ସୁଶାସନ ନେଇ ଓଡ଼ିଶାର ଦାବିକୁ ଝଟକା, କେରଳ ଏକ ନମ୍ବରରେ
ଭୁବନେଶ୍ୱର,୨୪ ଜୁଲାଇ: ବେଙ୍ଗୁଲୁରର ପବ୍ଲିକ ଆଫେୟାର୍ସ ସେଂଟର (ପିଏସି) ନାମକ ଏକ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ନିକଟରେ ପ୍ରକାଶିତ ‘ପବ୍ଲିକ ଆଫେୟାର୍ସ ଇଂଡେକ୍ସ-୨୦୧୮’ରେ ଦେଶର ସୁଶାସିତ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ୨୪ରେ ଥିବା ବେଳେ କମ୍ୟୁନିଷ୍ଟ ଶାସିତ ରାଜ୍ୟ କେରଳକୁ ଏକ ନମ୍ବର ସ୍ଥାନ ମିଳିଛି । ସବୁ ବେଳେ ସବୁ କ୍ଷେତ୍ରରେ ଏକ ନମ୍ବର ବୋଲି ଦାବି କରି ଆସୁଥିବା ଓଡ଼ିଶାର ବିଜେଡ଼ି ସରକାରଙ୍କ ପାଇଁ ଏହି ରିପୋର୍ଟ ଏକ ଝଟକା ସଦୃଶ ହୋଇଛି । ଏହି ରିପୋର୍ଟରେ ସୁଶାସନ ଦେଉଥିବା ରାଜ୍ୟଙ୍କ ମଧ୍ୟରେ କେରଳ ପଛକୁ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣଟକ ଓ ଗୁଜରାଟ ରହିଛନ୍ତି । ତାମିଲନାଡୁରେ ଏଆଇଏଡ଼ିଏମକେ ସରକାର ଥିବା ବେଳେ ତେଲେଙ୍ଗାନାରେ ଟିଆରଏସ ସରକାର ରହିଛି । ଚତୁର୍ଥ ସ୍ଥାନରେ ଥିବା କର୍ଣ୍ଣାଟକରେ ସଦ୍ୟ ଜେଡ଼ିଏସ-କଂଗ୍ରେସ ମେଂଟ ସରକାର କ୍ଷମତାସୀନ ଅଛନ୍ତି । ପଂଚମ ସ୍ଥାନରେ ରହିଛି ଗୁଜରାଟ । ଏହି ରାଜ୍ୟ ଦୀର୍ଘ ବର୍ଷ ହେଲା ବିଜେପି ଶାସନାଧୀନ ରହିଛି ।
ବେଙ୍ଗୁଲୁର ଭିତ୍ତିକ ଏହି ଅନୁଷ୍ଠାନ ‘ପବ୍ଲିକ ଆଫେୟାର୍ସ ସେଂଟର’ ଗତ ଶନିବାର ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସ୍ଥାର ୨୦୧୮ ବର୍ଷର ‘ପବ୍ଲିକ ଆଫେୟାର୍ସ ଇଂଡେକ୍ସ’ ପ୍ରକାଶ କରିଛନ୍ତି । ୨୦୧୬ରୁ କେରଳ ଲଗାତର ଭାବେ ସୁଶାସନ କ୍ଷେତ୍ରରେ ଦେଶରେ ଏକ ନମ୍ବର ସ୍ଥାନରେ ରହି ଆସୁଛି ବୋଲି ପିଏସିର ତୃତୀୟ ବାର୍ଷିକ ରିପୋର୍ଟରୁ ସୂଚନା ମିଳିଛି । ରାଜ୍ୟମାନଙ୍କରେ ହେଉଥିବା ସାମାଜିକ ଓ ଅର୍ଥନୈତିକ ବିକାଶର ସୂଚକାଂକ ଉପରେ ଆଦାର କରି ଏହି ର୍ୟାଙ୍କିଂ କରାଯାଉଥିବା ଜଣାପଡିଛି । ୧୯୯୪ ମସିହାରେ ସୁପ୍ରତିଷ୍ଠିତ ଅର୍ଥନୀତିଜ୍ଞ ସ୍ୱର୍ଗତ ସାମୁଏଲ ପଲ୍ ହେଉଛନ୍ତି ପିଏସିର ପ୍ରତିଷ୍ଠାତା । ରିପୋର୍ଟ ମୁତାବକ, ବଡ ବଡ ରାଜ୍ୟଙ୍କ ମଧ୍ୟରେ କେରଳ, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଗୁଜୁରଟ ନିଜ ନିଜ ରାଜ୍ୟରେ ସୁଶାସନ ଦେବାରେ ଅଗ୍ରଣୀ ଥିବା ସମୟରେ ମଧ୍ୟପ୍ରଦେଶ, ଝାରଖଣ୍ଡ ଓ ବିହାରରେ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସର୍ବାଧିକ ଅସମାନତା ରହିଛି । ଦେଶର କ୍ଷୁଦ୍ର ରାଜ୍ୟ (ଦୁଇ କୋଟିରୁ କମ୍ ଜନସଂଖ୍ୟା ଥିବା ରାଜ୍ୟ)ମାନଙ୍କ ମଧ୍ୟରେ ସୁଶାସନରେ ହିମାଂଚଳ ପ୍ରଦେଶ ଏକ ନମ୍ବରରେ ଥିବା ସମୟରେ ତାହା ପଛକୁ ରହିଛି ଗୋଆ, ମିଜୋରାମ, ସିକ୍କିମ ଓ ତ୍ରିପୁରା । ଇଣ୍ଡେକ୍ସରେ ସବୁଠାରୁ ପଛୁଆ ଭାବେ ନାଗାଲ୍ୟାଣ୍ଡ, ମଣିପୁର ଓ ମେଘାଳୟକୁ ଚିହ୍ଟ କରାଯାଇଛି । ଭାରତ ଭଳି ଏକ ବିକାଶମୁଖୀ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିକାଶର ସମୀକ୍ଷା କରାଯିବା ସହ ଅଭିବୃଦ୍ଧି ସମ୍ମୁଖରେ ଆସୁଥିବା ପ୍ରତିବନ୍ଧକକୁ ହଟାଇ ବିକାଶ ଲକ୍ଷ୍ୟ ହାସଲ କରାଯିବା ଆବଶ୍ୟକ ବୋଲି ଏହି ରିପୋର୍ଟ ଉନ୍ମୋଚନ ଅବସରରେ ପିଏସି ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନ କହିଛନ୍ତି । ଶ୍ରୀ କସ୍ତୁରୀରଂଗନ ହେଉଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର (ଆଏସଆରଓ)ର ପୂର୍ବତନ ଅଧ୍ୟକ୍ଷ ।
୧୦ଟି ପ୍ରମୁଖ ପ୍ରସଙ୍ଗ- ଅତ୍ୟାବଶ୍ୟକ ଭିତ୍ତିଭୂମି, ମାନବ ବିକାଶକୁ ସହାୟତା, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଆଇନ ଶୃଙ୍ଖଳା ସମେତ ୩୦ଟି ବିଷୟ ଓ ୧୦୦ଟି ସୂଚକକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରା ଯାଇଥିବା ଜଣାପଡିଛି । ବଡ ରାଜ୍ୟଗୁଡିକ ମଧ୍ୟରେ କେରଳ ୦.୫୨୬ ପଏଂଟ ସ୍କୋର କରି ସୁଶାସନ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଓଡ଼ିଶା ୦.୪୦୧ ପଏଂଟ ସ୍କୋର କରି ୨୪ତମ ସ୍ଥାନରେ ରହିଛି । ୨୦୧୭ରେ ଓଡ଼ିଶା ଏହି ତାଲିକାରେ ୨୭ ତମ ସ୍ଥାନରେ ଥିଲା । ଶିଶୁମାନଙ୍କ ସଂପର୍କରେ ଭାରତର କେଉଁ ରାଜ୍ୟ କେତେଦୂର ସଂବେଦନଶୀଳ – ତାହା ଉପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପିଏସି ପକ୍ଷରୁ ଏକସୂଚକାଂକ ପ୍ରସ୍ତୁତ ହୋଇଛି । ଶିଶୁମାନଙ୍କୁ ଉତ୍ତମ ଜୀବନଶୈଳୀ ଯୋଗାଇ ଦେବାରେ କେରଳ, ହିମାଂଚଳ ପ୍ରଦେଶ ଓ ମିଜୋରାମ ସର୍ବୋଚ୍ଚରେ ରହିଛନ୍ତି । ‘ନ୍ୟାସନାଲ କମିସନ ଫର୍ ପ୍ରେଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍’ର ପୂର୍ବତନ ଅଧ୍ୟକ୍ଷ ଶାନ୍ତା ସିହ୍ନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ‘ସାମୁଏଲ ପଲ୍ ସ୍ମାରକୀ ଲେକ୍ଚର’ ପ୍ରଦାନ କରିଥିଲେ । ଦାରିଦ୍ର୍ୟ ଭିତରେ ଜୀବନ ଅତିବାହିତ କରୁଥିବା ଶିଶୁଙ୍କୁ ସେମାନଙ୍କ ଅବସ୍ଥା ପାଇଁ ଦାୟି କରା ନ ଯାଇ ଉନ୍ନତ ମାନର ଜୀବନଯାପନ ପାଇଁ ରାଜ୍ୟ ସରକାରମାନେ ଦାୟିତ୍ୱ ନେବା ସହ ଉପଯୁକ୍ତ ସୁଯୋଗ ଯୋଗାଇ ଦେବା ଆବଶ୍ୟକ ବୋଲି ଶାନ୍ତା ସିହ୍ନା ମତ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS