‘ଭିଡ ଭିତରେ ହିଂସା’କୁ ନେଇ କେନ୍ଦ୍ର ସରକାର ବିବ୍ରତ, ରୋକିବା ଉପାୟ ବାହାର କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ
ନୂଆଦିଲ୍ଲୀ, ୨୪ ଜୁଲାଇ: କେତେବେଳେ ଗୋରୁ ଚାଲାଣ ଆଳରେ ତ କେତେବେଳେ ପିଲା ଚୋର ସନ୍ଦେହରେ ଭିଡ଼ ଭିତରେ ସନ୍ଦିଗ୍ଧ ଲୋକଙ୍କୁ ପିଟି ପିଟି ମାରି ଦିଆଯାଉ ଥିବା (ମବ୍ ଲିଂଚିଂ) ଘଟଣା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ବିବ୍ରତ । ଏହାକୁ କିଭଳି ରୋକାଯାଇ ପାରିବ ତାହା ଉପରେ ବିଚାର ବିମର୍ଷ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଆବଶ୍ୟକ ସୁପାରିଶ କରିବାକୁ ଗୃହ ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶାସନ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ନ୍ୟାୟିକ, ଆଇନ ବ୍ୟାପାର, ବୈଧାନିକ, ସାମାଜିକ ନ୍ୟାୟ ଓ ଏମ୍ପାୱାରମେଂଟ୍ ବିଭାଗ ଶାସନ ସଚିବମାନେ ସଭ୍ୟ ରହିଛନ୍ତି । ଭିଡ ଭିତରେ ହେଉଥିବା ଅମାନୁଷିକ ହିଂସାକୁ ରୋକିବା ସକାଶେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ହେବ ତାହା ଅନୁଧ୍ୟାନ କରି କମିଟି ଚାରି ସପ୍ତାହ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କୁହାଯାଇଥିବା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଏହାଛଡା, କମିଟିର ସୁପାରିଶଗୁଡିକୁ ଅନୁଧ୍ୟାନ କରି ଆବଶ୍ୟକ ନିଷ୍ପତ୍ତି ନେବାକୁ ଏକ ଜିଓଏମ (ଗୃପ୍ ଅଫ୍ ମିନିଷ୍ଟର୍ସ) ଗଠନ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଜିଓଏମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡକରି, ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସାମାଜିକ ନ୍ୟାୟ ଓ ଏମପାୱାରମେଂଟ ବିଭାଗ ମନ୍ତ୍ରୀ ଥୱର ଚାନ୍ଦ ଗେହେଲଟଙ୍କୁ ନିଆଯାଇଛି । ଜିଓଏମ ନିଜର ସୁପାରିଶ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ ।
ଦେଶରେ ‘ଭିଡ ଭିତରେ ହିଂସା’ ଘଟଣା ବୃଦ୍ଧି ପାଉଥିବା ଦେଖି ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ) ଗଭୀର ଉଦବେଗ ପ୍ରକାଶ କରିବା ସହ ଏହାକୁ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ । ଜୁଲାଇ ୨୦ ତାରିଖ ଦିନ ଲୋକସଭାରେ ବିରୋଧୀ ଦଳଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ମଧ୍ୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ସମାଲୋଚନା କରିବାକୁ ପଛାଇ ନ ଥିଲେ । ଗୃହ ମନ୍ତ୍ରୀ ରାଜନାଥ ସିଂହ ସରକାରଙ୍କ ପକ୍ଷରୁ ସଫେଇ ଦେବାକୁ ଯାଇ ଏଭଳି ହିଂସା ରୋକିବା ସକାଶେ ଆଇପିସିରେ ଯଥେଷ୍ଟ ବ୍ୟବସ୍ଥା ରହିଛି ବୋଲି କହିବା ସହ ରାଜ୍ୟ ସରକାରମାନେ ତାହାର ପ୍ରୟୋଗ କରି ‘ଭିହ ଭିତରେ ହିଂସା’କୁ କଠୋର ହସ୍ତରେ ଦମନ କରିବା ଆବଶ୍ୟକ ବୋଲି ମତ ଦେଇ ଥିଲେ । ତେବେ, ଏଭଳି ଘଟଣା ବୃଦ୍ଧି ପାଉଥିବା ଏବଂ କେନ୍ଦ୍ର ସରକାରଙ୍କ ପ୍ରତି ସମାଲୋଚନା ଥମୁ ନ ଥିବା ଦେଖି ଗୃହ ମନ୍ତ୍ରୀ ସିଂହ ‘ଭିଡ ଭିତରେ ହିଂସା’କୁ ରୋକିବା ସକାଶେ ଆଇନରେ ଅଧିକ କଣ ପ୍ରାବଧାନ କରାଯାଇ ପାରିବ ତାହା ଅନୁଧ୍ୟାନ କରି ସରକାରଙ୍କୁ ସୁପାରିଶ କରିବାକୁ ୨୩ ତାରିଖ ଦିନ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତ ଜୁଲାଇ ୪ ତାରିଖ ଦିନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରଙ୍କ ନିକଟକୁ ଏକ ଆଡଭାଇଜରୀ ପଠା ଯାଇ ଭିଡ ଭିତରେ ହୋଉଥିବା ହିଂସାକୁ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ କଠୋର ହସ୍ତରେ ଦମନ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ଜୁଲାଇ ୧୭ ତାରିଖରେ ସୁପ୍ରିମ କୋର୍ଟ ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ପରେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ କୁହାଯାଇଥିଲା । ପୂର୍ବରୁ ଗୋ-ସୁରକ୍ଷା ନାମରେ ଦେଶର ବିଭିନ୍ନ ଅଂଚଳରେ ଏଭଳି ହିଂସାତ୍ମକ ଘଟଣା ବୃଦ୍ଧି ପାଉଥିବା ଦେଖି ୨୦୧୬ ଅଗଷ୍ଟ ୯ ତାରିଖରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କେନ୍ଦ୍ର ସରକାର ଆଡ଼ଭାଇଜରୀ ପଠାଇ ଥିଲେ । ଏହାସତ୍ୱେ, ମବ୍ ଲିଂଚିଂ ଘଟଣା କମିବା ନାଁ ନେଉ ନ ଥିବାରୁ ଜୁଲାଇ ୨୩ ତାରିଖ ଦିନ ସରକାର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଜିଓଏମ ଗଠନ କରି ଏହି ସମସ୍ୟାର ସମାଧାନ ରାସ୍ତା ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS