‘ଆଧାର’କୁ ନେଇ ଭିନ୍ନମତ: ଜଷ୍ଟିସ ଚନ୍ଦ୍ରଚୂଡଙ୍କ ରାୟ ‘ସଂଖ୍ୟାଗରିଷ୍ଠ’ ରାୟ ତୁଳନାରେ ଅଧିକ ଚର୍ଚ୍ଚାରେ


– ପ୍ରସାଦ ରାଓ –
ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ଖଣ୍ଡପୀଠ ବୁଧବାର (୨୬ ତାରିଖ) ଦିନ ସାଧାରଣ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବାର ଅଙ୍କ ବିଶିଷ୍ଟ ଏକକ ପରିଚୟପତ୍ର ‘ଆଧାର’କୁ ୪-୧ ରାୟରେ ‘ସମ୍ବିଧାନସିଦ୍ଧ’ ଘୋଷଣା କରିଥିଲେ ମଧ୍ୟ ଏକମାତ୍ର ବିଚାରପତି ଡ଼ି.ୱାଇ.ଚନ୍ଦ୍ରଚୂଡଙ୍କ ଭିନ୍ନମତ ସଂଖ୍ୟାଗରିଷ୍ଠ ରାୟର କଳାହରଣ କରିଛି । ସଂଖ୍ୟାଗରିଷ୍ଠ ରାୟ ତିନିଟି କ୍ଷେତ୍ରରେ ‘ଆଧାର’ ଜରୁରୀ କହିଥିବା ବେଳେ ତାହା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଦେଇଛି । ଏହି ତିନିଟି କ୍ଷେତ୍ର ହେଉଛି-ଆୟକର ରିଟର୍ଣ୍ଣ ଦାଖଲ, ପାନ୍ କାର୍ଡ ହାସଲ ଏବଂ ସରକାରଙ୍କ ବିଭିନ୍ନ ଜନମଂଗଳକାରୀ ସ୍କିମ୍ର ସୁବିଧା ପାଇବା । କୌଣସି ପରିସ୍ଥିତିରେ ‘ଆଧାର’ ଜରିଆରେ ଜଣେ ବ୍ୟକ୍ତିର ପରିଚୟ ପ୍ରମାଣରେ ଯଦି କିଛି ଅସୁବିଧା ହେଉଛି, ତେବେ ତାଙ୍କୁ ଏସବୁ ସୁବିଧାରୁ ବଂଚିତ କରାଯିବ ନାହିଁ ବୋଲି ମଧ୍ୟ ସଂଖ୍ୟାଗରିଷ୍ଠ ରାୟ ସ୍ପଷ୍ଟ କରିଛି । ଖଣ୍ଡପୀଠରେ ଅଧ୍ୟକ୍ଷତା କରିଥିବା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଅନ୍ୟ ତିନି ଜଣ ବିଚାରପତି ଏ.କେ.ସିକ୍ରି, ଜଷ୍ଟିସ ଏ.ଏମ. ଖାନୱିଲକର ଓ ଜଷ୍ଟିସ ଅଶୋକ ଭୂଷଣ ‘ଆଧାର’ର ପ୍ରୟୋଗକୁ ସଂକୁଚିତ କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ଭଣ୍ଡୁର କରିଥିବା ସତ୍ୱେ ଯେତିକି ଚର୍ଚ୍ଚାକୁ ଆସିପାରି ନାହାନ୍ତି, ‘ଆଧାର’କୁ ଅସାମ୍ବିଧାନିକ ଘୋଷଣା କରିଥିବା ଏକମାତ୍ର ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ସେତିକି ଚର୍ଚ୍ଚାରେ ଥିବା ଚନ୍ଦ୍ରଚୂଡଙ୍କ ରାୟର ଗାମ୍ଭିର୍ଯ୍ୟକୁ ବଢାଇ ଦେଇଛି ।
ଜଷ୍ଟିସ ଚନ୍ଦ୍ରଚୂଡ ଚର୍ଚ୍ଚାରେ ରହିବାର ପ୍ରମୁଖ କାରଣ ହେଉଛି, ସେ କେବଳ ‘ଆଧାର’କୁ ଅସାମ୍ବିଧାନିକ ଘୋଷଣା କରି ନାହାନ୍ତି, କେନ୍ଦ୍ର ସରକାର କିଭଳି ଜାଲିଆତି କରି ଏହାକୁ ସଂସଦର ଉଭୟ ସଦନରେ ଆଲୋଚନା ପାଇଁ ଉପସ୍ଥାପନ ନ କରି ଲୋକସଭାରେ ହିଁ ଅର୍ଥବିଲ୍ ଆକାରରେ ଆଗତ କରି ନିଜ ପଶୁବଳ ଦ୍ୱାରା ଗୃହୀତ କରାଇ ନେଇଛନ୍ତି, ତାହାର ଖୁଲାସା କରିଛନ୍ତି । ଭାରତୀର ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବା ବେଳେ ସରକାର ତାହାକୁ ଉପେକ୍ଷା କରି ନିଜ ସ୍ୱାର୍ଥ ସାଧନକୁ ଅଗ୍ରାଧିକାର ଦେବା ସମ୍ବିଦାନର ବିରୋଧାଚରଣ କରୁଛି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ତାଙ୍କ ରାୟରେ କହିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡଙ୍କ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଜାଲିଆତିକୁ ପଦାରେ ପକାଇ ଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ର ଓ ତାଙ୍କ ସହ ଥିବା ଖଣ୍ଡପୀଠର ଅନ୍ୟ ତିନି ସହଯୋଗୀ ବିଚାରପତି ଏହି ପ୍ରସଙ୍ଗକୁ ସଂପୂର୍ଣ୍ଣ ଅଣଦେଖା କରି ସେମାନଙ୍କ ରାୟ ଦେଇଥିବା ତଥ୍ୟାଭିଜ୍ଞ ମହଲକୁ ବିସ୍ମିତ କରିଛି ।
ସଂଖ୍ୟାଗରିଷ୍ଠ ରାୟରେ କୁହାଯାଇଛି, ଅନ୍ୟାନ୍ୟ ପରିଚୟପତ୍ର ଓ ‘ଆଧାର’ ମଧ୍ୟରେ ମୌଳିକ ପାର୍ଥକ୍ୟ ରହିଛି ଏବଂ ‘ଆଧାର’ରେ ରହୁ ଥିବା ସୀମିତ ତଥ୍ୟ ସାଧାରଣ ନାଗରିକଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ସରକାର ବା ରାଷ୍ଟ୍ର ହାତରେ ଏକ ‘ଆୟୁଧ’ ହୋଇ ପାରିବ ନାହିଁ । ତେବେ, ଜଷ୍ଟିସ ଚନ୍ଦ୍ରଚୂଡ ଏଥିରେ ଦ୍ୱିମତ ପ୍ରକାଶ କରି ଆଧାରରେ ନାଗରିକଙ୍କ ସଂପର୍କରେ ଏତେ ପର୍ଯ୍ୟାପ୍ତ ତଥ୍ୟ ରହୁଛି ଯେ ତାହା ମାଧ୍ୟମରେ ନାଗରିକଙ୍କ ବ୍ୟକ୍ତିଗତ ବ୍ୟାପାରରେ ରାଷ୍ଟ୍ରର ଅନୁପ୍ରବେଶ ସମ୍ଭବ ବୋଲି ମତବ୍ୟକ୍ତ କରିଛନ୍ତି । ‘ଆଧାର’ ବ୍ୟକ୍ତିଗତ ଗୋପନୀୟତା ନେଇ ମୌଳିକ ଅଧିକାରର ପରିପନ୍ଥୀ ବୋଲି ସେ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ ତାଙ୍କ ରାୟରେ ଦର୍ଶାଇଛନ୍ତି । ଦେଇଛନ୍ତି । ବିଗତ ଦିନରେ ‘ଆଧାର’ ତଥ୍ୟ ପ୍ରଘଟର ଅନକ ଦୃଷ୍ଟାନ୍ତ ରହିଥିବା ଦର୍ଶାଇ, ଭାରତ ଭଳି ଏକ ବିଶାଳ ଦେଶରେ ‘ଆଧାର’ ହିଁ ଅନେକ କ୍ଷେତ୍ରରେ ପାତରଅନ୍ତରର କାରଣ ହୋଇପାରେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ଦେଇଥିବା ମତ ଏବଂ ଏତିପ୍ରତି ସରକାର ଓ ପ୍ରଶାସନିକ କଳକୁ ସେ ଦେଇଥିବା ସଚେତନତାର ବାର୍ତର୍ା ଅନେକ ଗୁରୁତ୍ୱ ବହନ କରୁଛି । ଚନ୍ଦ୍ରଚୂଡଙ୍କ ଭିନ୍ନମତ ମୋଟାମୋଟି ‘ଆଧାର’ ରାୟକୁ ପ୍ରଭାବିତ କରି ନ ଥିଲେ ମଧ୍ୟ ଅଗାମୀ ଦିନରେ ତାହା ଆଉ ଏକ ଅଦାଲତି ଲଢେଇର କାରଣ ହେବ ବୋଲି ଅନୁମାନ କରାଯାଉଛି ।
ସୁପ୍ରିମ କୋର୍ଟଙ୍କ ସଂଖ୍ୟାଗରିଷ୍ଠ ରାୟରେ କେବଳ ସରକାରଙ୍କ ବିଭିନ୍ନ ଅର୍ଥନୈତିକ ଯୋଜନା ଓ କାର୍ଯ୍ୟକ୍ରମରେ ‘ଆଧାର’କୁ ଜରୁରୀ କୁହାଯାଇଥିବା ବେଳେ ଘରୋଇ କ୍ଷେତ୍ରରେ ତାହାର ଉପଯୋଗକୁ ନକାରି ଦିଆଯାଇଛି । ବେସରକାରୀ କ୍ଷେତ୍ରରେ ‘ଆଧାର’ ବାଧ୍ୟବାଧକ ନୁହେଁ, ବିଭିନ୍ନ ବେସରକାରୀ ସଂସ୍ଥା ବା ଉଦ୍ୟୋଗ କୌଣସି ବିକ୍ରି ବା ସେବା ଦେବା ବେଳେ ‘ଆଧାର’ ନ ମାଗି ବ୍ୟକ୍ତ ପରିଚୟ ଓ ବାସସ୍ଥାନ ପରିଚୟ ପାଇଁ ଅନ୍ୟାନ୍ୟ କାଗଜପତ୍ର ମାଗି ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି । ତେଣୁ, ଏଣିକି ମୋବାଇଲ୍ ସିମ୍ ନେବା ବା ବ୍ୟାଙ୍କରେ ଜମାଖାତା ଖୋଲିବା ପାଇଁ ଆଉ ‘ଆଧାର’ ଦେବାକୁ ପଡିବ ନାହିଁ । ବିଦ୍ୟାଳୟରେ ନାମ ଲେଖା ପାଇଁ ସ୍କୁଲ କର୍ତୃପକ୍ଷ ପିଲାଙ୍କୁ ‘ଆଧାର’ ନମ୍ବର ମାଗି ପାରିବେ ନାହିଁ । ସିବିଏସଇ, ‘ନିଟ୍’, ୟୁଜିସି ପରୀକ୍ଷା ପାଇଁ ‘ଆଧାର’ ବାଧ୍ୟତାମୂଳକ ନୁହେଁ । ୧୪ ବର୍ଷରୁ କମ୍ ପିଲାଙ୍କ କ୍ଷେତ୍ରରେ ‘ଆଧାର’ ନ ଥିବା ଦର୍ଶାଇ ସେମାନଙ୍କୁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମରୁ ବଂଚିତ କରାଯିବ ନାହିଁ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସମେତ ଖଣ୍ଡପୀଠର ଅନ୍ୟ ତିନି ଜଣ ସଦସ୍ୟ ‘ଆଧାର’କୁ ‘ସମ୍ବିଧାନସିଦ୍ଧ’ ଘୋଷଣା କରିବା ସମୟରେ ଏସବୁ ସ୍ପଷ୍ଟ କରିଦେଇ ରାୟ ପ୍ରଦାନ କରିଛନ୍ତି । ତେବେ, ଏଠାରେ ଆଉ ଗୋଟିଏ ସମସ୍ୟା ସାମନାକୁ ଆସୁଛି । ତାହା ହେଉଛି, ଯେଉଁମାନଙ୍କ ପାଇଁ ‘ଆଧାର’ ବ୍ୟକ୍ତିଗତ ପରିଚୟ ଓ ବାସସ୍ଥାନ ପ୍ରମାଣର ଏକମାତ୍ର ସରଳ ମାଧ୍ୟମ ଥିଲା ତାହା ବେସରକାରୀ କ୍ଷେତ୍ରରେ ଗ୍ରହଣୀୟ ନ ହେଲେ ଏହି ଲୋକମାନେ କଣ କରିବେ ? ସୁପ୍ରିମ କୋର୍ଟ ରାୟ ପୁଣିଥରେ ସେମାନଙ୍କ ପାଇଁ ପରିଚୟ ସଂକଟର କାରଣ ହେବ ନାହିଁ ତ? ବିଭିନ୍ନ ଘରୋଇ ସଂସ୍ଥା ଓ ଅନୁଷ୍ଠାନ ‘ବ୍ୟକ୍ତି ପରିଚୟ’ ଓ ‘ବାସସ୍ଥାନ ପ୍ରମାଣ’ ସ୍ୱରୂପ ‘ଆଧାର’କୁ ଆଉ ଗ୍ରହଣ ନ କରି ଅନ୍ୟ ପ୍ରାମାଣ ସମ୍ବଳିତ କାଗଜପତ୍ର ମାଗିଲେ ତାହା ଯୋଗାଡ କରିବା କାଠିକର ପାଠ ହେବ ନାହିଁ ତ ??
କାରଣ, ଆମ ଦେଶରେ ଛୋଟ ହେଉ ବା ବଡ, ଯେକୌଣସି କାର୍ଯ୍ୟ ସଂପାଦନ ବେଳେ ଯାଂଚ ପରେ ଯାଂଚର ସମ୍ମୁଖୀନ ହେବାକୁ ପଡିଥାଏ । ନିଜର ନାଗରିକତ୍ୱ, ବ୍ୟକ୍ତିଗତ ପରିଚୟ ଏବଂ ବାସସ୍ଥାନ ପ୍ରମାଣ ଦେବାକୁ ଲୋକଙ୍କୁ କୁଢ କୁଢ କାଗଜପତ୍ର ଯୋଗାଡ କରିବାକୁ ପଡିଥାଏ । ପୂର୍ବରୁ ରେସନ କାର୍ଡ ପାଇ ଥିବା ଲୋକମାନେ ତାହାକୁ ବ୍ୟକ୍ତିଗତ ପରିଚୟ ଓ ବାସସ୍ଥାନ ପ୍ରମାଣପତ୍ର ଭାବେ ବ୍ୟବହାର କରୁଥିଲେ । ଭାଗ୍ୟବଶତଃ ଘରେ ‘ଲ୍ୟାଣ୍ଡ୍ ଲାଇନ’ ଫୋନ୍ ଥିଲେ ତାହାର ମାସିକ ଦେୟ ବାବଦ ବିଲ୍ ମଧ୍ୟ ବ୍ୟକ୍ତି ପରିଚୟ ଓ ବାସସ୍ଥାନ ପ୍ରମାଣର ଆଉ ଏକ ସରଳ ମାଧ୍ୟମ ଥିଲା । ଆଜିର ଦିନରେ ଦେଶରେ ଯେଭଳି ସାମାଜିକ ଓ ଅର୍ଥନୈତିକ ପରିବର୍ତନ ଘଟିଛି ସେଥିରେ ସମସ୍ତଙ୍କୁ ରେସନ କାର୍ଡ ମିଳିବା ସମ୍ଭବ ହେଉ ନାହିଁ । କେବଳ ବିପିଏଲ (ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର) ପରିବାର ରେସନ କାର୍ଡ ପାଇବାକୁ ଯୋଗ୍ୟ । ମୋବାଇଲ ଫୋନର ବହୁଳ ପ୍ରସାର ଫଳରେ ‘ଲ୍ୟାଣ୍ଡ୍ ଲାଇନ’ ଫୋନ୍ ବ୍ୟବହାର ସଂକୁଚିତ ହୋଇଯାଇଛି । ଭୋଟର ପରିଚୟପତ୍ର ଓ ପାନ୍ କାର୍ଡ ବ୍ୟକ୍ତିଗତ ପରିଚୟ ଓ ବାସସ୍ଥାନ ପ୍ରମାଣର ମାଧ୍ୟମ ହୋଇ ଥିଲେ ମଧ୍ୟ ଅତି ସାଧାରଣ ପରିବାର ନିକଟରେ ପାନ୍ କାର୍ଡ ନଥାଏ । ଭୋଟର ପରିଚୟପତ୍ର ହିଁ ସେମାନଙ୍କର ଏକମାତ୍ର ଭରସା । ବିଭିନ୍ନ ସରକାରୀ ବା ବେସରକାରୀ ସଂସ୍ଥା ପରିଚୟ ଓ ବାସସ୍ଥାନର ପ୍ରମାଣ ମାଗିଲେ ତାହା ଦେବାକୁ ଅନେକ ସମୟରେ ଗରୀବ ଲୋକମାନେ ସକ୍ଷମ ହୋଇ ନ ଥା’ନ୍ତି । କାରଣ, କାଗଜପତ୍ର ସାଇତି ରଖିବା ଓ ଉପସ୍ଥାପନ କରିବାରେ ସେମାନେ ଦୁର୍ବଳ । ସେହିଭଳି, ଭଲ ରୋଜଗାର ପାଇଁ ହେଉ ବା ଅଧିକ ଶିକ୍ଷା ପାଇଁ ରାଜ୍ୟ ବାହାରକୁ ବା ସହର ବାହାରକୁ ଯାଉଥିବା ଶିକ୍ଷିତ ଯୁବକ, ଯୁବତୀମାନେ ଭଡା ଘରଟିଏ ପାଇଁ ହେଉ ବା ମୋବାଇଲ୍ ସିମ୍ ପାଇବାକୁ ହେଉ ବ୍ୟକ୍ତିଗତ ପରିଚୟ ଓ ବାସସ୍ଥାନର ପ୍ରମାଣ (ରେସିଡେନ୍ସିଆଲ୍ ପୃଫ୍) ଦେବାକୁ ବାଧ୍ୟ ।
୨୦୧୬ରେ ‘ଆଧାର’କୁ ବ୍ୟକ୍ତିଗତ ପରିଚୟ ଓ ବାସସ୍ଥାନ ପ୍ରମାଣର ‘ଏକକ ପ୍ରମାଣପତ୍ର’ ଭାବ କେନ୍ଦ୍ର ସରକାର ସ୍ୱୀକୃତି ଦେବା ଫଳରେ ବହୁମାତ୍ରାରେ ଉପରୋକ୍ତ ସମସ୍ୟାର ସମାଧାନ ହୋଇଥିଲା । ‘ଆଧାର’ ପ୍ରମାଣପତ୍ର ପାଇଥିବା ଦେଶର ୧୧୨ କୋଟି ଜନତା ନିଜର ପରିଚୟ ଓ ବାସସ୍ଥାନର ପ୍ରମାଣ ଦେବା ସକାଶେ ଏହାକୁ ହିଁ ବ୍ୟବହାର କରି ଆସୁଥିଲେ । ବ୍ୟବହାର ମଧ୍ୟ ସରଳ ଥିଲା । ଏହାର ବ୍ୟବହାର ପଛରେ ଭାରତ ସରକାରଙ୍କ ସ୍ୱୀକୃତି ରହି ଥିବାରୁ ସରକାରୀ ଓ ବେସରକାରୀ ସଂସ୍ଥାମାନେ ବିନା ଦ୍ୱିଧାରେ ଏହାକୁ ପ୍ରମାଣ ଭାବେ ଗ୍ରହଣ କରିବା ସହ ଆବଶ୍ୟକ ସ୍ଥଳେ ଅନ୍ ଲାଇନ୍ ରେ ଟିପଚିହ୍ନ ଯାଂଚ କରି ସେବା ଯୋଗାଇ ଦେଉଥିଲେ । ଏହି ପ୍ରକ୍ରିୟା ଏତେ ସରଳ ଓ ସର୍ବବ୍ୟାପୀ ଥିଲା ଯେ ସାଧାରଣ ମୂଲିଆଟିଏ ହେଉ ବା ଶିକ୍ଷିତ ଯୁବକ, ଯୁବତୀ ହୁଅନ୍ତୁ ‘ଆଧାର’ କାର୍ଡ ପାଖରେ ଥିଲେ ସବୁ ପ୍ରକାର ସେବା ପାଇବା ନେଇ ନିଶ୍ଚିନ୍ତ ରହୁଥିଲେ । ଭଡା ଘରଟିଏ ନେବା ପାଇଁ ଘର ମାଲିକଙ୍କୁ ‘ଆଧାର’ କାର୍ଡର ନକଲଟିଏ ଦେଲେ ଯଥେଷ୍ଟ ହେଉଥିଲା । ଏବେ, ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ବୁଧବାର ଦିନର ରାୟ ଘରୋଇ କ୍ଷେତ୍ରରେ ‘ଆଧାର’ର ଗୁରୁତ୍ୱ କମାଇ ଦେଇଛି । ପାଖରେ ‘ଆଧାର’ କାର୍ଡ ଥିଲେ ଘରୋଇ କ୍ଷେତ୍ରରେ ବିଭିନ୍ନ ଦ୍ରବ୍ୟ କିଣିବା ବା ସେବା ପାଇବା ପାଇଁ ତାହା ଗ୍ରହଣୀୟ ହୋଇ ନ ପାରେ । ବିଭିନ୍ନ ଉତ୍ପାଦ ଓ ସେବା ପାଇଁ ବେସରକାରୀ ସଂସ୍ଥା ବା ଅନୁଷ୍ଠାନ ଅନ୍ୟ କିଛି ପ୍ରମାଣ ଚାହିଁଲେ ତାହା ଯୋଗାଡ କରି ଦେବାକୁ ପୁନର୍ବାର ସରକାରୀ କାର୍ଯ୍ୟାଳୟରେ ଗୋଡ ଭାଙ୍ଗି ଠିଆ ହେବାକୁ ଓ ହାତଗୁଂଜା ଦେବାକୁ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।
ତେବେ, କୋର୍ଟଙ୍କ ରାୟ ଏହି ପ୍ରସଙ୍ଗରେ ସଂପୂର୍ଣର୍ ନୀରବ । ‘ଆଧାର’ର ସକାରାତ୍ମକ ଦିଗ ଉପରେ ଖଣ୍ଡପୀଠ ଆଲୋଚନା କରି ‘ଆଧାର’ ସର୍ବୋତ୍ତମ ନ ହେଲେ ବି ଅନନ୍ୟ ଉତ୍ତମ ବୋଲି ମତବ୍ୟକ୍ତ କରିଛନ୍ତି । ‘ଆଧାର’ରେ ଥିବା ଅସାଧାରଣ ବୈଶିଷ୍ଟ୍ୟ ଦ୍ୱାରା ଲୋକମାନେ ବେଶ୍ ଉପକୃତ ହେବେ, ସାଧାରଣ ଖଟିିଖିଆ ସେମାନଙ୍କ ନ୍ୟାଯ୍ୟପ୍ରାପ୍ୟ ପାଇ ପାରିବେ ଏବଂ ସରକାରୀ ସ୍କିମ୍ ଗୁଡ଼ିକର ବାଟମାରଣା ହେବ ନାହିଁ । ତା’ ଛଡା ଆଧାର ନକଲ କରାଯିବା ସମ୍ଭବ ନୁହେଁ ବୋଲି କୋର୍ଟ କହିଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ତାହା ବେଶ୍ ସହାୟକ ହୋଇପାରିବ ବୋଲି ସଂଖ୍ୟାଗରିଷ୍ଠ ରାୟରେ କୁହାଯାଇଛି । ‘ଆଧାର’ରେ ସବୋତ୍ତମ ଗୁଣ ଖୋଜିବା ଅପେକ୍ଷା ଏଥିରେ ଥିବା ଅନନ୍ୟ ଗୁଣାବଳୀକୁ ଦେଖି ଖଣ୍ଡପୀଠ ‘ଆଧାର’କୁ ସମ୍ବିଧାନସିଦ୍ଧ ଘୋଷଣା କରି ଥିବା ଖଣ୍ଡପୀଠ ଦର୍ଶାଇଛନ୍ତି । ବୁଧବାର ଦିନ ‘ଆଧାର’କୁ ନେଇ ତିନିଟି ପୃଥକ ପୃଥକ ରାୟ ପ୍ରକାଶ ପାଇଥିଲା । ଖଣ୍ଡପୀଠର ଅଧ୍ୟକ୍ଷ ଦୀପକ ମିଶ୍ର ଓ ଅନ୍ୟ ଦୁଇ ବିଚାରପତି ଏ.କେ.ସିକ୍ରି ଓ ଏ.ଏମ.ଖାନୱିଲକର ମିଳିତ ଭାବେ ଗୋଟିଏ ରାୟ ଶୁଣାଇ ଥିବା ବେଳେ ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଡ଼ି.ୱାଇ.ଚନ୍ଦ୍ରଚୂଡ ଅନ୍ୟ ଦୁଇଟି ରାୟ ପୃଥକ ପୃଥକ ଭାବେ ଶୁଣାଇ ଥିଲେ । ପ୍ରଥମ ଦୁଇଟି ରାୟ ପରସ୍ପର ଠାରୁ ପୃଥକ ଥିଲେ ମଧ୍ୟ ‘ଆଧାର’ର ସାମ୍ବିଧାନିକ ବୈଧତା ସପକ୍ଷରେ ଯାଇଥିବା ବେଳେ ବିଚାରପତି ଡ଼ି.ୱାଇ.ଚନ୍ଦ୍ରଚୂଡ ‘ଆଧାର’କୁ ନେଇ ସଂପୂର୍ଣ୍ଣ ଭିନ୍ନମତ ପୋଷଣ କରିଛନ୍ତି । ତେବେ, ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସଂଖ୍ୟାଲଘୁ ରାୟ ଅନ୍ୟ ୪ ବିଚାରପତିଙ୍କ ସଂଖ୍ୟାଗରିଷ୍ଠ ରାୟରେ ଥିବା ନିର୍ଦେଶାବଳୀର ବିରୋଧାଚରଣ କରୁଥିଲେ ମଧ୍ୟ ‘ଆଧାର’ର ଅପବ୍ୟବହାର ରୋକିବା ଓ ତଥ୍ୟର ସୁରକ୍ଷା ନେଇ ଅନ୍ୟ ଦୁଇ ରାୟ ସହ ସମାନ ଗୁରୁତ୍ୱ ରଖୁଛି ।
ସଂଖ୍ୟାଗରିଷ୍ଠ ରାୟରେ ସବୁଠାରୁ ଅଧିକ ଗୁରୁତ୍ୱ ରଖୁଛି, ‘ଆଧାର’ ଆଇନରେ ୫୭ ଧାରାକୁ ସୁପ୍ରିମ କୋର୍ଟର ଖଣ୍ଡପୀଠ ଉଚ୍ଛେଦ କରିଥିବା । ‘ଆଧାର’ର ୫୭ ଧାରାରେ କେନ୍ଦ୍ର ସରକାର ଜାତୀୟ ନିରାପତ୍ତା କାରଣ ଦର୍ଶାଇ ଏଥିରେ ଥିବା ତଥ୍ୟ ଅନ୍ୟ ସଂସ୍ଥାକୁ ହସ୍ତାନ୍ତର କରିବା କ୍ଷମତା ସରକାର ଓ ୟୁଆଇଡ଼ିଏଆଇ ହାତରେ ହିଁ ସୀମିତ ରଖି ଥିଲେ । ଖଣ୍ଡପୀଠ ଏହି ଧାରାକୁ ଉଚ୍ଛେଦ କରିବା ଦ୍ୱାରା ‘ଆଧାର’ରେ ଥିବା ତଥ୍ୟ ଅନ୍ୟ କୌଣସି ସଂସ୍ଥାକୁ ହସ୍ତାନ୍ତର ହୋଇପାରିବ ନାହିଁ । ‘ଆଧାର’ ଆଇନ ଦ୍ୱାରା କୌଣସି ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଲେ ସେ ଅଦାଲତର ଆଶ୍ରୟ ନେଇ ପାରିବେ । ପୂର୍ବରୁ ‘ଆଧାର’ ଆଇନରେ ନାଗରିକଙ୍କୁ କୋର୍ଟକୁ ଯିବାର ସୁଯୋଗ ଦିଆଯାଇ ନ ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ତଥ୍ୟ ଚୋରି ନେଇ ଆବେଦନକାରୀଙ୍କ ଆଶଙ୍କାକୁ ଖଣ୍ଡପୀଠ ଗୁରୁତ୍ୱ ଦେଇ ‘ଆଧାର’ରେ ଥିବା ନାଗରିକଙ୍କ ସମସ୍ତ ତଥ୍ୟର ସୁରକ୍ଷା ପାଇଁ ସଂସଦରେ ଆବଶ୍ୟକ ଆଇନ ପ୍ରଣୟନ କରିବାକୁ ଖଣ୍ଡପୀଠ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ବିଚାରପତି ଚନ୍ଦ୍ରଚୂଡ ମଧ୍ୟ ତାଙ୍କ ରାୟରେ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଭିନ୍ନମତ ସତ୍ୱେ ଦେଶବାସୀଙ୍କ ସ୍ୱର୍ଥରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ଏକାଠି, ତାହା ଦର୍ଶାଇଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS