ଖେଳାଳୀଙ୍କୁ ନିଷିଦ୍ଧ ଔଷଧ ଯୋଗାଇଲେ ଜେଲ୍ !
ନୂୂଆଦିଲ୍ଲୀ, ଅଗଷ୍ଟ ୦୭: କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ‘ଡ଼ୋପିଂ’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଂଟା ଭିଡିଛନ୍ତି । ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଜଷ୍ଟିସ ମୁକୁଲ ମୁଦଗଲ୍ କମିଟି ବିଭିନ୍ନ ରାଷ୍ଟ୍ରରେ ଥିବା ‘ଆଂଟି ଡ଼ୋପିଂ’ ଆଇନକୁ ଅନୁଧ୍ୟାନ କରିବା ପରେ ଦେଶ ପାଇଁ କି ପ୍ରକାର କଡା ଆଇନର ଆବଶ୍ୟକତା ରହିଛି ତାହା ସୁପାରିଶ କରିଛନ୍ତି । କମିଟିର ସୁପାରିଶରେ ଖେଳାଳୀଙ୍କୁ ନିଷିଦ୍ଧ ଔଷଧ ଯୋଗାଇଲେ ଜେଲ୍ ଓ ଜରିମାନା ଦଣ୍ଡର ପ୍ରବଧାନ କରାଯିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାୟଳକୁ ସୁପାରିଶ କରାଯାଇଛି । ଡ଼ୋପିଂ (ନିଷିଦ୍ଧ ଓøଷଧ ସେବନ) କବଳରୁ ଭାରତୀୟ ଖେଳାଳୀଙ୍କୁ ମୁକ୍ତ ରଖିବା ପାଇଁ କମିଟି ଯାହା ସବୁ ସୁପାରିଶ କରିଛନ୍ତି ସେଥିରେ ଜେଲଦଣ୍ଡ ଓ ଜରିମାନାକୁ ପ୍ରାଧାନ୍ୟ ଦିଆଯାଇଛି ।
କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ନିଷିଦ୍ଧ ଔଷଧ ସେବନ (ଡ଼ୋପିଂ) ଅଭିଯୋଗରୁ ଭାରତୀୟ ଖେଳାଳୀଙ୍କୁ ମୁକ୍ତ ରଖିବା ସହ ସେମାନଙ୍କ କ୍ୟାରିୟରକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ଅନୁଧ୍ୟାନ ଓ ସୁପାରିଶ କରିବା ସକାଶେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମୁକୁଲ ମୁଦଗଲଙ୍କ ଅଧ୍ୟକ୍ଷତାରେ ଏକ ୧୫ ଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ଚିଠା ପ୍ରସ୍ତାବ ମାଧ୍ୟମରେ ଯାହା କିଛି ସୁପାରିଶ କରିଛନ୍ତି ତାହା ଉପରେ ଅଧିକ ଆଲୋଚନା କରାଯିବା ସହ ପାର୍ଲାମେଂଟର ଆସନ୍ତା ଶୀତ ଅଧିବେଶନରେ ତାହା ସଂସଦର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ‘ନ୍ୟାସନାଲ ଆଂଟି ଡ଼ୋପିଂ ଲେଜିସଲେସନ୍ – ୨୦୧୮’ ନାମରେ ଏହି ଚିଠା ପ୍ରସ୍ତାବ ଉପସ୍ଥାପନ ହୋଇଛି । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡାରେ ଭାଗ ନେଉଥିବା ଖେଳାଳୀ ରିତିମତ ଡ଼ୋପିଂ ଟେଷ୍ଟ୍ ର ସମ୍ମୁଖୀନ ହୋଇ ଧରା ପଡିଲେ ନିଜେ ଲଜ୍ଜିତ ହେବା ସହ ଦେଶକୁ ଲଜ୍ଜିତ କରୁଥିବାରୁ ଖେଳାଳୀଙ୍କୁ ନିଷିଦ୍ଧ ଔଷଧ ଯୋଗାଉ ଥିବା ବ୍ୟକ୍ତି ବା ସିଣ୍ଡିକେଟ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ସୁପାରିଶ କରିଛି । ଖେଳାଳୀମାନଙ୍କୁ ନିଷିଦ୍ଧ ଔଷଧ ଯୋଗାଉ ଥିବା ବ୍ୟକ୍ତି କୌଣସି ସଂଗଠିତ ଅପରାଧ ସିଣ୍ଡିକେଟ୍ ସହ ସଂପୃକ୍ତ ଥିବା ଧରା ପଡିଲେ ୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପାଇଁ କମିଟି ପ୍ରସ୍ତାବ ଦେଇଛି । ଏପରିକି, ଦେଶର କ୍ରୀଡା ପ୍ରଶାସନ ସହ ସଂପୃକ୍ତ କୌଣସି ଖେଳାଳୀ ବା କୋଚ୍ ଏପ୍ରକାର ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବା ଜଣା ପଡିଲେ ସେମାନଙ୍କୁ ମଧ୍ୟ ଜେଲ୍ ପଠା ଯିବାକୁ କମିଟି ସୁପାରିଶ କରିଛି । ଏହାଛଡା, ‘ନାଡ଼ା’ (ନ୍ୟାସନାଲ ଆଂଟି ଡ଼ୋପିଂ ଏଜେନ୍ସୀ) ଯଦି ଅନୁଭବ କରିବ, ଖେଳାଳୀଙ୍କୁ ଜାଲରେ ପକାଇବା ପାଇଁ କୌଣସି ଅପରାଧୀ ସିଣ୍ଡିକେଟ୍ ଏଭଳି କାର୍ଯ୍ୟ କରୁଛି ତେବେ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ସରକାରଙ୍କୁ ସୁପାରିଶ କରିପାରିବ ବୋଲି ଚିଠା ପ୍ରସ୍ତାବରେ କୁହାଯାଇଛି ।
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମୁଦଗଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଛଅ ମାସ ଧରି ଛଅଟି ବୈଠକରେ ମିଳିତ ହେବା ପରେ ଏହି ଚୂଡାନ୍ତ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବା ସହ କ୍ରୀଡା ମନ୍ତ୍ରଣାଳୟ ନିକଟରେ ଉପସ୍ଥାପନ କରିଛନ୍ତି । ପାର୍ଲାମେଂଟର ଅନୁମୋଦନ ପାଇଁ ତାହା କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଉପସ୍ଥାପନ କରିବ । ଯେଉଁ ଡ଼ୋପିଂ ଅଭିଯୋଗ ଆସିବ ତାହା ଉପରେ ଆବଶ୍ୟକ ପଦକ୍ଷେପ ନେବା ସକାଶେ ଏକ ତିନି ଜଣିଆ ‘ଏଥିକାଲ୍ କମିସନ’ ଗଠନ ପାଇଁ ମଧ୍ୟ କମିଟି ସୁପାରିଶ କରିଥିବା ଜଣାପଡିଛି । ଏହି ଚିଠା ପ୍ରସ୍ତାବରେ, ‘ଆଂଟି ଡ଼ୋପିଂ’ ଆଇନ କାର୍ଯ୍ୟକାରୀ କରିବାରେ ଦାୟିତ୍ୱ ଥିବା କୌଣସି ବ୍ୟକ୍ତି ଅବହେଳା କଳେ ପ୍ରଥମ ଥର ଅପରାଧ ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଏକାଧିକବାର ସମାନ ଅବହେଳା ଧରା ପଡିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ପ୍ରତ୍ୟେକ ଅପରାଧ ପାଇଁ) ଜରିମାନା କରାଯିବ । ‘ୱାଡା’ (ବିଶ୍ୱ ଆଂଟି ଡ଼ୋପିଂ ଏଜେନ୍ସୀ) ପ୍ରତି ଛଅ ମାସରେ ଥରେ ତାହାର ୱେବସାଇଟ୍ ରେ ନିଷିଦ୍ଧ ଔଷଧର ତାଲିକା ପରିବର୍ତର୍ନ କରୁଥିବାରୁ କିଛି ଖେଳାଳୀ ନିଜ ଅଜାଣତରେ ଡ଼ୋପିଂ ଅପରାଧରେ ଛନ୍ଦି ହେଉଛନ୍ତି । ତେଣୁ, ଖେଳାଳୀମାନଙ୍କୁ ଏସଂପର୍କରେ ସଚେତନ କରାଇବାର ଆବଶ୍ୟକତା ଉପରେ କମିଟି ଗୁରୁତ୍ୱ ଦେଇଛି । ଯଦି କେହି ବ୍ୟବସାୟିକ ଭିତ୍ତିରେ ନିୟମିତ ଭାବେ ଖେଳାଳୀଙ୍କୁ ନିଷିଦ୍ଧ ଔଷଧ ଯୋଗାଉଥାଏ ତେବେ ତାହାକୁ ‘ଟ୍ରାଫିକିଂ’ଭାବେ ବିଚାର କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାକୁ କମିଟି ସୁପାରିଶ କରିଥିବା ବେଳେ ଯଦି କୌଣସି ସଂଗଠିତ ଅପରାଧୀ ସିଣ୍ଡିକେଟ୍ ଦ୍ୱାରା ଏହି କାରବାର ହୋଇଥିବ ତେବେ ସଂପୃକ୍ତ ଅପରାଧୀଙ୍କୁ ୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପାଇଁ ସୁପାରିଶ ହୋଇଛି ।
‘ନାଡ଼ା’ର ଜଣେ କାର୍ଯ୍ୟକର୍ତର୍ାଙ୍କ କହିବା ଅନୁସାରେ, ଜର୍ମାନୀ, ଅଷ୍ଟ୍ରେଲିଆ, ସ୍ପେନ୍, ହଂଗେରୀ, ଡ଼େନମାର୍କ ପ୍ରଭୃତି ରାଷ୍ଟ୍ରରେ କଠୋର ‘ଆଂଟି ଡ଼ୋପିଂ’ ଆଇନ ପ୍ରଚଳିତ ରହିଛି । ଏପରିକି, କିଛି ରାଷ୍ଟ୍ରରେ ଡ଼ୋପିଂ ଅଭିଯୁକ୍ତ ଖେଳାଳୀଙ୍କୁ ଜେଲ୍ ପଠାଇବା ବ୍ୟବସ୍ଥା ମଧ୍ୟ ଅଛି । କିନ୍ତୁ, ଭାରତରେ ଡ଼ୋପିଂ ଟେଷ୍ଟ୍ ରେ ଧରା ପଡୁଥିବା ଖେଳାଳୀ କେବଳ ପଦକ ହରାଉଛନ୍ତି ବା କିଛି ବର୍ଷ ପାଇଁ କ୍ରୀଡ଼ା ପ୍ରତିଯୋଗୀତାରୁ ବାସନ୍ଦ ହେଉଛନ୍ତି । ବିଭିନ୍ନ ରାଷ୍ଟ୍ରର ଆଂଟି ଡ଼ୋପିଂ ଆଇନକୁ ଅନୁଧ୍ୟାନ କରାଯିବା ପରେ ଏହି ସୁପାରିଶ ଚିଠା ପ୍ରସ୍ତୁତ କରାଯାଇଛି । ପାର୍ଲାମେଂଟର ଆଗାମୀ ଶୀତ ଅଧିବେଶନରେ ଏହି ବିଲ୍ ଅନୁମୋଦନ ଲାଭ କଲେ ଭାରତରେ ମଧ୍ୟ ଡ଼ୋପିଂ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସମ୍ଭବ ହେବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS