ଭୋଟ ଆଗୁଆ ନୁହେଁ ୨୦୧୯ରେ ହେବ, ସବୁ ଦଳ ଆଶ୍ୱସ୍ତ
ଭୁବନେଶ୍ୱର, ୦୧ ଅଗଷ୍ଟ (ମୋଅନୁଭବ.କମ୍): ଓଡ଼ିଶାରେ ଆଗୁଆ ସାଧାରଣ ନିର୍ବାଚନ ହେବା ସମ୍ଭାବନା ସାମୟିକ ଭାବେ ଟଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ବିଭିନ୍ନ ସମୟରେ ଆଗୁଆ ନିର୍ବାଚନ ସପକ୍ଷରେ ମତ ଦେଇ ୨୦୧୮ ବର୍ଷ ଶେଷ ଆଡକୁ ରାଜ୍ୟରେ ସାଧାରଣ ନିର୍ବାଚନ ହେବାର ଭ୍ରମ ସୃଷ୍ଟି କରିଥିଲେ । ରାଜ୍ୟର ସବୁ ରାଜନୈତିକ ଦଳ ମଧ୍ୟ ସେହି ଅନୁସାରେ ପ୍ରସ୍ତୁତି ଓ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇ ଥିଲେ । ବିଶେଷକରି, ରାଜ୍ୟର ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି, ବିଜେପି ଓ କଂଗ୍ରେସ ଅଧିକ ତତ୍ପର ଥିବା ଲକ୍ଷ୍ୟ କରାଯାଇଥିଲା ।
୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେଡ଼ିର ୧୧୮ ବିଧାୟକ ଥିବା ବେଳେ ସେଥିରୁ କାହାକୁ ଦଳର ଟିକଟ ମିଳିବ, କାହାର କଟିବ – ସେହି ସ୍ଥାନରେ କୋଉ ନୂଆ ମୁହଁକୁ ପ୍ରାର୍ଥୀ କରାଯିବ, ସେ ନେଇ କିଛି ଦିନ ହେଲା କଳ୍ପନାଜଳ୍ପନା ଯୋର୍ ଧରିଛି । ୪୦ରୁ ୫୦ ଶାସକ ଦଳ ବିଧାୟକ ଏଥର ଟିକଟ ପାଉ ନ ଥିବା ନେଇ ସାମାଜିକ ଗଣମାଧ୍ୟମରେ ଚାଲି ଥିବା ପ୍ରଚାର ବାତାବରଣକୁ ସରଗରମ କରିଥିବା ବେଳେ ଶାସକ ଦଳ ବିଧାୟକଙ୍କୁ ମଧ୍ୟ ଛନକା କରିଛି । ରାଜ୍ୟ ବିଜେପିରେ ମଧ୍ୟ ସେହି ପରିସ୍ଥିତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ହଟାଇବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ ଅଂଟା ଭିଡି ଥିବା ବେଳେ ନେତୃତ୍ୱ ପରିବର୍ତର୍ନ ହେବାର ନାହିଁ କହି ଏହି କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି ରାଜ୍ୟ ପାଇଁ ନିଯୁକ୍ତ ବିଜେପି ପ୍ରଭାରୀ ଅରୁଣ ସିଂହ । ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ପରିବର୍ତର୍ନ ହେବାର ନାହିଁ, ବର୍ତର୍ମାନର ସଭାପତି ପଣ୍ଡାଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢିବ କହି ସେ ପଣ୍ଡାଙ୍କ ସମର୍ଥକମାନଙ୍କୁ ଆଶ୍ୱସ୍ତ କରିଛନ୍ତି ।
କଂଗ୍ରେସ ଏହି ଦୌଡରେ ପଛରେ ରହିବାକୁ ଚାହୁଁନି । ରାଜ୍ୟରେ ଦଳର ବିପର୍ଯ୍ୟସ୍ତ ଅବସ୍ଥା ସତ୍ୱେ କଂଗ୍ରେସ ସଂଗଠନକୁ ସଜାଡିବା ପାଇଁ ନବ ନିଯୁକ୍ତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ରାତିଦିନ ଏକାଠି କରିଛନ୍ତି । କଂଗ୍ରେସ କାହା ସହ ନିର୍ବାଚନୀ ମୁଝାମଣା କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ତଥାପି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ରାଜ୍ୟର ୧୫ କଂଗ୍ରେସ ବିଧାୟକ ତାଲିକାରେ ରହିବେ ବୋଲି କହି ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଆଶ୍ୱସ୍ତ କରିଛନ୍ତି । ତିନି ଦଳ ଆଗୁଆ ନିର୍ବାଚନ ସମ୍ଭାବନାକୁ ଦେଖି ତରବରିଆ ଭାବେ ପ୍ରସ୍ତୁତି ଓ ପ୍ରାର୍ଥୀ ଚୟନ ଚଳାଇ ଥିଲେ । କିନ୍ତୁ, ୨୦୧୮ରେ ନୁହେଁ, ନିର୍ଦ୍ଧାରିତ ସମୟରେ ୨୦୧୯ରେ ହିଁ ସାଧାରଣ ନିର୍ବାଚନ ହେବ ବୋଲି ଅଭାସ ମିଳିବା ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ସେମାନଙ୍କୁ ଆଶ୍ୱସ୍ତ କରିଛି ।
ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ମଙ୍ଗଳବାରରୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ କୁମାରଙ୍କୁ ଭୋଟର ତାଲିକାର ସମରି ରିଭିଜନ (ଭୋଟର ତାଲିକା ସଂଶୋଧନ) ପାଇଁ ନିର୍ଦେଶ ଦେଇଛି । ଏହି ନିର୍ଦେଶ ମିଳିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ କୁମାର ସାମ୍ବାଦିକଙ୍କୁ ଭେଟି ୨୦୧୮ ସେପ୍ଟେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ଓ ଚିଠା ଭୋଟର ତାଲିକା ପ୍ରକାଶନ ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି । ସଂଶୋଧିତ ଭୋଟର ତାଲିକା ପ୍ରକାଶନ ପରେ ତାହା ଉପରେ ଆପତ୍ତି ଅଭିଯୋଗର ଶୁଣାଣୀ ହେବ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସବୁ ଆପତ୍ତି ଅଭିଯୋଗର ଶୁଣାଣୀ ଓ ସମାଧାନ ପରେ ଚୂଡାନ୍ତ ଭୋଟର ତାଲିକା ୨୦୧୯ ଜାନୁୟାରୀ ୪ ତାରିଖରେ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।
୨୦୧୮ରେ ରାଜ୍ୟରେ ଭୋଟର ତାଲିକାର ସଂଶୋଧନ ହୋଇଛି । ସଂଶୋଧିତ ତାଲିକା ଅନୁଯାୟୀ, ରାଜ୍ୟର ମୋଟ ଭୋଟର ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ ହଜାର ୮୦୩ ଥିବା ବେଳେ ସେଥରୁ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୧ କୋଟି ୬୧ ଲକ୍ଷ ୧୬ ହଜାର ୭୫୪ ଏବଂ ମହିଳା ଭୋଟର ହେଉଛନ୍ତି ୧ କୋଟି ୫୧ ଲକ୍ଷ ୩୮ ହଜାର ୮୯୬ । ରାଜ୍ୟରେ ପୋଲିଂ ବୁଥ ସଂଖ୍ୟା ୩୫, ୮୯୬ ଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏହି ସଂଖ୍ୟା ଆଉ ୧୮୦୦ରୁ ୨୦୦୦ ବଢିବା ଆଶା କରାଯାଉଛି । ଏଥର ଭୋଟର ତାଲିକାର ସମରି ରିଭିଜନ ବେଳେ କୌଣସି ଯୋଗ୍ୟ ବ୍ୟକ୍ତି ଯେଭଳି ଭୋଟର ତାଲିକାରୁ ବାଦ୍ ନ ପଡନ୍ତି ସେଥି ପ୍ରତି ଧ୍ୟାନ ଦିଆଯିବ । ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯୋଗ୍ୟ ହେଉଥିବା ଓ ଭୋଟର ତାଲିକାରେ ସ୍ଥାନ ପାଇ ନ ଥିବା ଭୋଟରମାନେ ଯେମିତି ଭୋଟର ତାଲିକାରେ ସ୍ଥାନ ପାଇବାକୁ ଭାରତୀୟ ନିର୍ବାଚନ କମିସନଙ୍କ ଜାତୀୟ ଭୋଟର ସର୍ଭିିସ ପୋର୍ଟାଲ ମାଧ୍ୟମରେ ଅନ୍ ଲାଇନରେ ଅବେଦନ କରିବେ, ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି କୁମାର କହିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ନିର୍ବାଚନ ଆୟୁକ୍ତ ଚଳିତ ବର୍ଷକୁ ‘ସୁଗମ ମତଦାନ ବର୍ଷ’ ଭାବେ ଘୋଷଣା କରିଛନ୍ତି । ତେଣୁ, ସମସ୍ତ ଭୋଟର ଯେମିତି ବିନା ବାଧାରେ ଭୋଟ କେନ୍ଦ୍ରକୁ ଯାଇ ମତଦାନ କରିବେ ସେ ଦିଗରେ ସଂପୂର୍ଣ୍ଣ ଧ୍ୟାନ ଦିଆଯିବ । ଦିବ୍ୟାଙ୍ଗଙ୍କ ପାଇଁ ଭୋଟର ତାଲିକାରେ ନାମ ପଂଜୀକରଣ ଠାରୁ ଆରମ୍ଭ କରି ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାର ସମସ୍ତ ସୁବିଧା କରାଯିବ । ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶାକୁ ଛଅଟି ରାଜ୍ୟରୁ ଇଭିଏମ୍ (ଇଲୋକ୍ଟ୍ରୋନିକ ଭୋଟିଂ ମେସିନ) ଅଣାଯିବା ସହ ଭିଭିପିଏଟି ( ଭୋଟର ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍) ମେସିନ ମଧ୍ୟ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ ବୋଲି କୁମାର କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS