ଖୁରାନିଆ ବିଦାୟ, ଦ୍ୱୈତ ନଗରୀ ପୁଲିସ କମିସନର ହେଲେ ସତ୍ୟଜିତ
ଭୁବନେଶ୍ୱର, ଅଗଷ୍ଟ ୦୫: ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଇଏସ ଓ ଆଇପିଏସ ସ୍ତରରେ ସରକାର ଛୋଟକାଟିଆ ଅଦଳ ବଦଳ କରିଛନ୍ତି । ଉଚ୍ଚ ପୁଲିସ ସ୍ତରରେ ହୋଇଥିବା ଅଦଳବଦଳରେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ପୁଲିସ କମିସନର ଯୋଗେଶ ବାହାଦୂର ଖୁରାନିଆଙ୍କୁ ବଦଳୀ କରାଯାଇ ତାଙ୍କ ସ୍ଥାନରେ ସତ୍ୟଜିତ ମହାନ୍ତିଙ୍କୁ ନୂତନ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ମହାନ୍ତି ୩ ତାରିଖ ତାଙ୍କ ଜନ୍ମଦିନରେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ତାଙ୍କୁ ପୁଲିସ କମିସନରେଟ୍ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ସତ୍ୟଜିତ ମହାନ୍ତି ହେଉଛନ୍ତି କମିସନରେଟ୍ ପୁଲିସର ଷଷ୍ଠ କମିସନର । ଶୁକ୍ରବାର ଦିନ ନୂତନ ପୁଲିସ କମିସନର ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବିଦାୟୀ କମିସନର ଖୁରାନିଆ ପୁଲିସ ମୁଖ୍ୟାଳୟରେ ଏଡ଼ିଜି ପ୍ରୋଭିଜନିଂ ଭାବେ ମହାନ୍ତିଙ୍କ ସ୍ଥାନରେ ଶନିବାର ଦାୟିତ୍ୱ ନେଇଛନ୍ତି । ବିଦାୟୀ କମିସନର ଖୁରାନିଆ ତାଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ତାଙ୍କୁ ବଦଳୀ କରାଯାଇ ତାଙ୍କ ସ୍ଥାନରେ ସତ୍ୟଜିତଙ୍କୁ ନୂଆ କମିସନର ଭାବେ ଦ୍ୱୈତ ନଗରୀରେ ନିଯୁକ୍ତ ଦିଆଯାଇ ଥିବାରୁ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ଭୁବନେଶ୍ୱର ଓ କଟକ ସହରରେ ଆଇନଶୃଙ୍କଳା ପରିସ୍ଥିତି ବିଗିଡି ଯିବାରୁ ରାଜ୍ୟ ସରକାର ଖୁରାନିଆଙ୍କୁ ବିଦାୟ କଲେ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଖୁରାନିଆ ନିଜେ ଡ଼େପୁଟେସନରେ କେନ୍ଦ୍ରକୁ ଯିବାକୁ ଆବେଦନ କରି ଥିବାରୁ ରାଜ୍ୟ ସରକାର କ୍ଷୁବଧ ହୋଇ ଏହି ଅଦଳବଦଳ କରିଛନ୍ତି ବୋଲି ଅନ୍ୟ କେତେକ ମହଲ କହୁଛନ୍ତି । ଯାହା ହେଉନା କାହିଁକି, ରାଜ୍ୟ ସରକାର ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ କିଛି ମାସ ପରେ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱ କପ୍ ହକିକୁ ଆଖିରେ ରଖି ପୁଲିସ ଟିମ୍ କୁ ଅଧିକ ସକ୍ରିୟ କରିବା ପାଇଁ ଏହି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS