ଇସ୍ରୋ ‘ମିଥ୍ୟା’ ଗୁପ୍ତଚର ମାମଲାର ଆଉ ଏକ ଦୁଃଖଦ ଅନୁଭବ: ସୁପ୍ରିମ କୋର୍ଟଙ୍କ ରାୟ ଆସିଲା ସିନା ଶୁଣିବାକୁ ଅବକାଶ ମିଳିଲା ନାହିଁ ଅନ୍ୟତମ ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ
ବେଙ୍ଗାଲୁରୁ, ସେପ୍ଟେମ୍ବର ୧୮ (ପ୍ରସାଦ ରାଓ):୧୯୯୪ ଇସ୍ରୋ ‘ମିଥ୍ୟା’ ଗୁପ୍ତଚର ମାମଲା ସହ ସଂପୃକ୍ତ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ବୈଜ୍ଞାନିକ ଏସ୍. ନାମ୍ବି ନାରାୟଣନ ଶୁକ୍ରବାର (୧୫ ତାରିଖ) ଦିନ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିର୍ଦୋଷରେ ଖଲାସ ହୋଇ ଆନନ୍ଦିତ ଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଥାଇ କୋର୍ଟଙ୍କ ଦ୍ୱାରା ନିର୍ଦୋଷରେ ଖଲାସ ହୋଇଥିବା ରୁଷ୍ ସ୍ପେସ୍ ଏଜେନ୍ସି ‘ଗ୍ଲାଭକୋସମୋସ୍’ର ତକ୍ରାଳୀନ ଏଜେଂଟ୍ କେ.ଚନ୍ଦ୍ରଶେଖର ରାୟ ପ୍ରକାଶ ପାଇବା ସକାଳେ କୋମାକୁ ଚାଲି ଯାଇ ଶେଷରେ ଅବଚେତନ ଅବସ୍ଥାରେ ରବିବାର ମୃତ୍ୟୁବରଣ କରିଥିବା ଜଣାପଡିଛି । ଦୀର୍ଘ ଦୁଇ ଦଶନ୍ଧୀ ଧରି ସେ ଏଭଳି ଖସି ଖବରଟିଏ ଶୁଣିବାକୁ ଅପେକ୍ଷା କରିଥିଲେ । ତେବେ, ତାହା ତାଙ୍କ ଭାଗ୍ୟରେ ଜୁଟିଲା ନାହିଁ । କୋର୍ଟ ଇସ୍ରୋ ‘ମିଥ୍ୟା’ ଗୁପ୍ତଚର ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି – ଏକଥା ଶୁଣିବାକୁ ଚନ୍ଦ୍ରଶେଖର ଚେତନାରେ ନ ଥିଲା । ଅବଚେତନ ଅବସ୍ଥାରେ ହିଁ କାଲି (୧୭ ତାରିଖ) ତାଙ୍କ ଦେହାନ୍ତ ଘଟି ଥିଲା ।
୧୯୯୪ ‘ମିଥ୍ୟା’ ଇସ୍ରୋ ଗୁପ୍ତଚର ମାମଲାରେ କେରଳ ପୁଲିସ ‘ଇସ୍ରୋ’ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଥିଲେ । ଏହି ସାତ ଜଣଙ୍କ ମଧ୍ୟରେ ଥିଲେ ରୁଷ୍ ସ୍ପେସ୍ ଏଜେନ୍ସି ‘ଗ୍ଲାଭକୋସମୋସ୍’ର ତକ୍ରାଳୀନ ଏଜେଂଟ୍ କେ.ଚନ୍ଦ୍ରଶେଖର । ପୁଲିସ ନିର୍ଯ୍ୟାତନା ଏତେ ଭୟାନକ ଥିଲା ଯେ ଚନ୍ଦ୍ରଶେଖର ତାହା ପରଠାରୁ ମାନସିକ ଚାପରେ ରହି ଉତ୍ତର ବେଙ୍ଗାଲୁରୁ ବିଦ୍ୟାରାନାୟାପୁରା ଠାରେ ଥିବା ଘରେ ମାନସିକ ଅବସାଦ ଭିତରେ ନିଃସଙ୍ଗ ଜୀବନଯାପନ କରୁଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଚନ୍ଦ୍ରଶେଖରଙ୍କୁ ମାସେ ତଳେ ବେଙ୍ଗାଲୁରୁର ହେବ୍ବାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ୭୬ ବର୍ଷ ବୟସ୍କ ଚନ୍ଦ୍ରଶେଖର ସୁପ୍ରିମ କୋର୍ଟରେ ଚାଲି ଥିବା ମାମଲାର ରାୟ ଶୁଣିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଥିଲେ । ତେବେ, ଶୁକ୍ରବାର ରାୟ ପ୍ରକାଶ ପାଇବା ପୂର୍ବରୁ ସେ କୋମାକୁ ଚାଲି ଯାଇଥିଲେ । କୋର୍ଟଙ୍କ ରାୟ ପ୍ରକାଶ ପାଇବା କ୍ଷଣି ହସପିଟାଲ କୋଠରୀରେ ଥିବା ଟିଭି ପରଦାରେ ଇସ୍ରୋ ଗୁପ୍ତଚର ମାମଲାରେ ସୁପ୍ରିମ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସସମ୍ମାନେ ଖଲାସ କରିଥିବା ଏବଂ ନାମ୍ବି ନାରାୟଣଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେରଳ ସରକାରଙ୍କୁ ନିର୍ଦେଶ ଦେଇଥିବା ଖବର ପ୍ରସାରଣ ଚାଲି ଥିଲା । କିନ୍ତୁ, କୋମାକୁ ଚାଲି ଯାଇଥିବା କେ. ଚନ୍ଦ୍ରଶେଖର ଏହା ଶୁଣିବାକୁ ଆଉ ଚେତା ନ ଥିଲେ । ଅବଚେତନ ଅବସ୍ଥାରେ ଥିବା ଚନ୍ଦ୍ରଶେଖରଙ୍କ ମସ୍ତିଷ୍କରେ ଏହି ଖବର ପହଂଚିଲା କି ନାହିଁ – କେହି ଜାଣିବା ଉପାୟ ନାହିଁ । ‘ଆମେ ତାଙ୍କୁ ଟିଭିରେ ଚାଲି ଥିବା ଖବରଟି ଜଣାଇବାକୁ ଉଦ୍ୟମ କରିଥିଲୁ, କିନ୍ତୁ ସେ ଚତନାରେ ନ ଥିଲେ । ତାଙ୍କର କିଛି ବି ପ୍ରତିକ୍ରିୟା ନ ଥିଲା । ଅଚେତ ଅବସ୍ଥାରେ ଥିବାରୁ ସେ ଖବରଟି ଶୁଣି ପାରିଲେ କି ନାହିଁ କହିବା ମୁସ୍କିଲ’ ବୋଲି ଚନ୍ଦ୍ରଶେଖରଙ୍କ ପତ୍ନୀ କେ. ବିଜୟାମ୍ମା କାଲି ଏକ ଜାତୀୟ ଇଂରାଜୀ ସମ୍ମାଦପତ୍ରକୁ କହିଛନ୍ତି । ରବିବାର (୧୭ ତାରିଖ) ରାତି ୮ଟା ୪୪ ମିନିଟରେ ହେବ୍ବାଲ ହସପିଟାଲରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି । ୧୯୯୨ ମସିହାରୁ ଚନ୍ଦ୍ରଶେଖର ରୁଷ୍ ସ୍ପେସ୍ ଏଜେନ୍ସି ‘ଗ୍ଲାଭକୋସମୋସ୍’ର ଏଜେଂଟ ଥିଲେ । ଯେଉଁ ଖବରକୁ ସେ ଦୀର୍ଘ ଦୁଇ ଦଶନ୍ଧୀ ଧରି ଅପେକ୍ଷା କରିଥିଲେ, ତାହା ଶୁଣିବା ପାଇଁ ତାଙ୍କୁ ସୁଯୋଗ ମିଳିଲା ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS