ଭୋଟ ମୁହାଁ ରାଜନୀତି: ‘କାଳିଆ’କୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ
– ପ୍ରସାଦ ରାଓ –
ଭୁବନେଶ୍ୱର, ଜାନୁୟାରୀ ୦୨: ରାଜ୍ୟରେ ଉଭୟ ସରକାର ଓ ବିରୋଧୀ ଏବେ ଭୋଟ ମୁହାଁ । ୨୦୧୮ ବର୍ଷର ଶେଷ ଆଡକୁ ରାଜ୍ୟ ସରକାର ଚାଷିଙ୍କ ପାଇଁ ଘୋଷଣା କରିଥିବା ‘କାଳିଆ’ ଯୋଜନା ବିରୋଧୀଙ୍କ ହୃତକଂପ ବଢାଇ ଥିବା ବେଳେ ଡ଼ିସେମ୍ବର ୩୧ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହା ଲୋକାର୍ପିତ କରିଛନ୍ତି । ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିବା ସକାଶେ ୧୭୩୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇ ଥିବା ବେଳେ ବଜେଟରେ ଏଥି ପାଇଁ ଅର୍ଥ ବ୍ୟବସ୍ଥା ନ ଥିଲା । ତେଣୁ, ରାଜ୍ୟ ସରକାର ୪୦୦ କୋଟି ଟଙ୍କାର ‘ଓଡ଼ିଶା ଆକସ୍ମିକ ପାଂଠି’କୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରି ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି । ଓଡ଼ିଶା ଆକସ୍ମିକ ପାଂଠି ୧୬୦୦ କୋଟି ଟଙ୍କାକୁ ବଢାଇବା ସକାଶେ ସରକାର ଅଧ୍ୟାଦେଶ ଆଣିବା ଜରୁରୀ ଥିବାରୁ ଡ଼ିସେମ୍ବର ୨୯ ତାରିଖ ରାଜ୍ୟ କ୍ୟାବିନେଟ ବୈଠକରେ ଏସଂପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆ ଯାଇଛି । କ୍ୟାବିନେଟ୍ ଅନୁମୋଦନ ପରେ ‘କାଳିଆ’ ଯୋଜନା ତୁରନ୍ତ କାର୍ଯ୍ୟକାରୀ ହେବାର ବାଟ ଖୋଲିଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମଧ୍ୟ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛି ।
କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ କୃଷକଙ୍କ ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ ରଖି ଆରମ୍ଭ କରାଯାଇ ଥିବା ‘କାଳିଆ’ ଯୋଜନାରେ ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମାମତ୍ର ଚାଷି ଉପକୃତ ହେବେ ବୋଲି ସରକାର ଦାବି କରୁଛନ୍ତି । ନୂତନ ଯୋଜନାରେ ପ୍ରତି ଚାଷି ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ତିନି ବର୍ଷରେ ପାଂଚଟି ଫସଲ ଋତୁ ପାଇଁ ଏହି ସହାୟତା ଉଦ୍ଦିଷ୍ଟ । ଯୋଜନାରେ ଭୂମିହୀନ ଚାଷି ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା, ବିନା ସୁଧରେ ଫସଲ ଋଣ ମିଳିବ ବୋଲି ସରକାର କହିଛନ୍ତି । ୧୦ ଲକ୍ଷ ଭୂମିହୀନ ପରିବାରକୁ ମଧୁମକ୍ଷୀ ଚାଷ, କୁକୁଡା ଚାଷ, ଅଣ୍ଡା ଓ ମାଛ ଉତ୍ପାଦନ ଭଳି ଅନୁସଂଗିକ କୃଷି କାର୍ଯ୍ୟରେ ସାମିଲ କରାଯାଇ ଜୀବିକା ଉପାର୍ଜନର ବ୍ୟବସ୍ଥା କରିବା ସକାଶେ ୧୨ହଜାର ୫୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କରିଥିବା ବିରୋଧୀଙ୍କୁ ଆତଙ୍କିତ କରିଛି ।
ରାଜ୍ୟ ସରକାର ଏହି ନୂତନ ଯୋଜନା ମାଧ୍ୟମରେ ଚାଷିଙ୍କ ହୃଦୟ ଜିଣିବାକୁ ଅଂଟା ଭିଡି ଥିବା ବେଳେ ଆତଙ୍କିତ ବିରୋଧୀ (କଂଗ୍ରେସ ଓ ବିଜେପି) ‘କାଳିଆ’କୁ ନେଇ ସରକାରଙ୍କୁ ସମାଲୋଚନାକୁ ଶାଣିତ କରିଛନ୍ତି । ସରକାର ଅଧ୍ୟାଦେଶ ମାଧ୍ୟମରେ ‘ଓଡ଼ିଶା ଆକସ୍ମିକ ପାଂଠି’ ଅର୍ଥକୁ ଚାରି ଗୁଣ ବୃଦ୍ଧି କରିବା ସହ ‘କାଳିଆ’ ଯୋଜନାରେ ତାହା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେବା ‘ନିର୍ବାଚନୀ ବ୍ୟାକୁଳତା’ ଛଡା ଆଉ କିଛି ନୁହେଁ ବୋଲି ଦୁଇ ଦଳର ନେତାମାନେ କଟାକ୍ଷ କରିଛନ୍ତି । ୨୯ ତାରିଖ ରାଜ୍ୟ କ୍ୟାବିବେଟ୍ ନିଷ୍ପତ୍ତି ‘ଚାଷିଙ୍କୁ କଳାକନା ବୁଲାଇବା ଭଳି’ ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରି ଥିବା ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ‘ଅଂଟିରେ ଧନ ନ ଥାଇ ନବୀନ ପୁଅ ବାହାଘର ପାଇଁ ମନ ବଳାଇଛନ୍ତି’ ବୋଲି ସମାଲୋଚନା କରିଛନ୍ତି । ସରକାର ୨୦୧୯ ନିର୍ବାଚନ ବୈତରଣୀ ପାରି ହେବାକୁ ‘କାଳିଆ’ ଠାକୁର ଓ ‘କାଳିଆ ଯୋଜନା’ର ଆଶ୍ରୟ ନେଇଛନ୍ତି ବୋଲି ବିରୋଧୀ କହୁଛନ୍ତି ।
ଧର୍ମେନ୍ଦ୍ରଙ୍କ ଅଭିଯୋଗ ହେଉଛି, ସରକାର ଚାଷିଙ୍କ ପାଇଁ ୧୦୦ ଟଙ୍କା ଲେଖାଏଁ ବୋନସ ଓ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ୨୦୧୪ ନିର୍ବାଚନରେ ଯେଉଁ ପ୍ରତିଶ୍ରୁତି ଦେଇ ଥିଲେ ତାହା ପାଳନ କରି ନାହାନ୍ତି । ଏବେ ‘କାଳିଆ’ ଯୋଜନା ଦେଖାଇ ଚାଷିଙ୍କୁ ବିଭ୍ରାନ୍ତ କରିବା ଉଦ୍ୟମ ଚାଲିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଋଣବୋଝରେ ବୁଡି ରହିଥିବା ରାଜ୍ୟ ସରକାରଙ୍କୁ ହଲ୍ଲାପଟା କରିବାର ମଉକା ଛାଡି ନାହାନ୍ତି । ୧୮ ବର୍ଷରେ ବିଜେଡ଼ି ସରକାର ରାଜ୍ୟର ଋଣ ଭାର ୧୮ ହଜାର କୋଟିରୁ ୯୨ ହଜାର କୋଟି ଟଙ୍କାରେ ପହଂଚାଇ ଥିବା ଦର୍ଶାଇ ପାଖରେ ପାଂଠି ନ ଥାଇ ‘କାଳିଆ’ ଯୋଜନା ଘୋଷଣା ‘ସରକାରୀ ପ୍ରତାରଣା’ ବୋଲି ପଟ୍ଟନାୟକ କହିଛନ୍ତି ।
ତେବେ, ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉଭୟ ବିଜେପି ଓ କଂଗ୍ରେସକୁ ଏହାର ଜବାବ ଦେଇ, ‘କାଳିଆ’ ଏକ ବାସ୍ତବବାଦୀ ଯୋଜନା ଏବଂ ଏହା ବିରୋଧୀଙ୍କ ହୃତକଂପ ବଢାଇଛି ବୋଲି ପାଲଟା ମନ୍ତବ୍ୟ ଦେଇଛନ୍ତି । ଏହି ଯୋଜନାରେ ରାଜ୍ୟର ୩୬ ଲକ୍ଷ ଚାଷି ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତି କଥାରେ ସମାଲୋଚନା କରୁଥିବା ବିରୋଧୀଙ୍କୁ କଟାକ୍ଷ କରି ଅର୍ଥମନ୍ତ୍ରୀ ବେହେରା କହିଛନ୍ତି, ବିରୋଧୀଙ୍କ ଏହି ବ୍ୟାକୁଳତାକୁ ରାଜ୍ୟବାସୀ ଜାଣନ୍ତି । ତେଣୁ, ସେମାନଙ୍କୁ କ୍ଷମତାଠାରୁ ଦୂରେଇ ରଖିଛନ୍ତି । ମନ୍ତ୍ରୀ ବେହେରାଙ୍କ କଟାକ୍ଷ ରାଜ୍ୟ ରାଜନୀତି ଭୋଟ ମୁହାଁ ହୋଇ ସାରି ଥିବା ଏବଂ ଶାସକ ଓ ବିରୋଧୀ ପ୍ରତିକଥାରେ ମୁହଁ ଯୋଡି କଜିଆ ହେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଉଛି ।
ଏଠାରେ ଉଲ୍ଲେଖନୀୟ ଯେ, କୃଷି ଋଣ ଛାଡ ଚାଷିଙ୍କ ଅର୍ଥନୈତିକ ସମସ୍ୟାର ସମାଧାନ ପଇଁ ପ୍ରକୃଷ୍ଟ ପନ୍ଥା ନୁହେଁ, ଏହାଦ୍ୱାରା ଦେଶର ଅର୍ଥନୀତି ଅଧିକ ବିପର୍ଯ୍ୟସ୍ତ ହୋଇ ପଡିବ ବୋଲି ଦେଶର ବରିଷ୍ଠ ଅର୍ଥନୀତିଜ୍ଞମାନେ ବାରମ୍ବାର କହୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏକା କଥା କହି କୃଷି ଋଣ ଛାଡ ଦାବିକୁ ଅଗ୍ରାହ୍ୟ କରିଛନ୍ତି । ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ବିପର୍ଯ୍ୟୟ ଘଟି ଥିବା ସତ୍ୱେ କେନ୍ଦ୍ର ସରକାର କୃଷି ଋଣ ଛାଡ ଦାବିକୁ ସମର୍ଥନ ନ କରି ଚାଷିଙ୍କୁ ସନ୍ତୁଷ୍ଟ କରିବା ସକାଶେ ଅନ୍ୟ ବିକଳ୍ପ ଯୋଜନା କଥା ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ, କିଛି ବିଜେପି ଶାସିତ ରାଜ୍ୟରେ କୃଷି ଋଣ ଛାଡ କରାଯାଇଥିବା ବେଳେ ଓଡ଼ିଶା ସରକାର ଚାଷିଙ୍କୁ କୃଷି ଋଣ ଛାଡ କରିବାକୁ ବିଜେପି ରାଜ୍ୟ ଶାଖା ଦାବି କରି ଆନ୍ଦୋଳନ କରୁଛି । ରାଜ୍ୟର ଚାଷିଙ୍କୁ ନିଜ ଗୋଡରେ ଠିଆ କରାଇବା ସକାଶେ କୃଷି ଋଣ ଛାଡ ଏକ ବଳିଷ୍ଠି ପଦକ୍ଷେପ ହେବ ବୋଲି କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତି ଉପସ୍ଥାପନ କରୁଛନ୍ତି । ତାଙ୍କ କହିବା କଥା ହେଲା, ପ୍ରଧାନମନ୍ତ୍ରୀ ଜାତୀୟ ସ୍ତର ସ୍ଥିତିକୁ ଦେଖି କୃଷି ଋଣ ଛାଡ ସଂପର୍କରେ ଯେଉଁ ମତ ଦେଉଛନ୍ତି ତାହାର ଦୃଷ୍ଟାନ୍ତ ଦେଇ ଅନ୍ୟମାନେ ଏହାକୁ ପ୍ରସଙ୍ଗ କରିବାର ନୈତିକ ଅଧିକାର ରଖି ନାହାନ୍ତି । ତେବେ, ଧମେନ୍ଦ୍ରଙ୍କ ଯୁକ୍ତି ବାସ୍ତବତା ଠାରୁ ଦୂରରେ ବୋଲି ଶାସକ ବିଜେଡ଼ି ଅଭିଯୋଗ କରିବା ସହ ଜାତୀୟ ସ୍ତରରେ କୃଷି ଋଣ ଛାଡ ହେଲେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେବ, ରାଜ୍ୟରେ ଏହି ଋଣ ଛାଡ କଲେ କୃଷକଙ୍କ ଅର୍ଥନୀତି ବଳିଷ୍ଠ ହେବ ବୋଲି ଧର୍ମେନ୍ଦ୍ରଙ୍କ ଯୁକ୍ତି ରାଜନୈତିକ ଅପରିପକ୍ୱତାର ପରିଚୟ ଦେଉଛି ବୋଲି କହିଛି । ଏହା ଧର୍ମେନ୍ଦ୍ରଙ୍କ ପାଇଁ ଏକ ରାଜନୈତିକ ବାଧ୍ୟବାଧକତା ବୋଲି କିଛି ବିରୋଧୀ ନେତା ସମାଲୋଚନା କରୁଛନ୍ତି । କୃଷି ଋଣ ଛାଡ ପ୍ରତିଶ୍ରୁତି ଦେଇ କଂଗ୍ରେସ ୨୦୧୮ ନଭେମ୍ବର/ଡ଼ିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତିନି ବିଜେପି ଶାସିତ ରାଜ୍ୟ ଦଖଲ କରିଛି । ତାହାକୁ ଦେଖି ବିଜେପି ଓଡ଼ିଶା ଚାଷିଙ୍କୁ ନେଇ ଜୁଆ ଖେଳିବାକୁ ଚାହୁଁଛି କି (?) ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି । ଏହା ଉତ୍ତର କେବଳ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ହିଁ ଦେଇ ପାରିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS