ଆସାମ ବିଦେଶୀ ନାଗରିକଙ୍କୁ ନେଇ ଝଡ, ରୁଟି ସେକୁଛନ୍ତି ରାଜନେତା
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ଅଗଷ୍ଟ ୦୧: ଆସାମରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ନାଗରିକଙ୍କ ମଧ୍ୟରୁ ମୂଳ ବାସିନ୍ଦା କିଏ ଓ ବିଦେଶୀ ନାଗରିକ କିଏ – ଚିହ୍ନଟ କରିବା ସକାଶେ ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ ରେଜିଷ୍ଟାର ଜେନେରାଲ ଅଫ୍ ଇଂଡିଆ (ଆରଜିଆଇ) ପକ୍ଷରୁ ଚୂଡାନ୍ତ ନ୍ୟାସନାଲ ରେଜିଷ୍ଟାର ଅଫ୍ ସିଟିଜନ୍ (ଏନଆରସି) ପ୍ରସ୍ତୁତି ଚାଲିଛି । ସୋମବାର ପ୍ରକାଶ ପାଇ ଥିବା ଚିଠା ତାଲିକା ଏବେ ଦେଶରେ ରାଜନୈତିକ ଝଡ ସୃଷ୍ଟି କରିଛି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ରାଜନୈତିକ ଦଳ ଏନଆରସିର ଚିଠା ତାଲିକାକୁ ଅସ୍ତ୍ର କରି ଭୋଟ ରାଜନୀତି ଆରମ୍ଭ କରି ଦେଇ ଥିବାରୁ ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଶାସକ ବିଜେପି ମିଆଁମାରରୁ ଚାଲି ଆସିଥିବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଓ ପୂର୍ବରୁ ଆସାମରେ ବସବାସ କରୁ ଥିବା ବାଂଗ୍ଲାଦେଶୀ ଶରଣାର୍ଥୀଙ୍କୁ ଟାର୍ଗେଟ୍ କରି ନିଜର ଭୋଟ ଭିତ୍ତିଭୂମୀ ସୁଦୃଢ କରୁଛି ବୋଲି ବିରୋଧୀ ରାଜନୈତିକ ଦଳମାନେ ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ସୋମବାର ପ୍ରକାଶିତ ଏନଆରସି ତାଲିକା ଚୂଡାନ୍ତ ନୁହେଁ, ଯେଉଁ ୪୦ ଲକ୍ଷ ଆସାମ ବାସିନ୍ଦା ତାଲିକାରୁ ବାଦ ପଡିଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତ୍ୱର ପ୍ରମାଣ କରିବା ସକାଶେ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇ ଏହି ବିବାଦର ଅବସାନ ଘଟାଇବାକୁ ଉଦ୍ୟମ କରୁଛନ୍ତି । ତଥାପି, ବିବାଦ ଥମୁ ନାହିଁ । ପ୍ରକାଶିତ ଏନଆରସିକୁ ନେଇ ଦୁଇ ଦିନ ହେଲା ବିରୋଧୀ ଦଳଙ୍କ ପକ୍ଷରୁ ପାର୍ଲାମେଂଟରେ ଓ ବାହାରେ ପ୍ରବଳ ହଟ୍ଟଗୋଳ ଚାଲି ଥିବା ବେଳେ ଆଜି (ବୁଧବାର) ଭାରତର ମୁଖ୍ୟ ନିର୍ବାଚନ କମିସନର ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛି । ସୋମବାର ପ୍ରକାଶିତ ଏନଆରସିରେ ଯେଉଁ ଆସାମର ନାଗରିକଙ୍କ ନାମ ନାହିଁ, ସେମାନଙ୍କ ନାମ ଯଦି ଭୋଟର ତାଲିକାରେ ଅଛି ଏବଂ ସେମାନେ ଯଦି ଅନ୍ୟାନ୍ୟ ସର୍ତର୍ ପୂରଣ କରୁଛନ୍ତି ତେବେ ସେମାନେ ଭୋଟଦାନରୁ ବଂଚିତ ହେବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିସନର ଓ.ପି. ରାୱତ ସୂଚନା ଦେଇଛନ୍ତି ।
ଆସାମର ବିଦେଶୀ ନାଗରିକ ସମସ୍ୟା ଆଜିର ନୁହେଁ । ବର୍ଷ ବର୍ଷ ଧରି ଏହି ସମସ୍ୟା ରହିଛି । ବାଂଲାଦେଶରୁ ସୀମା ଡ଼େଇଁ ଚାଲି ଆସି ଥିବା ବଂଗାଳୀ ଶରଣାର୍ଥୀ ଓ ବେଆଇନ ଅନୁପ୍ରବେଶକାରୀ ବିଭିନ୍ନ ସମୟରେ ଭାରତୀୟ ନାଗରିକତ୍ୱ ହାସଲ କରି ରାଜ୍ୟରେ ଭୋଟଦାନ ଅଧିକାର ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ନିଯୁକ୍ତି ଭଳି ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁବିଧାସୁଯୋଗ ପାଉଛନ୍ତି । ଫଳରେ, ରାଜ୍ୟର ମୂଳ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳି ତାହା ଏକ ପ୍ରକାର ବିଦ୍ରୋହର ରୂପ ନେଇଛି । ଏହି ସମସ୍ୟାକୁ ନେଇ ଅତୀତରେ ବିରାଟ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକି ଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହାନ୍ତଙ୍କ ଭଳି ଛାତ୍ର ନେତାମାନେ ଏହି ଆନେ୍ଦାଳନରୁ ସେମାନଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ‘ଉଳ୍ଫା’ ଉଗ୍ରବାଦ ମଧ୍ୟ ଏହି ସମସ୍ୟାକୁ ନେଇ ସୂତ୍ରପାତ ହୋଇଛି । ଆସାମରେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବିତାଡିତ କରିବା ସକାଶେ ଅଶି ଦଶକ ଆଗରୁ ଯେଉଁ ଅଶାନ୍ତି ଲାଗି ରହିଛି ତାହାର ରାଜନୈତିକ ସମାଧାନ ହୋଇ ପାରି ନ ଥିବାରୁ ସୁପ୍ରିମ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି । କୋର୍ଟ ଆରଜିଆଇ ମାଧ୍ୟମରେ ନ୍ୟାସନାଲ ରେଜିଷ୍ଟାର ଅଫ୍ ସିଟିଜନ୍ସ ବା ଏନଆରସି ପ୍ରସ୍ତୁତି କରି ବିଦେଶୀ ନାଗରିକଙ୍କ ଚିହ୍ନଟ କରିବା ପ୍ରକ୍ରିୟାକୁ ଅନୁମତି ଦେଇଛନ୍ତି ।
ଜୁଲାଇ ୩୦ ତାରିଖ (ସୋମବାର) ଦିନ ଏନଆରସି ଚିଠା ତାଲିକା ପ୍ରକାଶ ପାଇଛି । ଏହି ଚିଠା ତାଲିକାରେ ଏନଆରସିରେ ସ୍ଥାନ ପାଇବା ସକାଶେ ରାଜ୍ୟର ୩ କୋଟି ୨୯ ଲକ୍ଷ ବାସିନ୍ଦା ଆବେଦନ କରିଥିଲେ । କିନ୍ତୁ, ୨ କୋଟି ୮୯ ଲକ୍ଷ ଆବେଦନକାରୀ ନାଗରିକତ୍ୱ ପ୍ରମାଣ କରି ଚିଠା ତାଲିକାରେ ସ୍ଥାନ ପାଇ ଥିବା ବେଳେ ୪୦ ଲକ୍ଷ ଆବେଦନକାରୀଙ୍କୁ ତାଲିକାରେ ସ୍ଥାନ ମିଳି ନାହିଁ । ଯେଉଁ ୪୦ ଲକ୍ଷ ଆବେଦନକାରୀ ତାଲିକାରୁ ବାଦ୍ ପଡିଛନ୍ତି ସେମାନଙ୍କ ମଧ୍ୟରେ ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକ ଥିବା ସରକାର ଯୁକ୍ତି କରୁଥିବା ବେଳେ ବିରୋଧୀ ରାଜନୈତିକ ଦଳମାନେ ମୁସଲିମ୍ ସଂପ୍ରଦାୟକୁ ଟାର୍ଗେଟ୍ କରାଯାଇ ଥିବା ଅଭିଯୋଗ କରି ସଦ୍ୟ ପ୍ରକାଶିତ ଏନଆରସି ଚିଠା ତାଲିକା ଉପରେ ସନେ୍ଦହ ବ୍ୟକ୍ତ କରିଛନ୍ତି । ଏପରିକି, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ଏନଆରସି ଚିଠା ତାଲିକା ମାଧ୍ୟମରେ ଆସାମରେ ବଂଗାଳୀ ଓ ବିହାରୀଙ୍କୁ ଟାର୍ଗେଟ କରାଯାଇଛି । ଏହାଦ୍ୱାରା ‘ଗୃହଯୁଦ୍ଧ’ର ଆଶଙ୍କା ସୃଷ୍ଟି ହୋଇଛି । ତେବେ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମମତାଙ୍କ ଅଭିଯୋଗର ଉତ୍ତର ଦେବାକୁ ଯାଇ କହିଛନ୍ତି, ବିଗତ କଂଗ୍ରେସ ସରକାର ତାଙ୍କ ଦୀର୍ଘ ବର୍ଷର ଶାସନ କାଳରେ ଯାହା କରି ଦେଖାଇ ପାରି ନ ଥିଲେ ତାହା ତାଙ୍କ ବିଜେପି ସରକାର କରିଛି । ପୂର୍ବ କଂଗ୍ରେସ ସରକାର ଅମଳରେ ରାଜନୈତିକ ଦୃଷ୍ଟିରୁ ଆସାମ ବିଦେଶୀ ନାଗରିକ ସମସ୍ୟାର ସମାଧାନ କରାଯାଉ ନ ଥିଲା । ତାଙ୍କ ସରକାର ଆସାମରୁ ବିଦେଶୀ ନାଗରିକଙ୍କୁ ତଡିବାର ସତ୍ ସାହାସ ରଖିଛି । ମମତାଙ୍କ ଅଭିଯୋଗ ଓ ଅମିତଙ୍କ ବାହାସ୍ପୋଟ ଦୁଇ ଦିନ ହେଲା ବିଭିନ୍ନ ଜାତୀୟ ଟେଲିଭିଜନ ଚ୍ୟାନେଲରେ ବିତର୍କର ବିଷୟ ହୋଇଛି । ଶାସକ ଦଳ ସମର୍ଥିତ ଟିଭି ଚ୍ୟାନେଲଗୁଡିକରେ ରୋହିଙ୍ଗ୍ୟା ମୁସଲମାନଙ୍କ ଅନୁପ୍ରବେଶକୁ ପ୍ରସଙ୍ଗ କରାଯାଇ ଦେଶର ନିରାପତ୍ତା ପ୍ରସଙ୍ଗକୁ ଏନଆରସି ସହ ଯୋଡି ଦିଆଯାଇଛି । ଦେଶର ବିରୋଧୀ ଦଳଙ୍କ ପାଇଁ ‘ରାଜନୀତି’ ଆଗ ନା ଦେଶର ‘ନିରାପତ୍ତା’ ଆଗ (?) ବୋଲି ପ୍ରଶ୍ନ କରାଯାଇ ବିରୋଧୀ ମତକୁ ଘାଇଲା କରିବା ଉଦ୍ୟମ ହୋଇଛି ।
ପ୍ରକାଶିତ ଏନଆରସି ଚିଠା ତାଲିକାକୁ ନେଇ ରାଜନୀତି ଉଗ୍ର ରୂପ ଧାରଣ କରି ଥିବା ବେଳେ ବୁଧବାର (ଅଗଷ୍ଟ ୧ ତାରିଖ) ଦିନ ଦେଶର ମୁଖ୍ୟ ନିର୍ବାଚନ କମିସନର ଓ.ପି. ରାୱତ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ‘ଏନଆରସିରୁ ବାଦ ପଡିଥିବା ଆସାମ ବାସିନ୍ଦା ବର୍ତମାନ ପାଇଁ ବିବ୍ରତ ହେବାର କିଛି ନାହିଁ’ । ସେମାନଙ୍କ ନାମ ଯଦି ଭୋଟର ତାଲିକାରେ ରହିଛି ଏବଂ ସେମାନେ ଯଦି ଅନ୍ୟାନ୍ୟ ସର୍ତର୍ ପୂରଣ କରୁଛନ୍ତି ତେବେ ସେମାନେ ଭୋଟ ଦେବାରେ କୌଣସି ଅସୁବିଧା ନାହିଁ । ନିର୍ବାଚନ କମିସନ ଚୂଡାନ୍ତ ଏନଆରସି ତାଲିକାକୁ ଅପେକ୍ଷା ନ କରି ୨୦୧୯ ଜାନୁୟାରୀରେ ଭୋଟର ତାଲିକା ପ୍ରକାଶ କରିବେ । ସଦ୍ୟ ପ୍ରକାଶିତ ଏନଆରସିରୁ ଯେଉଁ ୪୦ ଲକ୍ଷ ଆସାମ ବାସିନ୍ଦା ବାଦ୍ ପଡିଛନ୍ତି ସେମାନେ ସମସ୍ତେ ଭୋଟ ଦେବେ ବୋଲି ବର୍ତମାନଠାରୁ କହି ହେବ ନାହିଁ । କାରଣ, ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ବାସିନ୍ଦା ମଧ୍ୟ ଥାଇ ପାରନ୍ତି । ନିର୍ବାଚନ କମିସନ ଏନଆରସି ସହ ଯୋଗାଯୋଗରେ ରହିଛି ବୋଲି ମଧ୍ୟ ରାୱତ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ସୋମବାର ପ୍ରକାଶିତ ଏନଆରସି ଚିଠା ତାଲିକାରେ ଯେଉଁ ଆସାମ ନାଗରିକ ସ୍ଥାନ ପାଇ ନାହାନ୍ତି ସେମାନଙ୍କୁ ନିଜର ନାଗରିକତ୍ୱ ପ୍ରମାଣ କରିବା ସକାଶେ ଯଥେଷ୍ଟ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ନାଗରିକତାର ପ୍ରମାଣ ସହ ସେମାନେ ସେପ୍ଟେମ୍ବର ସୁଦ୍ଧା ଆବେଦନ କରି ପାରିବେ ବୋଲି ଗୃହ ମନ୍ତ୍ରୀ ଯାହା କହିଛନ୍ତି ତାହାକୁ ସୁପ୍ରିମ କୋର୍ଟ ମଧ୍ୟ ଦୋହରାଇଛନ୍ତି । ଡ଼ିସେମ୍ବରରେ ଚୂଡାନ୍ତ ଏନସିଆର ତାଲିକା ପ୍ରକାଶ ପାଇବା ଆଶା କରାଯାଉଛି । ଏନଆରସି ତାଲିକାରେ ସ୍ଥାନ ପାଇ ନ ଥିବା ୪୦ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ଅନେକ ବହୁ ବର୍ଷ ଧରି ଆସାମରେ ରହିଛନ୍ତି । ତେବେ, ନାଗରିକତ୍ୱ ପ୍ରମାଣ କରି ନ ପାରିଲେ ସେମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାର ଆଶଙ୍କା ରହିଛି ବୋଲି ମାନବାଧିକାର କର୍ମୀମାନେ କହିଛନ୍ତି । ୧୯୭୧ରେ ଯେଉଁମାନେ ନିଜକୁ ଭାରତୀୟ ନାଗରିକ ଭାବେ ପ୍ରମାଣିତ କରି ପାରି ନ ଥିଲେ ସେମାନଙ୍କୁ ନିର୍ବାଚନ କମିସନ ‘ଡ଼ି’ (ସନ୍ଦିଗ୍ଧ ବା ବିବାଦୀୟ) ତାଲିକାଭୁକ୍ତ କରି ସେମାନଙ୍କ ମାମଲା ବିଦେଶୀ ନାଗରିକ ଟ୍ରିବ୍ୟୁନାଲ (ଫରେନର୍ସ ଟି୍ରବ୍ୟୁନାଲ)କୁ ପଠାଇବାକୁ ପରାମର୍ଶ ଦେଇଥିଲେ । ବର୍ତର୍ମାନ ଏନଆରସିରୁ ବାଦ ପଡି ଥିବା ୪୦ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ଯେଉଁମାନେ ନିଜର ନାଗରିକତ୍ୱ ପ୍ରମାଣ କରି ନ ପାରିବେ ସେମାନ ମଧ୍ୟ ‘ଡ଼ି’ ଭୋଟର ତାଲିକାଭୁକ୍ତ ହେବା ଆଶଙ୍କା ରହିଛି । ଫରେନର୍ସ ଟ୍ରିବ୍ୟୁନାଲର କ୍ଲିୟରାନ୍ସ ପରେ ହିଁ ‘ଡ଼ି’- ଭୋଟରମାନେ ଭୋଟଦାନ ଅଧିକାର ପାଇବେ ।
ମିଳିଥିବା ସୂଚନା ଅନୁଯାୟୀ, ଆସାମରେ ୨ ଲକ୍ଷ ୪୪ ହଜାର ୧୪୪ ‘ଡ଼ି’- ଭୋଟରଙ୍କ ନାମ ବିଦେଶୀ ନାଗରିକ ଟ୍ରବି୍ୟୁନାଲ (ଫରେନର୍ସ ଟ୍ରିବ୍ୟୁନାଲ)କୁ ଯାଇଥିବା ବେଳେ ସେଥିରୁ ୧ ଲକ୍ଷ ୩୧ ହଜାର ୦୩୪ ଜଣଙ୍କ ମାମଲାର ଫଇସଲା ସରିଛି । ସେଥିରୁ ମୋଟ ୬୬ ହଜାର ୯୮୬ ଜଣ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣିତ କରିଛନ୍ତି ଓ ୨୦,୫୭୮ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ‘ଡ଼ି’- ଭୋଟରଙ୍କ କ୍ଷେତ୍ରରେ ମାମଲାର ବିଚାରଣା ସରି ସଂପୃକ୍ତ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକ ଭାବେ ଘୋଷଣା କରା ନ ଯିବା ଯାଏଁ ସେମାନେ ଭୋଟଦାନରୁ ବିରତ ରହିବେ । ସଦ୍ୟ ପ୍ରକାଶିତ ଏନଆରସିରୁ ବାଦ ପଡି ଥିବା ୪୦ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୨ ଲକ୍ଷ ୪୮ ହଜାର ଅଛନ୍ତି ‘ଡ଼ି’- ଭୋଟର ତାଲିକାଭୁକ୍ତ । ମାମଲା ସବୁ କୋର୍ଟର ବିଚାରାଧୀନ ଥିବାରୁ ସେମାନଙ୍କୁ ଓ ସେମାନଙ୍କ ସଂପର୍କିୟଙ୍କୁ ଏନଆରସିରୁ ବାଦ ଦିଆଯାଇଛି । ଏନଆରସିରୁ ବାଦ ପଡି ଥିବା ବାସିନ୍ଦାମାନେ ନାଗରିକତା ପ୍ରମାଣ ସଂପର୍କିତ କାଗଜପତ୍ର ସହ ଏନଆରସି ସେବା କେନ୍ଦ୍ରରେ ୩୦ ଅଗଷ୍ଟରୁ ୨୮ ସେପ୍ଟେମ୍ବର ମଧ୍ୟରେ ଆବେଦନ କରି ପାରିବେ ଏବଂ ସବୁ ଆପତ୍ତି ଅଭିଯୋଗ ଫଇସଲା ହେବା ପରେ ଚୂଡାନ୍ତ ଏନଆରସି ପ୍ରକାଶ ପାଇବ ବୋଲି ଆସାମ ରାଜଧାନୀ ଗୌହାଟୀରୁ ମିଳିଥିବା ସୂଚନାରୁ ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS