ତୈଳ ରାଜନୀତି: ଖାଉଟୀଙ୍କୁ ବୋକା ବନାଉଛନ୍ତି ଉଭୟ ବିଜେପି ଓ ବିଜେଡି ସରକାର
ଭୁବନେଶ୍ୱର, ସେପ୍ଟେମ୍ବର ୦୬ (ପ୍ରସାଦ ରାଓ): ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିତର୍କ ବଢିବାରେ ଲାଗିଛି । ଉଭୟେ ନିଜକୁ ‘ମିଷ୍ଟର କ୍ଲିନ୍’ ଦର୍ଶାଇବାକୁ ଯାଇ ବିଭିନ୍ନ ଆଳର ଆଶ୍ରୟ ନେଉଥିବା ବେଳେ ତୈଳ ଦର ବୃଦ୍ଧିରେ ପେଷି ହେଉଛନ୍ତି ସାଧାରଣ ଖାଉଟୀ । ତୈଳ ଦରକୁ ନେଇ ଓଡ଼ିଶାରେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି । ପେଟ୍ରୋଲ ଓ ଡ଼ିଜେଲ ଦର ଲଗାମଛଡା ହେବାର କାରଣ ସଂପର୍କରେ ରାଜ୍ୟବାସୀଙ୍କୁ ସଚେତନ କରିବା ପାଇଁ (କେନ୍ଦ୍ର ବିଜେପି ସରକାର ବିରୋଧରେ) ବିଜେଡ଼ି ପକ୍ଷରୁ ଆସନ୍ତା କାଲି ଠାରୁ ୯ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ପେଟ୍ରୋଲ ପଂପ୍ ଗୁଡିକ ନିକଟରେ ଜନଜାଗରଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ବେଳେ ବିଜେପି ଏହାକୁ ‘ଶସ୍ତା ରାଜନୀତି’ କହି ଏଡାଇ ଯିବାକୁ ଉଦ୍ୟମ କରୁଛି । ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ବିକ୍ରିରୁ ଭାଟ୍ ଓ ଅନ୍ୟ ବାଟରେ ଯେଉଁ ରାଜସ୍ୱ ପାଉଛନ୍ତି ସେଥିରୁ କିଛି ଖାଉଟୀଙ୍କୁ ରିହାତି ଦେବା ବାବଦରେ ଖର୍ଚ୍ଚ କଲେ ଖାଉଟୀ କମ୍ ମୂଲ୍ୟରେ ଏହି ଦୁଇ ଉତ୍ପାଦ ପାଇ ପାରନ୍ତେ ବୋଲି ଓଲଟା ବିଜେପି ନେତାମାନେ ଯୁକ୍ତି ବାଢୁଛନ୍ତି । ରାଜ୍ୟରେ ନିଜ ଦୁର୍ବଳ ସଂଗଠନକୁ ସଜାଡିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଦଳ କେନ୍ଦ୍ରରେ ଥିବା ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କୁ ଟାର୍ଗେଟ୍ କରି ତୈଳ ଦରବୃଦ୍ଧିରୁ ଫାଇଦା ଖୋଜୁଛି। ୨୦୧୯ ବା ତା’ ପୂର୍ବରୁ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ତିନି ରାଜନୈତିକ ଦଳର ଏହି କସରତ ଖାଉଟୀଙ୍କୁ ବୋକା ବନାଇବା ପାଇଁ ଯେ ଉଦ୍ଦିଷ୍ଟ, ଏଥିରୁ ସ୍ପଷ୍ଟ ଜଣାପଡୁଛି ।
୨୦୧୮ ଅଗଷ୍ଟ ମାସ ମଧ୍ୟ ଭାଗରୁ ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦର ନିରନ୍ତର ବଢି ଚାଲିଛି । ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଛୁଇଁବାକୁ ବସିଲାଣି । ଏହା ୧୦୦ରେ ପହଂଚି ଯାିପାରେ ବୋଲି ଜନସାଧାରଣ ଆଶଙ୍କା କରୁଛନ୍ତି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢୁଥିବା ବେଳେ ଦେଶରେ ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ କମିବାରେ ରେକର୍ଡ ଛୁଇଁଛି । ଟଙ୍କା ମୂଲ୍ୟରେ ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡ଼ିଜେଲର ଦର କମିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେଲ ଦର ବୃଦ୍ଧିରେ ଲଗାମ ଲଗାଇବାର ଏକମାତ୍ର ବିକଳ୍ପ ହେଉଛି – କେନ୍ଦ୍ର ଓ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡ଼ିଜେଲରୁ ପାଉ ଥିବା ଶୁଳ୍କକୁ କମାଇ ଖାଉଟୀଙ୍କ କିଛି ରିହାତି ଦେବା । କାରଣ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡ଼ିଜେଲରେ ଉତ୍ପାଦ ଶୁଳ୍କ ବଢାଇ ଦରବୃଦ୍ଧିର କାରଣ ହୋଇ ଥିବା ବେଳେ ଓ ରାଜ୍ୟ ସରକାରମାନେ ଏହା ଉପରେ ଭାଟ୍ ଓ ଅନ୍ୟାନ୍ୟ ଶୁଳ୍କ ବଢାଇ ବେଶ୍ ଆୟ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟୀଙ୍କ ଠାରୁ ଟିକସ ବାବଦରେ ଯେତିକି ଅର୍ଥ ଆଦାୟ କରୁଛନ୍ତି ତାହା ପେଟ୍ରୋଲ ଓ ଡ଼ିଜେଲର କ୍ରୟ ମୂଲ୍ୟ ସହ ପ୍ରାୟତଃ ସମାନ । ଏହାଛଡା, ଡ଼ିଲର କମିସନ ରହିଛି । ଏସବୁ ମିଶାଇ ପ୍ରତିଦିନ ପେଟ୍ରୋଲ ଓ ଡ଼ିଜେଲର ଯେଉଁ ଲିଟର ପିଛା ଦର ନିର୍ଦ୍ଧାରଣ ହେଉଛି, ତାହା ଖାଉଟୀଙ୍କ ନିକଟରେ ମୂଳ କ୍ରୟ ମୂଲ୍ୟରୁ ଦୁଇ ଗୁଣ ଦୁଇ ଅଧିକ ଦରରେ ପହଂଚୁଛି । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାକୁ ପ୍ରସ୍ତୁତ ନୁହନ୍ତି । ରାଜ୍ୟ ସରକାରମାନେ ଭାଟ୍ ଓ ଏହା ଉପରେ ଲାଗୁ କରିଥିବା ଅନ୍ୟ ଟିକସ କମାଇବା ସପକ୍ଷରେ ନାହାନ୍ତି । ତେଣୁ, ତୈଳ ଦର ଅନିୟନ୍ତ୍ରିତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ୩୯ ଟଙ୍କା ଓ ଡ଼ିଜେଲ ଲିଟର ପିଛା ୩୫ ଟଙ୍କା ଟିକସ ଆଦାୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଟିକସ ପରିମାଣ ପେଟ୍ରୋଲରେ ଲିଟର ପିଛା ୧୯ ଟଙ୍କା ୪୮ ପଇସା ଥିବା ବେଳେ ଡ଼ିଜେଲରେ ୧୫ ଟଙ୍କା ୩୩ ପଇସା ରହିଛି । ଟିକସ ବାବଦରେ ଆଦାୟ ବଳକା ଅର୍ଥ ରାଜ୍ୟ ସରକାରଙ୍କ ଅଂଟିକୁ ଯାଉଛି । ଯେହେତୁ ରାଜ୍ୟ ସରକାରମାନେ ସେମାନଙ୍କ ମୋଟ ରାଜସ୍ୱର ଏକ ବଡ ଭାଗ ତେଲ ବିକ୍ରିରୁ ପାଉଛନ୍ତି ଟିକସ କମାଇବାକୁ ଚାହୁଁ ନାହାନ୍ତି । ତୈଳ ଦର ନିୟନ୍ତ୍ରଣରେ ଆମେରିକୀୟ ଡ଼ଲାର ଓ ବିଶ୍ୱ ବଜାରରେ ଆଶୋଧିତ ତୈଳର ଦର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଗତ ୧୫ ଦିନରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭ ଡ଼ଲାର ମହଙ୍ଗା ହୋଇ ଥିବା ବେଳେ ଡ଼ଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ବଡ ଧରଣର ଅବନତି ଘଟି ଏକ ଡ଼ଲାରର ମୂଲ୍ୟ ପାଖାପାଖି ୭୨ ଟଙ୍କା ସ୍ତରରେ ପହଂଚିଛି । ତେଣୁ, ସମାନ ପରିମାଣର ଅଶୋଧିତ ତୈଳ କିଣିବା ପାଇଁ ତୈଳ କଂପାନୀଙ୍କୁ ଯଥେଷ୍ଟ ଅଧିକ ମୂଲ୍ୟ ଦେବାକୁ ପଡୁ ଥିବାରୁ ସେମାନେ ଏହି ଅତିରିକ୍ତ ବୋଝ ଖାଉଟୀଙ୍କ ଉପରେ ଲଦିଛନ୍ତି । ଭାରତୀୟ ଟଙ୍କାର ମୂଲ୍ୟରେ ସୁଧାର ନ ଆସିବା ଓ ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ନ କମିବ ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର କମିବା ଏବଂ ଖାଉଟୀଙ୍କ ମୁଣ୍ଡରୁ ବୋଝ ହଟିବା ସମ୍ଭାବନା ନାହିଁ । କେବଳ,କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ରାଜ୍ୟମାନେ ଆଦାୟ କରୁଥିବା ଟିକସ ହ୍ରାସ କରାଯିବା ଉପରେ ତେଲ ଦରରେ ସୁଧାର ଆସିବା ନିର୍ଭର କରୁଛି । ତେବେ, କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବେ ନାହିଁ ବୋଲି ରୋକଠୋକ୍ ଜଣାଇ ଦେଇଥିବା ବେଳେ ରାଜ୍ୟ ସରକାରମାନେ ନିଜ ପକେଟ କଣା କରିବାକୁ ରାଜି ନାହାନ୍ତି । ଖାଉଟୀଙ୍କୁ କମ୍ ମୂଲ୍ୟରେ ପେଟ୍ରୋଲ ଓ ଡ଼ିଜେଲ ଯୋଗାଇବାର ଅନ୍ୟ ଏକ ଉପାୟ ହେଉଛି ଜିଏସଟି (ଗୁଡ୍ସ ଏଣ୍ଡ ସର୍ଭିସ ଟ୍ୟାକ୍ସ)ରେ ଏହାକୁ ଅନ୍ତର୍ଭୁକ୍ତ କରିବା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଚାହିଁଲେ ତାହା ସମ୍ଭବ ହେବ । ପେଟ୍ରୋଲ ଓ ଡ଼ିଜେଲ ଜିଏସଟି ଅନ୍ତର୍ଭୁକ୍ତ ହୋଇ ସର୍ବାଧିକ ୨୮ ପ୍ରତିଶତ ଟିକସ ଲାଗୁ ହେଲେ ବି ଖାଉଟୀ ଲିଟର ପିଛା ୨୫ ଟଙ୍କା କମ୍ ମୂଲ୍ୟରେ ଏହି ଦୁଇ ତୈଳ ଉତ୍ପାଦ ପାଇ ପାରିବେ ବୋଲି ହିସାବ କରାଯାଇଛି ।
ବିଶେଷଜ୍ଞମାନେ କହିବା ଅନୁସାରେ, ବର୍ତର୍ମାନ ପେଟ୍ରୋଲର କ୍ରୟମୂଲ୍ୟ ୩୮ ଟଙ୍କା ୬୫ ପଇସା ଥିବା ବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ସମେତ ଡ଼ିଲର କମିସନ ମିଶି ଭୁବନେଶ୍ୱରରେ ବୁଧବାର ଲିଟର ପିଛା ୭୮ ଟଙ୍କା ୩୮ ପଇସାରେ ବିକ୍ରି ହୋଇଛି । ସରକାର ପେଟ୍ରୋଲ ଲିଟର ପିଛା ଦର ଉପରେ ୨୮ ପ୍ରତିଶତ ହାରରେ ଜିଏସଟି ଲାଗୁ କଲେ ଖାଉଟୀ ପାଖାପାଖି ୫୩ ଟଙ୍କାରେ ଲିଟରଟିଏ ପେଟ୍ରୋଲ ପାଇବେ । ସେହିଭଳି, ଡ଼ିଜେଲର ମୂଳ ମୂଲ୍ୟ ପାଖାପାଖି ୪୧ ଟଙ୍କା ୪୭ ପଇସା ରହିଛି । ଟିକସ ବୋଝ ଯୋଗୁ ଗ୍ରାହକ ଲିଟର ପିଛା ୭୬ ଟଙ୍କା ୫୪ ପଇସାରେ ତାହା ଖର୍ଦ୍ଧି କରୁଛନ୍ତି । ୨୮ ପ୍ରତିଶତ ଜିଏସଟି ଲାଗୁ ହେଲେ ଡ଼ିଜେଲ ମୂଲ୍ୟ ଲିଟର ପିଛା ୨୧ ଟଙ୍କା କମିବ ଏବଂ ଖାଉଟୀ ପ୍ରାୟ ୫୫ ଟଙ୍କାରେ (ଲିଟର ପିଛା) ଡ଼ିଜେଲ ପାଇବେ ।
ତୈଳ ଦର ବୃଦ୍ଧି ସଂପର୍କରେ ବିଜେଡ଼ିର ଯୁକ୍ତି ହେଉଛି, କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଗତ ୪ ବର୍ଷରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୯ ଟଙ୍କା ୨୦ ପଇସାରୁ ୧୯ ଟଙ୍କା ୪୮ ପଇସାକୁ ଏବଂ ଡ଼ିଜେଲ ଉପରେ ଉତ୍ପାଦ ଶୁଳ୍କ ୩ ଟଙ୍କା ୪୬ ପଇସାରୁ ୧୬ ଟଙ୍କା ୩୩ ପଇସାକୁ ବୃଦ୍ଧି କରିଛନ୍ତି । ଏହି ମୂଲ୍ୟ ବୃଦ୍ଧି ଏକ ସର୍ବକାଳୀନ ରେକର୍ଡ଼ । କେନ୍ଦ୍ର ସରକାର ୪ ବର୍ଷରେ ୧୨ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରି ୧୧ ଲକ୍ଷ କୋଟିି ଟଙ୍କା ଆଦାୟ କରିସାଲେଣି । ଏହି ଟଙ୍କାରୁ ରିହାତି ଦେଇ ତୈଳ ଦର କମାଇବା ପରିବର୍ତେର୍ ରଜ୍ୟକୁ ଭାଟ୍ କମାଇବାକୁ ପରାମର୍ଶ ଦେଉଛନ୍ତି । ଓଡ଼ିଶାରେ ତେଲ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ କମ୍ । ମହାରାଷ୍ଟ୍ରରେ ୨୦୧୮ ମାର୍ଚ୍ଚରୁ ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହ ଲିଟର ପିଛା ୯ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରାଯାଉଛି । ଆସାମରେ ପେଟ୍ରୋଲ ଉପରେ ଭାଟ ୩୨.୬୬ ପ୍ରତିଶତ ଥିବା ବେଳେ ରାଜସ୍ଥାନରେ ୩୦ ପ୍ରତିଶତ ଭାଟ୍ ସହ ପ୍ରତି ହଜାର ଲିଟର ପିଛା ୧୫୦୦ ଟଙ୍କା ରାସ୍ତା ଉନ୍ନତିକରଣ ଟ୍ୟାକ୍ସ ଆଦାୟ ହେଉଛି । କେନ୍ଦ୍ର ସରକାର ଶସ୍ତାରେ ବିଦେଶକୁ ପେଟ୍ରୋଲ ଓ ଡ଼ିଜେଲ ରପ୍ତାନୀ କରୁଥିବା ବେଳେ ଦେଶରେ ଅଧିକ ଦରରେ ବିକୁଛନ୍ତି । ବିତ୍ତଶଳୀ ୨୯ଟି ଦେଶକୁ ଲିଟର ପିଛା ୩୭ ଟଙ୍କାରେ ଡ଼ିଜେଲ ରପ୍ତାନୀ ହେଉଥିବା ବେଳେ ୧୫ଟି ଦେଶକୁ ଲିଟର ପିଛା ୩୪ ଟଙ୍କାରେ ପେଟ୍ରୋଲ ରପ୍ତାନୀ ହେଉଛି । ପାକିସ୍ତାନରେ ପେଟ୍ରୋଲ ଦର ୫୦ ଟଙ୍କା ୬୭ ପଇସା, ଶ୍ରୀଲଙ୍କାରେ ୪୯ ଟଙ୍କା ୬୭ ପଇସା, ନେପାଳରେ ୬୬ ଟଙ୍କା ୬୯ ପଇସା ଥିବା ବେଳେ ଭାରତରେ ତାହା ୭୮ ଟଙ୍କା ଟପି ସାରିଛି । ତେଣୁ, ବିଜେଡ଼ି ଏସଂପର୍କରେ ରାଜ୍ୟରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛି । ଅନ୍ୟପକ୍ଷରେ, ବିଜେପି ଓଡ଼ିଶା ଶାଖା କହୁଛି, ଓଡ଼ିଶା ସରକାର ତୈଳ ଉତ୍ପାଦ ବିକ୍ରି ଉପରେ ଟିକସ ୨୧.୨ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି କରିଥିବା ବେଳେ ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶ ଲାଗୁ ହେବା ପରେ ଏବାବଦରେ ମୋଟ କେନ୍ଦ୍ରୀୟ ଆୟର ୪୨ ପ୍ରତିଶତ ପାଉଛନ୍ତି । ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଆୟରୁ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କା ୪୫ ପଇସା ଏବଂ ଡ଼ିଜେଲ ଲିଟର ପିଛା ୧୫ ଟଙ୍କା ୩୩ ପଇସା ମିଳୁଛି । ରାଜ୍ୟ ଟିକସ ହ୍ରାସ କରି ଦର ନିୟନ୍ତ୍ରଣ କରିବା କଥା । କିନ୍ତୁ ତାହା ନ କରି ରାଜନୀତି କରୁଥିବା ଦୁର୍ଭାଗ୍ୟଜନକ ।
ଅନୁଧ୍ୟାନରୁ ଜଣାପଡିଛି, କେନ୍ଦ୍ର ସରକାରଙ୍କ ଟିକସ ରାଜସ୍ୱ ବିଗତ ୪ ବର୍ଷରେ ଦୁଇ ଗୁଣ ବଢିଛି । ୨୦୧୪-୧୫ରେ କେନ୍ଦ୍ର ସରକାର ତୈଳ ଟିକସରୁ ୯୯,୧୮୪ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୧୭-୧୮ରେ ୨, ୨୯,୦୧୯ କୋଟି ଟଙ୍କା ଆୟ କରିଛନ୍ତି । କେବଳ କେନ୍ଦ୍ର ନୁହେଁ, ରାଜ୍ୟ ସରକାରମାନେ ମଧ୍ୟ ତୈଳ ଉତ୍ପାଦ ବିକ୍ରିରୁ ଭଲ ଆୟ କରିଛନ୍ତି । ତେଲ ଉପରେ ଭାଟ୍ ଲଗାଇ ରାଜ୍ୟ ସରକାରମାନେ ୨୦୧୭-୧୮ ଆର୍ଥିକ ବର୍ଷରେ ୧, ୮୪, ୦୯୧ କୋଟି ଟଙ୍କା ଆୟ କରିଛନ୍ତି । ଯାହାକି, ୨୦୧୪-୧୫ରେ ଥିଲା ୧, ୩୭,୧୫୭ କୋଟି ଟଙ୍କା । ୨୦୧୪ ନଭେମ୍ବରରୁ ୨୦୧୬ ଜାନୁୟାରୀ ମଧ୍ୟରେ କେନ୍ଦ୍ର ସରକାର ୯ ଥର ଉତ୍ପାଦ ଶୁଳ୍କ ବଢାଇଛନ୍ତି । ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ପରିମାଣ ୯ ଥରରେ ୧୧ଟଙ୍କା ୭୭ ପଇସା ବୃଦ୍ଧି ପାଇଥିଲା । ସେହିପରି, ଡ଼ିଜେଲ ଉପରେ ଟିକସ ପରିମାଣ ୧୩ ଟଙ୍କା ୪୭ ପଇସା ବୃଦ୍ଧି ପାଇଛି । ଶେଷ ଥର ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଅକ୍ଟୋବର ମାସରେ ପେଟ୍ରୋଲ ଓ ଡ଼ିଜେଲ ଉପରୁ ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ ।
୨୦୧୫ରେ ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ଯଥେଷ୍ଟ ହ୍ରାସ ପାଇଥିବା ବେଳେ କେନ୍ଦ୍ର ସରକାର ତାହାର ଲାଭ ଖାଉଟୀଙ୍କୁ ଦେଇ ନାହାନ୍ତି । ବର୍ତର୍ମାନ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ପାଇ ଥିବା ଆଳ ଦେଖାଇ ସରକାର ପେଟ୍ରୋଲ ଓ ଡ଼ିଜେଲ ଦରକୁ ଲଗାମଛଡା ଭାବେ ବଢାଇ ଚାଲିବା କେତେଦୂର ଯଥାର୍ଥ ବୋଲି ବିଶେଷଜ୍ଞ ମହଲରେ ପ୍ରଶ୍ନ ହେଉଛି । ସେମାନଙ୍କ ମତରେ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୯ ଟଙ୍କା ୩୧ ପଇସାରେ ପହଂଚି ଥିବା ବେଳେ ସେଥିରୁ ୪୬ ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟିକସ ଆକାରରେ ମିଳୁଛି । ବିଗତ ୪ ବର୍ଷରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଆକାରରେ ଆଖିଦୃଶିଆ ଆୟ କରିଛନ୍ତି । ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ପ୍ରାୟ ୧୦୫ ପ୍ରତିଶତ ଅର୍ଥାତ ଲିଟର ପିଛା ୧୯ ଟଙ୍କା ୪୮ ପଇସା ବଢି ଥିବା ବେଳେ ଡ଼ିଜେଲ ଉପରେ ୩୩୧ ପ୍ରତିଶତ ବଢିଛି । ବିଭିନ୍ନ ରାଜ୍ୟ ମଧ୍ୟ ବିଶେଷ ଲାଭବାନ ହୋଇଛନ୍ତି । ତେଣୁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନ କାନ୍ଦି ଟିକସ ହ୍ରାସ ବା ଜିଏସଟି ଲାଗୁ ମାଧ୍ୟମରେ ଏହି ସମସ୍ୟାର ସମାଧାନ କଲେ ଖାଉଟୀ ଲାଭବାନ ହେବେ । ଦେଶରେ ବିକାଶର ରାସ୍ତା ମଧ୍ୟ ଖୋଲିବ । ତାହା ନକରି ପରସ୍ପରକୁ ଦୋଷାରୋପ କରି ଲୋକଙ୍କୁ ଠକିବା କାହାରି ପାଇଁ ଶୁଭଙ୍କର ନୁହେଁ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS