଜ ଯାନରେ ଆସି ସେଠାରେ ପହଂଚି ଥିଲେ ଏବଂ ତିନି ରଥରେ ଛେରା ପହଁରା କରିଥିଲେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ସାରିବା ପରେ ପ୍ରଥମେ ‘ତାଳଧ୍ୱଜ’, ତା’ ପଛକୁ ମା’ ସୁଭଦ୍ରାଙ୍କ ‘ଦେବଦଳନ’ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥକୁ ଭକ୍ତମାନେ ଟାଣି ଆଣି ସଂଧ୍ୟା ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ଲଗାଇ ଦେଇ ଥିଲେ ।
ଅନିଶ୍ଚିତ ପାଗ ସତ୍ୱେ ମା’ ଗୁଣ୍ଡିଚାଙ୍କ ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହି ଥିଲା । ତେବେ, ପାଗ ଶୁଖିଲା ଥିଲେ ବି ଭକ୍ତଙ୍କ ସଂଖ୍ୟା ଆଶା ଠାରୁ କମ୍ ଥିଲା ବୋଲି ରାଜ୍ୟ ପୁଲିସ ମହା ନିର୍ଦେଶକ କହିଛନ୍ତି । ଆଜି ତିନି ଠାକୁର ଶ୍ରୀମନ୍ଦିରକୁ ଫେରିବା ବାଟରେ ପରଂପରା ଅନୁସାରେ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକି ପୋଡ ପିଠା ଖାଇଛନ୍ତି । ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା ହୋଇଥିଲା । ତେବେ, ପୁଲିସ ଆବଶ୍ୟକତାକୁ ଦେଖି ନିରାପତ୍ତା ବ୍ୟବସ୍ଥାକୁ ସଂଚାଳନ କରିଥିଲେ ବୋଲି ପୁଲିସ ଡ଼ିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୨୩ ତାରିଖ ସୋମବାର ଦିନ ତିନି ଠାକୁର ‘ସୁନା ବେଶ’ରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ‘ନିଳାଦ୍ରୀ ବିଜେ’ ଦିନ ଶ୍ରୀମନ୍ଦିରକୁ ଫେରିବେ । ଭକ୍ତମାନେ ମନ୍ଦିର ଭିତରେ ତିନି ଠାକୁରଙ୍କ ଦର୍ଶନ ପାଇବେ । ୨୫ ତାରିଖ ପର୍ଯ୍ୟନ୍ତ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣାପଡିଛି ।
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଂପରା ଅନୁଯାୟୀ, ତିନି ଠାକୁର ଦେବସ୍ନାନ ପୂର୍ଣ୍ଣମୀ ଦିନ ୧୦୮ ଗରା ଅଭିମନ୍ତ୍ରିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହେବା ପରେ ବନ୍ଦ କୋଠରୀରେ ରହି ଦେବ ବୈଦ୍ୟଙ୍କ ଦ୍ୱାରା ଚିକିତ୍ସିତ ହୋଇ ଥିଲେ । ସେହି ସମୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ପାଉଥିବା ବେଳେ ପ୍ରଭୁ ଶ୍ରୀଜଗନ୍ନାଥ ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉ ଥିଲେ । ୧୩ ଦିନ ଧରି ଅଲାରନାଥଙ୍କ ପୀଠରେ ଜଗନ୍ନାଥ ଭକ୍ତଙ୍କ ଭିଡ ଜମି ଥିଲା । ୧୪ ତମ ଦିବସରେ ଭକ୍ତମାନେ ତିନି ଠାକୁରଙ୍କ ନବଯୌବନ ରୂପ ଦର୍ଶନ କରିବା ପରେ ୧୫ ତମ ଦିବସରେ ଅର୍ଥାତ ଜୁଲାଇ ୧୪ ତାରିଖ ଭାଇ ଭଉଣୀଙ୍କ ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମ ଦିନ ବଡ଼ ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଂଚି ଥିବା ବେଳେ ଅଧା ବାଟରେ ଅଟକି ଥିବା ଶ୍ରୀଜଗନ୍ନାଥଙ୍କ ରଥ ୧୫ ତାରିଖ ଗୁଣ୍ଡିଚାଙ୍କ ମନ୍ଦିରରେ ଲାଗି ଥିଲା । ତାହା ପରେ ତିନି ଠାକୁର ପହଂଡିରେ ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ନବ ଦିନ ବ୍ୟାପୀ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ବାହୁଡା ଯାତ୍ରାରେ ଶ୍ରୀମନ୍ଦରକୁ ଫେରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS