ବୁର୍ଲାରେ ସର୍ବାଧିକ ୬୨୨ ମିମି ବର୍ଷା, ଜଳଭଣ୍ଡାର ଫୁଲୁ ଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ଭୁବନେଶ୍ୱର, ୨୩ ଜୁଲାଇ: ୨୧ ତାରିଖରୁ ସମଗ୍ର ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ପରିସ୍ଥିତି ସଂଗୀନ ରହିଛି । ରବିବାର ବର୍ଷାର ପରିମାଣ କମି ଥିଲେ ମଧ୍ୟ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ଜଳମଗ୍ନ ଅଂଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଉପଦୃତ ଅଂଚଳରେ ରବିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖାଯିବା ସହ କ୍ଷୟକ୍ଷତି ପରିମାଣ ଅନୁଧ୍ୟାନ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ରବିବାର ପଶ୍ଚିମ ଓଡ଼ିଶାର ବୁର୍ଲା ସହରରେ ସର୍ବାଧିକ ୬୨୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହା ରାଜ୍ୟରେ ସର୍ବାଧିକ ପରିମାଣର ବର୍ଷା କୁହାଯାଉଥିବା ବେଳେ ପୂର୍ବରୁ ୧୯୮୨ରେ ସର୍ବାଧିକ ବର୍ଷ ପରିମାଣ ଥିଲା ୫୮୧.୯ ମିମି । ମହାନଦୀ ଅବବାହିକାର ଉପର ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀ ଫୁଲିବା ସହ ମହାନଦୀ ପ୍ରଣାଳୀରେ ମଧ୍ୟମ ଧରଣର ବନ୍ୟା ଆସିବା ସମ୍ଭାବନା ସୃଷ୍ଟି ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।
ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳି ଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଖଇରମାଳ ଠାରେ ୬.୮ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ସୋମବାର ଅପରାହ୍ନ ସୁଦ୍ଧା ମୁଣ୍ଡୁଳି ଦେଇ ୭.୫ରୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇ ମହାନଦୀ ଅବବାହିକା ଅଂଚଳରେ କ୍ଷୁଦ୍ରରୁ ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବନ୍ୟା ଉପଦୃତ ଅଂଚଳକୁ ସରକାରୀ କ୍ଷେତ୍ର କର୍ମଚାରୀ ଓ ରିଲିଫ ସାମଗ୍ରୀ ପରିବହନ ସକାଶେ ଯାନବାହନ ପ୍ରସ୍ତୁତ ରଖିବାକୁ ଏମଭିଆଇମାନଙ୍କୁ ନିର୍ଦେଶ ଦିଆଯାଇଛି । ମୋବାଇଲ ଷ୍ଟାଫ୍ ବନ୍ୟା ଆଶଙ୍କା ଥିବା ନଦୀ ଗୁଡିକ ଉପରେ ନଜର ରଖିବାକୁ ଏବଂ ଜଳମଗ୍ନ ହେବାକୁ ଥିବା ତଳିଆ ଅଂଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଦେଶୀ ଡ଼ଙ୍ଗା ଓ ବାତ୍ୟା ସେଲ୍ଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଜଳସଂପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲା ଅଧିକାରୀମାନଙ୍କୁ ସତର୍କ କରାଯିବା ସହ ଜନସାଧାରଣ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସହ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରାଯାଇଛି ।
ଅପରପକ୍ଷରେ, ଜୁଲାଇ ୨୪ ତାରିଖ ଦିନ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛଡା ଯିବ ବୋଲି ଜଳସଂପଦ ବିଭାଗ ସୂଚନା ଦେଇଛନ୍ତି । ରବିବାର ମଧ୍ୟାହ୍ନରେ ଜଳଭଣ୍ଡାରରେ ୧.୪୧ କ୍ୟୁସେକ ଜଳ ପ୍ରବେଶ କରିବା ଫଳରେ ଜଳଭଣ୍ଡାରରେ ଜଳର ପରିମାଣ ୬୧୨.୬ ଫୁଟକୁ ବୃଦ୍ଧି ପାଇଛି । ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରରେ ଗତ ୨୪ ଘଂଟା ମଧ୍ୟରେ ଜଳର ପରିମାଣ ୨.୫ ପୁଟ ବୃଦ୍ଧି ପାଇଛି । ସେମବାର ସକାଳ ସୁଦ୍ଧା ଜଳଭଣ୍ଡାରରେ ଜଳର ପରିମାଣ ୬୨୫ ଫୁଟକୁ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ୨୪ ତାରିଖ ଜଳଭଣ୍ଡାରରୁ ପ୍ରଥମ ପର୍ଯ୍ୟାୟ ଜଳ ନିଷ୍କାସନ କରାଯିବା ଆଶା କରାଯାଉଛି ।
ଲଘୁଚାପ ଜନିତ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର ରାୟଗଡା ଜିଲ୍ଲାରେ ଗୋଟିଏ ଦଂପତ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତରେ ୭ଟି ମୃତ୍ୟୁ ଘଟିଛି । ଲଗାଣ ବର୍ଷା ଯୋଗୁ ମାଲକାନଗିରି, କଳାହାଣ୍ଡି, ରାୟଗଡା ଓ ନବରଂଗପୁର ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭୁବନେଶ୍ୱର, କଟକ, ପୁରୀ ଅବସ୍ଥା ମଧ୍ୟ ଶୋଚନୀୟ । ଏସବୁ ସହରର ବ୍ୟାପକ ଅଂଚଳ ଶୁକ୍ରବାରରୁ ଜଳମଗ୍ନ ହୋଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS