ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ, ହରିପ୍ରସାଦଙ୍କ ପରାଜୟକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ଅଗଷ୍ଟ ୦୯: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କ ପରାଜୟ କାହାରିକୁ ଆଚମ୍ବିତ କରି ନାହିଁ । କାରଣ, ଫଳାଫଳ ଏହା ହିଁ ହେବ ବୋଲି ସମସ୍ତେ ଜାଣିଥିଲେ । ରାଜ୍ୟସଭାରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳ ସଂଖ୍ୟା ଦୃଷ୍ଟିରୁ ଦୁର୍ବଳ ସ୍ଥିତିରେ ଥିଲେ ମଧ୍ୟ ସହଯୋଗୀ ଦଳଙ୍କ ସମର୍ଥନକୁ ନେଇ ବିଜୟ, ପରାଜୟର ଅଂକ କଷୁ ଥିଲେ । ଦୁଇ ମେଂଟ ବାହାରେ ଥିବା ଓଡ଼ିଶାର ଶାସକ ବିଜେଡ଼ି ଓ ତେଲେଙ୍ଗାନାର ଶାସକ ଟିଆରଏସ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ବହୁ ଆଗରୁ ଆକଳନ କରାଯାଇଥିଲା । ଏହି ଦୁଇ ଦଳଂକୁ ଆକୃଷ୍ଟ କଲା ଭଳି ପ୍ରାର୍ଥୀ ଦେଇ ଶାସକ ଓ ବିରୋଧୀ ମେଂଟ ରାଜନୀତିକ ଗୋଟି ଚାଳନା କରିବାର ଆବଶ୍ୟକତା ଥିବା ବେଳେ କଂଗ୍ରେସ ଦଳ ସଠିକ ଗୋଟି ଚାଳନା କରି ନ ପାରି ପରାଜୟର ମୁହଁ ଦେଖିଛି । ଅପରପକ୍ଷରେ, ଶାସକ ବିଜେପି ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରି ଉଭୟ ବିଜେଡ଼ି ମୁଖ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିଆରଏସ ମୁଖ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନିଜ ସପକ୍ଷରେ ପ୍ରବର୍ତାଇବାରେ ସଫଳ ହେବାରୁ ରାଜ୍ୟସଭାର ଏହି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପଦବୀ ହାସଲ କରି ପାରିଛି ।
ଆଜିର ଏହି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏର ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ୨୪୪ ସାଂସଦଙ୍କ ମଧ୍ୟରୁ ୧୨୫ ଜଣଙ୍କ ସମର୍ଥନ ପାଇଁ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ପ୍ରାର୍ଥୀ କଂଗ୍ରେସ ସାଂସଦ ବି. କେ.ହରିପ୍ରସାଦ ୧୦୫ ଭୋଟ ପାଇ ପରଜିତ ହୋଇଛନ୍ତି । ଟିଆରଏସ ବହୁ ପୂର୍ବରୁ ବିଜେପି ପ୍ରତି ସମର୍ଥନ ଘୋଷଣା କହି ଥିଲା । ବିଜେଡ଼ି ଓ ଶିବ ସେନାର ଗୋଟି ଚାଳନା ଉପରେ ସମସ୍ତଙ୍କ ନଜର ରହି ଥିଲା । ଏହି ଦୁଇ ଦଳ ଭୋଟରୁ ଦୂରେଇ ରହି ପାରନ୍ତି ବୋଲି ବୁଧବାର ପୂର୍ବରୁ ରାଜନୈତିକ କଳ୍ପନାଜଳ୍ପନା ଚାଲି ଥିଲା । ତେବେ, ବୁଧବାର ନାମାଂକନପତ୍ର ଦାଖଲ ପୂର୍ବରୁ ଶିବ ସେନା ସାଂସଦ ସଂଜୟ ରାୱତ ବିଜେପି ଦେଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରତି ତାଙ୍କ ଦଳର ସମର୍ଥନ ଥିବା ଜଣାଇ ପ୍ରସ୍ତାବପତ୍ର ଦାଖଲ କରିଥିଲେ । ସେହିପରି,
ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କୁ ଝୁଲାଇ ରଖି ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂଧ୍ୟାରେ ଭୁବନେଶ୍ୱର ଫେରିବା ପରେ ଜେଡ଼ିୟୁ ପ୍ରାର୍ଥୀ ହରିବଂଶଙ୍କୁ ଦଳ ସମର୍ଥନ କରିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଖେଳ ସାରି ଥିଲେ । କଂଗ୍ରେସ ପକ୍ଷରୁ ଉପାଧ୍ୟକ୍ଷ ପ୍ରାର୍ଥୀ ଚୟନ ନେଇ ଶେଷ ପର୍ଯ୍ୟନ୍ତ ଯେଉଁ ଅସ୍ଥିରତା ଲାଗି ରହିଲା ତାହା ବିଚଳିତ କଲା ଭଳି । ତେଣୁ, ଉଭୟ ଶିବ ସେନା ଓ ବିଜେଡ଼ି ବୁଧବାର ସନ୍ଧ୍ୟାରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନ ସ୍ଥିର କରି ନେଲେ ବୋଲି ଅନୁମାନ କରାଯାଇପାରେ ।
ଗୁରୁବାର ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଭୋଟ ପୂର୍ବରୁ ବିଜେଡ଼ି ପକ୍ଷରୁ ଗଣମାଧ୍ୟମ ନିକଟରେ ଯେଉଁ ସଫେଇ ଦିଆଯାଇଛି ତାହା ଆତି ତାତ୍ପର୍ଯ୍ୟପୂର୍ଣ୍ଣ । ବିଜେଡ଼ି ପକ୍ଷରୁ କୁହାଯାଇଛି – ଉଭୟ ଜେଡ଼ିୟୁ ଓ ବିଜେଡ଼ି ମଧ୍ୟରେ ରାଜନୈତିକ ଚିନ୍ତାଧାରାର ସାଂମଂଜସ୍ୟ ରହିଛି । ଦୁଇ ଦଳର ମୂଳଭିତ୍ତି ହେଉଛି ଜୟପ୍ରକାଶ ନାରାୟଣଙ୍କ ଆନେ୍ଦାଳନ । କଂଗ୍ରେସ ଦଳର ଉପାଧ୍ୟକ୍ଷ ପ୍ରାର୍ଥୀ ବି.କେ. ହରିପ୍ରସାଦ ଓଡ଼ିଶାର ଏଆଇସିସି ପ୍ରଭାରୀ ଦାୟିତବରେ ଥିବା ସମୟରେ ବିଜେଡ଼ି ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ତେଣୁ, ବିଜେଡ଼ି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ଜେଡ଼ିୟୁର ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଲା । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପକ୍ଷରୁ ଯଦି ଅନ୍ୟ କେହି ଓଜନଦାର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଥା’ନ୍ତେ ତେବେ ବିଜେଡ଼ିର ଭୂମିକା ଅନ୍ୟ କିଛି ହୋଇଥା’ନ୍ତା ବୋଲି ଏଥିରୁ ଅନୁମାନ କରିହେବ ।
ଏଠାରେ ଉଲ୍ଲେଖନୀୟ ଯେ, ବିଜେପି ରାଷ୍ଟ୍ରୀୟ ସଭାପତି (ଚାଣକ୍ୟ) ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡ଼ିଏରେ ଥାଇ ସୁଦ୍ଧା ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିବା ଜେଡ଼ିୟୁକୁ ମନାଇବା ପାଇଁ ବିହାର ଯାଇ ଜେଡ଼ିୟୁ ମୁଖ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ଆଲୋଚନା କରି ଥିଲେ । ପରେ, ଦଳକୁ ସନ୍ତୁଷ୍ଟ କରିବା ସକାଶେ ପ୍ରଥମ ଥର ପାଇଁ ୨୦୧୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାମ୍ବାଦିକ ହରିବଂଶ ନାରାୟଣ ସିଂହଙ୍କୁ ଏନଡ଼ିଏ ପକ୍ଷରୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିଥିଲେ । ସିଂହଙ୍କୁ ସମର୍ଥନ ଦେବାକୁ ଶାହାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରମୁଖ ବିଜେଡ଼ି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଟେଲିପୋନ କରି ଅନୁରୋଧ କରିଥିଲେ । ଏନଡ଼ିଏ ଭିତରେ ଓ ବାହାରେ ଥିବା ଅନ୍ୟ ରାଜନୈତିକ ଦଳଙ୍କୁ ମଧ୍ୟ ବିଜେପି ସହଯୋଗ ମାଗି ଥିଲା । ବିଜେପିର ଉପାଧ୍ୟକ୍ଷ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ପଂଜାବର ଶୀରୋମଣି ଅକାଳୀ ଦଳ ମଧ୍ୟ ଶେଷରେ ନରମି ଯାଇ ବୁଧବାର ଦିନ ଏନଡ଼ିଏ ପ୍ରାର୍ଥୀ ସିଂହଙ୍କ ପ୍ରସ୍ତାବକ ରହି ଥିଲା । ଦଳ ପକ୍ଷରୁ ସାଂସଦ ଏସଏସ ଧୁଣ୍ଡସା ପ୍ରସ୍ତାବପତ୍ରରେ ଦସ୍ତଖତ କରିଥିଲେ ।
କିନ୍ତୁ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଘନ ଘନ ବୈଠକ ବସି ସୁଦ୍ଧା ବୁଧବାର ପର୍ଯ୍ୟନ୍ତ ବିରୋଧୀଙ୍କ ଆଡୁ ପ୍ରାର୍ଥୀ କିଏ ହେବ ଚୂଡାନ୍ତ ହୋଇପାରି ନଥିଲା । ପ୍ରଥମେ ଟିଏମସି (ତୃଣମୂଳ କଂଗ୍ରେସ) ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କ ନାମ ଆଲୋଚନାକୁ ଆସି ଥିଲା । ରାୟ ପ୍ରାର୍ଥୀ ହେଲେ ଟିଏମସି ମୁଖ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେଡ଼ି ଓ ଶିବ ସେନା ଭଳି ଗୁରୁତ୍ୱ ରଖୁ ଥିବା ଦଳଙ୍କୁ ମନାଇ ପାରିବେ ବୋଲି ଆଶା ଥିଲା । ତେବେ, ବିରୋଧୀ ମେଂଟ ଟିଏମସି ସାଂସଦ ରାୟଙ୍କ ନାମରେ ମୋହର ଲାଗାଇବା ପରିବର୍ତେର୍ ମହାରାଷ୍ଟ୍ରର ଜଣେ ପୂର୍ବତନ ମେୟର (ପୁନେର) ବନ୍ଦନା ଚଭନ(ଏନସିପି)ଙ୍କ ନାମରେ ମୋହର ଲଗାଇ ଥିଲେ । ମଙ୍ଗଳବାର ରାତି ପର୍ଯ୍ୟନ୍ତ ବନ୍ଦନା ଚଭନ ଚର୍ଚ୍ଚାରେ ରହି ଥିଲେ । ତେବେ, ଶିବ ସେନା ସମର୍ଥନ ଦେବାକୁ ରାଜି ହେଲେ ହିଁ ଏନସିପି ବନ୍ଦନାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଓ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ସ୍ପଷ୍ଟ କରି ଦେବାରୁ ଶେଷରେ କଂଗ୍ରେସ ଦଳ ବୁଧବାର କର୍ଣ୍ଣାଟକର ରାଜ୍ୟସଭା ସାଂସଦ ବି.କେ. ହରିପ୍ରସାଦଙ୍କ ନାମ ଚୂଡାନ୍ତ କରି ଉପାଧ୍ୟକ୍ଷ ପଦ ପାଇଁ ନମାଂକନପତ୍ର ଦାଖଲ କରିଥିଲେ । ହରିପ୍ରସାଦଙ୍କୁ ସମର୍ଥନ କରି ବିଏସପିର ସତୀଶ ମିଶ୍ର, ଏନସିପିର ବନ୍ଦନା ଚଭନ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଆରଜେଡ଼ିର ମିଶା ଭାରତୀ ଓ କଂଗ୍ରେସର ଆନନ୍ଦ ଶର୍ମା ଦସ୍ତଖତ ଦେଇ ଥିଲେ । ହରିପ୍ରସାଦ ପ୍ରାର୍ଥୀ ହେବା ପରେ ବିଜେଡ଼ିର ସମର୍ଥନ ମାଗିବା ବଦଳରେ ରାଜ୍ୟରେ ଥିବା କଂଗ୍ରେସ ନେତାମାନେ ବିଜେଡ଼ି ସହ ଆଲୋଚନା କରୁଛନ୍ତି ବୋଲି ଭାଉ ମାରି ଥିଲେ ।
ଏହି ନିର୍ବାଚନ ମିଳିତ ବିରୋଧୀ ଦଳର ଶକ୍ତି ପରୀକ୍ଷାର ସମୟ ଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟର ଶକ୍ତି ସଂପର୍କରେ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାର ଏକ ସୁବର୍ଣ୍ଣ ସୁଯୋଗ ଥିଲା । କିନ୍ତୁ, କଂଗ୍ରେସ ବା ୟୁପିଏ ଏହି ସୁଯୋଗର ଉପଯୋଗ କରି ପାରିଲେ ନାହିଁ । ବି.କେ. ହରିପ୍ରସାଦଙ୍କୁ ଶେଷରେ ପ୍ରାର୍ଥୀ କରି କଂଗ୍ରେସ ନିଜର ଦୁର୍ବଳତାକୁ ପଦାରେ ପକାଇବା ସହ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିରୋଧୀ ମେଂଟର ଅବସ୍ଥା ଏଭଳି ହେବ ବୋଲି ଆଶଙ୍କାକୁ ବଳବତ୍ତର କରିଛି । ଗତ ଜୁଲାଇ ୨୧ ତାରିଖ ଦିନ ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ୟୁପିଏ ଅଧ୍ୟକ୍ଷା ଏଭଳି ବାହାସ୍ପୋଟ ମାରି ‘ବିରୋଧୀ ମେଂଟ ସପକ୍ଷରେ ଆବଶ୍ୟକ ସଂଖ୍ୟା ନାହିଁ ବୋଲି କିଏ କହିଲା’ ବୋଲି ଗଣମାଧ୍ୟମକୁ ପାଲଟା ପ୍ରଶ୍ନ କରିଥିଲେ । ତେବେ, ଭୋଟରେ ତାହା ପ୍ରତିଫଳିତ ହେଲା ନାହିଁ । ବିଜେଡ଼ି, ଶିବ ସେନା, ଟିଆରଏସ ଭୋଟ ଦାନରୁ ବିରତ ରହିଲେ । ଗୃହରେ ଉପସ୍ଥିତ ୪୫୧ ସଦସ୍ୟଙ୍କ ମଧ୍ୟରୁ ୩୨୫ ଜଣ ସରକାରଙ୍କ ସପକ୍ଷରେ ଓ ୧୨୬ ଜଣ ବିପକ୍ଷରେ ଭୋଟ ଦେଇଥିଲେ । ଫଳରେ, ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଲା । ଅଯଥାରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଲମ୍ବା ଭାଷଣ ଦେଇ ଓ ଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଯାଇ ତାଙ୍କୁ କୋଳାଗ୍ରତ କରିବା ସହ ନଜ ଆସନକୁ ଫେରି ସହାଯୋଗୀଙ୍କୁ ଆଖି ମାରି ଦ୍ୱାରା ‘ଜଣେ ଅପରିପକ୍ୱ ରାଜନେତା’ ଭାବେ ସମାଲୋଚିତ ହୋଇଥିଲେ । ରାହୁଲଙ୍କ ରାଜନୈତିକ ପରିପକ୍ୱାତାକୁ ନେଇ ଦଳ ଭିତରେ ଓ ବାହାରେ ସନେ୍ଦହ ରହି ଥିବା ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଚୟନରେ ଶେଷ ପର୍ଯ୍ୟନ୍ତ ଯେଭଳି ଅସ୍ଥିରତା ଲାଗି ରହିଲା ତାହା କଂଗ୍ରେସର ଦୁର୍ବଳ ନେତୃତ୍ୱକୁ ପଦାରେ ପକାଇଛି । ୨୦୧୯ ସାଧାରଣ ନିର୍ବାଚନରେ କେବଳ ବିଜେପିକୁ ପରାଜିତ କରିବା ଲକ୍ଷ୍ୟରେ ବିରୋଧୀଙ୍କ ଯେଉଁ ମେଂଟ ହେଉଛି ତାହା କେବଳ ‘ପାଣି ଫୋଟକା’ ଭଳି ବୋଲି ବିଜେପି କହୁଛି । ଏହି ଉକ୍ତିରେ ସତ୍ୟତା ଥିବା ଆଜିର ପରିଣତିରୁ ସ୍ପଷ୍ଟ ବାରି ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS