ଆରଏସବିୱାଇ ହିତାଧିକାରୀଙ୍କୁ ବିକେକେୱାଇ ସ୍ୱାସ୍ଥ୍ୟ କାର୍ଡ
ଭୁବନେଶ୍ୱର, ଜାନୁୟାରୀ ୦୨ (ମୋଅନୁଭବ.କମ୍): ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ମାଧ୍ୟମରେ ଓଡ଼ିଶା ସରକାର କେନ୍ଦ୍ରକୁ ଆଉ ଏକ ଝଟକା ଦେଇଛନ୍ତି । ୨୦୧୮ ଡ଼ିସେମ୍ବର ୩୧ ତାରିଖରୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସବିୱାଇ)ର କଂଟ ପୁରି ଯାଇଛି । ତେଣୁ, ଏହି ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ତୁରନ୍ତ ବିକେକେୱାଇ ଯୋଜନାରେ ଅନ୍ତର୍ଭୁକ୍ତ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତାର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାରଙ୍କ ଆରଏସବିୱାଇ ଯୋଜନାରେ ସେମାନେ ମାଗଣା ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଉ ଥିଲେ ।
୨୦୧୯ ଜାନୁୟାରୀ ୧ ତାରିଖରୁ ରାଜ୍ୟର ସମସ୍ତ ୪୪ ଲକ୍ଷ ୮ ହଜାର ୭୦ ଜଣ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ହିତାଧୀକାରୀଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆରଏସବିୱାଇ ହିତାଧିକାରୀ ରହି ଆସି ଥିବା ସମସ୍ତଙ୍କୁ ଜାନୁୟାରୀ ୧ ତାରିଖରୁ ଆରଏସବିୱାଇ କାର୍ଡ ବଦଳରେ ବିକେକେୱାଇ ଷ୍ଟି୍ରମ-୨ କାର୍ଡ ଯୋଗାଇ ଦେବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ସମସ୍ତ ଆରଏସବିୱାଇ ହିତାଧିକାରୀ ଏକ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମସ୍ତ ସୁବିଧା ପାଇବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୨୯ ତାରିଖ ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସିଂ କରି ଏହି ନିର୍ଦେଶ ଦେଇ ଥିବା ବେଳେ ୨୦୧୯ ଜାନୁୟାରୀ ୨ ତାରିଖ ଦିନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏସଂପର୍କରେ ଗଣମାଧ୍ୟମକୁ ବିଧିବଦ୍ଧ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସବିୱାଇ)ର ଅବଧି ଡ଼ିସେମ୍ବର ୩୧ ତାରିଖରେ ସରିଛି । ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପୂର୍ବଭଳି ମାଗଣା ଚିକିତ୍ସା ସୁବିଧା ଅବ୍ୟାହତ ରଖିବା ସକାଶେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ । ଆରଏସବିୱାଇ ହିତାଧିକାରୀମାନେ ସେମାନେ ପୁରୁଣା କାର୍ଡ ଫେରାଇ ତୁରନ୍ତ ବିକେକେୱାଇ ଷ୍ଟ୍ରିମ୍-୨ କାର୍ଡ ସଂଗ୍ରହ କରିବାରେ ସହାୟତା ଯୋଗାି ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କିଓସ୍କୋ ମାନ ଖୋଲା ଯାଇ ସଚେତନତା ସୃଷ୍ଟି ପାଇଁ ଆଶା, ଅଙ୍ଗନବାଡି କର୍ମୀ ଓ ଗାଁ କଲ୍ୟାଣ ସମିତିଙ୍କୁ ନିର୍ଦେଶ ଦିଆଯାଇଛି । ଓଡ଼ିଶା ରାଜ୍ୟ ଚିକିତ୍ସା ପାଂଠି (ଓଏସଟିଏଫ)ର ନୂତନ ମାର୍ଗଦର୍ଶିକା ଆଧାରରେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥି ପାଇଁ ପରାମର୍ଶ ଦିଆଯାଇଛି । ଏହି ମାର୍ଗଦର୍ଶିକା ଅନୁସାରେ ମାରାତ୍ମକ ରୋଗରେ ପୀଡିତ ଗରିବ ଲୋକଙ୍କୁ ସରକାରଙ୍କ ଚିକିତ୍ସା ପାଂଠିରୁ ମାଗଣା ଅର୍ଥ ଯୋଗାଇ ଦିଆଯିବ । ବିକେକେୱାଇ କାର୍ଡଧାରୀଙ୍କ ଛଡା ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ ଏବଂ ଗ୍ରମାଂଚଳରେ ବାର୍ଷିକ ୫୦ ହଜାର ଓ ସହରାଂଚଳରେ ୬୦ ହଜାର ଟଙ୍କାରୁ କମ୍ ଆୟକାରୀ ଏହି ସୁବିଧା ପାଇବେ । ଏହାଛଡା, ହୃଦରୋଗ, କିଡ଼ନୀ ଓ କର୍କଟର ପୀଡିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ଆୟ ସୀମା ୩ ଲକ୍ଷ ଟଙ୍କାରୁ କମ୍ ରହିଛି ।
ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି । ଏହି ଯୋଜନାରେ ଆରଏସବିୱାଇ ଓ ବିକେକେୱାଇର ପ୍ରାୟ ୭୦ ଲକ୍ଷ ପରିବାରର ସାଢେ ୩ କୋଟିରୁ ଅଧିକ ହିତାଧିକାରୀ ଅନ୍ତର୍ଭୁକ୍ତ । ବିକେକେୱାଇ ହିତାଧିକାରୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁ ଥିବା ବେଳେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିଜେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ଦ୍ୱାରା ମାଗରା ଚିକିତ୍ସା ସୁବିଧାରୁ ବଂଚିତ ହେବାକୁ ଯାଉଥିବା ରାଜ୍ୟର ହିତାଧିକାରୀଙ୍କୁ ଆଶ୍ୱସ୍ତ କରିଛି । ରାଜ୍ୟ ସରକାର ମଧ୍ୟ ଏହା ମାଧ୍ୟମରେ ନିଜର ଭୋଟ ରାଜନୀତିକୁ ଅଧିକ ସୁଦୃଢ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS