ସ୍ପଷ୍ଟ ଜନାଦେଶ: ମୋଦୀ ବନି ଗଲେ ‘ପପ୍ପୁ’ !
– ପ୍ରସାଦ ରାଓ –
ଭୁବନେଶ୍ୱର: ୨୦୧୮ ଡ଼ିସେମ୍ବର ୧୧ ତାରିଖରେ ପ୍ରକାଶିତ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିରେ ଏକ ପରିବର୍ତର୍ନର ସୂଚନା ଦେଉଛି । ଦେଶରେ କଂଗ୍ରେସର ପୁନଃ ଉତ୍ତରଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଜନସାଧାରଣରେ ଅନାସ୍ଥା ଭାବ ଦାନା ବାନ୍ଧୁ ଥିବା ଏହି ଜନାଦେଶରୁ ସଂକେତ ମିଳିଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ମୋଦୀଜୀଙ୍କ ନେତୃତ୍ୱରେ ଲୋକସଭାରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାସୀନ ହୋଇଥିଲା । କ୍ଷମତାକୁ ଆସିବା ପରେ ମୋଦୀଜୀ ଦେଶକୁ କଂଗ୍ରେସ ହାତରୁ ମୁକ୍ତ କରିବା ଅଭିଯାନ ଆରମ୍ଭ କରି ବିଗତ ୪ ବର୍ଷରୁ ଅଧିକ ସମୟ ମଧ୍ୟରେ ବହୁମାତ୍ରାରେ ସଫଳ ହୋଇଛନ୍ତି । କଂଗ୍ରେସର ସ୍ଥିତି ଆଂଗୁଠି ଆଗରେ ଗଣି ହେଲା ଭଳି ରାଜ୍ୟରେ ସୀମିତ ହୋଇ ଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ସେମିଫାଇନାଲ’ କୁହାଯାଉଥିବା ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସର ପରାଜୟ ହୋଇଥା’ନ୍ତା ଏବଂ ବିଜେପି ନିଜ ପୂର୍ବ ସଫଳତା ଦୋହରାଇ ପାରିଥା’ନ୍ତା ତେବେ ଦେଶରେ ‘ମୋଦୀ ହାୱା’ ଅପରିବର୍ତିତ ରହିଛି ବୋଲି ଏକ ବାର୍ତର୍ା ଯାଇଥା’ନ୍ତା । ଦଳର ମୁକୁଟରେ ଆଉ ଏକ ସଫଳତାର ମୋହର ଲାଗିି ଥା’ନ୍ତା । କିନ୍ତୁ, କଂଗ୍ରେସ ତାହା କରାଇ ନ ଦେଇ ସଫଳତାର ମୁକୁଟ ନିଜେ ପିନ୍ଧିଛି । ଏହି ତିନି ହିନ୍ଦିଭାଷୀ ରାଜ୍ୟରେ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳି ଥିବା ଆଶାତୀତ ସଫଳତା ବିଜେପିକୁ ନିର୍ବାକ୍ କରିବା ସହ ବିଜେପି ବିରୋଧରେ ସଂଗଠିତ ହେଉଥିବା ଜାତୀୟ ଓ ଆଂଚଳିକ ରାଜନୈତିକ ଦଳମାନଙ୍କୁ ଉତ୍ସାହିତ କରିଛି । କଂଗ୍ରେସ ନେତୃତ୍ୱରେ ସେମାନେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି ପାରିବେ ବୋଲି ବହୁ ତୁଙ୍ଗ ବିରୋଧୀ ନେତା ଆଶାବାଦୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କ୍ଷମତାର ଡ଼ୋରି ଧରିବା ପରେ କଂଗ୍ରେସର ଦୁର୍ବଳ ନେତୃତ୍ୱକୁ କଟୁ ସମାଲୋଚନା କରି ଆସିଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ‘ପପ୍ପୁ’ କହି ଆକ୍ଷେପ କରିବା ତାଙ୍କ ଅଭ୍ୟାସ ହୋଇ ଯାଇଛି । ବିଜେପିର ଜାତୀୟ ମୁଖପାତ୍ରମାନେ ମଧ୍ୟ ରାହୁଲ ଓ ଗାନ୍ଧୀ ପରିବାରକୁ ତାଚ୍ଛଲ୍ୟ କରିବାରେ କେବେ ପଛଘୁଂଚା ଦେଇ ନାହାନ୍ତି । ଜାତୀୟ ରାଜନୀତିରେ ରହୁଲ ଗାନ୍ଧୀଙ୍କୁ ନ୍ୟୁନ କରି ମୋଦୀଜୀଙ୍କ ଉତ୍ଥାନର ଏକ ବଡ ଛବି ସୃଷ୍ଟି କରିବାକୁ କିଛି ଜାତୀୟ ଗଣମାଧ୍ୟମ ପକ୍ଷରୁ ମଧ୍ୟ ଅବିରତ ଉଦ୍ୟମ ଚାଲିଛି । ଏଭଳି ଏକ ପରିସ୍ଥିତିରେ ପ୍ରକାଶ ପାଇ ଥିବା ହିନ୍ଦିଭାଷୀ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଦୟନୀୟ ସ୍ଥିତିକୁ ପଦାରେ ପକାଇଛି । ରାହୁଲ ଏହି ଦୁଇ ପୁରୁଖା ଖେଳୱାଡଙ୍କ ସମସ୍ତ ରଣକୌଶଳକୁ ଅକାମୀ କରିବା ସହ ଯେଉଁ ବିଜୟ ହାସଲ କରିଛନ୍ତି ତାହା ମୋଦୀ-ଶାହା ଯୋଡିଙ୍କୁ ‘ପପ୍ପୁ’ ବନାଇ ଦେଇଥିବା ଏବେ ଚର୍ଚ୍ଚା ହେଉଛି । କଂଗ୍ରେସର ଏଭଳି ଉତ୍ତରଣ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ମୁକାବିଲା କରିବାକୁ ଏକାଠି ହେବାକୁ ଚାହୁଁ ଥିବା ବିରୋଧୀଙ୍କୁ ସଶକ୍ତ କରିବା ସହ ସେମାନଙ୍କ ମନରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଲଢିବାର ବିଶ୍ୱାସ ସୃଷ୍ଟି କରି ପାରି ଥିବା ଅନୁମାନ କରାଯାଉଛି ।
ରାଜସ୍ଥାନ, ଏମ୍ ପି ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ ନ ଥିଲା । ଭୋଟ ଗଣତି ପୂର୍ବରୁ ବିଭିନ୍ନ ସଂସ୍ଥାର ଏକଜିଟ୍-ପୋଲ୍ କଂଗ୍ରେସର ଉତ୍ତରଣର ସୂଚନା ଦେଇଥିଲା । ତେବେ, ‘ଏକ୍ଜିଟ୍ ପୋଲ୍’ କେବେ ‘ଏକ୍ଜାଟ୍ ପୋଲ୍’ ନୁହେଁ କହି ଶାସକ ବିଜେପି ନେତାମାନେ ତାହାକୁ ନକାରି ଦେଇ ଥିଲେ । ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସକୁ ଏତେ ବଡ ସଫଳତା ମିଳିବ ବୋଲି କେବେ ଆଶା କରିିି ନ ଥିଲେ । ତେଣୁ, ସମସ୍ତଙ୍କ ମନରେ ଉକ୍ରଣ୍ଠା ରହି ଥିଲା – ଡ଼ିସେମ୍ବର ୧୧ରେ ପ୍ରକାଶ ପାଇବାକୁ ଥିବା ଭୋଟ ଫଳାଫଳ କଣ ହେବ? କାରଣ, ଚାରିରୁ ପାଂଚ ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ଓ ଡ଼ିସେମ୍ବରରେ ଅନୁଷ୍ଠିତ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ‘ସେମିଫାଇନାଲ୍ ରେଜଲ୍ଟ୍’ ଭାବେ ବିଚାର କରଯାଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମର ବିଧାନସଭା ପାଇଁ ନିର୍ବାଚନ ହୋଇଥିଲେ ମଧ୍ୟ ହିନ୍ଦିଭାଷୀ ଅଂଚଳର ଫଳାଫଳ ସଂପୂର୍ଣର୍ ଭାବେ ନ ହେଲେ ବି ବହୁମାତ୍ରାରେ ଭାରତୀୟ ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି । ଉଭୟ ଶାସକ ଓ ବିରୋଧୀ ଦେଶବାସୀଙ୍କ ମୁଡ୍ ବା ବର୍ତମାନର ମତିଗତି ପରଖିବାକୁ ବ୍ୟଗ୍ର । ତେଣୁ, ଉଭୟ ଶାସକ ଓ ବିରୋଧୀଙ୍କ ଅପେକ୍ଷା ଥିଲା ଫଳାଫଳକୁ । ଦିନ୍ଦିଭାଷୀ ଅଂଚଳର ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି, ୨୦୧୪ରେ ବିଜେପିକୁ ଯେଉଁ ବିପୁଳ ସଂଖ୍ୟା ମିଳି ଥିଲା ୨୦୧୯ରେ ତାହା ମିଳିବା ଆଶା କ୍ଷୀଣ । ଶାସକ ବିଜେପି ପ୍ରତି ଜନସାଧାରଣରେ ଆସ୍ଥା କମିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଧୀରେ ଧୀରେ ଗ୍ରହଣୀୟ ହେବାରେ ଲାଗିଛି ।
‘ମୋଦୀ ହାୱା’ ୨୦୧୪ ସାଧାରଣ ନିର୍ବାଚନରେ ଦେଶରେ କଂଗ୍ରେସକୁ ମୂଳପୋଛ କରି ଦେଇଥିଲା । ଏହା କହିବା ଅତ୍ୟୁକ୍ତି ହେବ ନାହିଁ । କଂଗ୍ରେସ ଦଳ ଲୋକସଭାରେ ମାତ୍ର ଦୁଇ ଅଂକ ଆସନରେ ସୀମିତ ହୋଇ ଯାଇଥିଲା । ପରବର୍ତୀ ସମୟରେ ହୋଇଥିବା ବିଧାନସଭା ନିର୍ବାଚନଗୁଡିକରେ ମଧ୍ୟ କଂଗ୍ରେସକୁ ଆଣ୍ଠେଇବାକୁ ପଡି ଥିଲା । ପଂଜାବରେ ବିଜେପି-ଏସଡ଼ିଏ ମେଂଟ ସରକାରରେ ଦୁର୍ନୀତି ଏବଂ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସପକ୍ଷରେ ଥିବା ଜନାଧାର କଂଗ୍ରେସକୁ କ୍ଷମତାକୁ ଫେରିବାରେ ସହାୟକ ହୋଇଥିଲା । କର୍ଣ୍ଣାଟକରେ ଦଳ କ୍ଷମତାରେ ଅଛି । କିନ୍ତୁ, ଜେଡ଼ିଏସ୍ ସହଯୋଗରେ । ଆସନ ଦୃଷ୍ଟିରୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ରହିବା କଥା । କିନ୍ତୁ, ଜେଡ଼ିଏସ୍ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଅଛନ୍ତି । ଗୁଜରାଟ ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇ ଥିଲା । କିନ୍ତୁ, କ୍ଷମତାକୁ ଆସି ପାରିଲା ନାହିଁ । ଦେଶର ପ୍ରମୁଖ ତଥା ଗରୁତ୍ୱପୂର୍ଣ୍ଣ ରାଜ୍ୟ ୟୁପିରେ ବିଜେପି ଶାସନ କରୁଛି । ଉତ୍ତର-ପୂର୍ବାଂଚଳ ରାଜ୍ୟରେ କଂଗ୍ରେସର ପତ୍ତା ସାଫ୍ କରି ବିଜେପି ‘କଂଗ୍ରେସ ମୁକ୍ତ’ ଭାରତ କଥା କହୁଛି । ଆସାମରେ ବିଜେପି ସରକାର ଅଛି । ଏବେ ଓଡ଼ିଶା, ପଶ୍ଚିମ ବଂଗ ଉପରେ ଦଳର ନଜର । ଏହି ଦୁଇ ରାଜ୍ୟକୁ ଦଖଲ କରିବା ସକାଶେ ମୋଦୀ-ଶାହା ଯୋଡି ସମସ୍ତ କୂଟନୀତି ପ୍ରୟୋଗ କରିବା କରିବା ସହ ‘ପୂର୍ବୋଦୟ’ର ସ୍ୱପ୍ନ ଦେଖୁଛନ୍ତି । ଦୁଇ ରାଜ୍ୟରେ କ୍ଷମତାସୀନ ଦଳରେ ଅସ୍ଥିରତା ସୃଷ୍ଟି ଉଦ୍ୟମ ଚାଲିଛି । ଠିକ୍ ଏହି ସମୟରେ ହିନ୍ଦିଭାଷୀ ଅଂଚଳ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ବିଜେପିର ପରାଜୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଶାହାଙ୍କୁ ଚିନ୍ତିତ କରିବା ସ୍ୱାଭାବିକ ।
୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ନିର୍ବାଚନ ପ୍ରଚାର ଅସ୍ତ୍ର ଥିଲା କଂଗ୍ରେସର କୁଶାସନ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ନେତୃତ୍ୱରେ ଲଗାତର ୧୦ ବର୍ଷ କ୍ଷମତାରେ ଥିବା ୟୁପିଏ ସରକାରଙ୍କ ସ୍ଥଣୁତା ଓ ଦୁର୍ନୀତିକୁ ପ୍ରସଙ୍ଗ କରି ମୋଦୀଜୀ ନିର୍ବାଚନ ଲଢି ଥିଲେ । ‘ନୂତନ ଭାରତ’ ନିର୍ମାଣର ‘ସୁନେଲି ସ୍ୱପ’ ଦେଖାଇ ସେ ଭାରତୀୟ ଭୋଟରଙ୍କୁ ବିଭୋର କରିଥିଲେ ।ଦେଶରେ ଦୁର୍ନୀତିର ମୂଳୋତ୍ପାଟନ, ବେକାର ଯୁବକ ଯୁବତୀଙ୍କ ପାଇଁ ପାଂଚ ବର୍ଷରେ ୧୦ କୋଟି କର୍ମ ନିଯୁକ୍ତି ସୃଷ୍ଟି, ବିଦେଶୀ ବ୍ୟାଙ୍କ ଗୁଡିକରେ ଲୁକ୍କାୟିତ ଅବସ୍ଥାରେ ଥିବା କଳାଧନକୁ ଦେଶକୁ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା, ଦେଶରେ ଅର୍ଥନୈତିକ- ସାମାଜିକ ଓ ଭିତ୍ତିଭୂମୀ ବିକାଶକୁ ତ୍ୱରାନ୍ୱିତ କରିବା ମୋଦୀଜୀଙ୍କ ପ୍ରତିଶ୍ରୁତି ଥିଲା । ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ମୋଦୀଜୀ ଲୋକସଭାରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ଥିଲେ । ତେବେ, ସେସବୁ ସ୍ୱପ୍ନ କେତେ ସାକାର ହୋଇଛି? ତହା ହିଁ ଆଜିର ପ୍ରଶ୍ନବାଚୀ । ଅପରପକ୍ଷରେ, ମୋଦୀ ସରକାରଙ୍କ ପରାଜୟର ମୁଖ୍ୟ କାରଣ ଦେଶବ୍ୟାପୀ ଚାଷି ଅସନ୍ତୋଷ ଏବଂ ବିଜେପି ଶାସିତ ରାଜ୍ୟରେ ଚାଷିଙ୍କ ଉପରେ ହୋଇଥିବା ଅତ୍ୟାଚର ବୋଲି ସମେସ୍ତ ସ୍ୱୀକାର କଲେଣି । ଏହାଛଡା, ବିଜେପି ସରକାର ଅମଳରେ ବିଭିନ୍ନ ହିନ୍ଦିଭାଷୀ ରାଜ୍ୟରେ ଭିଡ଼ ଭିତରେ ହିଂସା, ବୁଦ୍ଧିଜୀବୀଙ୍କ ପ୍ରତି ଅସହିଷ୍ଣୁତା, ସମ୍ବାଦିକଙ୍କୁ ହତ୍ୟା, ନାରୀ ନିର୍ଯ୍ୟାତନା ବଢିଛି । ବାକ୍ ସ୍ୱାଧୀନତା ହନନ ହୋଇଛି । ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ବିକାଶର ଧାରା ଆସିବା ବଦଳରେ ସାଧାରଣ ନାଗରିକଙ୍କୁ ରାସ୍ତାକୁ ଟାଣି ଆଣିଛନ୍ତି ସରକାର । ମୋଦୀ ସରକାର ଅମଳରେ ମୁଷ୍ଠିମେୟ ପୁଂଜିପତି ଅଧିକରୁ ଅଧିକ ବିତ୍ତଶାଳୀ ହେବା ସହ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ ହୋଇଛି । କିଛି ଠକ ବ୍ୟବସାୟୀ ହଜାର ହଜାର କୋଟି ଟଙ୍କା ହଡ଼ପ କରି ସରକାରୀ ପୃଷ୍ଠପୋଷକତା (!)ରେ ଦେଶ ଛାଡି ପଳାଇଛନ୍ତି । ମୋଦୀ ସରକାର ପୁଂଜିପତିଙ୍କ ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଦେଶବାସୀଙ୍କ ମନରେ ଏକପ୍ରକାର ଧାରଣା ସୃଷ୍ଟି ହେଲାଣି । ବିରୋଧୀଙ୍କ ଚରିତ୍ର ହନନ କରି ନିଜର ପତିଆରା ବଢାଇବା ମଧ୍ୟ ଏହି ସରକାରର ଏକ ପରିଚିତ ରାଜନୈତିକ କୌଶଳ ହୋଇଛି । କେନ୍ଦ୍ର ସରକାର ଅଧିକାଂଶ ଗଣମାଧ୍ୟମକୁ ହାତବାରସୀ କରି ନିଜର ପ୍ରଚାର ଚଳାଇ ଥିବା ବେଳେ ଯେଉଁମାନେ ଭିନ୍ନମତ ପୋଷଣ କରୁଛନ୍ତି ସେମାନଙ୍କୁ ବିଭିନ୍ନ ବାଟରେ ହାରାଶ କରାଯାଉଛି । ଏହାଛଡା, ପେଟ୍ରୋଲ, ଡ଼ିଜେଲି, ଜାଳେଣୀ ଗ୍ୟାସ୍ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଦେଶବାସୀଙ୍କୁ ଅତିଷ୍ଠ କରିଛି । ନିର୍ବାଚନ ଆସିଲେ ସରକାର ଦରଦାମ କମାଇବାର ଛଳନା କରି ଭୋଟ ସରୁସରୁ ପୁଣି ବଢାଇ ଦେଉଛନ୍ତି । ‘କ୍ୟାସଲେସ୍ ଇକୋନୋମି’ ନାମରେ ଘରୋଇ ସଂସ୍ଥାଙ୍କ ମାଧ୍ୟମରେ ସାଧାରଣ ଜନତାଙ୍କୁ ଲୁଟ୍ କରାଯାଉଛି । ବ୍ୟାଙ୍କିଂ ବ୍ୟବସ୍ଥାରେ ସଂସ୍କାର ନାମରେ ସାଧାରଣ ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ବୋଝ ଲଦା ଚାଲିଛି । କେନ୍ଦ୍ର ସରକାରଙ୍କ ‘ଦୋଗଲା’ ଚରିତ୍ରକୁ ବରଦାସ୍ତ କରି ଆସୁଥିବା ଦେଶବାସୀ ୨୦୧୯ରେ ତାହାର ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ହେଉଥିବା ଉଶେଇସି ପୂର୍ବ ସେମିଫାଇନାଲ ଫଳାଫଳ ସ୍ପଷ୍ଟ କରିଛି ।
୨୦୧୮ ଡ଼ିସେମ୍ବରର ଏକଜିଟ୍ ପୋଲ୍ ପ୍ରାୟତଃ ‘ଏକଜାଟ୍ ପୋଲ୍’ ହୋଇଛି । ରାଜସ୍ଥାନରେ ବସୁଂଧରା ରାଜେ ସରକାରଙ୍କୁ ଭୋଟରମାନେ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିଛନ୍ତି । ୨୦୦ରୁ ୧୯୯ ବିଧାନସଭା ଆସନରେ ଭୋଟ ହୋଇଥିବା ବେଳେ କଂଗ୍ରେସ ୧୦୧, ବିଜେପି ୭୩, ବସପା ୬ ଓ ଅନ୍ୟାନ୍ୟ ୧୯ ଆସନରେ ବିଜୟୀ ହୋଇଛନ୍ତି । ୨୦୧୩ରେ ରାଜସ୍ଥାନରେ କଂଗ୍ରେସକୁ ୨୧, ବିଜେପିକୁ ୧୬୩, ବସପାକୁ ୩ ଓ ଅନ୍ୟମାନଙ୍କୁ ୧୩ ଆସନ ମିଳି ଥିଲା । ରାଜସ୍ଥାନରେ ଏଭଳି ସରକାର ବଦଳିବା ଏକ ଚିରାଚରିତ ରାଜନୈତିକ ପ୍ରଥା କହି ବିଜେପି ମୁଖପାତ୍ରମାନେ ତାହାକୁ ଗ୍ରହଣ କରି ନେଇ ଥିବା ବେଳେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ହିନ୍ଦିଭାଷୀ ରାଜ୍ୟ ମଧ୍ୟ ପ୍ରଦେଶରେ ବିଜେପିକୁ ଚିତ୍ କରିଛି କଂଗ୍ରେସ । ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା ପାଇଁ ‘କାଂଟେ କି ଟକ୍କର୍’ରେ କଂଗ୍ରେସ ୧୧୫ ଆସନରେ ବିଜୟୀ ହୋଇ ବିଏସପି ବା ବସପା ନେତ୍ରୀ ମାୟାବତୀଙ୍କ ସମର୍ଥନରେ ସରକାର ଗଠନ କରୁଛି । ଏହି ରାଜ୍ୟରେ ବିଜେପିକୁ ମିଳିଛି ୧୦୮ ଆସନ । ବସପା ଦୁଇଟି ଓ ଅନ୍ୟମାନେ ୫ଟି ଆସନରେ ଜିତିଛନ୍ତି । ୨୦୧୩ ନିର୍ବାଚନରେ ମଧ୍ୟ ପ୍ରଦେଶରେ ବିଜେପିକୁ ୧୬୫ ଓ କଂଗ୍ରେସକୁ ୫୮ ଆସନ ମିଳି ଥିଲା । ବସପା ୪ ଓ ଅନ୍ୟମାନେ ୩ଟି ଆସନରେ ବିଜୟୀ ହୋଇଥିଲେ । ୧୫ ବର୍ଷ ହେଲା ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସରକାର ଚାଲି ଥିଲା । ରାଜ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରି ଚୌହାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିଳେ । ତେବେ, କେନ୍ଦ୍ର ବିଜେପି ସରକାରଙ୍କ ଚାଷି-ବିରୋଧୀ ନୀତି ଏବଂ ରାଜ୍ୟରେ ଚାଷି ଅନ୍ଦୋଳନ ଉପରେ ହୋଇଥିବା ସରକାରୀ ଆକ୍ରମଣ ଚୌହାନଙ୍କ ଆଜିର ଦୁଃସ୍ଥିତିର ପ୍ରମୁଖ କାରଣ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଲୋଚନା କରୁଛନ୍ତି । ଛତିଶଗଡ଼ରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ରାଜ୍ୟର ୯୦ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସକୁ ୬୮ ଆସନ ମିଳି ଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୧୫ ଆସନ । ବସପା ୭ଟିରେ ବିଜୟୀ ହୋଇଛି । ୨୦୧୩ ନିର୍ବାଚନରେ ବିଜେପି ୪୯, କଂଗ୍ରେସ ୩୯, ବସପା ୧ ଓ ଅନ୍ୟାନ୍ୟ ୧ ଆସନ ପାଇ ଥିଲେ । ମୁଖ୍ୟମନ୍ତ୍ରୀ ରମଣ ସିଂହ ୧୫ ବର୍ଷ ହେଲା କ୍ଷମତାରେ ଥିଲେ । ମହାନଦୀ ଜଳ ବଂଟନ ବିବାଦରେ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସେ ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରିଥିଲେ ମଧ୍ୟ ରାଜ୍ୟବାସୀ ତାଙ୍କ ବିଶ୍ୱାସକୁ ନେଲେ ନାହିଁ ।
୨୦୧୮ ନଭେମ୍ବର/ଡ଼ିସେମ୍ବରରେ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନା ଓ ଉତ୍ତର-ପୂର୍ବାଂଚଳ ରାଜ୍ୟ ମିଜୋରାମରେ ମଧ୍ୟ ବିଧାନସଭା ଭୋଟ ହୋଇଥିଲା । ମିଜୋରାମରେ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରି ଆଂଚଳିକ ଦଳ ମିଜୋ ନ୍ୟାସନାଲ ଫ୍ରଂଟ ବା ଏମଏନଏଫ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ୪୦ ଆସନ ବିଶିଷ୍ଟ ବିଧାନସଭାରେ ଏମଏନଏଫକୁ ୨୬ ଆସନ ମିଳି ଥିବା ବେଳେ କଂଗ୍ରେସକୁ ୫ ଓ ବିଜେପିକୁ ୧ ଆସନ ମିଳିଛି । ୨୦୧୩ ନିର୍ବାଚନରେ ମିଜୋରାମରେ କଂଗ୍ରେସ ୩୪ ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିବା ବେଳେ ଏମଏନଏଫ ମାତ୍ର ୫ଟି ଆସନ ପାଇଥିଲା । ସେହିଭଳି, ନବଗଠିତ ତେଲଙ୍ଗାନା ରାଜ୍ୟରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଆଂଚଳିକ ଦଳ ଟିଆରଏସ (ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି) ବିପୁଳ ବିଜୟ ହାସଲ କରିଛି । ରାଜ୍ୟରେ ଆଗୁଆ ନିର୍ବାଚନ କରାଇ ରାଓ ରାଜ୍ୟର ୧୧୯ ବିଧାନସଭା ଆସନରୁ ୮୮ଟି ଦଖଲ କରିଥିବା ବେଳେ ସେଠାରେ କଂଗ୍ରେସ ଓ ତାହାର ମେଂଟକୁ ୨୧ ଆସନ, ବିଜେପିକୁ ୧ ଓ ଅନ୍ୟାନ୍ୟଙ୍କୁ ୯ ଆସନ ମିଳିଛି । ପ୍ରଥମ ନିର୍ବାଚନରେ ଟିଆରଏସ ୬୩, କଂଗ୍ରେସ ୩୬, ବିଜେପି ୫ ଓ ଅନ୍ୟାନ୍ୟ ୧୫ ଆସନ ପାଇ ଥିଲେ । କିନ୍ତୁ, ରାଜନୈତିକ ବିଶ୍ଲେଷକମାନେ ଅଣ-ହିନ୍ଦିଭାଷୀ ଅଂଚଳ ତେଲେଙ୍ଗନା ଓ ମିଜୋରାମ ନିର୍ବାଚନ ଫଳାଫଳକୁ ସେତେଟା ଗୁରୁତ୍ୱ ନ ଦେଇ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଫଳାଫଳକୁ ପ୍ରାଧାନ୍ୟ ଦେଉଛନ୍ତି । କାରଣ,ଏହି ତିନି ରାଜ୍ୟର ଫଳାଫଳ ହିଁ ଜାତୀୟ ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟାକ୍ଷେପ ଅଧିକ ଶାଣିତ ହେବା ଆଶା କରାଯାଉଛି । ୨୦୧୮ ସେମିଫାଇନାଲର ଏହି ସଫଳତା ୨୦୧୯ ଫାଇନାଲରେ କଂଗ୍ରସ ଦୋହରାଇ ପାରିବ କି ନାହିଁ, ତାହା ଭିନ୍ନ କଥା । କିନ୍ତୁ, ଦେଶବାସୀଙ୍କ ମୁଡ୍ ଯେ ବିଜେପି- ବିରୋଧୀ ହେଲାରି ତାହା ସେମିଫାଇନାଲ ଫଳାଫଳ କହୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS