ଦେଶରେ ଆଉ ୨୨ଟି ନୂଆ ‘ଏମସ୍’ ଖୋଲିବ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, ଅଗଷ୍ଟ ୨୬ (ମୋଅନୁଭବ.କମ୍): ଦେଶର ବିଭିନ୍ନ ଅଂଚଳରେ ଆଉ ୨୨ଟି ନୂଆ ‘ଏମସ୍’ (ଏଆଇଆଇଏମଏସ) ଖୋଲିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏଠାରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଏସବୁ ଖୋଲା ଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶରେ କୁଶଳୀ ମାନବ ସମ୍ବଳର ଅଭାବ ଥିବା ସ୍ୱୀକାର କରି ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ଓ ଏହାର ଆନୁସଂଗିକ କ୍ଷେତ୍ରରେ ଆଂଚଳିକ ଅସମତା ଦୂର କରିବା ସକାଶେ କେନ୍ଦ୍ର ସରକାର ୨୨ଟି ନୂଆ ‘ଏମସ୍’ ଖୋଲିବା ସହ ଉଚ୍ଚ ମାନର ମେଡିକାଲ ଶିକ୍ଷା ପ୍ରତି ଅଗ୍ରାଧିକାର ଦେଉଛନ୍ତି ।
ଶନିବାର ଭୁବନେଶ୍ୱର ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ (ଏଆଇଆଇଏମଏସ)ର ପ୍ରଥମ କନଭୋକେସନ୍ ଉତ୍ସବରେ ଉଦବୋଧନ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡା କହିଛନ୍ତି ଯେ, ଦେଶରେ ସ୍ୱାସ୍ଥ୍ୟ ଉଦ୍ୟୋଗର ପ୍ରତିଟି କ୍ଷେତ୍ରରେ କୁଶଳୀ ମାନବ ସମ୍ବଳର ଅଭାବ ଥିବାରୁ କେନ୍ଦ୍ର ସରକାର ମଡିକାଲ ଶିକ୍ଷାର ବ୍ୟାପକ ସଂପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ମେଡିକାଲ ଶିକ୍ଷା ହେଉଛି ସ୍ୱାସ୍ଥ୍ୟସେବା ପିରାମିଡର ସର୍ବୋଚ୍ଚ କ୍ଷେତ୍ର । ଗୁଣାତ୍ମକ ଶିକ୍ଷା ମାଧ୍ୟମରେ କୁଶଳୀ ଗ୍ରାଜୁଏଟ ଡାକ୍ତର ଓ ସ୍ପେଶାଲିଷ୍ଟ ତିଆରି କରାଯାଇ ପାରିଲେ ହିଁ ଆଗାମୀ ପିଢି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇ ପାରିବେ । ତେଣୁ, ସରକାର ମେଡିକାଲ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ବଦ୍ଧ ପରିକର । ଡ଼ାକ୍ତରଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିବା, ଦେଶରେ ଅଧିକ ସଂଖ୍ୟକ ମେଡିକାଲ ଓ ନର୍ସିଂ ସ୍କୁଲ ଖୋଲିବା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷଜ୍ଞ ଚିକିତ୍ସକଙ୍କ ଅଭାବ ଦୂର କରିବା ଦିଗରେ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଦେଶରେ ମେଡିକାଲ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସକାଶେ ସରକାର ଗ୍ରାଜୁଏଟ୍ ମେଡିକାଲ ଶିକ୍ଷା ରେଗୁଲେସନ ଓ ପୋଷ୍ଟ୍ ଗ୍ରାଜୁଏଟ୍ ମେଡିକାଲ ଶିକ୍ଷା ରେଗୁଲେସନରେ ଯଥାଯଥ ସଂଶୋଧନ କରିଛନ୍ତି । ମେଡିକାଲ କଲେଜରେ ଆଡମିସନ ପାଇଁ କମନ୍ କାଉନସିଲିଂକୁ ବାଧ୍ୟତାମୂଳକ କରାଯାଇଛି । ୨୦୧୪-୧୫ ପରଠାରୁ ପୋଷ୍ଟ ଗ୍ରାଜୁଏଟ ସିଟ୍ ସଂଖ୍ୟା ୮,୫୦୦ରୁ ଅଧିକ ଓ ଅଂଡର ଗ୍ରାଜୁଏଟ ସିଟ୍ ସଂଖ୍ୟା ୧୬,୦୦୦ରୁ ଅଧିକ ବୃଦ୍ଧି କରାଯାଇଛି । ଦେଶରେ ଥିବା ୭୦ଟି ମେଡିକାଲ କଲେଜରେ ସୁପର ସ୍ପେଶାଲିଟ୍ ବ୍ଲକମାନ ଖୋଲାଯାଇ କଲେଜଗୁଡିକୁ ଅପଗ୍ରେଡ୍ କରାଯାଇଛି ବୋଲି ନଡ୍ଡା କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS