ରାଜନୀତିକୁ ‘ଅପରାଧୀ ମୁକ୍ତ’ କରିବା ଦାୟିତ୍ୱ ସଂସଦର – ସୁପ୍ରିମ କୋର୍ଟ
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର: ଭାରତୀୟ ରାଜନୀତିକୁ ‘ଅପରାଧୀ ମୁକ୍ତ’ କରିବାର କ୍ଷମତା କେବଳ ସଂସଦର ରହିଛି, ନ୍ୟାୟାଳୟର ନୁହେଁ ବୋଲି ମଙ୍ଗଳବାର (୨୫ ତାରିଖ) ଦିନ ସୁପ୍ରିମ କୋର୍ଟର ଏକ ସାମ୍ବିଧାନିକ ପୀଠ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟଳୟର ୧୦୦ ପୃଷ୍ଠାର ରାୟ ଦେଇ ନିଜକୁ ସମ୍ବିଧାନର ‘ଲକ୍ଷ୍ଣଣ ରେଖା’ ଭିତରେ ରଖିବା ସହ ସଂସଦ ଉପରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ପୀଠ କହିଛନ୍ତି, ବର୍ତର୍ମାନ ପରିପ୍ରେକ୍ଷୀରେ ଦେଶରେ ଥିବା ଆଇନ ଅନୁସାରେ କୌଣସି ବ୍ୟକ୍ତି କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷ ବା ତା’ଠାରୁ ଅଧିକ ପାଇଁ ଅଦାଲତ ଦ୍ୱାରା ଦଣ୍ଡିତ ହୋଇଥିବ ତାଙ୍କୁ ନିର୍ବାଚନ ରାଜନୀତିରେ ଭାଗ ନେବାରୁ ବଂଚିତ କରାଯାଇ ପାରିବ । କିନ୍ତୁ, ଆପରାଧିକ ମାମଲାର ବିଚାରଣାର ଚାଲି ଥିବା ବେଳେ କୌଣସି ବ୍ୟକ୍ତିଙ୍କୁ ନିର୍ବାଚନରେ ଭାଗ ନେବାରୁ ବଂଚିତ କରିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ତେବେ, ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ କୌଣସି ଅଂକୁଶ ଲଗାଇବାକୁ ବା କୌଣସି ପ୍ରକାର ନିର୍ଦେଶନାମା ଜାରି କରିବାକୁ ଚାହୁଁ ନାହାନ୍ତି । ସଂସଦ ହିଁ ପ୍ରକୃତ କ୍ଷେତ୍ର, ଯେଉଁ ଠାରେ କି ଏସଂପର୍କରେ ଏକ ଆଇନ ପ୍ରଣୟନ ହୋଇପାରିବ । ନିର୍ବାଚନ ରାଜନୀତିରେ ଅପରାଧୀଙ୍କ ଅବାଧ ପ୍ରବେଶ ଦ୍ୱାରା ଦେଶର ସମ୍ବିଧାନ ତଥା ଗଣତନ୍ତ୍ରର ମୂଳପିଣ୍ଡକୁ ଖୋକଲା ହୋଇଯାଉଛି । ଏହାକୁ ରୋକିବାକୁ ସଂସଦରେ ତୁରନ୍ତ ଆଇନ ପ୍ରଣୟନ କରାଯିବା ଆବଶ୍ୟକତା ରହିଛି । କେବଳ ନିର୍ବାଚିତ ପ୍ରତନିଧିମାନେ ହିଁ ତାହା କରିବାର କ୍ଷମତା ରଖିଛନ୍ତି । କୋର୍ଟ ଅନ୍ୟ କିଛି ବାଟ ନ ଆପଣାଇ କେବଳ ସରକାରଙ୍କୁ ପରାମର୍ଶ ଦେଉଛି ବୋଲି ସାମ୍ବିଧାନିକ ପୀଠ ମତ ଦେଇଛନ୍ତି ।
ସଂସଦରେ ବସି ଆଇନ ତିଆରି କରୁଥିବା ସାଂସଦମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ଗଂଭୀର ଆପରାଧିକ ମାମଲାରେ ସଂପୃକ୍ତ ଥାଇ ବିଚାରଣାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ବିରୋଧରେ ମାମଲା ଅଭିଯୋଗ ଫର୍ଦ୍ଦ ଦାଖଲ ସ୍ତରରେ ରହିଛି, ଆଗକୁ ସେମାନଙ୍କୁ ନିର୍ବାଚନ ଲଢିବାରୁ ବାରଣ କରାଯାଇ ପାରିବ କି (?) ବୋଲି ପ୍ରଶ୍ନ ଉଠାଇ ଆଗତ ହୋଇଥିବା ଏକାଧିକ ଆବେଦନର ବିଚାର କରି ସୁପ୍ରିମ କୋର୍ଟର ସାମ୍ବିଧାନିକ ପୀଠ ଏହି ରାୟ ଦେଇଛନ୍ତି । ଦେଶରେ ପ୍ରଚଳିତ ଥିବା ଆଇନଗତ ବିଧି ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ କରି ସାମ୍ବିଧାନିକ ପୀଠ କହିଛନ୍ତି ଯେ, ପ୍ରଚଳିତ ଆଇନରେ ଏସଂପର୍କରେ ଥିବା ବ୍ୟବସ୍ଥା ଅତ୍ୟନ୍ତ ସ୍ପଷ୍ଟ । ବିଭିନ୍ନ ଆପରାଧିକ ମାମଲାରେ ଅଭିଯୁକ୍ତ ଥାଇ ବିଚାରଣାର ସମ୍ମୁଖୀନ ହେଉଥିବା ବିଧାୟକ ବା ସାଂସଦ ଆଗକୁ ନିର୍ବାଚନ ଲଢି ପାରିବେ କି ନାହିଁ ତାହା ଉପରେ କେବଳ ଦେଶର ପାର୍ଲମେଂଟ ବା ସଂସଦ ଆଇନ ପ୍ରଣୟନ ମାଧ୍ୟମରେ ଉଚିତ ନିଷ୍ପତ୍ତି ନେଇ ପାରିବ ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ରଙ୍କ ନେତୃତ୍ୱରେ ବିଚାରପତି ଜଷ୍ଟିସ ଆର.ଏଫ. ନରିମେନ୍, ବିଚାରପତି ଜଷ୍ଟିସ ଏ.ଏମ୍. ଖାନୱିଲକର, ବିଚାରପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ ଓ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ସର୍ବସମ୍ମତି ଭିତ୍ତିରେ ଏହି ରାୟ ଦେଇଛନ୍ତି । ସାମ୍ବିଧାନିକ ପୀଠ କହିଛନ୍ତି, ଭାରତ ଭଳି ବିଶ୍ୱର ଏକ ବୃହତ୍ତମ ଗଣତାନ୍ତ୍ରିକରେ ସର୍ବାଧିକ ସଂଖ୍ୟା ଥିବା ଦଳ ସରକାର ଗଠନ କରିବା ବ୍ୟବସ୍ଥା ଥିବା ସମୟରେ ନିର୍ବାଚନ ରାଜନୀତିରେ ଆପରାଧିକ ମାମଲା ଥିବା ଆଇନପ୍ରଣେତାଙ୍କ ସଂଖ୍ୟା ବଢି ଚାଲୁ ଥିବା ଉଦ୍ବେଗର ବିଷୟ ହୋଇଛି । କୋର୍ଟ ‘ଲକ୍ଷ୍ମଣ ରେଖା’ ବାହାରକୁ ଯିବା ଉଚିତ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ଦେଇ ଥିବା ପରାମର୍ଶ ସଂପର୍କରେ ଉଲ୍ଲେଖ କରି କୋର୍ଟ କହିଛନ୍ତି, ଏହି ମାମଲାରେ କୋର୍ଟ ଅନ୍ୟ କିଛି ବାଟ ନ ଆପଣାଇ ଆପରାଧିକ ମାମଲାରେ ଅଭିଯୁକ୍ତ ଥାଇ ବିଚାରଣାର ସମ୍ମୁଖୀନ ହେଉଥିବା ଆଇନପ୍ରଣେତାମାନେ ଆଗାମୀ ଦିନ ନିର୍ବାଚନ ଲଢି ପାରିବେ କି ନାହିଁ ତାହା ସଂସଦରେ ନିଷ୍ପତ୍ତି ନିଆଯାଇ ତ୍ୱରିତ ଆଇନ ପ୍ରଣୟନ କରିବାକୁ କେବଳ ପରାମର୍ଶ ଦିଆଯାଇଛି ।
ବିଧାୟକ, ସାଂସଦ ଓକିଲାତି ପେଶା କରି ପାରିବେ – ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ମୋଅନୁଭବ.କମ୍): ନିର୍ବାଚିତ ସାଂସଦ, ବିଧାୟକ ଓ ବିଧାନ ପରିଷଦ ସଭ୍ୟ ଥିବା ଓକିଲମାନେ କୋର୍ଟକୁ ଯାଇ ଓକିଲାତି କରି ପାରିବେ । ଏହାକୁ ନିଷିଦ୍ଧ କରିବା ସକାଶେ ହୋଇଥିବା ଏକ ଆବେଦନର ଖାରଜ କରି ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ମଙ୍ଗଳବାର ଦିନ ରାୟ ଦେଇଛନ୍ତି । ଭାରତୀୟ ବାର୍ କାଉନସିଲ୍ ଆଇନ ପ୍ରଣେତାଙ୍କୁ ଓକିଲାତିକୁ କରିବାକୁ ବାରଣ ବା ନିଷିଦ୍ଧ କରି ନ ଥିବା ଦର୍ଶାଇ ସୁପ୍ରିମ କୋର୍ଟ ଏଭଳି ରାୟ ଦେଇଛନ୍ତି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ଜଷ୍ଟିସ ଏ.ଏମ.ଖାନୱିଲକର ଓ ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଆଗତ ଏକ ମାମଲାର ବିଚାର କରି ଜୁଲାଇ ୯ ତାରିଖରେ ମାମଲାର ରାୟ ସଂରକ୍ଷିତ ରଖି ଥିଲେ । ଯେଉଁ ଓକିଲମାନେ ବିଧାୟକ, ବିଧାନ ପରିଷଦ ସଭ୍ୟ ବା ସାଂସଦ ଅଛନ୍ତି, ସେମାନେ ସେହି ପଦପଦବୀରେ ଥିବା ଯାଏଁ କୋର୍ଟ ଯାଇ ଓକିଲାତି କରିବା ନିଷିଦ୍ଧ କରାଯିବାକୁ ଉପାଧ୍ୟାୟ ଆବେଦନ କରିଥିଲେ । ତାଙ୍କ ଓକିଲ ଶେଖର ନାଫେଦା କୋର୍ଟରେ ହାଜର ହୋଇ ଆଇନ ପ୍ରଣେତାମାନେ ଜନସାଧାରଣଙ୍କ ଟିକସ ଅର୍ଥରୁ ସରକାରୀ ତହବିଲରୁ ଦରମା ନେଉ ଥିବାରୁ ଏବଂ କୌଣସି ଦରମାପ୍ରାପ୍ତ ବ୍ୟକ୍ତି କୋର୍ଟରେ ଓକିଲାତି ପେଶା କରି ପାରିବେ ନାହିଁ ବୋଲି ବାର୍ କାଉନସିଲ୍ ର ନିୟମ ଥିବାରୁ ବିଧାୟକ, ବିଧାନ ପରିଷଦ ସଦସ୍ୟ ବା ସାଂସଦ ଥିବା ଓକିଲଙ୍କୁ କୋର୍ଟକୁ ଯାଇ ଓକିଲାତି କରିବାକୁ ଦିଆ ନ ଯିବାକୁ ଯୁକ୍ତି ଦର୍ଶାଇ ଥିଲେ । ତେବେ, ସାଂସଦ ଓ ବିଧାୟକମାନେ ନିର୍ବାଚିତ ପ୍ରତିନିଧି, ସେମାନେ ସରକାରଙ୍କ ପୂର୍ଣ୍ଣ ଦରମାପ୍ରାପ୍ତ କର୍ମଚାରୀ ନୁହନ୍ତି ବୋଲି କେନ୍ଦ୍ର ସରକାର ଆଡୁ ଯୁକ୍ତି କରାଯାଇଥିଲା । ଖଣ୍ଡପୀଠ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ମଙ୍ଗଳବାର ଦିନ ଉପାଧ୍ୟାୟଙ୍କ ଆବେଦନକୁ ଖାରଜ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS