‘ଡ଼ାଏ’ ଦ୍ୱାରା ମାଲକାନଗିରି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ, ଯୋଗାଯୋଗ ବିଚ୍ଛିନ୍ନ


ଭୁବନେଶ୍ୱର,୨୧ସେପ୍ଟେମ୍ବର (ମୋଅନୁଭବ.କମ୍): ପଶ୍ଚିମ-କେନ୍ଦ୍ରୀୟ ବଂଗୋପସାଗରରେ ସୃଷ୍ଟି ହୋଇ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଶୁକ୍ରବାର ଭୋର ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଏହାର ପ୍ରଭାବରେ ଉପାନ୍ତ ମାଳକାନଗିରି ଜିଲ୍ଲା ସମେତ ଦକ୍ଷିଣାଂଚଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି । ବାତ୍ୟା ଯୋଗୁ ମାଲକାନଗିରି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟର ଅନ୍ୟାନ୍ୟ ଅଂଚଳରୁ ଏହି ଜିଲ୍ଲା ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଥିବା ସୂଚନା ମିଳିଛି । ତେବେ, ଏହି ବାତ୍ୟାରେ କୌଣସି ଜୀବନହାନୀ ଘଟି ନାହିଁ ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିସନର କହିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରଳୟଙ୍କରୀ ବାତ୍ୟାର ପ୍ରଭାବ ସ୍ୱରୂପ ମାଲକାନଗିରି ଜିଲ୍ଲାରେ ଗୁରୁବାରଠାରୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷାରେ ଜିଲ୍ଲାର ଅଧିକାଂଶ ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇପଡିବା ସହ ଖାଲୁଆ ଅଂଚଳ ଜଳମଗ୍ନ ବହୁ ଲୋକ ପାଣି ଘେରରେ ରହିଛନ୍ତି । ପୋଟେରୁ ସମେତ କିଛି ଅଂଚଳରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ବିଭିନ୍ନ ଅଂଚଳରୁ ପ୍ରାୟ ୧୫୦ ଜଣଙ୍କୁ ଉଦ୍ଧାରର କରାଯାଇଛି । କ୍ଷତିଗ୍ରସ୍ତ ଅଂଚଳରେ ତୁରନ୍ତ ରିଲିଫ ସାମଗ୍ରୀ ପହଂଚାଇବା ବ୍ୟବସ୍ଥା ହୋଇଛି । ପ୍ରକୃତିକ ବିପର୍ଯ୍ୟୟ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି । ପଡୋଶୀ ରାଜ୍ୟକୁ ସଂଯୋଗ କରୁଥିବା ଜିଲ୍ଲାର ସବୁ ପ୍ରମୁଖ ରାସ୍ତା ଉପରେ ପାଣି ଚାଲି ଥିବା ଏବଂ ଖାଲିଆ ଅଂଚଳ ବୁଡ଼ି ରହିଥିବା ଜିଲ୍ଲାପାଳ ମନିଷ ଅଗ୍ରୱାଲ ମଧ୍ୟ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ମାଲକାନଗିରି ଜିଲ୍ଲା ପରିସ୍ଥିତି ସମୀକ୍ଷା କରି କ୍ଷତିଗ୍ରସ୍ତ ଅଂଚଳରେ ପହଂଚିବା ସହ ବିପନ୍ନ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ଯୋଗୁ ପାଣି ଘେରରେ ଥିବା ଲୋକଙ୍କୁ ସାତ ଦିନ ପାଇଁ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ସହ ବୟସ୍କଙ୍କ ପାଇଁ ମୁଣ୍ଡପିଛା ୬୦ ଟଙ୍କା ଓ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ମୁଣ୍ଡପିଛା ୪୫ ଟଙ୍କା ରିଲିଫ ସହାୟତା ମଂଜୁର କରିଛନ୍ତି ।
‘ଡ଼ାଏ’ ଶୁକ୍ରବାର ଭୋରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରି, ଗଂଜାମ, ଗଜପତି, ପୁରୀ, ରାୟଗଡା, କଳାହାଣ୍ଡି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରିରେ ଜିଲ୍ଲାରେ ସର୍ବାଧିକ ୧୬୬.୨୫ ମିମି ବର୍ଷା ହୋଇଛି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ପାଣି ଚାଲି ଥିବାରୁ ଜୟପୁର, ଛତିଶଗଡ଼ ଓ ଆନ୍ଧ ପ୍ରଦେଶ ସହ ଜିଲ୍ଲାର ଯୋଗଯୋଗ ବିଚ୍ଛନ୍ନ ହୋଇଯାଇଛି । ବାଲିମେଳା ଜଳଭଣ୍ଡାରର ଜଳପତ୍ତନ ବଢୁଛି । ଜିଲ୍ଲାର ମୁଖ୍ୟ ନଦୀ ସିଲେରୁ, ସାବେରୀ ଓ ସପ୍ତଧାରାର ଜଳପତ୍ତନ ମଧ୍ୟ ବଢୁଥିବା ସୂଚନା ମିଳିଛି । ଦକ୍ଷିଣାଂଚଳ ଅନ୍ତର୍ଗତ କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଆସନ୍ତା କାଲି (ଶନିବାର) ପର୍ଯ୍ୟନ୍ତ କୋରାପୁଟ, ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଲାଗି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି । ଏହାଛଡା, ବଲାଂଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ,କେଉଁଝର ଓ ମୟୁରଭଂଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଜଣାପଡିଛି । ବାତ୍ୟାର ପ୍ରଭାବରେ ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାରେ ବର୍ଷା ଲାଗି ରହିଛି । ସମସ୍ତ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବା ସହ ଯେଉଁଠାରେ ଜରୁରୀ ସହାୟତା ପହଂଚିବାର ଆବଶ୍ୟକତା ରହିଛି ତାହା ତୁରନ୍ତ ପହଂଚାଇବାକୁ ସରକାର ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଏନଡ଼ିଆରଏଫ ଓ ଓଡ଼ିଆରଏଏଫ୍ ଟିମ୍ ମୁତୟନ ଅଛନ୍ତି । କଳାହାଣ୍ଡି, ରାୟଗଡା, ଗଜପତି, ପୁରୀ, ନୟାଗଡ ଓ କନ୍ଧମାଳ ଜିଲ୍ଲାରେ ଗୋଟିଏ ଲେଖାଁଏ ଏନଡ଼ିଆରଏଫ୍ ଟିମ୍ ୧୭ଟି ବୋଟ ଓ ବିଭିନ୍ନ ଜରୁରୀକାଳୀନ ସାମଗ୍ରୀ ସହ ମୁତୟନ ରହି ଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନା ସେଠୀ କହିଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS