ବିଜେପିକୁ ଅସମୟରେ ଅଯାଚିତ ସାହାଯ୍ୟ କରିଥିବା ନବୀନ ଏବେ ରାଗୁଛନ୍ତି କାହା ଉପରେ ?


– ପ୍ରସାଦ ରାଓ –
ଭୁବନେଶ୍ୱର,୨୪ ସେପ୍ଟେମ୍ବର: ଓଡ଼ିଶା ସରକାର ଚୋର । ସବୁ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାଁରେ କରି ନେଉଛନ୍ତି । ସରକାର ଗରୀବ ଲୋକଙ୍କୁ ଯୋଗାଉ ଥିବା ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର କିଲୋ ପିଛା ୨୫ରୁ ୩୦ ଟଙ୍କା ହିସାବରେ ମାସିକ ରାଜ୍ୟକୁ ୪୫୦ କୋଟି ଟଙ୍କା ଦେଉଛି । ତେବେ, ଓଡ଼ିଶା ସରକାର ଏକ ଟଙ୍କାରେ ଚାଉଳ ବାଂଟୁ ଥିବାରୁ ଏହାର ସଂପୂର୍ଣ୍ଣ ଶ୍ରେୟ ନେଉଛନ୍ତି । ଓଡ଼ିଶାର ୮୫ ଲକ୍ଷ ଗରୀବ ଲୋକ କେନ୍ଦ୍ରର ଚାଉଳ ଖାଇ ରାଜ୍ୟର ଗୁଣଗାନ କରୁଛନ୍ତି ।
ଓଡ଼ିଶା ସରକାର ଭ୍ରଷ୍ଟ । ବିନା ପରସେଂଟେଜ୍ (ପିସି)ରେ ରାଜ୍ୟରେ କୌଣସି କାମ ହେଉ ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଏକଥା ସ୍ୱୀକାର କରିଛନ୍ତି । ପିସି ନ ନେବାକୁ ସରକାରୀ କର୍ମଚାରୀଙ୍କୁ ତାଗିଦ କରିବା ସହ ଭିଜିଲାନ୍ସ ବିଭାଗକୁ ଆଖି, କାନ ମେଲା ରଖିବାକୁ ନିର୍ଦେଶ ଦେଇଛନ୍ତି । ତଥାପି, ପିଅନ ଠାରୁ ଆରମ୍ଭ କରି ଯନ୍ତ୍ରୀ, ଅଫିସରଙ୍କ ଘରେ ଚଢାଉ ବେଳେ କୋଟି କୋଟି ଟଙ୍କାର ବେଆଇନ ସଂପତ୍ତି ମିଳୁଛି । ବର୍ଷ ବର୍ଷ ଧରି ମକଦ୍ଦମା ଚାଲୁଛି । କେତେବେଳେ ଅପରାଧ ସାବ୍ୟସ୍ତ ହେଉଛି ତ ଆଉ କେତେବେଳେ ନାହିଁ । ସରକାର ଚଢାଉ କରି କାମ ସାରି ଦେଉଛନ୍ତି । ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଲା କି ନାହିଁ – ସେଥିପ୍ରତି କାହାରି ନିଘା ନାହିଁ ।
ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ । ଚାରା ଦୁର୍ନୀତି, ପଲିଥିନ୍ ଦୁର୍ନୀତି, ସମବାୟ ଦୁର୍ନୀତି, ସଡ଼କ ନିର୍ମାଣ ଠାରୁ ଜଳସେଚନ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତିର ଅଭିଯୋଗ । କେନ୍ଦ୍ର ସରକାର ଚାଷିଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ଦେବାକୁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଥିବା ବେଳେ ତାହା ଚାଷିଙ୍କ ପାଖରେ ପହଂଚୁ ନାହିଁ । ରାଜ୍ୟରେ କାଗଜପତ୍ରରେ ଧାନ ସଂଗ୍ରହ ହେଉଛି । ନିମ୍ନ ମାନର ଉତ୍ପାଦ ଦର୍ଶାଇ ଚାଷିଙ୍କୁ ଉପଯୁକ୍ତ ମୂଲ୍ୟ ଦିଆଯାଉ ନାହିଁ । କେନ୍ଦ୍ର ସରକାର ରାଜ୍ୟକୁ ଗଲା ସାଢେ ୪ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ଦୁଇ ଲକ୍ଷ କୋଟି ଟଙ୍କା ସହାୟତା ଦେଇଥିଲେ ମଧ୍ୟ ତାହା କେଉଁ ବାଟରେ ଖର୍ଚ୍ଚ ହୋଇଛି ସରକାର ତାହାର ହିସାବ ଦେଇ ପାରୁ ନାହାନ୍ତି ।
ସେହିପରି, ରାଜ୍ୟ ସରକାର ବିଜୁ ପଟ୍ଟନାୟକ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ନାଁରେ ନିଜର ଗୋଟାଏ ଯୋଜନା କରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ପାଦରେ ଆଡେଇ ଦେଇଛନ୍ତି । ଗରୀବ ଲୋକଙ୍କୁ କ୍ୟାନସର, ହୃଦରୋଗ ଭଳି ସ୍ପେଶାଲାଇଜ୍ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିଲେ ବିଏସକେୱାଇ କାମ କରିବ ନାହିଁ । ଆୟୁଷ୍ମାନ ଯୋଜନାକୁ ଗ୍ରହଣ ନ କରି ନବୀନ ସରକାର ଗରୀବ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ପାଇବାର ବାଟ ଓଗାଳିଛନ୍ତି । ନବୀନ କେମିତି ତାହା ବୁଝିପାରୁ ନାହାନ୍ତି – ସେ (ପ୍ରଧାନମନ୍ତ୍ରୀ) ମଧ୍ୟ ବୁଝିପାରୁ ନାହାନ୍ତି ।
ଏସବୁ ଅଭିଯୋଗ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ । ସେପ୍ଟେମ୍ବର ୨୨ ତାରିଖ ଅପରାହ୍ନରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡା ଓ ତାଳଚେରଠାରେ ବିଜେପି ପ୍ରୟୋଜିତ ଦୁଇଟି ସାଧାରଣ ସଭାରେ ଭାଷଣ ଦେବା ଅବସରରେ ସେ ଏଭଳି ଗୁରୁତର ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଛାତି ଫଟା ଗର୍ଜନ କଲେ, ଓଡ଼ିଶା ମାଟିରେ ଏତେ ସବୁ ଅଭିଯୋଗ କରି ଫେରି ଗଲେ । ଅଭିଯୋଗ ଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଥିଲା ସଂକ୍ଷୀପ୍ତ ଓ ମାର୍ଜିତ । ‘ମୋଦୀଜୀ ବୋଧହୁଏ ନିଜ ଦଳର ନେତା ଓ କର୍ମୀମାନଙ୍କ ମନୋବଳ ବଢାଇବା ପାଇଁ ଏସବୁ ଅଭିଯୋଗ କରିଛନ୍ତି’ ବୋଲି ସେ ଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟୁତ୍ତର ରଖି ଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଓ ସ୍କିଲ୍ ଇଂଡିଆ ଯୋଜନାରେ ଦୁର୍ନୀତି କଥା ଉଠାଇବା ସହ ମୁଖ୍ୟମନ୍ତ୍ରୀ ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧି ରେକର୍ଡ ଛୁଇଁ ଦେଶବାସୀଙ୍କୁ ଅତିଷ୍ଟ କରିଥିବା ବେଳେ ଏହାକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବାର ପ୍ରୟାସ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଲଙ୍ଗଳା କଲା ଭଳି ନାଟକୀୟ ଢଙ୍ଗ ଓ ଚଢା ଗଳାରେ ଦୁର୍ନୀତି, ଅଜ୍ଞତା ଓ କେନ୍ଦ୍ରୀୟ ଯୋଜନାରେ ହଡ଼ପ ଭଳି ଗୁରୁତର ଅଭିଯୋଗ ଲଦି ଦେଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ସୌଜନ୍ୟତା ଓ ନମ୍ରତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ତେବେ, ଏହା ପଛରେ କି ବାଧ୍ୟବାଧକତା ରହିଛି ତାହା ସ୍ପଷ୍ଟ ହେଉ ନାହିଁ ।
କିନ୍ତୁ, ଦିନକ ପରେ ବିଜେଡ଼ିକୁ ସମର୍ଥନ କରୁଥିବା ଗୋଟିଏ ଖବରକାଗଜରେ ପ୍ରକାଶିତ ସମୀକ୍ଷା ରିପୋର୍ଟ ନବୀନଙ୍କ କୌଶଳକୁ ପଦାରେ ପକାଇଛି । ନବୀନ ବାହାରକୁ ରାଗ ଦେଖାଉ ନ ଥିଲେ ମଧ୍ୟ ଭିତରେ ଭିଷଣ ରାଗି ଥିବା ଏଥିରୁ ସ୍ପଷ୍ଟ ହେଉଛି । ପ୍ରଧାନମନ୍ତ୍ରୀ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଚୋର, ତସ୍କର, ଧପ୍ପାବାଜ ଆଖ୍ୟା ଦେଇ ଫେରି ଯିବା ଦ୍ୱାରା ସରକାର ମୁଖ୍ୟ କ୍ଷୁବ୍ଧ ହେବା ସ୍ୱାଭାବିକ । ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସି ଥିବା ଅବସରରେ ବିଜେପିର ମୁଖ୍ୟ ପ୍ରଚାରକ ଭାବେ ଓଡ଼ିଶା ସରକାରଙ୍କୁ ଗାଳି ଦେଇ ଅପମାନିତ କରିବାର ଶାଳୀନତା ସଂପର୍କରେ ସଂପୃକ୍ତ ସମ୍ବାଦପତ୍ର ପ୍ରଶ୍ନ କରିଛି । ତେବେ,ଏଠି ପ୍ରଶ୍ନ ଉଠୁଛି – ଓଡ଼ିଶା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ, ପିସିଖୋର୍, କେନ୍ଦ୍ରୀୟ ଯୋଜନାର ହଡ଼ପକାରୀ ଭଳି ଅପଶବ୍ଦ ପ୍ରୟୋଗ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଏତେ ନରମା କାହିଁକି ? ଖବରକାଗଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରାଇ ନିଜେ ଶାନ୍ତ ରହିବାର ଅଭିନୟ କରିବା ରହସ୍ୟ କଣ ? ଏହା ପଛରେ ସିବିଆଇ ତଦନ୍ତ ତ୍ୱରାନ୍ୱିତ ହେବାର ଭୟ ନାହିଁ ତ ?? ଚିଟ୍ ଫଣ୍ଡ୍ ଦୁର୍ନୀତିର ସିବିଆଇ ତଦନ୍ତ ଏବେ ବି ସରକାରଙ୍କ ପିଛା ଛାଡିନି । ମଝିରେ ମଝିରେ ସିବିଆଇ ଶାସକ ବିଜେଡ଼ିକୁ ଦୋହଲାଇ ଦେଇ ଏକଥା ମନେ ପକାଇ ଦେଉଛି । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନାର ସିଧାସଳଖ ଜବାବ ରଖିବାକୁ ବୋଧହୁଏ ରାଜ୍ୟ ସରକାର ଡ଼ରୁଛନ୍ତି । ତେଣୁ, ମୁଖ୍ୟମନ୍ତ୍ରୀ ନମ୍ରତାର ସହ ସମାଲୋଚନାର ଉତ୍ତର ଦେଇଥିବା ବେଳେ ଦଳୀୟ ସମର୍ଥିତ ଖବରକାଗଜ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଔକାତ ଦେଖାଇ ଦିଆଯାଇଛି ।
୧୮ ବର୍ଷ ହେଲା ଓଡ଼ିଶାରେ ଚାଲି ଥିବା ସ୍ଥିର ସରକାର ନବୀନଙ୍କ ବଡ ‘ପ୍ଲସ୍ ପଏଂଟ୍’ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିଜେପି ୨୦୧୯ ନିର୍ବାଚନରେ ଓଡ଼ିଶା ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜ୍ୟକୁ ନିଜ ହାତ ମୁଠାକୁ ନେବାର ଆଶା ରଖିଛି । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀ ୨୨ ତାରିଖର ଦୁଇ ସଭାରେ ‘ପରିବର୍ତର୍ନ’ କଥା ଉଠାଇଛନ୍ତି । ରାଜ୍ୟ ସରକାର ଦୁର୍ନୀତିର ଚରମ ସୀମାରେ ପହଂଚି ଥିବାରୁ ଓ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେଉ ଥିବାରୁ ଓଡ଼ିଶାବାସୀ ପରିବର୍ତର୍ନ ସପକ୍ଷରେ ଥିବା ସେ ଯୋର୍ ଦେଇ କହିଛନ୍ତି । ତେବେ, ପ୍ରଧାନମନ୍ତ୍ରୀଙ୍କ ଏହି ଆସ୍ଫାଳନ ଓଡ଼ିଶାରେ କେତେଦୂର କାମ କରିବ, ସେ ନେଇ ସନ୍ଦେହ ରହିଛି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଦେଶବ୍ୟାପୀ ‘ମୋଦୀ ହାୱା’ ଥାଇ ଓଡ଼ିଶାର ଜନସାଧାରଣ ଚତୁର୍ଥ ଥର ପାଇଁ ନବୀନଙ୍କୁ ଭରସା କରି ଥିଲେ ଏବଂ ବିଜେଡ଼ିକୁ ବିପୁଳ ସଂଖ୍ୟା ଦେଇ ପୁନର୍ବାର ସରକାର ଗଠନର ସୁଯୋଗ ଦେଇ ଥିଲେ । ରାଜ୍ୟର ୧୪୭ ବିଧାନସଭା ଆସନରୁ ୧୧୭ ଟି ଓ ୨୧ ଲୋକସଭା ଆସନରୁ ୨୦ଟି ବିଜେଡ଼ିକୁ ମିଳି ଥିଲା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ପ୍ରତିଷ୍ଠା ହେବା ପରଠାରୁ ବିଜେପି ଓଡ଼ିଶା ଦଖଲର ସ୍ୱପ୍ନ ଦେଖୁଛି । ରାଜ୍ୟରୁ ନିର୍ବାଚିତ ବିଜେପିର ଏକମାତ୍ର ଏମପି ଜୁଏଲ ଓରାମ (ସୁନ୍ଦରଗଡ ଜିଲ୍ଲା) କେନ୍ଦ୍ର ମନ୍ତ୍ରୀ ଥାଇ ଦଳରେ ଯେତିକି ଗୁରୁତ୍ୱ ପାଉ ନାହାନ୍ତି ପଡୋଶୀ ରାଜ୍ୟରୁ ରାଜ୍ୟସଭାକୁ ଯାଇ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିବା ଦ୍ୱିତୀୟ ଓଡ଼ିଆ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେତିକି ଗୁରୁତ୍ୱ ମିଳୁଛି । କେନ୍ଦ୍ର ପେଟ୍ରୋଲିୟମ ଓ ପା୍ରକୃତିକ ବାଷ୍ପ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ମୋଦୀଙ୍କ ଓଡ଼ିଶା ଦଖଲ ସ୍ୱପ୍ନକୁ ସାକାର କରିବା ପାଇଁ ନିଜର ସମସ୍ତ ଶକ୍ତି ଖଟାଉଛନ୍ତି । ଧର୍ମେନ୍ଦ୍ର ଅଧିକାଂଶ ସମୟ ଓଡ଼ିଶାରେ ରହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ଦର୍ଶାଇବାର କୌଣସି ସୁଯୋଗ ହାତଛଡା କରୁ ନ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କ ପିଠି ଥାପୁଡାଇ ଦଳର ରାଜନୈତିକ ସ୍ୱାର୍ଥ ହାସଲରେ ଲାଗିଛନ୍ତି । ଏହାର ଉଦାହଣ ହେଉଛି, ବିଜେପି ଓଡ଼ିଶାରେ ବିଜେଡ଼ିର କଟୁ ସମାଲୋଚନା କରୁଥିବା ବେଳେ ଆବଶ୍ୟକ ସମୟରେ ଦଳର କେନ୍ଦ୍ର ନେତୃତ୍ୱ ନବୀନଙ୍କୁ ସହାୟତା ପାଇଁ ହାତ ପତାଉଛି । ନବୀନ ମଧ୍ୟ ସମଦୂରତା କଥା ଭୁଲି ବିଜେପିକୁ ସହାୟତାର ହାତ ବଢାଇ ଆସିଛନ୍ତି ।
କେନ୍ଦ୍ର ସରକାରଙ୍କ ରାତି ଅଧିଆ ‘ବିମୁଦ୍ରାକରଣ ନିଷ୍ପତ୍ତି’ ରାଜ୍ୟବାସୀଙ୍କୁ ଘୋର ଅର୍ଥନୈତିକ ସଂକଟକୁ ଠେଲି ଦେଇ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀ ସରକାରଙ୍କୁ ନିଃସର୍ତର୍ ସମର୍ଥନ ଦେଇ ଥିଲେ । ବିମୁଦ୍ରାକରଣ ଅଭିଯାନ କଳାଧନକୁ ରୋକିବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଥିଲା । କିନ୍ତୁ, ବାସ୍ତବ ଲକ୍ଷ୍ୟ କେତେଦୂର ହାସଲ ହୋଇଛି ତାହା ରିଜର୍ଭ ବ୍ୟାଙ୍କରୁ ମିଳି ଥିବା ତଥ୍ୟରୁ ସ୍ପଷ୍ଟ ହେଉଛି । ସେହିଭଳି, କେନ୍ଦ୍ର ସରକାର ରାତି ଅଧିଆ ପାର୍ଲାମେଂଟର ଅଧିବେଶନ ବସାଇ ଜିଏସ୍ ଟି (ସମଗ୍ର ଦେଶ ପାଇଁ ଏକକ ଟିକସ) ବିଲ୍ ପାସ୍ କଲେ । ଓଡ଼ଶା ସରକାର ଏହି ବିଲ୍ କୁ ଅକୁଣ୍ଠ ସମର୍ଥନ ଦେଲେ । ତେବେ, ଜିଏସଟି ଦେଶର ଅର୍ଥନୈତିକ ପ୍ରଗତି ଅପେକ୍ଷା ଅଧିକ ବିପର୍ଯ୍ୟୟ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ଏବେ, ଦେଶରେ ପେଟ୍ରୋଲ,ଡ଼ିଜେଲ୍ର ଆକାଶଛୁଆଁ ଦରବୃଦ୍ଧି ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇ ତୈଳ ଉତ୍ପାଦକୁ ଜିଏସ୍ ଟି ପରିସରଭୁକ୍ତ କରିବା ନିତାନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଓଡ଼ିଶା ସରକାର ମଧ୍ୟ ଏହି ଦାବି ଉଠାଇଛନ୍ତି । କିନ୍ତୁ, କେନ୍ଦ୍ର ସରକାର ଦୁଇ ଉତ୍ପାଦକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ରାଜି ନୁହନ୍ତି । କେନ୍ଦ୍ର ଉତ୍ପାଦ ଟିକସ କମାଇ ତୈଳ ଦର ନିୟନ୍ତ୍ରଣ କରିବା ପ୍ରସ୍ତାବରେ ମଧ୍ୟ ରାଜି ନୁହେଁ । ଅନ୍ୟପକ୍ଷରେ, ତେଲ ଦର ବଢିଲେ ଓଡ଼ିଶା ସରକାର ଅଧିକ ରାଜସ୍ୱ ପାଉଥିବା ଏବଂ ରାଜ୍ୟର ରାଜସ୍ୱ ୩ ହଜାର କୋଟିରୁ ୭ ହଜାର କୋଟି ଟଙ୍କାକୁ ବଢିଥିବା ଦର୍ଶାଇ କେନ୍ଦ୍ର ରାଜ୍ୟର ରାଜସ୍ୱରୁ କିଛି ରିହାତି ଦିଆଯାଇ ରାଜ୍ୟବାସୀଙ୍କୁ ସନ୍ତୁଷ୍ଟ କରାଯିବାକୁ ପରାମର୍ଶ ଦେଉଛି । କେନ୍ଦ୍ର ସରକାର ଉତ୍ପାଦ ଟିକସ ଲିଟର ପିଛା ଦୁଇ ଟଙ୍କା କମାଇଲେ ବି ୨୮ରୁ ୩୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହେବ ଏବଂ ସରକାର ହାତକୁ ନେଇ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତ ଦର୍ଶାଯାଇ ଉତ୍ପାଦ ଟିକସ ହ୍ରାସ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଛି ।
କେବଳ ଅର୍ଥନୈତିକ କ୍ଷେତ୍ରରେ ନୁହେଁ, ରାଜନୀତି କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଅକୁଣ୍ଠ ସମର୍ଥନ ପାଇଛନ୍ତି । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଉପ-ରାଷ୍ଟ୍ରପତି ନିର୍ବାଚନକୁ ଛାଡି ଦେଳେ ବାକି ସବୁ ସାମ୍ବିଧାନିକ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସମଦୂରତାକୁ ଭୁଲି ବିଜେପିକୁ ସାହାଯ୍ୟ କରିଛନ୍ତି । ରାଷ୍ଟ୍ରପତି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଏହାର ଜ୍ୱଳନ୍ତ ଉଦାହରଣ । ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ବରିଷ୍ଠ ନେତା ଏମ.ଭେଙ୍କାୟା ନାଇଡୁ ଜିତିବା ନିଶ୍ଚିତ ଥିଲା । ତେଣୁ, ନବୀନ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ସମଦୂରତାର ଆଖି ଠାର ମାରି ଥିଲେ । ନିକଟରେ, ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ କଂଗ୍ରେସ, ଟିଡ଼ିପି ଓ ଅନ୍ୟ ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବ ଆଣି ବିରୋଧୀ ଏକତାକୁ ପ୍ରତିପାଦିତ କରିବାକୁ ଚାହୁଁଥିବା ବେଳେ ନିର୍ଣ୍ଣାୟକ ଭୂମିକାରେ ଥିବା ବିଜେଡ଼ିର ୯ଜଣ ସାଂସଦ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଂଗିତରେ ଆଲୋଚନା ଓ ଭୋଟରେ ଭାଗ ନ ନେଇ କକ୍ଷତ୍ୟାଗ କରି ଥିଲେ । ବିଜେପି ଏହାର ଫାଇଦା ପାଇ ନିଜ ବିଜୟକୁ ସୁନିଶ୍ଚିତ କରିଥିଲା । ସେଥିପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ନବୀନଙ୍କୁ କୃତଜ୍ଞତା ଜଣାଇ ଥିଲେ । ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡ଼ି ଓ ଏହାର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଠାରୁ ଏତେ ସବୁ ସହାୟତା ପାଇବା ପରେ ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ନବୀନ ସରକାରଙ୍କୁ ଚୋର, ତସ୍କର, ପିସିଖୋର୍, ଦୁର୍ନୀତିଗସ୍ତ ବୋଲି ଗାଳି ଦେବା ଅକୃତଜ୍ଞତା ହିଁ କୁହାଯାଇପାରେ ।
ଓଡ଼ିଶାରେ ବିଜେପି ନେତା ଓ କର୍ମୀଙ୍କ ମନୋବଳ ବଢାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ ଉଦ୍ଦିଷ୍ଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫେଇ ଦେଇଥିବା ବେଳେ ଓଡ଼ିଶାବାସୀଙ୍କୁ ନବୀନଙ୍କ ବିରୋଧରେ ଉସୁକାଇବା ପାଇଁ ଏହା ବିଜେପିର ଏକ ରାଜନୈତିକ କୌଶଳ ବୋଲି ନବୀନ-ସମର୍ଥକମାନେ କହୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହଠାତ୍ ରାଗ ନ ଦେଖାଇ, ମୁହଁରେ ହସ ଫୁଟାଇ, ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗର ରୋକଠୋକ ଜବାବ ରଖିବା ଏବଂ ପରୋକ୍ଷରେ ଦଳ ସମର୍ଥିତ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସଠିକ୍ ଉତ୍ତର ଦେବା ନବୀନଙ୍କ ରାଜନୈତିକ ପରିପକ୍ୱତାର ପରିଚୟ ଦେଉଛି । ତେବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ତାଙ୍କ ରାଜନୈତିକ ଅପରିପକ୍ୱତାର ପରିଚୟ ଦେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଗତ ସାଢେ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଯାହା କିଛି ସମର୍ଥନ ଦେଇଛନ୍ତି ତାହା କେବଳ ନିଜର ସ୍ୱାର୍ଥ ପାଇଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ବିଭିନ୍ନ ସମୟରେ ବିଜେପିକୁ ଅଯାଚିତ ସାହାଯ୍ୟ, ସହଯୋଗ ଦେଇ ଆସିଥିବା ନବୀନଙ୍କ ପାଇଁ ଉପହାସ ନୁହେଁ କି? ନବୀନ ଏକମାତ୍ର ବ୍ୟକ୍ତି ଯିଏକି ଏହାର ଉତ୍ତର ରଖି ପାରିବେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS