ମୋଦୀଜୀ ରାମ ଧାମ ଛାଡି ଜଗନ୍ନାଥ ଧାମ ମୁହାଁ କାହିଁକି ?
– ପ୍ରସାଦ ରାଓ –
୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ପ୍ରଚାର ଯୋର ଧରିଛି । ବିଜେପି ପକ୍ଷରୁ ଏହି ପ୍ରଚାର ଚାଲି ଥିବା ବେଳେ ଶାସକ ବିଜେଡ଼ି ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଯଦିବା ମୋଦୀଜୀ ପ୍ରାର୍ଥୀ ହେବେ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ରହିବ ନାହିଁ ବୋଲି ପାଲଟା ଜବାବ ରଖିଛି । ବିଜେଡ଼ି ସମର୍ଥକମାନେ ଏହା ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି ଯେ, ୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ‘ମୋଦୀ ହାୱା’ ଥାଇ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ନକାରି ଦେଇ ବିଜେଡ଼ି ସପକ୍ଷରେ ଭୋଟ ଦେଇ ଥିଲେ । ରାଜ୍ୟର ୧୪୭ ବିଧାନସଭା ଆସନରୁ ୧୧୭ ଓ ୨୧ ଲୋକସଭା ଆସନରୁ ୨୦ଟି ବିଜେଡ଼ିକୁ ମିଳି ଥିବା ବେଳେ ବିଜେପି ହାୱା କେବଳ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଲୋକସଭା ଆସନରେ ସୀମିତ ଥିଲା । ରାଜ୍ୟ ସରକାର ଓଡ଼ିଶାର ବିକାଶ ପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେଉ ଥିବାରୁ ୨୦୧୯ ନିର୍ବାଚନରେ ରାଜ୍ୟର ଭୋଟରମାନେ ବିଜେଡ଼ିକୁ ହିଁ ଭୋଟ ଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରୁ ଲୋକସଭା ପ୍ରାର୍ଥର୍ୀ ହେଲେ ବି ତାହା ବିଜେଡ଼ିର ସ୍ଥିତିକୁ ବିଶେଷ ପ୍ରଭାବିତ କରି ପାରିବ ନାହିଁ ।
ଏବେ ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀ ମୋଦୀ ରାମ ଲାଲାଙ୍କ ଧାମ ୟୁପି ଓ ତାଙ୍କ ୨୦୧୪ର ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣାସୀ ଛାଡି ଓଡ଼ିଶା ଶ୍ରୀଜଗନ୍ନାଥ ଧାମ ପୁରୀ ଆସିବାକୁ କାହିଁକି ବ୍ୟଗ୍ର ? ଏହାର ଉତ୍ତର ସ୍ପଷ୍ଟ । କାରଣ ଗୋଟିଏ ନୁହେଁ, ଏକାଧିକ । ପ୍ରମୁଖ କାରଣ ହେଉଛି, ବିଜେପିର ଓଡ଼ିଶା ଦଖଲ ସ୍ୱପ୍ନକୁ ସାକର କରିବା । ଅନ୍ୟ ଏକ କାରଣ ହେଉଛି, ୨୦୧୪ ସାଧାରଣ ନିର୍ବାଚନ ସମୟରେ ମୋଦୀଜୀ ଦେଶବାସୀ, ବିଶେଷକରି ବାରାଣାସୀର ଜନତାଙ୍କୁ ଯେଉଁ ସୁନେଲି ସ୍ୱପ୍ନ ଦେଖାଇ ଥିଲେ ତାହା ସାକାର କରିବାରେ ବିଫଳ ହେବା । ଏହି ଦୁଇଟି କାରଣକୁ ନେଇ ଏଠାରେ ତର୍ଜମା କରାଯାଇ ପାରେ। ପ୍ରଥମ କାରଣକୁ ଆମେ ପ୍ରଥମେ ନେବା । ଓଡ଼ିଶାରେ ୨୦୧୬ ପଂଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିର ସଫଳତା ଦଳର କେନ୍ଦ୍ରୀୟ ନେତୃତ୍ୱକୁ ‘ଓଡ଼ିଶା ଦଖଲ’ ସ୍ୱପ୍ନ ଦେଖାଇଛି । ରାଜ୍ୟରେ ପ୍ରାୟ ୨୦ ବର୍ଷ ଧରି କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ି ବିରୋଧରେ ଏହା ଜନାଦେଶ ବୋଲି ବଜେପି ନେତୃତ୍ୱ ଧରି ନେଇଛନ୍ତି । ୨୦୦୯ ସାଧାରଣ ନିର୍ବାଚନରେ ନବୀନ ବିଜେପିକୁ ଅପମାନିତ କଲା ଭଳି ବିଜେଡ଼ି-ବିଜେପି ମେଂଟ ଭାଂଗି ବିଜେପିକୁ ଝଟକା ଦେଇ ଥିଲେ ଏବଂ ଏକାକୀ ନିର୍ବାଚନ ଲଢି ଅପୂର୍ବ ସଫଳତା ହାସଲ କରିଥିଲେ । ବିଜେପି ପାଇଁ ୨୦୦୯ର ସେହି କ୍ଷତ ଏବେ ସୁଦ୍ଧା ଶୁଖି ନାହିଁ । ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରି ତାହାର ପ୍ରତ୍ୟୁତ୍ତର ଦେବାକୁ ଚାହୁଁଛି ।
ବିଜେପିର ଏହି ସ୍ୱପ୍ନ ସାକାର କରିବାରେ ମୁଖ୍ୟ ପ୍ରତିବନ୍ଧକ ହେଉଛି ଓଡ଼ିଶାରେ ଦଳର ଦୁର୍ବଳ ସ୍ଥିତି ଓ ନେତୃତ୍ୱ । ବିଜେପିର ରାଜ୍ୟ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ସହ ପରସ୍ପର ପ୍ରତି ଅଶୂୟା ଭାବ ଦଳକୁ ଉଧେଇବାକୁ ଦେଇ ନାହିଁ । ବର୍ଷ ବର୍ଷ ଧରି ଏହି ଜାତୀୟ ଦଳ ଓଡ଼ିଶାରେ ଏକ ‘ଦୁର୍ବଳ ଦଳ’ ଭାବେ ପରିଗଣିତ ହୋଇ ଆସିଛି । ଦଳର ରାଜ୍ୟ ସଭାପତି ନିଜ ନିର୍ବାଚନ ମଂଡଳୀରେ ୨୦୧୬ ପଂଚାୟତ ନିର୍ବାଚନରେ ଭଲ ଫଳାଫଳ କରି ନାହାନ୍ତି । ପରବର୍ତର୍ୀ ସମୟରେ ହୋଇଥିବା ବିଜେପୁର ବିଧାନସଭା ଉପ ନିର୍ବାଚନ ସମେତ ଛୋଟ ବଡ ଉପ ନିର୍ବାଚନରେ ଦଳର ବିଫଳତା ଓଡ଼ିଶାରେ ବିଜେଡ଼ିର ସ୍ଥିତି ପୂର୍ବ ଭଳି ସୁରକ୍ଷିତ ଥିବାର ଅଭାସ ଦେଉଛ। ମୋଦୀଜୀ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାରର ମଂଗ ଧରିବା ପରେ ଓଡ଼ିଶାର ବିଜେପି ନେତାଙ୍କ ମଧ୍ୟରୁ ଧମେନ୍ଦ୍ର ପ୍ରଧାନଙ୍କୁ ଚୟନ କରି କେନ୍ଦ୍ରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ । ପ୍ରଧାନଙ୍କୁ ପ୍ରଥମେ ସ୍ୱାଧୀନ ଭାବେ ରାଷ୍ଟ୍ରମନ୍ତ୍ରୀ ଏବଂ ପରେ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ୱ ଦିଆ ଯାଇଥିଲା । ପ୍ରଧାନଙ୍କୁ ପ୍ରଥମେ ବିହାରରୁ ଓ ପରବର୍ତୀ ସମୟରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପଠାଯାଇ ଓଡ଼ିଶାରେ ଦଳର ସଂଗଠନକୁ ସୁଦୃଢ କରିବା ଦାୟିତ୍ୱ ଦିଆଯାଇଛି । ଅପରପକ୍ଷରେ, ସୁନ୍ଦରଗଡ଼ ଜିଲ୍ଲାରୁ ଲୋକସଭାକୁ ନିର୍ବାଚିତ ଏକମାତ୍ର ବିଜେପି ସଦସ୍ୟ ଜୁଏଲ ଓରାମଙ୍କୁ ପ୍ରଥମରୁ କ୍ୟାବିନେଟ ମନ୍ତ୍ରୀ କରାଯାଇ ସଂଖ୍ୟାଲଘୁ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରଣାଳୟ ଦାୟିତ୍ୱ ଦିଆ ଯାଇ ଥିଲେ ମଧ୍ୟ ଓଡ଼ିଶା ରାଜନୀତିରେ ପ୍ରଧାନଙ୍କ ଭଳି ଗୁରୁତ୍ୱ ଦିଆଯାଉନି । ବିଜେପିରେ ଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଭଳି ବରିଷ୍ଠ ନେତାମାନେ କୋଣଠେସା ହୋଇ ରହିବା ଦ୍ୱାରା ଦଳରେ ଅଶାନ୍ତି ବଢିଛି । ଧମେନ୍ଦ୍ର ଓ ତାଙ୍କ ସମର୍ଥକ ଗୋଷ୍ଠୀଙ୍କ ପ୍ରଦୁର୍ଭାବ ଏବଂ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ନେତାଙ୍କ ବିଦ୍ରୋହ ବିଜେପିର ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜି ଥିବା ସତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏହାର ସମାଧାନ ନ କରି ନିଜ କାନ୍ଧରେ ୨୦୧୯ ନିର୍ବାଚନର ଗୁରୁଦାୟତ୍ୱ ବହନ କରିବାକୁ ଚାହୁଁଛନ୍ତି । ଓଡ଼ିଶାର ୧୪୭ ବିଧାନସଭା ଆସନରୁ ୧୨୦ ପ୍ଳସ୍ ବିଜେପି ଦଖଲ କରିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଶାହା ବାହାସ୍ପୋଟ ମାରିବା ସହ ଶାସକ ବିଜେଡ଼ିକୁ ପୋଡା ବିଦ୍ୟୁତ ଟ୍ରାନ୍ସଫର୍ମର କହି ଓଡ଼ିଶାର ଭୋଟରଙ୍କ ମନରେ ଶାସକ ଦଳ ପ୍ରତି ଅଶୁୟା ଓ ବିଜେପି ପ୍ରତି ଅନୁକଂପା ସୃଷ୍ଟି କରିବାର କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି । ମଝିରେ ମଝିରେ ସିବିଆଇ ଭୟ ଦେଖାଇ ଶାସକ ବିଜେଡ଼ିକୁ ଭୟଭୀତ କରିବା ଉଦ୍ୟମ ହୋଇଛି । ତେବେ, ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ସହ ମିଠା, ଖଟା ସଂପର୍କ ରଖିବା ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଭୟଭୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ପ୍ରତିହତ କରୁଛନ୍ତି।
ବିଜେପି ଏବେ ଓଡ଼ିଶା ସରକାରଙ୍କ ଅପାରଗତାକୁ ମୁଖ୍ୟ ମୁଦ୍ଦା କରି ରାଜ୍ୟରେ ଦଳର ଶକ୍ତି ବଢାଇବାକୁ ଉଦ୍ୟମ କରୁଥିବା ବେଳେ ନବୀନଙ୍କ ବିଜେଡ଼ି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବକୁ ମୁଦ୍ଦା କରି ରାଜନୈତିକ ବୈତରଣୀ ପାର ହେବା ସଜରେ ରହିଛି । ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାକୁ ଓଡ଼ିଶା ଉପେକ୍ଷା କରି ବିଜୁ ପଟ୍ଟନାୟକଙ୍କ ନାମରେ ନିଜସ୍ୱ ଯୋଜନା କରୁଛି । ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଛକାପଂଜା ଯୋର ଧରି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦିଆଯିବା ଦାବି ଉଠାଇ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଅଧିକ ଶାଣିତ କରିଛନ୍ତି । ପେଟ୍ରୋଲ, ଡ଼ିଜେଲ, ଜାଳେଣୀ ଗ୍ୟାସ୍ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ସାଧାରଣ ଜନତାକୁ ଅତିଷ୍ଟ କରିଥିବା ବେଳେ କେନ୍ଦ୍ର ସରକାର ସେହି ପ୍ରସଙ୍ଗକୁ ଏଡାଇ ଏବେ ରାମ ଜନ୍ମଭୂମୀ ଓ ରାମ ମନ୍ଦିର ନିର୍ମାଣ ଆଡକୁ ମୁହାଁଇଲେଣି । ଦେଶରେ ବିମୁଦ୍ରାକରଣ ଓ ଏକକ ଟିକସ (ଜିଏସଟି)ର ପ୍ରଚଳନ ମାଧ୍ୟମରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଅଣା ଯାଇଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବା ବେଳେ ଏଭଳି ଦାବି ଅମୂଳକ ବୋଲି ବିରୋଧୀମାନେ ସିଧାସଳଖ ଅକ୍ଷେପ କରୁଛନ୍ତି । ଦେଶରେ କର୍ମ ନିଯୁକ୍ତିର ଅଭାବ, ନୂତନ କର୍ମ ନିଯୁକ୍ତି ସୃଷ୍ଟି କରିବାରେ ସରକାରଙ୍କ ବିଫଳତା, ଶିଳ୍ପ ଓ ବ୍ୟବସାୟରେ ଅଧୋଗତି, ମେକ୍ ଇନ୍ ଇଂଡ଼ିଆ ନାମରେ ବିଦେଶୀ ପୁଂଜି ବିନିଯୋଗ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରାଯାଉଥିବା ବେଳେ ସେମାନଙ୍କୁ ଜମି, ଜଳ, ଖଣି, ରେଳ ଓ ସଡ଼କ ପଥର ସୁବିଧା ଯୋଗାଇବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଦୁଇ ସରକାରଙ୍କ ପ୍ରତି ଜନସାଧାରଣରେ ଅନାସ୍ଥାର ବାତାବରଣ ସୃଷ୍ଟି କରିଛି । କେନ୍ଦ୍ର ଓ ରାଜ୍ୟ ସରକାର ନିଜର ରାଜନୈତିକ ଅଭିଳାଷ ରଖି ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଥିବା ବେଳେ ଉଭୟେ ନିଜକୁ ଶତ ପ୍ରତିଶତ ସଚ୍ଚା ଦେଶପ୍ରେମୀ ଦେଖାଇବାକୁ ପଛାଉ ନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଯେ ଏହି ରାଜନୈତିକ ଖେଳ ଚାଲିଛି, ଏଥିରେ କାହାରି ସନ୍ଦେହ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହୋଇଛି, ୨୦୧୪ ସାଧାରଣ ନିର୍ବାଚନ ସମୟରେ ସେ ଦେଶବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତ ଦେଇଥିଲେ ସେସବୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ବିଦେଶରେ ଗଚ୍ଛିତ ଥିବା କଳାଧନକୁ ଦେଶକୁ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ୍ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା ହେଉ ବା ଦେଶର ବେକାର ସମସ୍ୟାର ସମାଧାନ ପାଇଁ ପାଂଚ ବର୍ଷରେ ୧୦ କୋଟି କର୍ମ ନିଯୁକ୍ତି ସୃଷ୍ଟି କରିବା ପ୍ରତିଶ୍ରୁତି ହେଉ, ତାହା ପୂରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ପବିତ୍ର ଗଙ୍ଗା ନଦୀର ସଫେଇ ପ୍ରତିଶ୍ରୁତି ମଧ୍ୟ ପାଣିରେ ଗାର ସଦୃଶ ହୋଇଛି । ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ଗୋ-ଚାଲାଣର ପ୍ରତିବାଦ ସ୍ୱରୂପ ଚାଲି ଥିବା ହିଂସା, ଭିଡ଼ ଭିତରେ ହିଂସା ବୃଦ୍ଧି, ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ସଂଖ୍ୟା ବୃଦ୍ଧି, ବିକାଶ ନାଁରେ ୨୦୧୪ରେ କ୍ଷମତାକୁ ଆସି ଥିବା ସରକାର ବିକାଶକୁ ମୁହଁ ମୋଡି ଧର୍ମ ରାଜନୀତିରେ ମାତିବା, ସିବିଆଇ, ଆରବିଆଇ, ନିର୍ବାଚନ କମିସନ ଓ ବିଚାର ବିଭାଗ ଭଳି ସାମ୍ବିଧାନିକ ପିଠରେ ସରକାରଙ୍କ ଅବାଂଛିତ ହସ୍ତକ୍ଷେପ ପ୍ରଭୃତି ଦେଶବାସୀଙ୍କୁ ବିଚଳିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଶାସନ ଜାଲରେ ଛନ୍ଦି ହୋଇ ବାରାରାସୀରୁ ଏବେ ଓଡ଼ିଶାର ପୁରୀ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି ।
ମୋଦୀଜୀ ପ୍ରଥମେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ ବୋଲି ବିଜେପି ପକ୍ଷରୁ ପ୍ରଚାର ଅଭିଯାନ ଚାଲିଥଲା । ଗଞ୍ଜାମ ଜିଲ୍ଲାର ପ୍ରାୟ ୫ଲକ୍ଷ ଲୋକ ଗୁଜରାଟର ସୁରଟ ସହରରେ ବିଭିନ୍ନ ଉଦ୍ୟୋଗରେ କାମଧନ୍ଦା କରୁଛନ୍ତି । ସେମାନେ ସେଠାକାର ସ୍ଥାୟୀ ବାସିନ୍ଦା ହୋଇଗଲେଣି । ତେଣୁ, ସୁରଟ ଗଂଜାମ ରାଜନୀତିର ଏକ ସଂପ୍ରସାରିତ କେନ୍ଦ୍ରରେ ପରିଣତ ହୋଇଛି । ମୋଦୀଜୀ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ସକାଶେ ପ୍ରଥମେ ସୁରଟରୁ ସ୍ୱର ଉଠିଥିଲା । ବ୍ରହ୍ମପୁର ଓ ସୁରଟରେ ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଦାବି ଉଠା ଯାଇ ଥିବା ସାମାଜିକ ଗଣ ମାଧ୍ୟମରୁ ସୂଚନା ମିଳି ଥିଲା । ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ପ୍ରଚାର ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଆଡକୁ ମୁହାଁଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତର୍ମାନ ସୁଦ୍ଧା ଏସଂପର୍କରେ ସିଧାସଳଖ ଭାବେ କିଛି ଘୋଷଣା କରି ନ ଥିଲେ ମଧ୍ୟ ଦଳ ପକ୍ଷରୁ ଏହି ପ୍ରଚାର ଚାଲିଛି । ଏପରିକି, ପୂର୍ବାଂଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମ ବଂଗକୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓଡ଼ିଶାର ପୁରୀରୁ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ପଶ୍ଚିମ ବଂଗର କୌଣସି ଏକ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଯୋଜନାରେ ଥିବା ଦଳ ପକ୍ଷରୁ ନିକଟରେ ଖୁଲାସା କରାଯାଇଛି । ତେବେ, ଦଳର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ ତାହା ଚୂଡାନ୍ତ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପୁରୀରୁ ଲୋକସଭା ପ୍ରାର୍ଥୀ ହେଲେ ତାହାର ପ୍ରଭାବ ସମଗ୍ର ଓଡ଼ିଶାରେ ରହିବ ଏବଂ ବିଜେପି ୧୨୦ ପ୍ଲସ୍ ଆସନରେ ବିଜୟୀ ହୋଇ ସରକାର ଗଢିବ ବୋଲି ରାଜ୍ୟ ବିଜେପି ନେତାମାନେ ଆଶା ବାନ୍ଧି ବସି ଥିବା ବେଳେ ଓଡ଼ିଶାରେ ନବୀନଙ୍କ ବ୍ୟକ୍ତିଗତ ଚାରିସ୍ମା ଆଗରେ ମୋଦୀଙ୍କ ହାୱା କାମ କରିବ ନାହିଁ ବୋଲି ବିଜେଡ଼ି ଦାବି କରୁଛି ।
ଏକଦା ରାଜ୍ୟ ରାଜନୀତିକୁ ଏକଚାଟିଆ ଭାବେ ନିଜ ଅକ୍ତିଆରରେ ରଖି ବହୁ ବର୍ଷ ଧରି କ୍ଷମତା ଉପଭୋଗ କରିଥିବା କଂଗ୍ରେସ ଦଳ ୨୦୦୦ ମସିହାରେ ନବୀନଙ୍କ ଆବିର୍ଭାବ ପରେ ମଉଳି ଯାଇଛି । ପଖାପାଖି ୨୦ ବର୍ଷ ହେଲା ଓଡ଼ିଶାରେ ଦଳ କ୍ଷମତାରେ ନାହିଁ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦଳକୁ ଦୁର୍ବଳ କରି ଦେଇଥିବା ବେଳେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ଶାସନି ଡୋରୀ ଧରିଥିବା ୟୁପିଏ-୧ ଓ ୟୁପିଏ-୨ ସରକାର ବଡ ବଡ ଦୁର୍ନୀତି ଓ କ୍ଷମତା ଅପବ୍ୟବହାର ଅଭିଯୋଗର ସମ୍ମୁଖୀନ ହୋଇ ଜନସାଧାରଣଙ୍କ ଭରସା ହରାଇଛି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଦଳକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି । ମୋଦୀ ବନାମ ରାହୁଲ ଯୁଦ୍ଧ ଭାରତୀୟ ରାଜନୀତିକୁ ରୋଚକ ମୋଡରେ ଠିଆ କରାଇ ଥିବା ବେଳେ ଓଡ଼ିଶାରେ ପିସିସିରେ ପରିବର୍ତର୍ନ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି କରାଯିବା କିଛି ବର୍ଷ ଧରି ଦଳରେ ସୃଷ୍ଟି ହୋଇ ଥିବା ସ୍ଥାଣୁ ଅବସ୍ଥା ଦୂର କରିଛି । ରାଜ୍ୟରେ ଦଳୀୟ ସଂଗଠନ ମଧ୍ୟ ସକ୍ରୀୟ ହୋଇଛି । ତେବେ, ୨୦ ବର୍ଷ ଧରି କ୍ଷମତାରୁ ଦୂରରେ ରହି ଆଭ୍ୟନ୍ତରୀଣ କନ୍ଦଳରେ ମାତି ଥିବା ନେତାମାନେ ରାଜ୍ୟରେ କଂଗ୍ରେସକୁ ଦ୍ୱିତୀୟରୁ ତୃତୀୟ ସ୍ତାନକୁ ଖସାଇ ଦେଇଛନ୍ତି । ଏବେ ଦଳ ପୁନର୍ବାର କ୍ଷମତାକୁ ଫେରିବା ସ୍ୱପ୍ନ ଦେଖୁ ଥିଲେ ମଧ୍ୟ ବିଜେଡ଼ି ଓ ବିଜେପିର ପ୍ରଭାବ ନିକଟରେ ମଳିନ ମନେ ହେଉଛି । କଂଗ୍ରେସ ବା ବିଜେପିରେ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଲା ଭଳି କୌଣସି ରାଜ୍ୟସ୍ତର ନେତା ନ ଥିବାରୁ ବିଜେଡ଼ି ପୁନର୍ବାର ୨୦୧୯ରେ କ୍ଷମତାକୁ ଫେରିବା ନିଶ୍ଚିତ ବୋଲି ବିଭିନ୍ନ ଜନମତ ସର୍ଭେରୁ ସୂଚନା ମିଳୁଛି ।
ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶାରୁ ପ୍ରାର୍ଥୀ ହେଲେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅଧିକ ନଜର ରହିବ ଏବଂ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହୋଇ ପାରିବ ବୋଲି ବିଜେପିର ପ୍ରଚାର ଯେ ଅମୂଳକ, ତାହା ଅତୀତ ଅଭିଜ୍ଞତାରୁ ଅତ୍ୟନ୍ତ ସ୍ପଷ୍ଟ । ୧୯୯୬ ମେ’ରେ ଅନୁଷ୍ଠିତ ୧୧ ତମ ଲୋକସଭା ନିର୍ବାଚନରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପି.ଭି. ନରସିଂହ ରାଓ ଓଡ଼ିଶାର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢି ବିପୁଳ ବିଜୟ ହାସଲ କରିଥିଲେ । କଂଗ୍ରେସରୁ ପ୍ରାର୍ଥୀ ଥିବା ରାଓ ଏହି ନିର୍ବାଚନରେ ମୋଟ ୩ ଲକ୍ଷ ୪୦ ହଜାର ୫୫୫ ଭୋଟ ପାଇ ଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିବା ଜନତା ଦଳର ବରିଷ୍ଠ ନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ୧ ଲକ୍ଷ ୭୨ ହଜାର ୦୧୫ ଭୋଟ ପାଇଥିଲେ । ରାଜ୍ୟରେ ସେତେବେଳେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଥିଲା । ଏକ ଲକ୍ଷ ୬୮ ହଜାର ୫୪୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ପି.ଭି. ନରସିଂହ ରାଓ ଗୋପାଳପୁର ସମୁଦ୍ର ଉପକୂଳରେ ଟାଟା କଂପାନୀର ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାର ସ୍ୱପ୍ନ ଦେଖାଇ ତାହାର ଶିଳାନ୍ୟାସ କରିଥିଲେ । ବ୍ରହ୍ମପୁର ସହରର ଦୀର୍ଘ ବର୍ଷର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସେ ଦୃଢ ପ୍ରତିଶ୍ରୁତି ଦେବା ସହ ବ୍ରହ୍ମପୁର ସର୍କିଟ୍ ହାଉସ ଠାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । କିନ୍ତୁ, ଗୋପାଳପୁର ନିକଟରେ ମେଗା ଇସ୍ପାତ କାରଖାନା ହେଲା ନାହିଁ । ଏହି ପ୍ରକଳ୍ପ ପାଇଁ ଟାଟା କଂପାନୀ ହାତେଇ ଥିବା ଏକର ଏକର ଉର୍ବର ଜମିରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନ ହୋଇ ପଡିଆ ପଡିବାରୁ ଜମି ଫେରାଇବାକୁ ଅଂଚଳବାସୀ ଦାବି କରିଥିଲେ । ଦୀର୍ଘ ବର୍ଷର ପ୍ରତିବାଦ ପରେ ସେହି ଜମିରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ବା ସ୍ପେଶାଲ ଇକୋନୋମିକ ଜୋନ୍ (ଏସଇଜେଡ୍) ପ୍ରତିଷ୍ଠା କରାଯିବା ସକାଶେ ଅନୁମୋଦନ ଦେଲେ । ଏବେ ସେହି ଜମିରେ ପାଚେରୀ ବୁଲାଇ ଟାଟା କଂପାନୀ ନିଜ ଆଡୁ ଛୋଟକାଟିଆ ଶିଳ୍ପ ପ୍ରତିଷ୍ଠା କରିବା ସହ ଅନ୍ୟମାନଙ୍କୁ କାରଖାନା କରିବାକୁ ଡାକୁଛି । ଏସଇଜେଡ୍ ୨୦/୨୨ ବର୍ଷ ପରେ ମଧ୍ୟ ମୁଣ୍ଡ ଟେକି ପାରି ନାହିଁ । ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଟାଟା କଂପାନୀକୁ ‘ଇଡ଼କୋ’ ମାଧ୍ୟମରେ ଜମି ଦଖଲ ଦେଳେ ସିନା କାରଖାନା ପ୍ରତିଷ୍ଠା ପାଇଁ ଆବଶ୍ୟକ ଜଳ, ରେଳ ସଂଯୋଗ ଏବଂ ଗୋପାଳପୁର ବନ୍ଦରକୁ ସବୁ ଦିନିଆ ବନ୍ଦରରେ ପରିଣତ କରିବା ପ୍ରତିଶ୍ରୁତି ରକ୍ଷା କଲେ ନାହିଁ । ଫଳରେ, ଟାଟା କଂପାନୀ ଏହି ପ୍ରକଳ୍ପରୁ ଓହରି ଯାଇ ଜାମସେଦପୁର କାରଖାନାର ସଂପ୍ରସାରଣ କଲା ।
ଆଜିି ମଧ୍ୟ ଗୋପାଳପୁର ବନ୍ଦର ‘ଛଅ ମାସିଆ’ ବନ୍ଦର ହୋଇ ରହିଛି । ବ୍ରହ୍ମପୁର ସହରର ପାନୀୟ ଜଳ ସମସ୍ୟା ଅସମାଧିତ ଅବସ୍ଥାରେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ନୂଆ ପାଇପ ଲାଇନ ବିଛା କାର୍ଯ୍ୟ ଚାଲିଛି । ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥାଗୁଡିକର (ଆଇଆରଇ, ଜୟଶ୍ରୀ କେମିକାଲ ସମେତ) ଅବସ୍ଥା ଋଗ୍ଣ । ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ନିର୍ବାଚନ ମଂଡଳୀରେ ସେଭଳି କିଛି ବଡ ପରିବର୍ତର୍ନ ଦୂରେ ଥାଉ, ଛୋଟ ସମସ୍ୟାର ସମାଧାନ ହୋଇ ପାରି ନାହିଁ । ଓଡ଼ିଶାବାସୀ ଏହି ଅଭିଜ୍ଞତାରୁ ନିଶ୍ଚିତ ଭାବେ କିଛି ଶିଖି ଥିବେ । ତେଣୁ, ବର୍ତର୍ମାନର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ସେମାନେ ଆଶାବାଦୀ ହେବେ ଓ ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିବେ – ଏହି ଆଶା କରିବା ମୁର୍ଖାମୀ । ମୋଦୀ ଯେଉଁ ଉଦେ୍ଦଶ୍ୟ ନେଇ ଓଡ଼ିଶା ମୁହାଁ ହୋଇଛନ୍ତି ତାହା ସଫଳ ହେବା ଆଶା କ୍ଷୀଣ । ତେବେ, ରାଜ୍ୟରେ ଶାସକ ବିଜେଡ଼ିକୁ ତାହା ଦୋହଲାଇବାରେ ଲାଗିଛି,ଏଥିରେ କୌଣସି ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS