ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆସାମରେ ୫ ମାମଲା
ଗୌହାଟୀ, ଅଗଷ୍ଟ ୦୫: ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆସାମ ପୁଲିସ ଶନିବାର ସୁଦ୍ଧା ୫ଟି ମାମଲା ରୁଜୁ କରି ସାରିଥିବା ଜଣାପଡିଛି । ଜୁଲାଇ ୩୦ ତାରିଖରେ ଆସାମରେ ଜାତୀୟ ନାଗରିକ ପଂଜୀକରଣ (ଏନଆରସି) ଚିଠା ତାଲିକା ପ୍ରକାଶ ପାଇବା ପରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଆସାମରେ ଧର୍ମ ନାଁରେ ବିଶୃଙ୍ଖଳା ସୃଷ୍ଟି ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରି ଆସାମ ପୁଲିସ ଏହି ସବୁ ମାମଲା ରୁଜୁ କରିଥିବା ଉଚ୍ଚ ପୁଲିସ ମହଲରୁ ସୂଚନା ମିଳିଛି ।
ଆସାମ ପୁଲିସ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୂର୍ବରୁ ତିନିଟି ମାମଲା ରୁଜୁ କରିଥିଲେ । କାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି)ର ଏକ ପ୍ରତିନିଧି ଦଳ ସିଲଚର ଯାଇ ଥିବା ନେଇ ଆଉ ଦୁଇଟି ମାମଲା ରୁଜୁ ହୋଇଛି । ଅପରପକ୍ଷରେ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ବିରୋଧରେ ପଶ୍ଚିମ ବଂଗରେ ଦୁଇଟି ଏତାଲା ହୋଇଥିବା ଜଣାପଡିଛି ।
ଆସାମରେ ଜାତୀୟ ନାଗରିକ ପଂଜୀକରଣକୁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ବିରୋଧ କରୁଥିବାରୁ ତାହାର ପ୍ରତିବାଦରେ ଶନିବାର ଦିନ ରାଜ୍ୟବ୍ୟାପୀ ତାଙ୍କ କୁଶପୁତ୍ତଳିକା ଦାହ ହୋଇଥିବା ଆସାମ ପୁଲିସ ସୂଚନା ଦେଇଛନ୍ତି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଧର୍ମ ଭିତ୍ତିରେ ଆସାମରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ମମତାଙ୍କ ବିରୋଧରେ ଶୁକ୍ରବାର ଓ ଶନିବାର ଦିନ ଗୌହାଟୀ ଏବଂ ସିଲଚରରେ ଦୁଇଟି ମାମଲା ଦାଏର ହୋଇଛି । ଶୁକ୍ରବାର ରାତିରେ ଗୌହାଟୀର ଗୀତା ନଗର ଥାନାରେ ଜଣେ ପବ୍ଲିକ ୱାର୍କ କର୍ମଚାରୀଙ୍କ ଅଭିଯୋଗକ୍ରମେ ଏତଲା ହୋଇଥିବା ବେଳେ ଶନିବାର କାଚାରର ଉଦ୍ଧାରବନ୍ଦ ଥାନାରେ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ ହାତାହାତି ଅଭିଯୋଗରେ ମାମଲା ରୁଜୁ ହୋଇଛି । ମହିଳା ପୁଲିସ କର୍ମଚାରୀଙ୍କ ଏତଲାକ୍ରମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ୮ ଜଣ ଟିଏମସି ସଭ୍ୟଙ୍କ ବିରୋଧରେ ଆଇପିସିର ୧୨୦ ‘ବି’, ୧୫୩ ‘ଏ’ ଓ ୨୯୮ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । କାଚାରରେ ୧୪୪ ଧାରା ଭଙ୍ଗ ଅଭିଯୋଗରେ ଏତଲା ହୋଇଛି । ପୂର୍ବରୁ ଅଗଷ୍ଟ ୨ ତାରିଖରେ ଗୌହାଟୀର ପାନବଜାର, ବଶିଷ୍ଠ ଓ ଉତ୍ତର ଳକ୍ଷ୍ମୀପୁର ଥାନାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ତିନିଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିବା ପ୍ରକାଶ ।
ଏସଂପର୍କରେ କୋଲକାତାରେ ମତାମତ ଦେଇ ସୁଶ୍ରୀ ବାନାର୍ଜୀ କହିଛନ୍ତି, “ଦେଶରେ ସୁପର ଏମର୍ଜେନ୍ସି ଚାଲି ଥିବା ଆମେ ଜାଣିଛୁ । ଆମେ ଏଥିରେ ଭୟଭୀତ ନୋହୁଁ । ମୁଁ ଲୋକଙ୍କ ପାଇଁ କହୁଛି । ବିଜେପି ମୋ ବିରୋଧରେ ଲକ୍ଷ ଲକ୍ଷ ମାମଲା ରୁଜୁ କଲେ ବି ମୁଁ ଭୟ କରୁ ନାହିଁ” । ଅପରପକ୍ଷରେ, ଟିଏମସି ବିଧାୟକ ମୋହୁଆ ମୈତ୍ର ଓ ଏମପି କାକୋଲି ଘୋଷ ସିଲଚରରୁ ସେମାନେ ଫେରିବା ସମୟରେ ସେମାନଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ବିରୋଧରେ କୋଲକାତାରେ ଦୁଇଟି ଏତାଲା ଦେଇଥିବା ଜଣାପଡିଛି । ୨୦୧୯ ନିର୍ବାଚନକୁ ଆଖିରେ ରଖି ମମତାଙ୍କ ଟିଏମସି ଓ ସର୍ବାନନ୍ଦଙ୍କ ବିଜେପି ମଧ୍ୟରେ ଚାଲି ଥିବା ଏହି ଆଇନ ଯୁଦ୍ଧର ପରିଣାମ କଣ ହେବ ତାହା ଦେଖିବାକୁ ବିଭିନ୍ନ ମହଲରେ ବ୍ୟଗ୍ରତା ପ୍ରକାଶ ପାଉଛି ।
ଏଠାରେ ଉଲ୍ଲେଖନୀୟ ଯେ, ଆସାମରେ ଗତ ସୋମବାର ଦିନ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଂଜୀକରଣ (ଏନଆରସି) ତାଲିକାରେ ୪୦ ଲକ୍ଷ ଆସାମ ବାସିନ୍ଦାଙ୍କୁ ନାଗରିକତ୍ୱ ପ୍ରମାଣ କରିପାରି ନ ଥିବାରୁ ବାଦ୍ ଦିଆଯାଇଛି । ଏହାକୁ ନେଇ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଲାଖୋଲି ଏହା ବିରୋଧ କରି ଗୃହ ଯୁଦ୍ଧ ଲାଗିବାର ଆଶଙ୍କା ବ୍ୟକ୍ତ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS