ଦେଶର ସବୁ ଉପାସନାସ୍ଥଳର ଜୁଡିସିଆଲ ଅଡିଟ୍ କେତେଦୂର ସମ୍ଭବ !
ନୂଆଦିଲ୍ଲୀ, ଅଗଷ୍ଟ ୨୪ (ପ୍ରସାଦ ରାଓ): ପୁରୀ ଶ୍ରୀମନ୍ଦିର ଢାଂଚାରେ ଦେଶର ସମସ୍ତ ଧର୍ମାନୁଷ୍ଠାନ ଓ ଦାତବ୍ୟ ଅନୁଷ୍ଠାନର ଜୁଡ଼ିସିଆଲ ଅଡିଟ୍ ହେବ । ଏହି ମର୍ମରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରମି କୋର୍ଟ ଗତ ମାସରେ ନିର୍ଦେଶ ଦେଇଛନ୍ତି । ଏହାଦ୍ୱାରା, ଧର୍ମ ନିର୍ବିଶେଷରେ ଦେଶର ସବୁ ଉପାସନାସ୍ଥଳ ଓ ଦାତବ୍ୟ ଅନୁଷ୍ଠାନରେ ସଂସ୍କାର ଆଣିବାକୁ ସୁପ୍ରମି କୋର୍ଟ ଯେ ବଦ୍ଧ ପରିକର ତାହା ସ୍ପଷ୍ଟ ହେଉଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପରିଚାଳନାଗତ ଅବ୍ୟବସ୍ଥା ସମେତ ଅନ୍ୟାନ୍ୟ ସମସ୍ୟାକୁ ନେଇ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)ରେ ସୁପ୍ରିମ କୋର୍ଟ ଓଡ଼ିଶା ହାଇକୋର୍ଟ ମାଧ୍ୟମରେ ପୁରୀ ଜିଲ୍ଲା ଜଜ୍ ଙ୍କୁ ବିଭିନ୍ନ ଅଭିଯୋଗର ତଦନ୍ତ ଦାୟିତ୍ୱ ଦେଇଥିଲେ । ଜିଲ୍ଲା ଜଜ୍ ଙ୍କ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ କୋର୍ଟ ତାଙ୍କ ପ୍ରସ୍ତାବଗୁଡିକୁ ଗ୍ରହଣ କରି ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନାଗତ ସଂସ୍କାର ପାଇଁ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି । ଯାହାକି, ଶହ ଶହ ବର୍ଷ ଧରି ଚାଲି ଆସି ଥିବା ପରଂପରାର ପରିପନ୍ଥୀ କହି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ବିଦ୍ରୋହର ସୂତ୍ରପାତ କରିଛି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତିମାନେ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ସେହି ଢାଂଚାରେ ଦେଶର ସମସ୍ତ ଉପାସନାସ୍ଥଳ ଓ ଦାତବ୍ୟ ଅନୁଷ୍ଠାନର ଜୁଡିସିଆଲ ଅଡ଼ିଟ୍ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଦେଶରେ ଆଉ ଏକ ଝଡର ସୂତ୍ରପାତ କରିବ ବୋଲି ଆଶଙ୍କା କରାଯାଉଛି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋୟେଲ (ବର୍ତମାନ ଅବସରପ୍ରାପ୍ତ) ଓ ବିଚାରପତି ଜଷ୍ଟିସ ଏସ୍ ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ମାସରେ ଏହି ନିର୍ଦେଶ ଦେଇଛନ୍ତି । ଦେଶର ସମସ୍ତ ଜିଲ୍ଲା ଜଜ୍ ସେମାନଙ୍କ ବିଚାର ବିଭାଗୀୟ ପରିଧୀ ମଧ୍ୟରେ ଥିବା ଧର୍ମାନୁଷ୍ଠାନ ଓ ଦାତବ୍ୟ ଅନୁଷ୍ଠାନରେ ପ୍ରବେଶ ଅନୁମତି, ପରିଚ୍ଛନ୍ନତା, ସଂପତ୍ତି ଏବଂ ଆୟ ବ୍ୟୟ ହିସାବକୁ ନେଇ ଯେ କୌଣସି ଅଭିଯୋଗର ଯାଂଚ (ଜୁଡିସିଆଲ ଅଡ଼ିଟ) କରିବା ସହ ଆବଶ୍ୟକ ସ୍ଥଳେ ସଂପୃକ୍ତ ହାଇକୋର୍ଟଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦେଶ ଦେଶର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଏବଂ ଦାତବ୍ୟ ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ବୋଲି ମଧ୍ୟ ସ୍ପଷ୍ଟ କରି ଦିଆଯାଇଛି । ଦେଶରେ ୨୦ ଲକ୍ଷ ପ୍ରତିଷ୍ଠିତ ମନ୍ଦିର, ୩ ଲକ୍ଷ ସକ୍ରିୟ ମସଜିଦ ଏବଂ ହଜାର ହଜାର ସଂଖ୍ୟକ ଚର୍ଚ୍ଚ ରହିଛି । ଏହି ସବୁ ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତମାନେ ପ୍ରବେଶ ଅନୁମତି, ପରିଚ୍ଛନ୍ନତା, ପରିଚାଳନାଗତ ଅବ୍ୟବସ୍ଥାକୁ ନେଇ ଯାହା କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଉପରେ ସଂପୃକ୍ତ ଜିଲ୍ଳାର ଜିଲ୍ଲା ଜଜ୍ ଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରି ପାରିବେ । ଜିଲ୍ଲା ଜଜ୍ ମାନେ ନିଜେ ବା ସେମାନଙ୍କ ଅଧିନରେ ଥିବା ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କ ଦ୍ୱାରା ତାହାର ତଦନ୍ତ କରାଇ ଆବଶ୍ୟକ ମନେ କଲେ ହାଇକୋର୍ଟଙ୍କୁ ରିପୋର୍ଟ ପଠାଇବେ । ହାଇକୋର୍ଟ ତାହାକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ଆଇନ ମୁତାବକ ବିଚାରଣା କରିବା ସହ ଉପଯୁକ୍ତ ନିର୍ଦେଶନାମା ଜାରି କରିବେ ବୋଲି ଖଣ୍ଡପୀଠ କହିଛନ୍ତି । କେବଳ, ପ୍ରବେଶ ଅନୁମତି ଓ ପରିଚ୍ଛନ୍ନତା ନୁହେଁ, ଭକ୍ତମାନେ ସଂପୃକ୍ତ ଧର୍ମାନୁଷ୍ଠାନର ପରିଚାଳନାଗତ ସମସ୍ୟା, ମିଳୁ ଥିବା ଦାନ ଅର୍ଥର ସୁବିନିଯୋଗ, ସଂପତ୍ତିର ସୁରକ୍ଷାକୁ ନେଇ ଯଦି ମଧ୍ୟ କିଛି ଅଭିଯୋଗ ଥିଲେ ତାହା ମଧ୍ୟ ଜିଲ୍ଲା ଜଜ୍ ଙ୍କ ଦୃଷ୍ଟିକୁ ଆଣି ପାରିବେ ।
ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଯୁକ୍ତି ହେଉଛି, ଦେଶରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ ରହି ଥିବା ସମସ୍ୟାଗୁଡିକ ଉପରେ ନଜର ରଖିବା କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, କୋର୍ଟଙ୍କ ମଧ୍ୟ ଦାୟିତ୍ୱ ରହିଛି । ସର୍ବୋଚ୍ଚ ନ୍ୟାୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ହାଇକୋର୍ଟ ଓ ଜିଲ୍ଲା କୋର୍ଟ ମାନଙ୍କରେ ବହୁ ସଂଖ୍ୟକ ବିଚାରପତି ଓ ବିଚାର ବିଭାଗୀୟ କର୍ମଚାରୀ ପଦ ଖାଲି ପଡିଛି । ବିଭିନ୍ନ କୋର୍ଟରେ ପାଖାପାଖି ୩ କୋଟି ମକଦ୍ଦମା ବିଚାରାଧୀନ ପଡି ରହିଛି । ଏହି ପରିସ୍ଥିତିରେ, ଦେଶର ଲକ୍ଷ ଲକ୍ଷ ଧର୍ମାନୁଷ୍ଠାନର ଜୁଡିସିଆଲ ଅଡିଟ କରିବା ବିଚାର ବିଭାଗ ଉପରେ ଚାପବୃଦ୍ଧି ଛଡା ଆଉ କିଛି ନୁହଁ । ଏହା ଜାଣି ମଧ୍ୟ ସୁପ୍ରିମ କୋର୍ଟ ନିଜ ଆଡୁ ଏଭଳି ସଂସ୍କାର ପାଇଁ ଆଗ୍ରହ ପ୍ରକାଶ କରି ଥିବା ଅନେକଙ୍କୁ ବିସ୍ମିତ କରିଛି । ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ କେବଳ ତାମିଲନାଡୁରେ ୭ ହଜାର ଆଂଟିକ ମନ୍ଦିର ଥିବା କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦେଶରେ ଏଭଳି ବହୁ ସଂଖ୍ୟକ ଛୋଟ, ବଡ଼ ଧର୍ମାନୁଷ୍ଠାନ ରହିଛି, ଯାହାର କି ନିର୍ଧିଷ୍ଟ ପରିଚାଳନା ନୀତି ବା ଅଙ୍କୁଶ ନାହିଁ । ସେସବୁ ଧର୍ମାନୁଷ୍ଠାନର ଜୁଡ଼ିସିଆଲ ଅଡିଟ୍ ଚ୍ୟାଲେଂଜ ସଦୃଶ ହେବ । ଜିଲ୍ଲା ଜଜ୍ ମାନେ ଏଭଳି ଧର୍ମାନୁଷ୍ଠାନରେ ପ୍ରବେଶ ଅନୁମତି, ପରିଚ୍ଛନ୍ନତା, ଆର୍ଥିକ ସ୍ଥିତି, ଖର୍ଚ୍ଚର ହିସାବ ସଂପର୍କରେ ଯାଂଚ କରିବା ସକାଶେ ସ୍ଥାନୀୟ ପ୍ରଶାସନର ସମୟ ଓ ସହାୟତା ନେବାକୁ ବାଧ୍ୟ । ଅଭିଯୋଗଗୁଡ଼ିକର ଯାଂଚ ପାଇଁ ସ୍ଥାନୀୟ ପ୍ରଶାସନ ସମୟ ସହ ଅବଶ୍ୟକ ସଂଖ୍ୟକ କର୍ମଚାରୀ ବନେ୍ଦାବସ୍ତ କରିବା ମଧ୍ୟ ଏକ ସମସ୍ୟା ହୋଇପାରେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ଏସବୁ ସମସ୍ୟା ଅବଗତ ହେବା ପରେ ମଧ୍ୟ ଜୁଡ଼ିସିଆଲ ଅଡିଟ୍ ସପକ୍ଷରେ ମତ ଦେଇଛନ୍ତି ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରତି ଦୁର୍ବ୍ୟବହାର ସମେତ ବିଭିନ୍ନ ପରିଚାଳନାଗତ ସମସ୍ୟା ରହି ଥିବା ନେଇ ସୁଶ୍ରୀ ମୃଣାଳିନୀ ପାଢୀ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ତାହା ଉପରେ ବିଚାରଣା କରି ଶ୍ରୀମନ୍ଦିର ପାଇଁ ବିଭିନ୍ନ ସଂସ୍କାରମୂଳକ ପ୍ରସ୍ତାବ ଦେବା ଅବସରରେ ଦେଶର ସମସ୍ତ ଧର୍ମାନୁଷ୍ଠାନ ଓ ଦାତବ୍ୟ ଅନୁଷ୍ଠାନର ଅନୁରୂପ ଜୁଡ଼ିସିଆଲ ଅଡିଟ୍ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ କେବଳ ହିନ୍ଦୁଙ୍କ ପ୍ରବେଶ ଅନୁମତି ଥିବା ବେଳ ଧର୍ମ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ମିଳିବା ସପକ୍ଷରେ କୋର୍ଟ ମତ ଦେଇ ମହୁଫେଣାରେ ହାତ ମାରିଛନ୍ତି । ‘ହିନ୍ଦୁତ୍ୱ’ ଅନ୍ୟ କୌଣସି ଧର୍ମ ବା ବିଶ୍ୱାସକୁ ପଦାନତ କରି ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଛନ୍ତି । ପୁରୀ ଜିଲ୍ଲା ଜଜ୍ ଯେଉଁ ସବୁ ସଂସ୍କାର ପ୍ରସ୍ତାବ ଦେିଛନ୍ତି ତାହା ଉପରେ ଶ୍ରୀଜଗନ୍ନାଥ ମନ୍ଦିର ସହ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଆବଶ୍ୟକ ସୁପାରିଶ କରିବାକୁ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ୱ ଦେଇଛନ୍ତି । ତେବେ, କୋର୍ଟଙ୍କ ବିଭିନ୍ନ ସଂସ୍କାର ପ୍ରସ୍ତାବକୁ ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତିଙ୍କ ମଧ୍ୟରେ ରଥଯାତ୍ରା ପୂର୍ବରୁ ଲାଗି ରହିଥିବା ବିବାଦର ଅବସାନ ଘଟୁ ନାହିଁ । ବିଶେଷକରି, ଶ୍ରୀମନ୍ଦିରରେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରବେଶ, ବଂଶାନୁକ୍ରମିକ ସେବା ପ୍ରଥା ଏବଂ ଆଟିକା ଓ ଥାଳି ଦାନ ଉଚ୍ଛେଦ ଭଳି ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ଭିନ୍ନମତ ପ୍ରକାଶ କରିଛନ୍ତି । ଜିଲ୍ଲା ଜଜ୍ ଙ୍କ ସଂସ୍କାର ପ୍ରସ୍ତାବ ସବୁ ଦଇତାପତି ନିଯୋଗ ଓ ସେବାୟତମାନଙ୍କ ଗ୍ରହଣୀୟ ହୋଇ ପାରୁ ନାହାନ୍ତି । ୧୨ଟି ସଂସ୍କାର ପ୍ରସ୍ତବା ମଧ୍ୟରୁ ୩ଟି ବିବଦମାନ ଅବସ୍ଥାରେ ଥିବା ଶ୍ରୀମନ୍ଦିର ପ୍ରଶାସନ କହୁଥିବା ବେଳେ କୌଣସି ପସ୍ତାବ ଏପର୍ଯ୍ୟନ୍ତ ସେମାନେ ଗ୍ରହଣ କରି ନାହାନ୍ତି ବୋଲି ଦଇତାପତି ନିଯୋଗ କହୁଛନ୍ତି । ଏଭଳି ଏକ ବିବଦମାନ ଅବସ୍ଥରେ ପୁରୀ ଶ୍ରୀମନ୍ଦିରର ସଂସ୍କାର ଲଟକି ରହି ଥିବା ବେଳେ ଦେଶର ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ, ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଓ ଦାତବ୍ୟ ଅନୁଷ୍ଠାନର ଜୁଡିସିଆଲ ଅଡିଟ୍ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ କେତେଦୂର ବାସ୍ତବ ରୂପ ନେବ, ତାହା ଆଜିର ବଡ ପ୍ରଶ୍ନ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS