‘ମି-ଠୁ’ କଂପନ, ପ୍ରଥମ ମୁଣ୍ଡ ଗଡିଲା ଆକବରଙ୍କ
– ପ୍ରସାଦ ରାଓ –
ନୂଆଦିଲ୍ଲୀ,୧୭ ଅକ୍ଟୋବର: କେନ୍ଦ୍ର ବିଜେପି ସରକାରର ପ୍ରଥମ ବଡ ମୁଣ୍ଡ ଗଡିଲା ଆଜି । ତାହା ପୁଣି ଏମ.ଜେ.ଆକବରଙ୍କ ଭଳି ଜଣେ ବରିଷ୍ଠ ସାମ୍ବାଦିକ ତଥା ରାଜନେତାଙ୍କ । ଏକାଧିକ ଜାତୀୟ ସମ୍ବାଦପତ୍ରରେ ସଂପାଦକ ଥିବା ସମୟରେ ମହିଳା ସହଯୋଗୀ ବା ନୂତନ କରି ସାମ୍ବାଦିକତା କ୍ଷେତ୍ରକୁ ପ୍ରବେଶ କରିଥିବା ତରୁଣୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ଉପରେ । ପାଶ୍ଚାତ୍ୟ ଆମେରିକାରୁ ଆରମ୍ଭ ହୋଇଥିବା ‘ମି-ଠୁ’ କଂପନର ପ୍ରଥମ ଭାରତୀୟ ଶିକାର ହୋଇଛନ୍ତି ଆକବର ।
କେନ୍ଦ୍ର ମନ୍ତ୍ରୀ ପରିଷଦରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପଦବୀରେ ଥିବା ଏମ.ଜେ.ଆକବର ଅତି ପୂରାତନ ଏକାଧିକ ଯୌନ ଶୋଷଣ ଅଭିଯୋଗରେ ଅଭିଯୁକ୍ତ ହୋଇ ବୁଧବାର ଦିନ ପଦବୀ ହରାଇବାକୁ ବାଧ୍ୟ ହୋଇଛନ୍ତି । ସେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜାତୀୟ ସଂବାଦପତ୍ରର ସଂପାଦକ ଥିଲେ । ସେହି ସମୟରେ ଏକାଧିକ ମହିଳା ସାଂବାଦିକଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ବା ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିଥିବା ଏବେ ସାମନାକୁ ଆସିଛି । ସାମ୍ବାଦିକା ପ୍ରିୟା ରମାନୀଙ୍କ ସମେତ ଅନ୍ୟୁନ ୨୦ ଜଣ ସାମ୍ବାଦିକ ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ଥିବା ବେଳେ ସେ ଏକମାତ୍ର ରମାନୀଙ୍କ ବିରୋଧରେ ଆପରାଧିକ ମାନହାନୀ ମାମଲା କରିଛନ୍ତି । ରାମାନୀ ଜାଣିଶୁଣି ଓ ମନ୍ଦ ଉଦେ୍ଦଶ୍ୟ ରଖି ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ଚରିତ୍ରସଂହାର କରିଛନ୍ତି ବୋଲି ଆକବର ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ସୋମବାର ଦିନ ଦିଲ୍ଲୀର ପାଟିଆଲା ହାଉସ ଅଦାଲତରେ ଆପରାଧିକ ମାନହାନୀ ମାମଲା ରୁଜୁ କରିଛନ୍ତି । ଏହି ମାମଲା ରୁଜୁ ହେବା ପରେ ନୂଆ ନୂଆ ଯୌନ ଶୋଷଣ ଅଭିଯୋଗ ପଦାକୁ ଆସିବା ସହ ଅନ୍ୟୁନ ୧୯ ଜଣ ମହିଳା ରାମାନୀଙ୍କ ସପକ୍ଷରେ ଅଦାଲତରେ ସାକ୍ଷ୍ୟ ପ୍ରଦାନ କରିବେ ବୋଲି ସୂଚାଇ ଦେବା ଆକବରଙ୍କୁ ଅଧିକ ଘାଇଲା କରିଛି ।
ତେବେ, ଆକବରଙ୍କ କହିବା ଅନୁସାରେ, ତାଙ୍କ ବିରୋଧରେ ହୋଇଥିବା ଯୌନ ଶୋଷଣ ଅଭିଯୋଗ ସବୁର କୌଣସି ଭିତ୍ତି ନାହିଁ । ସେସବୁ ଅଭିଯୋଗ ଅସତ୍ୟ ଏବଂ ପ୍ରମାଣସିଦ୍ଧ ନୁହେଁ । ଜଣେ ସାଧାରଣ ନାଗରିକ ଭାବେ ନିଜ ମାମଲା ନିଜେ କୋର୍ଟରେ ଲଢିବାକୁ ଚାହୁଁ ଥିବାରୁ ସେ ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିବା ୬୭ ବର୍ଷ ବୟସ୍କ ଆକବର ସଫେଇ ଦେଇଛନ୍ତି । ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଇସ୍ତଫା ଗ୍ରହଣ କରି ନେଇଥିବା ସୂଚନା ମିଳିଛି । ରବିବାର ଦିନ ଆଫ୍ରିକା ଗସ୍ତରୁ ଫେରିବା ପରେ ଆକବର ତାଙ୍କ ବିରୋଧରେ ହୋଇଥିବା ଯୌନ ଶୋଷଣ ଅଭିଯୋଗଗୁଡିକୁ ଖଣ୍ଡନ କରିଥିଲେ ମଧ୍ୟ ମନ୍ତ୍ରୀ ପଦରୁ ବିଦାୟ ହେବାର ଚାପକୁ ଟାଳି ପାରିଲେ ନାହିଁ । ପ୍ରଥମ ଅଭିଯୋଗକାରିଣୀ ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଆକବର ତାଙ୍କ ଓକିଲ କରଂଜୱାଲା ଏଣ୍ଡ କଂପାନୀ ମାଧ୍ୟମରେ ପାଟିଆଲା ହାଉସ୍ ଅଦାଲତରେ ଆଇପିସିର ୪୯୯ ଓ ୫୦୦ ଦଫାରେ ଆପରାଧିକ ମାନହାନୀ ମାମଲା ରୁଜୁ କରିବା ପରେ ଇସ୍ତଫା ଚାପ କମି ଯିବ ବୋଲି ଆଶା କରିଥିଲେ । ତେବେ, ପ୍ରଧାନମନ୍ତ୍ରୀ ବା ବିଜେପି ତାଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଆକବରଙ୍କ ସଂପର୍କରେ ସଂପୂର୍ଣର୍ ନୀରବ ଥିଲେ ସିନା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଡୋଭାଲ ମଙ୍ଗଳବାର ଦିନ ଆକବରଙ୍କୁ ଭେଟି ଥିବାର ଖବର ପଦାକୁ ଆସିବା ପରେ କେନ୍ଦ୍ର ସରକାରରୁ ଆକବର ହଟୁ ଥିବା ଆଭାସ ମିଳି ଥିଲା । ମୋଦୀଙ୍କ ଇଂଗିତରେ ହିଁ ଆକବର ବୁଧବାର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏଥିରୁ ସ୍ପଷ୍ଟ ଅନୁମାନ କରି ହେବ ।
ଏମ.ଜେ. ଆକବର ଦୁଇ ବର୍ଷ ତଳେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ଥିଲେ । ତେବେ, ପୂର୍ବରୁ ସେ ବିଭିନ୍ନ ଜାତୀୟ ସମ୍ବାଦପତ୍ରରେ ସଂପାଦକ ଭାବେ କାର୍ଯ୍ୟ କରୁଥିବା ସମୟରେ ମହିଳା ସାମ୍ବାଦିକମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ କରିଥିବାର ଅଭିଯୋଗ ପ୍ରିୟା ରମାନୀଙ୍କ ଠାରୁ ଆରମ୍ଭ ହୋଇଛି । ରମାନୀ ମୁହଁ ଖୋଲିବାର କିଛି ଦିନ ମଧ୍ୟରେ ୨୦ରୁ ଅଧିକ ମହିଳା ଆକବରଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ବହିଷ୍କାର କରାଯିବାକୁ ଦାବି କରୁଥିଲେ । ତେବେ, ପ୍ରଧାନମନ୍ତ୍ରୀ ବା ବିଜେପିର ବରିଷ୍ଠ ନେତାମାନେ ଆକବରଙ୍କୁ ନେଇ ମୁହଁ ଖୋଲୁ ନ ଥିବାରୁ ଅସନ୍ତୋଷ ବଢି ଚାଲିଲା। ଆଗକୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ସହ ୨୦୧୯ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବିଜେପିକୁ ଆକବରଙ୍କ ସଂପର୍କରେ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି । ତେବେ, ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବା ପାଇଁ ଆକବରଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ନିଜସ୍ୱ, ଏଥିରେ ଦଳର କିଛି ଭୂମିକା ନାହିଁ ବା ଆଗକୁ ଏହାକୁ ‘ଉଦାହରଣ’ ହେବାକୁ ଦିଆଯିବ ନାହିଁ ବୋଲି ଦଳ ସ୍ପଷ୍ଟ କରିଛି । କେନ୍ଦ୍ର ସରକାରରେ ମନ୍ତ୍ରୀ ଥାଇ ‘ମି-ଠୁ’ ବା ଯୌନ ଶୋଷଣ ଅଭିଯୋଗରେ କ୍ଷମତା ହରାଇବାର ପ୍ରଥମ ବଡ ମୁଣ୍ଡ ହେଉଛନ୍ତି ଆକବର । ପ୍ରିୟା ରମାନୀଙ୍କ ବିରୋଧରେ ଆପରାଧିକ ମାନହାନୀ ମାମଲା ଦାଏର ହେବା ପରେ ୧୯ ଜଣ ମହିଳା ସାମ୍ବାଦିକ ରାମାନୀଙ୍କୁ ସମର୍ଥନ କରି ଆକବରଙ୍କ ବିରୋଧରେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବାକୁ ଆଗେଇ ଆସିିବା ପରେ ରାମାନୀ ଆଶ୍ୱସ୍ତ ହୋଇଛନ୍ତି । ଏହାଦ୍ୱାରା କୋର୍ଟରେ ତାଙ୍କ ବିଜୟ ସୁନିଶ୍ଚିତ ହୋଇଛି ବୋଲି ରମାନୀ ଆଶା ବ୍ୟକ୍ତ କରିଛନ୍ତି ।
ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଯୌନ ଶୋଷଣ ବିରୋଧରେ ଆମେରିକାରେ ବର୍ଷକ ତଳେ ଏହି ‘ମି-ଠୁ’ ଅଭିଯାନ ଆରମ୍ଭ ହୋଇଥିଲା । ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରଂପଙ୍କ ଭଳି ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି । ଭାରତରେ ‘ମି-ଠୁ’ ଅଭିଯାନ ଆରମ୍ଭ ହେବା ପରେ ତାହର କଂପନ ବର୍ତର୍ମାନ ଅନୁଭବ କରି ହେଉଛି । ଦେଶରେ ରାଜନୀତି, ଚଳଚ୍ଚିତ୍ର ଓ ସମ୍ବାଦପତ୍ର ଶିଳ୍ପ ଠାରୁ ଆରମ୍ଭ କରି କର୍ପୋରେଟ୍ ଜଗତ ପର୍ଯ୍ୟନ୍ତ ‘ମି-ଠୁ’ର ବ୍ୟାପକତା ଦେଖିବାକୁ ମିଳୁଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଯୌନ ଶୋଷଣର ଅଭିଯୋଗ ଉଠାଇ ଦେଶରେ ‘ମି-ଠୁ’ ଆନ୍ଦୋଳନକୁ ଗତିଶୀଳ କରିଛନ୍ତି । ପ୍ରଖ୍ୟାତ ଅଭିନେତା ନାନା ପାଟେକରଙ୍କ ବିରୋଧରେ ପୂର୍ବତନ ଭାରତୀୟ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏଭଳି ଅଭିଯୋଗ ଆଣି ବଲିଉଡକୁ ଦୋହଲଇି ଦେଇଛନ୍ତି । ୨୦୦୮ରେ ଏକ ଫିଲ୍ମ ସେଟ୍ ରେ ତାଙ୍କ ପ୍ରତି ନାନା ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ତନୁଶ୍ରୀ ଅଭିଯୋଗ ଆଣିବା ପରେ ବହୁ ନାମକରା ଅଭିନେତ୍ରୀ ତାଙ୍କ ପଛରେ ଠିଆ ହୋଇଛନ୍ତି । ନାନା ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମାମଲା କରିବାକୁ ଧମକ ଦେଇଛନ୍ତି । ହିନ୍ଦୀ ଟେଲିଭିଜନ ଜଗତର ବରିଷ୍ଠ ତାରକା ଆଲୋକନାଥ ମଧ୍ୟ ଏକାଧିକ ଅଭିନେତ୍ରୀଙ୍କ ସହ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହେବା ପରେ ସେ ଅଭିଯୋଗକାରୀଣୀଙ୍କ ବିରୋଧରେ ମାନହାନୀ ମାମଲା କରିଥିବା ଜଣାପଡିଛି । ଚଳଚ୍ଚିତ୍ର ନିର୍ଦେଶକ ସାଜିଦ ଖାନ୍, ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ଭଳି ବଡମୁଣ୍ଡମାନେ ‘ମି-ଠୁ’ ପାଇଁ ଚର୍ଚ୍ଚାରେ । ବର୍ଷେ ତଳେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ କାଷ୍ଟିଂକାଉଚ୍ ବା ଯୌନ ଶୋଷଣ ଅଭିଯୋଗର ସମ୍ମୁଖୀନ ହୋଇ ଚର୍ଚ୍ଚାରେ ଥିଲା । ଏବେ ‘ମି-ଠୁ’ କଂପନରେ ଓଲିଉଡ୍ ମଧ୍ୟ ଦୋହଲୁଛି । ମିଡ଼ିଆ, ଏଂଟରଟେନମେଂଟ୍, ରାଜନୀତି, କଳା ସମେତ କର୍ପୋରଟ୍ କ୍ଷେତ୍ର ମଧ୍ୟ ଏହି କଂଳକ ମୁଣ୍ଡାଇବା ଏକ ଅସୁସ୍ଥ ମାନସିକତା ଧୀରେ ଧୀରେ ସବୁ କ୍ଷେତ୍ରକୁ ଗ୍ରାସ କରୁଥିବା ସୂଚାଉଛି । ଆଗକୁ ଆହୁରି ଅନେକ ଅଭିଯୋଗ ଆସିବ ଏବଂ ନୂଆ ନୂଆ ଲୋକ ଚର୍ଚ୍ଚାରେ ରହିବେ । ତେବେ,ଏମ.ଜେ.ଆକବରଙ୍କ ଭଳି ଗୋଟିଏ ବଡ ମୁଣ୍ଡ ଗଡିବା ପରେ ‘ମି-ଠୁ’ ଅଭିଯାନ ଅଧିକ ଶକ୍ତିଶାଳୀ ହୋଇଛି ।
ଓଡ଼ିଆ କଂଠଶିଳ୍ପୀ ସୋନା ଟୁଇଟ୍ କରିଥିଲେ ପ୍ରଧାନମନ୍ତ୍ରୀଙ୍କୁ
ମୁମ୍ବାଇରେ ବସବାସ କରୁଥିବା ଓଡ଼ିଆ କଂଠ ଶିଲ୍ପୀ ସୋନା ମହାପାତ୍ର ସୋମବର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦେ୍ଦଶ୍ୟରେ ଟୁଇଟ୍ କରି ଏକାଧିକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଅଭିଯୁକ୍ତ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଦାବି କରିଥିଲେ । ସୋନା ତାଙ୍କ ଟୁଇଟର୍ ପୃଷ୍ଠାରେ ଲେଖିଛନ୍ତି, ‘ଦେଶର ମୋଟ ଭୋଟରର ୫୦ ପ୍ରତିଶତ ହେଉଛନ୍ତି ମହିଳା, ତେଣୁ, ପ୍ରଧାନମନ୍ତ୍ରୀ ସେମାନଙ୍କ ସ୍ୱରକୁ ଗୁରୁତ୍ୱ ଦେବା ଆବଶ୍ୟକ । ମହିଳା ଭୋଟରଙ୍କ ସୁରକ୍ଷା ପ୍ରତି ତୁରନ୍ତ ପଦକ୍ଷେପ ନିଆଯାଉ । କେନ୍ଦ୍ର ମନ୍ତ୍ରୀ ଆକବରଙ୍କ ବିରୋଧରେ ୧୪ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ କରିଛନ୍ତି । ଆହୁରି ଅନେକ ମହିଳା ଓ ପୁରୁଷ ଦଶନ୍ଧୀ ଦଶନ୍ଧୀ ଧରି ଆକବରଙ୍କ ଏଭଳି ଆଚରଣ ସଂପର୍କରେ ଅବଗତ ଥିଲେ ମଧ୍ୟ ଶଙ୍କାଗ୍ରସ୍ତ ହୋଇ ରହିଛନ୍ତି । ଏତେ ସଂଖ୍ୟକ ମହିଳା ସେମାନଙ୍କ ପ୍ରତି ହୋଇଥିବା ଯୌନ ନିର୍ଯ୍ୟାତନାର କାହାଣୀ ବଖାଣୁ ଥିବା ବେଳେ ସେ (ପ୍ରଧାନମନ୍ତ୍ରୀ) ନୀରବଦ୍ରଷ୍ଟା ନ ରହି ତୁରନ୍ତ ତାଙ୍କୁ (ଆକବରଙ୍କୁ) ବହିଷ୍କାର କରନ୍ତୁ । ‘ଆମେ ହେଉଛୁ ଦେଶର ମୋଟ ଭୋଟରଙ୍କ ୫୦ ପ୍ରତିଶତ । ଆମ କଥା ଟିକେ ଶୁଣନ୍ତୁ’ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ କରିଥିବା ଟୁଇଟ୍ ରେ ଦର୍ଶାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS