ମମତାଙ୍କ ସ୍ଲୋଗାନ – ‘ଦୋ ହାଜାର ଉନିଶ୍, ବିଜେପି ଫିନିସ୍’
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ଅଗଷ୍ଟ ୦୩: ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ସୁଶ୍ରୀ ମମତା ବାନାର୍ଜୀଙ୍କ ନୂଆ ସ୍ଲୋଗାନ ହୋଇଛି – ‘ଦୋ ହାଜାର ଉନିଶ୍, ବିଜେପି ଫିନିସ୍’ । ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ମମତା ନିଜେ ଏହା କହିଛନ୍ତି । ବିରୋଧୀ ଏକତାକୁ ଭଣ୍ଡୁର କରିବା ପାଇଁ ବିଜେପି ଲଗାତର ଷଡଯନ୍ତ୍ର ଚଳାଇଛି । ତେବେ, ଦଳ ଏଥିରେ ସଫଳ ହେବ ନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଙ୍କ ମିଳିତ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
୨୦୧୯ ନିର୍ବାଚନରେ ଯଦି ବିରୋଧୀ ମେଂଟ ବର୍ତମାନର ବିଜେପି ସରକାରକୁ କ୍ଷମତାଚ୍ୟୁତ କରନ୍ତି ତେବେ ମେଂଟରୁ କିଏ ପ୍ରଧାନମନ୍ତ୍ରୀ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବାରମ୍ବାର ପ୍ରଶ୍ନ ଉଠାଉ ଥିବାରୁ ମମତା ତାହାର କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ବିରୋଧୀ ମେଂଟ କ୍ଷମତାକୁ ଆସିଲେ ମେଂଟ ନେତାମାନେ ଏକାଠି ବସି ଆଲୋଚନା ମାଧ୍ୟମରେ ଯାହାକୁ ନେତା ବାଛିବେ, ସେ ପ୍ରଧାନମନ୍ତ୍ରୀ ହେବେ । ମମତା ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି କି ବୋଲି ପ୍ରଶ୍ନ ହେବାରୁ କୌଣସି ପଦପଦବୀ ପାଇଁ ତାଙ୍କର ଲାଳସା ନାହିଁ ବୋଲି ମମତା ସ୍ପଷ୍ଟ କରି ଦେଇଛନ୍ତି । ବିଜେପିକୁ କ୍ଷମତାରୁ ହଟାଇବାକୁ ବିରୋଧୀ ଦଳମାନଙ୍କ ଏକମାତ୍ର ଉଦେ୍ଦଶ୍ୟ । ସେମାନଙ୍କର କୌଣସି ମିଳିତ କାର୍ଯ୍ୟକ୍ରମ ନାହିଁ । ମେଂଟ ନେତାଙ୍କ ମଧ୍ୟରୁ କିଏ ପ୍ରଧାନମନ୍ତ୍ରୀ ହେବ, ସେ ନେଇ କଳି ଛିଣ୍ଡୁନି । ବିଜେପି ଏଭଳି ଅଭିଯୋଗ କରି ବିରୋଧୀ ମେଂଟ ଉଦ୍ୟକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବାରୁ ମମତା ତାହାର ସମାଲୋଚନା କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ କିଛି ହେବ ବୋଲି କହିଛନ୍ତି । ଏହି ଦିଲ୍ଲୀ ଗସ୍ତ ସମୟରେ ମମତା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ଯେତିକି ରାଜନୈତିକ ହଟ୍ଟଚମଟ ସୃଷ୍ଟି କରି ନାହିଁ ସେତିକି ଚମକାଇ ଦେଲା ଭଳି ହୋଇଛି ସେ ବିଜେପିର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟି ଅଧ ଘଂଟାଏ କାଳ ଆଲୋଚନା କରିବା । ମମତା ଆଡଭାନୀଙ୍କ ଚ୍ୟାମ୍ବରକୁ ଯାଇ ତାଙ୍କୁ ଭେଟି ଥିଲେ । ଆଡଭାନୀଙ୍କ ସହ ତାଙ୍କ ସଂପର୍କ ବହୁ ବର୍ଷର । ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଯାଇଥିଲେ ବୋଲି ମମତା ସଫେଇ ଦେଇଛନ୍ତି ।
ଟିଏମସି ଅଧ୍ୟକ୍ଷା ସୁଶ୍ରୀ ବାନାର୍ଜୀ ବୁଧବାର ଦିନ ନୂଆଦିଲ୍ଲୀରେ ଅଧିକଂଶ ବିରୋଧୀ ଦଳ ନେତାଙ୍କୁ ପାର୍ଲାମେଂଟ ଭବନ ପରିସରରେ ବା ସେହି ପରିସରରେ ଥିବା ଟିଏମସି କାର୍ଯ୍ୟାଳୟରେ ଭେଟି ଥିଲେ । କେବଳ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥ ରୋଡରେ ଥିବା ସୋନିଆଙ୍କ ବାସ ଭବନରେ ଯାଇ ଭେଟି ଥିଲେ । ଜାନୁୟାରୀ ୧୯ରେ କୋଲକାତାରେ ହେବାକୁ ଥିବା ମେଗା ରାଲିରେ ଯୋଗ ଦେବାକୁ ସେ ସୋନିଆ, ରାହୁଲଙ୍କ ସମେତ ବିରୋଧୀ ଦଳ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ବିରୋଧୀ ଦଳମାନେ ଏକାଠି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବୁଧବାରର ସୋନିଆ-ମମତା ଭେଟଘାଟକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେପିକୁ କ୍ଷମତାରୁ ବେଦଖଲ କରିବା ପାଇଁ କଂଗ୍ରେସ-ଟିଏମସି ମିଳିତ ଭାବେ କାର୍ଯ୍ୟ କରୁଥିବା ଏଥିରୁ ସୂଚନା ମିଳୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ଅହମ୍ମଦ ପଟେଲ ମମତାଙ୍କୁ ତାଙ୍କ ଟିଏମସି କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ପରେ ହିଁ ମମତା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲେ । ଉଭୟ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ସେ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ନଥିବା ଏବଂ ବିରୋଧୀ ମେଂଟ ନିର୍ବାଚନ ଜିତିବା ପରେ ଯାହାକୁ ନେତା ବାଛିବେ ସେ ପ୍ରଧାନମନ୍ତ୍ରୀ ହେବ ବୋଲି ସ୍ତିର ହୋଇଥିବା ସୂଚନା ଦେଇଥିଲେ ।
ସୁଶ୍ରୀ ବାନାର୍ଜୀ ବୁଧବାର ଦିନ ଦୁଇ ଗାନ୍ଧୀଙ୍କ ସମେତ ତେଲୁଗୁ ଦେଶମ ପାର୍ଟି (ଟିଡିପି), ୱାଇଏସଆର କଂଗ୍ରେସ, ଡ଼ିଏମକେ, ଆରଜେଡି, ସମାଜବାଦୀ ପାର୍ଟି ଓ ଜେଡ଼ିଏସ ନେତାଙ୍କୁ ମଧ୍ୟ ଭେଟି ଆଲୋଚନା କରିବା ସହ ସେମାନଙ୍କୁ ଜାନୁୟାର ୧୯ ତାରିଖ ପ୍ରସ୍ତାବିତ ମେଗା ରାଲିକୁ ନିମନ୍ତ୍ରଣ କରିଛନ୍ତି । ଅଧିକାଂଶ ବିରୋଧୀ ଦଳ ନେତା ତାଙ୍କୁ ପାର୍ଲାମେଂଟ ପରିସରରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଭେଟି ଥିଲେ । ତେବେ, ସେ ନିଜ ଆଡୁ ପାର୍ଲାମେଂଟ ସେଂଟ୍ରାଲ ହଲରେ ଏଆଇଏଡିଏମକେ ନେତା ଥାମ୍ବିଦୁରାଇ ଓ ବିଜେପିରୁ ନିଲମ୍ବିତ ହୋଇ ଥିବା ଏମପି କୀର୍ତି ଆଜାଦଙ୍କୁ ଭେଟି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବା ଗୌଡାଙ୍କୁ ମଧ୍ୟ ମମତା ଭେଟି ଥିବା ଜଣାପଡିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଟିଏମସି କାର୍ଯ୍ୟାଳୟରେ ମମତାଙ୍କୁ ଭେଟି ଥିଲେ । ବିଜେପି ନେତୃତ୍ୱାଧୀନ ଏନଡ଼ିଏର ସହଯୋଗୀ ରହିଥିବା ମହାରାଷ୍ଟ୍ରର ଶିବ ସେନା ଦଳ ନେତାଙ୍କୁ ମଧ୍ୟ ମମତା ଜାନୁଆରୀ ୧୯ ତାରିଖ ମେଗା ରାଲିକୁ ନିମନ୍ତ୍ରଣ କରିଛନ୍ତି । ଶିବସେନା ସାଂସଦ ସଂଜୟ ରାୱତ ତାଙ୍କୁ ନୂଆଦିଲ୍ଲୀରେ ଭେଟି ଥିବା ଜଣାପଡିଛି । ମମତା ବରିଷ୍ଟ ବିଜେପି ନେତା ଲାଲକଅଷ୍ଣ ଆଡଭାନୀଙ୍କୁ ଭୋଟି ଆଲୋଚନା କରିବା ସହ ଦିଲ୍ଲୀରେ ପ୍ରାୟ ସବୁ ବିରୋଧୀ ଦଳର ନେତାଙ୍କୁ ଭେଟି ୨୦୧୯ ନିର୍ବାଚନ ପୂର୍ବରୁ ଦେଶରେ ବିଜେପି-ବିରୋଧୀ ମେଂଟକୁ ସଂଗଠିତ କରିବାକୁ ଉଦ୍ୟମ କରିଥିବା ଶାସକ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS