ଇମ୍ରାନଙ୍କୁ ନେଇ ଭାରତ ସରକାର ଦ୍ୱିଧାରେ, କିନ୍ତୁ କ୍ରିକେଟ୍ କିମ୍ବଦନ୍ତୀମାନେ ଆଶାବାଦୀ
ନୂଆଦିଲ୍ଲୀ, ୩୧ ଜୁଲାଇ (ମୋଅନୁଭବ.କମ୍): କିଛି ଦିନ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଯାଉଥିବା ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ତଥା ପାକିସ୍ତାନ ତେହେରିକେ-ଇ-ଇନସାଫ୍ ପାର୍ଟିର ମୁଖ୍ୟ ଇମ୍ରାନ ଖାନ୍ ଙ୍କୁ ନେଇ ଭାରତରେ ରାଜନେତାମାନେ ଦ୍ୱିବିଧାରେ ଥିବା ସମୟରେ ଦେଶର କ୍ରିକେଟ କିମ୍ବଦନ୍ତୀମାନେ ପ୍ରଶଂସାରେ ସତମୁଖ ଥିବା ଦେଖିବାକୁ ମିଳୁଛି । ଇମ୍ରାନ୍ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଦୁଇ ଦେଶ ମଧ୍ୟରେ ୨୦୦୭ରୁ ଦୀର୍ଘ ୨୨ ବର୍ଷ ହେଲା ବନ୍ଦ ଥିବା ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ ପୁଣି ଥରେ ଆରମ୍ଭ ହେବା ନେି ସେମାନେ ଆଶାବାଦୀ ଥିବା କହୁଛନ୍ତି ।
ଏହି ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀଙ୍କ ମତରେ, କ୍ରିକେଟ୍ ହେଉ ବା ରାଜନୀତି – ଇମ୍ରାନ ସର୍ବଦା ନିଜ ନେତୃତ୍ୱଗତ ଦକ୍ଷତାକୁ ପ୍ରତିପାଦିତ କରି ଆସିଛନ୍ତି । ଅଶି ଦଶକର ଏହି ମହାନ କ୍ରିକେଟର୍ ରାଜନୀତିରେ ୨୫ ବର୍ଷର ରାଜନୈତିକ ସଂଘର୍ଷ ପରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆନ୍ତର୍ଜାତିକ କ୍ରିକେଟରେ ମଧ୍ୟ ସେ ଜଣେ ଦକ୍ଷ ଅଧିନାୟକ ଭାବେ ନିଜକୁ ସାବ୍ୟସ୍ତ କରିଥିଲେ । ଜଣେ ସଫଳ କ୍ରିକେଟର୍ ରୁ ରାଜନେତା ଭାବେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦକୁ ଉନ୍ନିତ ହୋଇ ଥିବାରୁ ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘ ୨୨ ବର୍ଷ ହେଲା ବନ୍ଦ ଥିବା ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜକୁ ପୁନଃ ପ୍ରବର୍ତର୍ନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେମାନେ ଆଶା କରୁଛନ୍ତି । ଇମ୍ରାନ ଜଣେ ସଫଳ କ୍ରିକେଟର୍ ଭାବେ ପାକିସ୍ତାନ କ୍ରିକେଟକୁ ଯେଭଳି ଦୃଢ ନେତୃତ୍ୱ ଦେଇ ଥିଲେ ସେହି ଭଳି ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନକୁ ଉନ୍ନତି ପଥରେ ଆଗେଇ ନେବାରେ ଅଗ୍ରଣୀ ରହିବେ ବୋଲି ମଧ୍ୟ ଭାରତର ଏହି କ୍ରିକେଟ କିମ୍ବଦନ୍ତୀମାନେ ଆଶା କରିଛନ୍ତି । ଏହି କିମ୍ବଦନ୍ତୀଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ୍ ର ପୂର୍ବତନ ଅଲ୍ ରାଉଂଡର ତଥା କ୍ୟାପଟେନ କପିଳ ଦେବ ।
ଅଶି ଦଶକରେ ଆନ୍ତର୍ଜାତିକ କ୍ରିକେଟରେ ଏକସମୟରେ ଏକାଧିକ ସୁପର ଷ୍ଟାର୍ ରାଜତ୍ୱ କରୁଥିଲେ । ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଥିଲେ ଭିଭିଆନ ରିଚାର୍ଡ, ଜାଭେଦ ମିଆଁଦାଦ, ମାର୍ଟିନ କ୍ରୋ । ସେହିଭଳି, ବୋଲିଂରେ ଥିଲେ ମାଲକାମ ମାର୍ଶାଲ, ମାଇକେଲ ହୋଲଡିଂ, ୱାସିମ ଆକ୍ରମ, ବବ୍ ୱିଲ୍ସଙ୍କ ଭଳି ଜବରଦସ୍ତ ଖେଳାଳୀ । ତେବେ, ଯେଉଁ ଚାରି ଜଣ ଫାଷ୍ଟ୍ ବୋଲିଂ ଅଲ-ରାଉଣ୍ଡର ଥିଲେ ସେମାନେ ହେଉଛନ୍ତି – ରିଚାର୍ଡ ହାର୍ଡଲି, ଇଆନ୍ ବୋଥାମ, କପିଳ ଦେବ ଓ ଇମ୍ରାନ ଖାନ । କପିଳ ଦେବ ଓ ଇମ୍ରାନ ଖାନ ସମସାମୟିକ । ସେମାନଙ୍କ ମଧ୍ୟରେ ଅନେକ ସାମଂଜସ୍ୟ ଥିଲା । ଦୁହେଁ କେବଳ ଫାଷ୍ଟ୍ ବୋଲିଂ ଅଲରାଉଣ୍ଡର ନ ଥିଲେ, ଦୁହେଁ କ୍ୟାପଟେନ ଭାବେ ନିଜ ନିଜ ଦେଶ ପାଇଁ ବିଶ୍ୱ କପ୍ ବିଜୟୀ ମଧ୍ୟ ହୋଇଥିଲେ । ଭାରତୀୟ କ୍ରିକେଟ କିମ୍ବଦନ୍ତୀ କପିଳ ଦେବ ପାକିସ୍ତାନ କିମ୍ବଦନ୍ତୀ ଇମ୍ରାନଙ୍କ ବିପକ୍ଷରେ ୪୯ଟିି ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି । ଇମ୍ରାନଙ୍କୁ ସେ ଅତି ନିକଟରୁ ଜାଣିବାକୁ ମଧ୍ୟ ସୁଯୋଗ ପାଇଛନ୍ତି । ଇମ୍ରାନଙ୍କ ସଂପର୍କରେ କପିଳ ମତ ଦେଇଛନ୍ତି, କ୍ରିକେଟ ପ୍ରତି ଇମ୍ରାନଙ୍କ ଯେଭଳି ଅଦମନୀୟ ରୁଚି ରହି ଥିଲା ଏବେ ମଧ୍ୟ ତାହା ଦେଖିବାକୁ ମିଳୁଛି । ଏହି ପ୍ୟାସନ୍ ବା ରୁଚି ତାଙ୍କୁ ୨୫ ବର୍ଷର ସଂଗ୍ରାମ ପରେ ପହଂଚାଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସନରେ । ସେ ଜଣେ ଭଲ ଅଧିନାୟକ ଥିଲେ । କ୍ରିକେଟରେ ତାହା ଦେଖାଇ ଥିଲେ । ଏବେ ପ୍ରଧାନମନ୍ତ୍ରୀ ଭାବେ ଦେଶ ଗଠନରେ ମଧ୍ୟ ତାହା ଦେଖାଇବେ ।
କେବଳ କପିଳ ଦେବ ନୁହନ୍ତି, ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ଭେଂଗସରକାର ମଧ୍ୟ ୧୯୭୭ରୁ ୧୯୯୨ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିପକ୍ଷରେ ଆନ୍ତର୍ଜାତିକ କ୍ରିକେଟ ଖେଳିଛନ୍ତି । ଭେଂଗସରକାରଙ୍କ ମତରେ, ଭାରତ, ପାକିସ୍ତାନ ଓ ସାରଜାହ ମାଟିରେ ସେ ଇମ୍ରାନଙ୍କ ବିପକ୍ଷରେ ବହୁ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ ଖେଳିଛନ୍ତି । ନିଃସନେ୍ଦହରେ ଇମ୍ରାନ ଜଣେ ସର୍ବୋତ୍ତମ କ୍ରିକେଟର୍ କୁହାଯାଇ ପାରିବ । ବହୁବର୍ଷ ତଳେ ୱେଷ୍ଟ ଇଂଡିଜ କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଇମ୍ରାନ ଅଧିନାୟକ ଭାବେ ଭାରତରୁ ଜଣେ ନିରପେକ୍ଷ ଅମ୍ପାୟାରଙ୍କୁ ନେଇ ଥିଲେ । ସେତେବେଳେ ୱେଷ୍ଟ୍ ଇଂଡିଜ ଦଳ ବିଶ୍ୱର ସର୍ବଶ୍ରେଷ୍ଠ ଦଳ ଥିଲା ଏବଂ ଇମ୍ରାନ ଚାହୁଁ ଥିଲେ ଏହି ଦଳକୁ ପରାଜିତ କରିବାକୁ । କିନ୍ତୁ, ସେ ଚାହୁଁ ଥିଲେ ଅମ୍ପାୟାଂରି ନିରପେକ୍ଷ ହେଉ । ଏଭଳି ଇଚ୍ଛାଶକ୍ତି ସେ ପୂର୍ବରୁ କେବେ କାହାରି ଭିତରେ ଦେଖି ନ ଥିଲା । ଇମ୍ରାନଙ୍କ ଭିତରେ ର୍ହି ସେ ତାହା ଦେଖିଥିଲେ ବୋଲି ଭେଂଗସରକାର କହିଛନ୍ତି । କପିଲ ଓ ଭେଂଗସରକାରଙ୍କ ଭଳି ଦେଶର ଅନ୍ୟ ବହୁ ବରିଷ୍ଠ କ୍ରିକେଟର୍ ମଧ୍ୟ ଇମ୍ରାନଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସନରେ ଦେଖି ଖୁସୀ ଥିବା ଜଣାପଡିଛି । ଇମ୍ରାନ ଖାନ ପାକିସ୍ତାନ ସାମରିକ ବାହିନୀ ଓ ଗୋଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା କ୍ରିଡନକ ହୋଇ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରି ପାରନ୍ତି ବୋଲି ଭାରତ ସରକାର ଆଶଙ୍କା କରୁଥିବା ବେଳେ ଭାରତୀୟ କ୍ରିକେଟ ଜଗତ ଇମ୍ରାନଙ୍କୁ ନେଇ ଭିନ୍ନ ସ୍ୱପ୍ନ ଦେଖୁଥିବା ନିଶ୍ଚିତ ଭାବେ ଚର୍ଚ୍ଚାର ବିଷୟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS