ଗିରଫ ମାନବାଧିକାର ପ୍ରବକ୍ତାଙ୍କ ଗୃହବନ୍ଦୀ ସମୟ ବଢିଲା, ୧୨ ତାରିଖରେ ପରବର୍ତୀ ଶୁଣାଣୀ
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ (ପ୍ରସାଦ ରାଓ): ମହାରାଷ୍ଟ୍ରର କୋରେଗାଓଁ-ଭୀମାରେ ଗତ ଜାନୁୟାରୀ ମାସରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ପୁନେ ପୋଲିସ ଦ୍ୱାରା ଗିରଫ ହୋଇ ଅଗଷ୍ଟ ଶେଷ ଭାଗରୁ ନିଜ ନିଜ ଘରେ ଗୃହବନ୍ଦୀ ଥିବା ୫ ଜଣ ମାନବାଧିକାର ପ୍ରବକ୍ତାଙ୍କ ମାମଲାର ଶୁଣାଣୀକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧୨ ତାରିଖକୁ ଘୁଂଚାଇଛନ୍ତି । ପୂର୍ବରୁ ଧାର୍ଯ୍ୟ ତାରିଖ ଅନୁଯାୟୀ ଆଜି (୬ ତାରିଖ) ଏହି ମାମଲାର ଶୁରାଣୀ ହୋଇଥିଲା । ଏହି ୫ ଜଣ ମାନବାଧିକାରଙ୍କ ସପକ୍ଷରେ ଆଜି ରୋମିଲା ଥାପରଙ୍କ ଆଡୁ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣୀ କରିଥିଲେ ।
‘ସହରୀ ନକ୍ସଲ’ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନାମିତ ଏହି ୫ ଜଣ ମାନବାଧିକାର ପ୍ରବକ୍ତା ହେଉଛନ୍ତି – ପ୍ରଖ୍ୟାତ ବିପ୍ଳବୀ ଲେଖକ ପି.ବରବରା ରାଓ, ଓକିଲ ଓ ମାନବାଧିକାର କର୍ମୀ ଭେରନନ୍ ଗନସାଲଭିସ୍, ଅରୁଣ ଫେରିଆରା, ଗୌତମ ନଭଲାଖ ଓ ସୁଧା ଭରଦ୍ୱଜ । ଅଗଷ୍ଟ ୨୮ ତାରିଖ ଦିନ ପୁନେ ପୁଲିସ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲେ । ଭୂମିଗତ ନକ୍ସଲଙ୍କ ସହ ସେମାନଙ୍କ ସଂପର୍କ ଥିବା ଓ ସେମାନେ ଜଙ୍ଗଲରେ ଥିବା ନକ୍ସଲଙ୍କୁ ପୁଲିସ ଓ ସୁରକ୍ଷା ବାହିନୀର ଗତିବିଧୀ ସଂପର୍କରେ ସୂଚନା ଏବଂ ବାହ୍ୟ ସାହାୟତା ଯୋଗାଉ ଥିବା ପୁଲିସ ଅଭିଯୋଗ କରିଛି । ଏହାଛଡା, ଗିରଫ ମାନବାଧିକାର ପ୍ରବକ୍ତାମାନେ ୨୦୧୭ ଡ଼ିସେମ୍ବର ୩୧ ତାରିଖ ଦେଇଥିବା ଉତ୍ତେଜକ ଭାଷଣ ଯୋଗୁ ୨୦୧୮ ଜାନୁୟାରୀରେ କୋରେଗାଓଁ-ଭୀମାରେ ରକ୍ତାକ୍ତ ସଂଘର୍ଷ ଘଟି ଥିଲା ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ସେମାନଙ୍କ ବିରୋଧରେ ସବୁଠାରୁ ଚାଂଚଲ୍ୟକର ଅଭିଯୋଗ ହେଉଛି, ଦେଶର ବର୍ତର୍ମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆଉ କିଛି ବଡ ନେତାଙ୍କୁ ହତ୍ୟା କରିବା ପାଇଁ ନକ୍ସଲଙ୍କ ଆଡୁ ହୋଇଥିବା ଷଡଯନ୍ତ୍ରରେ ସେମାନେ ସାମିଲ ଅଛନ୍ତି।
ପୁନେ ପୁଲିସ ସେମାନଙ୍କୁ ଗିରଫ କରିବା ପରେ ଦେଶର କିଛି ପ୍ରତିଷ୍ଠିତ ଲେଖକ ଓ ବୁଦ୍ଧିଜୀବୀ ତୁରନ୍ତ ସୁପ୍ରମି କୋର୍ଟର ଆଶ୍ରୟ ନେଇ ଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଏ.ଏମ. ଖାନୱିଲକର ଓ ବିଚାରପତି ଜଷ୍ଟିସ ଡ଼ି. ୱାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗଷ୍ଟ ୩୦ ତାରିଖରେ ମାମଲର ଶୁଣାଣୀ କରି ଏହି ୫ ଜଣ ମାନବାଧିକାର ପ୍ରବକ୍ତାଙ୍କୁ ପୁଲିସ ଜେରା କରିବା ପରେ ଜେଲ୍ ନ ପଠାଇ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ନିଜ ନିଜ ଘରେ ଗୃହବନ୍ଦୀ କରି ରଖିବାକୁ ନିର୍ଦେଶ ଦେଇଥିଲେ । ଆଜି (୬ ତାରିଖ) କୋର୍ଟରେ ପରବର୍ତୀ ଶୁଣାଣୀ ତାରିଖ ଧାର୍ଯ୍ୟ ହୋଇ ଥିଲା । କୋର୍ଟ ଅଗଷ୍ଟ ୩୦ ତାରିଖ ଦିନ ମାମଲାର ଶୁଣାଣୀ ବେଳେ ପୁନେ ପୁଲିସର ତରବରିଆ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ‘ଭିନ୍ନମତ ପ୍ରକାଶ କରିବା ହେଉଛି ଗଣତନ୍ତ୍ରର ସେଫ୍ଟିଭଲ୍ବ, ଏହାକୁ ଚାପିବାକୁ ଉଦ୍ୟମ କଲେ ଫାଟି ଯିବ’ବୋଲି ମଧ୍ୟ କଡା ମନ୍ତବ୍ୟ ଦେଇଥିଲେ । ଆଜିର ଶୁଣାଣୀ ବେଳେ ସୁପ୍ରିମ କୋର୍ଟ ଖଣ୍ଡପୀଠ ପୁନେ ପୁଲିସ ଏସିପିଙ୍କ ଅଗଷ୍ଟ ୩୧ ତାରିଖ ସାମ୍ବାଦିକ ସମ୍ମିଳନୀ ଏବଂ ମାନ୍ୟବର କୋର୍ଟଙ୍କ ସଂପର୍କରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମାମଲାଟି ବର୍ତମାନ ତଦନ୍ତ ସ୍ତରରେ ଥିବାରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନ ଥିଲା ବୋଲି ପୁନେ ପୁଲିସ ଏସିପି ମନ୍ତବ୍ୟ ଦେଇଥିବା କୋର୍ଟ ଜାଣିବା ପରେ ସୁପ୍ରିମ କୋର୍ଟଙ୍କ ସ୍ୱଚ୍ଛତା ଓ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ଅଧିକାର ପୁଲିସର ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଏଭଳି ମନ୍ତବ୍ୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତି ‘ଅପମାନସୂଚକ’ ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଡ଼ି.ୱାଇ. ଚନ୍ଦ୍ରଚୂଡ କୋର୍ଟରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ତୁସାର ମେହେଟ୍ଟାଙ୍କୁ ଜଣାଇ ଦେଇଛନ୍ତି ।
ପୁନେର ପୁଲିସ ଏସିପି ସୁପ୍ରିମ କୋର୍ଟଙ୍କ ନିଶ୍ପତ୍ତିକୁ ନେଇ ଏଭଳି ମନ୍ତବ୍ୟ ଦେବା ଅଧିକାର ରଖି ନାହାନ୍ତି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ମନ୍ତବ୍ୟ ଦେବା ସହ କୌଣସି ମାମଲା କୋର୍ଟଙ୍କ ବିଚାରାଧୀନ ଥିବା ସମୟରେ ପୁଲିସ ତାହା ଉପରେ ମନ୍ତବ୍ୟ ରଖିବାରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ ଟିପ୍ପଣୀ ଦେବା ସହ ସରକାର ରାଜ୍ୟ ପୁଲିସକୁ ଅନୁରୂପ ନିର୍ଦେଶ ଦେବାକୁ ମହାରାଷ୍ଟ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି । ଏଠାରେ ଉଲ୍ଲ୍ଖେନୀୟ ଯେ, ସୁପ୍ରିମ କୋର୍ଟ ଗତ ଅଗଷ୍ଟ ୩୦ତାରିଖ ଦିନ ସଂପୃକ୍ତ ୫ ଜଣ ମାନବାଧିକାର ପ୍ରବକ୍ତାଙ୍କ ମାମଲାର ବିଚାର କରି ସେମାନଙ୍କୁ ପୁନେ ନେଇ ଜେରା କରାଯିବା ପରେ ନିଜ ନିଜ ଘରକୁ ପଠାଇ ଗୃହବନ୍ଦୀ କରି ରଖା ଯିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ପୁନେ ପୁଲିସ ଏସିପି କୋର୍ଟଙ୍କ ଏହି ଆଦେଶରେ ପ୍ରତିକ୍ରିୟାଶୀଳ ହୋଇ ଅଗଷ୍ଟ ୩୧ ତାରିଖ ଦିନ ମୁମ୍ବାଇ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂପୃକ୍ତ ମାନବାଧିକାର ପ୍ରବକ୍ତାମାନଙ୍କ ବିରୋଧରେ ପୁଲିସ ଯୋଗାଡ କରିଥିବା କଥିକ ତଥ୍ୟ, ପ୍ରମାଣର ନଥିପତ୍ର ସାମ୍ବାଦିକଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏସିସିଙ୍କ ଏଭଳି କାର୍ଯ୍ୟକୁ ପୂର୍ବରୁ ମୁମ୍ବାଇ ହାଇକୋର୍ଟ ଭର୍ଛନା କରିଥିଲେ । ଆଜି ରାଜ୍ୟ ସରକାରଙ୍କ ପାଇଁ ସୁପ୍ରିମ କୋର୍ଟରେ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ମେହେଟ୍ଟା ଏଥିପାଇଁ ସରକାରଙ୍କ ପକ୍ଷରୁ ଖଣ୍ଡପୀଠ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି ।
ତେବେ, ମାମଲାର ଶୁଣାଣୀ ସମୟରେ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ମେହେଟ୍ଟା ଯୁକ୍ତି ଉପସ୍ଥାପନ କରି ଗିରଫ ୫ ମାନବାଧିକାର ପ୍ରବକ୍ତାଙ୍କୁ ଗୃହବନ୍ଦୀ କରି ରଖା ଯିବା ଦ୍ୱାରା ତଦନ୍ତ ବାଧାପ୍ରାପ୍ତ ହେଉଛି ବୋଲି ଦର୍ଶାଇ ଥିଲେ । ସେ କହିଥିଲେ ଯେ, ଅଭିଯୁକ୍ତମାନଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ରହିଛି । ଅଭିଯୁକ୍ତମାନଙ୍କ ସକ୍ଷରେ ରୋମିଲା ଥାପର ଦାଖଲ କରିଥିବା ପିଟିସନକୁ ମଧ୍ୟ ମେହେଟ୍ଟା ବିରୋଧ କରିଥିଲେ । କୌଣସି ମାମଲା ତଦନ୍ତାଧୀନ ଥିବା ସମୟରେ ତାହା ଉପରେ କୌଣସି ତୃତୀୟ ପକ୍ଷ ପିଟିସନ ଦାଖଲ କରିବା ଆଇନ ଅନୁଯାୟୀ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଥିଲେ । ମାନ୍ୟବର ଖଣ୍ଡପୀଠ ଏସଂପର୍କରେ ମାନବାଧିକାର ପ୍ରବକ୍ତାଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଂଘଭିଙ୍କୁ ସ୍ପଷ୍ଟିକରଣ ଦେବାକୁ କହିଛନ୍ତି । ବୁଧବାର ଦିନ ମହାରାଷ୍ଟ୍ର ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି ଯେ, ଗୃହବନ୍ଦୀ ଥିବା ୫ ଜଣ ମାନବାଧିକାର ପ୍ରବକ୍ତାଙ୍କୁ ସିପିଆଇ (ମାଓବାଦୀ) ସଂଗଠନ ସହ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି, ଭିନ୍ନମତ ପ୍ରକାଶ କରୁ୍ଥିବା କାରଣରୁ ନୁହେଁ । ଏହା ପ୍ରମାଣ କରିବା ସକାଶେ ପୁଲିସ ନିକଟରେ ଯଥେଷ୍ଟ ତଥ୍ୟ, ପ୍ରମାଣ ରହିଛି । ମାନ୍ୟବର ସୁପ୍ରିମ କୋର୍ଟ ଖଣ୍ଡପୀଠ ସବୁ ପକ୍ଷଙ୍କୁ ଶୁଣିବା ପରେ ଆଜି ମାମଲାର ପରବର୍ତୀ ଶୁଣାଣୀ ପାଇଁ ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଫଳରେ, ଅଟକ ୫ ମାନବାଧିକାର ପ୍ରବକ୍ତାଙ୍କ ଗୃହବନ୍ଦୀ ସମୟ ସୀମା ୧୨ ତାରିଖ ପର୍ଯ୍ୟନ୍ତ ବଢି ଯାଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS