ବିଜେଡ଼ିକୁ ବିଜେପିର ଲଲିପପ୍, ଜେଡ଼ିୟୁରୁ ଦେଲା ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ – ଗୁରୁବାର ହେବ ନିର୍ବାଚନ
– ପ୍ରସାଦ ରାଓ –
ଭୁବନେଶ୍ୱର, ଅଗଷ୍ଟ ୦୭ : ଗୁରୁବାର ଦିନ ହେବାକୁ ଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏହି ନିର୍ବାଚନ ଉଭୟ ବିଜେପି ଓ କଂଗ୍ରେସ ପଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ କାହାରି ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଉପାଧ୍ୟକ୍ଷ ହେବାକୁ ହେଲେ ୧୨୩ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଶାସକ ବିଜେପି ବା ବିରୋଧୀ କଂଗ୍ରେସ ମେଂଟ ନିକଟରେ ସଂଖ୍ୟା ନ ଥିବାରୁ ଅନ୍ୟ ଦଳଙ୍କ ସମର୍ଥନରେ ଉପାଧ୍ୟକ୍ଷ ପଦ ଦଖଲ କରିବା ପାଇଁ ଦୁଇ ଦଳ ଗୋଟି ଚାଳନା କରୁଛନ୍ତି । ବିଜେପି ଏନଡିଏ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ (ୟୁ) ବା ଜେଡ଼ିୟୁର ସମର୍ଥନକୁ ଅତୁଟ ରଖିବା ସକାଶେ ସେହି ଦଳରୁ ୨୦୧୪ରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ହୋଇଥିବା ହରିବଂଶ ନାରାୟଣ ସିଂହଙ୍କୁ ଉପାଧ୍ୟକ୍ଷ ପ୍ରାର୍ଥୀ କରୁଥିବା ଜଣାପଡିିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ଦଳ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି) ସମର୍ଥନରେ ଏହି ବାଜି ମାରିବାକୁ ଲକ୍ଷ୍ୟ ରଖି ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବାଧ୍ୟବାଧକତାରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଟିଏମସି ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀଙ୍କ ସୁଶ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି (ତୃଣମୂଳ କଂଗ୍ରେସ)ର ସୁଖେନ୍ଦୁ ଶେଖର ରାୟ ବିରୋଧୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ସୂଚନା ମିଳିଛି ।
ବର୍ତମାନ ଦେଶର ଚାରିଟି ଗୁରୁତ୍ୱପୂର୍ଣ୍ଣ ପଦବୀ ବିଜେପି ନିକଟରେ ରହିଛି । ବିଜେପି ନେତା ରାମନାଥ କୋବିନ୍ଦ ଦେଶର ରାଷ୍ଟ୍ରପତି ପଦରେ ଥିବା ବେଳେ ଉପ ରାଷ୍ଟ୍ରପତି ଅଛନ୍ତି ବରିଷ୍ଠ ବିଜେପି ନେତା ଏମ. ଭେଙ୍କାୟା ନାଇଡୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ର ମହାଜନ ମଧ୍ୟ ବିଜେପିର । ପାରଂପରିକ ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ଆସନ କଂଗ୍ରେସ ହାତରେ ରହି ଆସିଛି । କଂଗ୍ରେସର ପିଜେ କୁରିଆନ ୨୦୧୨ରୁ ରାଜ୍ୟସଭା ଉପାଧ୍ୟକ୍ଷ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ସରୁ ଥିବାରୁ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇ ଦେଶର ପଂଚମ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦଳର ମୋହର ମାରିବାକୁ ବ୍ୟଗ୍ର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ିର ସମର୍ଥନ ପାଇବା ସକାଶେ ବିଜେପି ପ୍ରଥମେ ବିଜେଡ଼ି ସାଂସଦଙ୍କ ମଧ୍ୟରୁ କାହାରିକୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବା ଲୋଭ ଦେଖାଇ ଥିଲା । ବିଜେଡ଼ିର ବରିଷ୍ଠ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେଉଥିବା ନେଇ ଓଡ଼ିଶାରେ ବେଶ୍ ଚର୍ଚ୍ଚା ଚାଲି ଥିଲା । କିନ୍ତୁ, ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ନ ଖୋଲିବାରୁ ଧୀରେ ଧୀରେ ଏହି ଚର୍ଚ୍ଚା ଥମି ଗଲା । ଆକସ୍ମିକ ଭାବେ ବିଜେପି ବିଜେଡ଼ିକୁ ଉପେକ୍ଷା କରି ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କ ନାମ ଘୋଷଣା କରିଛି । ସିଂହ ଏନଡ଼ିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ପକ୍ଷରୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେଉ ଥିବା ସୋମବାର ଦିନ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଜେଡ଼ିୟୁ ଏନଡ଼ିଏରେ ରହିଛି ସତ, କିନ୍ତୁ କିଛି ମାସ ହେଲା ଏହାର ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିଜେପି ମଧ୍ୟରେ ସଂପର୍କ ତୀକ୍ତ ରହି ଆସିଛି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିର କେତେକ କେନ୍ଦ୍ର ମନ୍ତ୍ରୀଙ୍କ ବକ୍ତବ୍ୟକୁ ନାପସନ୍ଦ କରି ଥିବାରୁ ଦୁଇ ଭାଗୁଆଳୀ ଦଳ ମଧ୍ୟରେ ସଂପର୍କ ତୀକ୍ତ ହୋଇ ଥିବା କୁହାଯାଉ ଥିଲା । ଏହାଛଡା, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ଏନଡ଼ିଏ ଛାଡି ବିରୋଧୀ ମହାମେଂଟ ଆଡକୁ ଢଳି ପାରନ୍ତି ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଯୋର ଧରି ଥିଲା । ତେଣୁ, ନୀତିଶଙ୍କୁ ମନାଇବା ସକାଶେ ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିହାର ଯାଇଥିଲେ । ଏହି କୋଳାକୋଳିର ଫଳ ସ୍ୱରୂପ ଜେଡୁୟୁ ସାଂସଦ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରାଯିବା ନିଷ୍ପତ୍ତିରେ ବିଜେପି ମୋହର ମାରିଥିବା ଅନୁମାନ କରାଯାଉଛି । ନୀତିଶଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପିର ଏହା ଉପହାର ବୋଲି ଏବେ ଚର୍ଚ୍ଚା ହେଉଛି । ବିଜେଡ଼ିକୁ ଉପେକ୍ଷା କରି ବିଜେପି ଜେଡ଼ିୟୁ ସାଂସଦ ସିଂହଙ୍କୁ ଏନଡ଼ିଏରୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବା ବିଜେଡ଼ି ତଥା ଓଡ଼ିଶା ପାଇଁ ଲଜ୍ୟାଜନକ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲୁ ନ ଥିବାରୁ ଦଳୀୟ ସାଂସଦମାନେ ନୀରବରେ ବିଷ ପିଇବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଅପମାନ ସତ୍ୱେ ବିଜେଡ଼ି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପିକୁ ସମର୍ଥନ କରିପାରେ ବୋଲି ବିଜେପି ନେତୃତ୍ୱ ଆଶାବାଦୀ ରହିଛି । ଟିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାଙ୍କ ଦଳ ବିଜେପି ସହ ଥିବା ଜଣାଇ ଦେଇ ଥିବାରୁ ବିଜେପି ଏହି ଦୁଇ ଆଂଚଳିକ ଦଳର ସହାୟତାରେ ୧୨୩ ସଂଖ୍ୟାରୁ ଅଧିକ ସଂଖ୍ୟକ ସମର୍ଥନ ପାଇ ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାସଲ କରିବା ନେଇ ଆଶା ରଖିଛି ।
ଅନ୍ୟପକ୍ଷରେ, ରାଜ୍ୟସଭାରେ କଂଗ୍ରେସ ଦଳର ୫୧ ସାଂସଦ ଥାଇ ଟିଏମସିର ଜଣେ ସାଂସଦଙ୍କୁ ଉପାଧ୍ୟକ୍ଷ ପ୍ରାର୍ଥୀ କରିବାକୁ ଚିନ୍ତା କରିବା ରାଜନୈତିକ ବାଧ୍ୟବାଧକତା କୁହାଯାଉଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସହ ମୁକାବିଲା ପାଇଁ ବିରୋଧୀ ମହାମେଂଟ ଗଠନରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ସୁଶ୍ରୀ ମମତା ବାନାର୍ଜୀ ପ୍ରମୁଖ ଭୂମିକା ଗ୍ରହଣ କରି ଥିବାରୁ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଏଭଳି ବୁଝାମଣା ପାଇଁ ବାଧ୍ୟ ହୋଇଛି । ଟିଏମସିକୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବା ଦ୍ୱାରା ଭିବଷ୍ୟତ ବିରୋଧୀ ମହାମେଂଟ ଗଠନର ପଥ ଉନ୍ମୁକ୍ତ ରହିବ ବୋଲି କଂଗ୍ରେସ ବିଚାର କରୁଛି । ବିରୋଧୀ ମହାମେଂଟ ମଧ୍ୟ ବିଜୁ ଜନତା ଦଳ (ବିଜେଡ଼ି) ଆଡୁ ସମର୍ଥନ ଆଶା ରଖିଛି । କଂଗ୍ରେସ ଓ ବିଜେପି ସହ ସମଦୂରତା ରକ୍ଷା କଥା କହି ଆସୁଥିବା ବିଜେଡ଼ି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଡ଼ିୟୁ ଉପାଧ୍ୟକ୍ଷ ପ୍ରାର୍ଥୀ ସିଂହଙ୍କୁ ସମର୍ଥନ ଦେଇ ବିଜେପିକୁ ଲାଭାନ୍ୱିତ କରିବେ ନା ଟିଏମସିର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ବିରୋଧୀ ମହାମେଂଟକୁ ବଳଶାଳୀ କରିବେ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ହେବାକୁ ଥିବା ରାଜନୈତିକ ସମୀକରଣର ଗତି କୁଆଡେ ଯିବ । ସାଧାରଣତଃ ସହମତି ଭିତ୍ତିରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହୋଇଥାଏ । ରାଜ୍ୟସଭା ଅଧ୍ୟକ୍ଷ ପଦ ଶାସକ ଦଳ ହାତରେ ରହୁ ଥିବାରୁ ଉପାଧ୍ୟକ୍ଷ ପଦ ବିରୋଧୀ ଦଳକୁ ମିଳି ଥାଏ । ୧୯୯୨ରେ ଶେଷ ଥର ନିର୍ବାଚନ ହୋଇଥିଲା, ଯେଉଁଥିରେ କି କଂଗ୍ରେସ ପ୍ରାର୍ଥୀ ନଜମା ହେପତୁଲ୍ଲା ବିରୋଧୀ ଦଳ ପ୍ରାର୍ଥୀ ରେଣୁକା ଚୌଧୁରୀଙ୍କୁ ୧୨୮-୯୫ ଭୋଟରେ ପରାଜିତ କରିଥିଲେ । ବର୍ତର୍ମାନ ନଜମା ହେପତଲ୍ଲା ବିଜେପିରେ ଅଛନ୍ତି । ୨୦୧୮ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଶାସକ-ବିରୋଧୀଙ୍କ ମଧ୍ୟରେ ଶକ୍ତି ପରୀକ୍ଷା ହେବାକୁ ଥିବାରୁ ଗୁରୁବାରର ନିର୍ବାଚନ ନିଆରା ହେବା ଆଶା କରାଯାଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS