୨୦୧୯ ନିର୍ବାଚନ: ଦେଶରେ ବୃଦ୍ଧି ପାଇଥିବା ବେକାର ସମସ୍ୟା ବିଜେପି ପାଇଁ ଅଡୁଆ ହୋଇପାରେ
– ପ୍ରସାଦ ରାଓ –
ଭୁବନେଶ୍ୱର, ଅଗଷ୍ଟ ୦୫: କିଛି ବର୍ଷ ହେଲା ଦେଶରେ ବେକାର ସମସ୍ୟା ବିତର୍କର ମୁଖ୍ୟ ପ୍ରସଙ୍ଗ ହୋଇ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହି ପ୍ରସଙ୍ଗକୁ ଏଡାଇ ଯିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଅପରପକ୍ଷରେ, ଧର୍ମ, ଜାତି, ଆଂଚଳିକ ବିଦ୍ୱେଷ ଓ ଅନ୍ୟାନ୍ୟ ଅଣ-ଉତ୍ପାଦକ ପ୍ରସଙ୍ଗକୁ ନେଇ ରାଜନେତାମାନେ ବିତର୍କରେ ମାତୁ ଥିବା ଚିନ୍ତାର କାରଣ ହୋଇଛି । ବିଶେଷକରି, କ୍ଷମତାସୀନ ଦଳର ମୁଖପାତ୍ର ଓ ନେତାମାନେ ବିଭିନ୍ନ ସଭା, ସମିତି ଓ ବିତର୍କରେ ଭାଗ ନେବା ବେଳେ ଶିକ୍ଷିତ ଯୁବକ, ଯୁବତୀଙ୍କ ଆଡୁ କର୍ମ ନିଯୁକ୍ତିକୁ ନେଇ ଯେତେବେଳ ପ୍ରଶ୍ନ ହେଉଛି, ସେମାନେ ବିଭିନ୍ନ ଆଳ ଦେଖାଇ ପ୍ରସଙ୍ଗକୁ ଏଡାଇବା ସହ ଦେଶରେ କେତେ କର୍ମନିଯୁକ୍ତି ସୃଷ୍ଟି ହୋଇଛି ଓ କେତେ ସଂଖ୍ୟାରେ ଶିକ୍ଷିତ ବେକାର କର୍ମନିଯୁକ୍ତି ପାଇଛନ୍ତି ତାହା ଆକଳନ କରିବା ସକାଶେ କୌଣସି ବ୍ୟବସ୍ଥା ନାହିଁ କହି ପ୍ରଶ୍ନକୁ ଟାଳି ଦେଉଛନ୍ତି । ନୂତନ କର୍ମନିଯୁକ୍ତି ସୃଷ୍ଟି ପାଇଁ ଦେଶରେ କୌଶଳ ବିକାଶ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମ ମାଧ୍ୟରେ ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କୁ ତାଲିମ ଦିଆଯାଉଛି । ତେବେ, କେତେ ସଂଖ୍ୟାରେ କୁଶଳୀ ଯୁବକ, ଯୁବତୀ ସରକାରଙ୍କ ଦ୍ୱାରା କର୍ମ ନିଯୁକ୍ତି ପାଇଛନ୍ତି ତାହାର ହିସାବ ମଧ୍ୟ ସରକାର ଦେଇପାରୁ ନାହାନ୍ତି । ଫଳରେ, ‘ପକୋଡା’, ‘ସମୋସା’ ଭଳି ଅପ୍ରସଙ୍ଗ ଚର୍ଚ୍ଚାକୁ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ‘ପକୋଡା’ ନିଯୁକ୍ତି କଥା ଉଠାଇ ଅତୀତରେ ବିରୋଧୀଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି । ତାଙ୍କ ଦଳର ମୁଖ୍ୟ ଅମିତ ଶାହା ଦେଶର ସମସ୍ତ ବେକାର ଯୁବକ, ଯୁବତୀଙ୍କୁ ଚାକିରୀ ଦେବା ସମ୍ଭବ ନୁହଁ କହି ୨୦୧୪ ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ନକାରି ଦେବାକୁ ପଛାଉ ନାହାନ୍ତି ।
ପ୍ରତି ବର୍ଷ ଦେଶର ଦୁଇ କୋଟି ଯୁବକ, ଯୁବତୀଙ୍କୁ କର୍ମ ନିଯୁକ୍ତି ଦିଆଯାଇ ବେକାର ସମସ୍ୟାର ସମାଧାନ କରାଯିବ ବୋଲି ୨୦୧୪ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ । ଏହି ପ୍ରତିଶ୍ରୁତି ସହ ଦେଶକୁ ଦୁର୍ନୀତିମୁକ୍ତ କରିବା ପ୍ରସଙ୍ଗରେ ସେ ନିର୍ବାଚନ ଲଢି ବିପୁଳ ସଂଖ୍ୟକ ଆସନରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ର ପ୍ରାର୍ଥୀମାନଙ୍କୁ ବିଜୟୀ କରାଇଥିଲେ । ଯୁବ ଭୋଟରମାନେ ବିଜେପିକୁ ଉତ୍ସାହର ସହ ଭୋଟ ଦେଇ ଥିଲେ । କିନ୍ତୁ, ବିଗତ ୪ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ପ୍ରତିଶ୍ରୁତି ଭୁଲି ବିଦେଶ ଭ୍ରମଣ ଓ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଆଲିଙ୍ଗନ କରିବାରେ ସମୟ ବିତାଇ ଥିବା ବେଳେ ବିମୁଦ୍ରାକରଣ, ‘ଗୋଟିଏ ଦେଶ, ଗୋଟିଏ ଟିକସ’ ଭଳି ବ୍ୟବସ୍ଥା ଦେଶବାସୀଙ୍କୁ ଘାଂଟି ଦେଇଛି । ଏକାଧିକ ମୋଦୀ, ଚୋକସୀ ଓ ଗୁପ୍ତା, ମାଲ୍ୟାଙ୍କ ଭଳି ଅରବପତି ବ୍ୟବସାୟୀ ଦେଶର ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ପଦସ୍ଥ କର୍ମକର୍ତର୍ାଙ୍କୁ ହାତବାରିସୀ କରି ହଜାର ହଜାର କୋଟି ଟଙ୍କା ଲୁଟି ନେବା ପରେ ବିଦେଶକୁ ଖସି ପଳାଇଛନ୍ତି । ଗୋ-ସୁରକ୍ଷା ନାଁରେ ଗୋରୁ ଚାଲାଣକାରୀଙ୍କୁ ହତ୍ୟା କରାଯିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଦେଶରେ ବିଭିନ୍ନ ଆଳରେ ଭିଡ ଭିତରେ ହିଂସା ଓ ହତ୍ୟାକାଣ୍ଡ ବଢିଛି । ଚାଷିଙ୍କୁ ସରକାରୀ ଋଣ ମିଳୁ ନ ଥିବା ବେଳେ କୋଟିପତି ବ୍ୟବସାୟୀଙ୍କୁ ବିନା ଦ୍ୱିଧାରେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ମିଳୁଛି । ସେମାନେ ଋଣକୁ ଫାଙ୍କି ଦେଇ ଋଣଖିଲାପୀ (ଏନପିଏ) ହେଲେ ସାଧାରଣ ଜମାକାରୀଙ୍କ ବ୍ୟାଙ୍କ ଜମାରୁ କ୍ଷତି ଭରଣା କଥା ଚିନ୍ତା କରା ଯାଉଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁନର୍ବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଲାଣି । ବିଭିନ୍ନ ପ୍ରସଙ୍ଗକୁ ନେଇ ଟେଲିଭିଜନ ବିତର୍କ ବେଳେ ଶାସକ ଦଳର ମୁଖପାତ୍ରମାନେ ନିର୍ଲଜ ଭାବେ ‘ହିନ୍ଦୁତ୍ୱ’ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ସଂଖ୍ୟାଲଘୁଙ୍କୁ ଉସୁକାଇବାକୁ ପଛାଉ ନାହାନ୍ତି । ନିକଟରେ ଆସାମରେ ପ୍ରକାଶିତ ଜାତୀୟ ନାଗରିକ ପଂଜୀକରଣ (ଏନଆରସି) ଚିଠା ତାଲିକାକୁ ନେଇ ଯେଭଳି ରାଜନୀତି ଯୋର ଧରିଛି ତାହା ଦେଶରେ ଏକ ବିଷ୍ଫୋରକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଉଛି । ରାଜ୍ୟରେ ବର୍ଷ ବର୍ଷ ଧରି ରହି ଆସି ଥିବା ୪୦ ଲକ୍ଷ ଆସାମ ବାସିନ୍ଦାଙ୍କ ନାମ ଏନଆରସିରୁ ବାଦ୍ ପଡିଛି । ଏହାକୁ ନେଇ ଦେଶବ୍ୟାପୀ ଚାଲି ଥିବା ରାଜନୈତିକ ବିତର୍କ ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ସମ୍ଭାବନାକୁ ଏଡାଇ ହେବ ନାହିଁ । ଏଭଳି ପରିସ୍ଥିତିରେ, ଦେଶର ବେକାରୀ ଓ କର୍ମନିଯୁକ୍ତି ସମସ୍ୟା କେତେଦୂର ଆଲୋଚନାକୁ ଆସିବ, ତାହା ହିଁ ପ୍ରଶ୍ନବାଚୀ ହୋଇଛି ।
କେବଳ କେନ୍ଦ୍ର ସରକାର ନୁହନ୍ତି, ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଂଚଳମାନେ ମଧ୍ୟ ବେକାର ସମସ୍ୟା ବୃଦ୍ଧି ପାଇଁ ବହୁମାତ୍ରାରେ ଦାୟି, ତାହା ଏକ ଅନୁଧ୍ୟାନରୁ ଜଣାପଡିଛି । ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଗତ ଦିନ ମାନଙ୍କରେ ନୂତନ କର୍ମ ନିଯୁକ୍ତ ସୃଷ୍ଟି କରିବା ଦୂରେଥାଉ, ବିଭିନ୍ନ ସରକାରୀ ବିଭାଗରେ ଖାଲି ଥିବା ପଦବୀଗୁଡିକ ମଧ୍ୟ ପୂରଣ କରୁ ନ ଥିବାରୁ ବେକାର ସମସ୍ୟା ଅଧିକ ଜଟିଳ ହୋଇଛି । ସଂସଦର ଉଭୟ ଗୃହରେ ବିଭିନ୍ନ ସମୟରେ ଉପସ୍ଥାପନ କରାଯାଇଥିବା ସରକାରୀ ତଥ୍ୟକୁ ନେଇ ଏହି ଅନୁଧ୍ୟାନ ହୋଇଛି । ବିଭିନ୍ନ ସରକାରୀ ବିଭାଗରେ ୨୪ ଲକ୍ଷରୁ ଅଧିକ ପଦପଦବୀ ଖାଲି ପଡି ଥିବା ବେଳେ ସେଗୁଡିକ ପୂରଣ କରାଯାଉ ନାହିଁ । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଭିନ୍ନ ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ୧୨ ଲକ୍ଷ ପଦପଦବୀ ଖାଲି ପଡିଛି । ଫେବୃୟାର ମାସରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ୯ ଲକ୍ଷ ପଦବୀ ଖାଲି ରହି ଥିବା ବେଳେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧.୧ ଲକ୍ଷ ପଦବୀ ଖାଲି ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରୟୋଜିତ ସର୍ବ ଶିକ୍ଷା ଅଭିଯାନରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କରେ ବହୁ ସଂଖ୍ୟାକ ଶିକ୍ଷକ ପଦ ଖାଲି ରହିଛି । ନିଜ ନିଜ ଅଂଚଳରେ ଛାତ୍ର-ଶିକ୍ଷକ ଅନୁପାତରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରମାନେ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ଥିବା ବେଳେ ତାହା ହେଉ ନାହିଁ ।
ଏହା ପଛକୁ ରହିଛି ପୁଲିସ ବିଭାଗ । ଗତ ମାର୍ଚ୍ଚ ମାସରେ ଲୋକସଭାରେ ‘ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଏଣ୍ଡ୍ ଡ଼େଭଲପମେଂଟ୍’ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁସାରେ ଦେଶରେ ସିଭିଲ ଓ ଡ଼ିଷ୍ଟ୍ରିକ୍ଟ ଆର୍ମଡ୍ ପୋଲିସ ଫୋର୍ସରେ ୪.୪ ଲକ୍ଷ ପଦବୀ ଖାଲି ରହିଛି । ରଜ୍ୟ ସଶସ୍ତ୍ର ବାହିନୀରେ ମଧ୍ୟ ୯୦,୦୦୦ ପଦବୀ ଖାଲି ଥିବା ଜଣାପଡିଛି । ଆଇନ ଶୃଙ୍ଖଳା ରକ୍ଷା ରାଜ୍ୟମାନଙ୍କ ବ୍ୟାପାର ହୋଇ ଥିବାରୁ ରାଜ୍ୟ ସରକାରମାନେ ଏହି ପଦବୀ ପୂରଣ କରିବା କଥା । କିନ୍ତୁ, ପୁଲିସ ବିଭାଗରେ ଖାଲି ପଡିଥିବା ମୋଟ ୫ ଲକ୍ଷ ୪୦ ହଜାର ପଦବୀ ପୂରଣ ଦିଗରେ ସେମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ବିଚାର ବ୍ୟବସ୍ଥାକୁ ସୁଦୃଢ କରିବାରେ ପୁଲିସ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ରାଜ୍ୟ ସରକାରମାନେ ଏଥିପ୍ରତି ଧ୍ୟାନ ନ ଦେବା କ୍ଷୋଭର ବିଷୟ ହୋଇଛି । ଦେଶର ନ୍ୟାୟାଳୟମାନଙ୍କରେ କୋଟି କୋଟି ସଂଖ୍ୟାରେ ମକଦ୍ଦମା ବିଚାରାଧୀନ ପଡି ରହି ଥିବା ବେଳେ ୫, ୮୦୦ ବିଚାରପତି ପଦବୀ ଖାଲି ପଡିଛି । ସଂସଦର ଉଭୟ ଗୃହରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପସ୍ଥାପିତ ତଥ୍ୟରୁ ଏହି ସୂଚନା ମିଳିଛି । ସେହିପରି, ଦେଶର ନିରାପତ୍ତା ପ୍ରତି ସର୍ବଦା ପ୍ରାଥମିକତା ଦିଆଯାଉଛି ବୋଲି କୁହାଯାଉ ଥିଲେ ମଧ୍ୟ ପ୍ରତିରକ୍ଷା ସେବା ଓ ଅର୍ଦ୍ଧ ସାମରିକ ବଳରେ ୧.୨ ଲକ୍ଷ ପଦବୀ ଖାଲି ପଡି ଥିବା ସୂଚନା ମିଳିଛି । ସେଥିରୁ ଅର୍ଦ୍ଧ ସାମରିକ ବାହିନୀରେ ଖାଲି ପଡି ଥିବା ପଦବୀ ସଂଖ୍ୟା ହେଉଛି ୬୨ ହଜାର । ରେଳବାଇରେ ୨.୫ ଲକ୍ଷ ଅଣଗେଜେଟେଡ କର୍ମଚାରୀ ପଦବୀ ଖାଲି ଥିବା ମାର୍ଚ୍ଚ ମାସରେ ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟରୁ ସୂଚନା ମିଳିଥିବା ବେଳେ ଲୋକସଭାରେ ମାର୍ଚ୍ଚ ମାସରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଡ଼ାକ ବିଭାଗରେ ୫୪ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଦେଶର ଅଙ୍ଗନବାଡି ମାନଙ୍କରେ ୨.୨ ଲକ୍ଷ ପଦବୀ , ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ୧.୫ ଲକ୍ଷ ପଦବୀ, ‘ଏମସ୍’ରେ ୨୧ ହଜାର ୭୪୦ ପଦବୀ, ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୧୨ ହଜାର ପଦବୀ ଖାଲି ପଡିଛି ।
ଅନ୍ୟପକ୍ଷରେ, ଦେଶରେ ୨୦୧୩ -୧୪ ତୁଳନାରେ ୨୦୧୫-୧୬ରେ ନିଯୁକ୍ତ ହାରରେ ସାମାନ୍ୟ ଅଭିବୃଦ୍ଧି (୪.୯ ପ୍ରତିଶତ ଥିଲା, ୫ ପ୍ରତିଶତ ହୋଇଛି) ଘଟି ଥିବା ବେଳେ ୨୦୧୬ ଅକ୍ଟୋବର ଶ୍ରମ ବ୍ୟୁରୋ ରିପୋର୍ଟ ଅନୁଯାୟୀ ଦେଶର ୧.୫୨ ଲକ୍ଷ ଶ୍ରମିକ ଚାକିରି ହରାଇଛନ୍ତି । ଏହାଛଡା, ଦେଶର ବଡ ବଡ କର୍ପୋରେଟ୍ ସଂସ୍ଥାରେ କର୍ମଚାରୀ ଛଟେଇ ଚାଲିଛି । ଏଲ୍ ଏଣ୍ଡ ଟିରୁ ୧୪ ହଜାର କର୍ମଚାରୀ ଛଟେଇ ହୋଇଥିବା ବେଳେ ଟାଟା ମୋଟର୍ସ ୧୫୦୦, ଏଚଡ଼ିଏଫସି ୧୦,୦୦୦ ଏବଂ ବିଭିନ୍ନ ଆଇଟି ଉଦ୍ୟୋଗ ୫୦ ହଜାରରୁ ଅଧିକ ନିଯୁକ୍ତ ହ୍ରାସ ହୋଇଛି । ଏଭଳି ପରିସ୍ଥିତିରେ, ବିଜେପି ଚାଣକ୍ୟ ଅମିତ ଶାହା ୧୨୫ କୋଟି ଜନସଂଖ୍ୟାର ଦେଶରେ ସମସ୍ତ ବେକାର ଯୁବକ, ଯୁବତୀଙ୍କ ଚାକିରି ଯୋଗାଇ ଦେବା ସମ୍ଭବ ନୁହେଁ କହି ବେକାରଙ୍କ ପ୍ରତି ଉପହାସ କରିଛନ୍ତି । ସରକାର ପ୍ରାୟ ୮ କୋଟି ଯୁବକ, ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସୁଯୋଗ ସୃଷ୍ଟି କରିଥିବା ସଂପର୍କରେ ଶାହା ଯାହା କହୁଛନ୍ତି ତାହା ମଧ୍ୟ କେତେ ସତ, ପରଖିବାର ସମୟ ଆସିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS