କ୍ୟାବିନେଟ୍ ବୈଠକ ହେଲା, କିନ୍ତୁ ବିଧାନସଭା ଭଙ୍ଗ ନିଷ୍ପତ୍ତି ହେଇନି


ହାଇଦ୍ରାବାଦ, ୦୨ ସେପ୍ଟେମ୍ବର: ବର୍ଷା ସତ୍ୱେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତେଲେଙ୍ଗାନା ରାଜ୍ୟ ସରକାର ଆଜି (ରବିବାର) କୋଙ୍ଗାରା କାଲାନା ଠାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ କରି ଥିଲେ ମଧ୍ୟ ଏହି ବୈଠକରେ ବିଧାନସଭାକୁ ଭଙ୍ଗ କରି ରାଜ୍ୟରେ ଆଗୁଆ ନିର୍ବାଚନ କରାଇବାକୁ କୌଣସି ନିଷ୍ପତ୍ତି ହୋଇ ନ ଥିବା ସୂଚନା ମିଳିଛି । ଅପରାହ୍ନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, କୋଙ୍ଗାରା କାଲାନା ଠାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ପକ୍ଷରୁ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇ ଥିବାରୁ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ହଜାର ହାଜାର ସଂଖ୍ୟକ ଲୋକ ସେଠାରେ ଏକତ୍ରିତ ହୋଇଛନ୍ତି । କ୍ୟାବିନେଟ୍ ବୈଠକରେ ଆଗୁଆ ନିର୍ବାଚନ ସଂପର୍କରେ କିଛି ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ସାଧାରଣ ସଭାରେ ଏସଂପର୍କରେ କିଛି ଘୋଷଣା କରି ପାରନ୍ତି ବୋଲି ସେମାନେ ଆଶା କରୁଛନ୍ତି । ଟିଆରଏସ୍ କର୍ମୀମାନେ ଗୋଲାପି ସ୍କାର୍ଫ ପିନ୍ଧି ଓ ଗୋଲାପି ରଂଗର ପତାକା ଧରି ସଭା ସ୍ଥଳରେ ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆଜି (ସେପ୍ଟେମ୍ବର ୨ ତାରିଖ) ହେଉଛି ନୂତନ ତେଲେଙ୍ଗାନା ରାଜ୍ୟ ଗଠନର ଚତୁର୍ଥ ବାର୍ଷିକୀ । ଏହି ଅବସରରେ ଶାସକ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ତାହାର ୪ ବର୍ଷର ଶାସନରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇବା ପାଇଁ ଏହି ସଭାର ଆୟୋଜନ କରିଛି । ୨୦୧୯ ମେ’ରେ କେସିଆର (ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ)ଙ୍କ କାର୍ଯ୍ୟକାଳ ଶେଷ ହେବ । ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗୁଆ ନିର୍ବାଚନ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ବ୍ୟଗ୍ର ଥିବା କେସିଆର ଆଜି ବିଧାନସଭା ଭଙ୍ଗ ଘୋଷଣା କରି ଚଳିତ ବର୍ଷର ଶେଷ ଆଡକୁ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ସହ ତେଲେଙ୍ଗନା ରାଜ୍ୟ ବିଧାନସଭା ନିର୍ବାଚନ କରାଇବାକୁ ଚାହୁଁ ଥିବା ଜଣାପଡିଛି । ଦେଶରେ ବିରୋଧୀ ଦଳମାନେ ସଂଗଠିତ ହେଉଥିବା ଦେଖି କେସିଆର ଚାନିଆ ହୋଇ ଆଗୁଆ ନିର୍ବାଚନ କରାଇବାକୁ ବ୍ୟଗ୍ର ଥିବା ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS