ଅଶାଳନୀ ମନ୍ତବ୍ୟ: ପାଣ୍ଡ୍ୟାଙ୍କ ପାଇଁ ବଳି ପଡିଲେ ଲୋକେଶ ରାହୁଲ
– ପ୍ରସାଦ ରାଓ –
୧୩ ଜାନୁୟାରୀ: କରନ ଜୋହରଙ୍କ ସେଲିବ୍ରିଟି ସୋ’ “କଫି ୱିଥ୍ କରନ” ଏବେ ଅନ୍ୟ ଦୃଷ୍ଟିରୁ ଚର୍ଚ୍ଚାରେ । ଏହି ସୋ’ରେ ମସ୍ତି କରି ଭାରତୀୟ କ୍ରିକେଟ ଦଳର ଅଲ୍ ରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବେ ଦେଶବାସୀଙ୍କ ନଜରରେ ଖଳନାୟକ । ପୁରୁଷମାନଙ୍କ ଖିଅର ପାଇଁ ବ୍ଲେଡ୍ ବନାଉ ଥିବା ‘ଜିଲଟ୍’ କଂପାନୀ ପାଣ୍ଡ୍ୟାଙ୍କୁ ତାହାର ବ୍ରାଣ୍ଡ୍ ଆମ୍ବାସିଡର କରିଥିଲା । ଏବେ କଂପାନୀ ତାଙ୍କୁ ହଟାଇ ଦେଇଛି । ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପାଣ୍ଡ୍ୟାଙ୍କୁ ମହଙ୍ଗା ପଡିଛି । କରନଙ୍କ ସୋ’ରେ ପାଣ୍ଡ୍ୟାଙ୍କ ସହ ଅନ୍ୟତମ ଭାରତୀୟ କ୍ରିକେଟର୍ ଲୋକେଶ ରାହୁଲ ମଧ୍ୟ ଉପସ୍ଥିତ ଥିଲେ । ବିସିସିଆଇ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛିି । ଉଭୟଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ନ ସରିବା ଯାଏଁ ସେମାନେ ଭାରତୀୟ ଦଳରୁ ନିଲମ୍ବିତ ହୋଇଛନ୍ତି । ଅଷ୍ଟ୍ରେଲିଆର ସିଡ଼ନିଠାରେ ଶନିବାରରୁ ଆରମ୍ଭ ହୋଇ ଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାରୁ ସେମାନେ ବାଦ୍ ପଡିଛନ୍ତି । ପାଣ୍ଡ୍ୟା କରନଙ୍କ ସୋ’ରେ ମହିଳାଙ୍କ ସଂପର୍କରେ ଯୌନ ଉଦ୍ଦିପକ ମନ୍ତବ୍ୟ ଦେଇ ଥିବାରୁ ବିସିସିଆଇ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବିସିସିଆଇ ପ୍ରଶାସନିକ ସମିତିର ସିଓଏ ବିନୋଦ ରାଏ କହିଛନ୍ତି। ନିଲମ୍ବିତ ହେବା ପରେ ହାର୍ଦ୍ଧିକ ଓ ରାହୁଲ ତୁରନ୍ତ ସ୍ୱଦେଶ ଫେରିବାକୁ ନିର୍ଦେଶ ମିଳିଛି ।
କରଣଙ୍କ ଏହି ‘ସେଲିବ୍ରିଟି ଚାଟ୍ ସୋ’ ଜାନୁୟାରୀ ୬ ତାରିଖରେ ଷ୍ଟାର ୱାର୍ଲଡ ଇଣ୍ଡିଆରେ ପ୍ରସାରିତ ହୋଇଥିଲା । ସୋ’ରେ ହାର୍ଦ୍ଧିକ ମହିଳାଙ୍କ ପଛ ଦେଖିବାକୁ ଭଲ ପାଆନ୍ତି ବୋଲି ହାସ୍ୟ ଛଳରେ ଉଦ୍ଦିପକ ମନ୍ତବ୍ୟ ଦେଇଥିଲେ । ଏକାଧିକ ମହିଳାଙ୍କ ସହ ତାଙ୍କ ସଂପର୍କ ଥିବା, ପରିବାର ସଦସ୍ୟଙ୍କ ସହ ସେ ମହିଳାଙ୍କ ସହ ସଂପର୍କ ବିଷୟରେ ଖୋଲାଖୋଲି ଆଲୋଚନା କରୁଥିବା ଏବଂ ନାଇଟ କ୍ଲବରେ ମହିଳାଙ୍କୁ ଦେଖିଲେ ନାମ ଜାଣିବା ଅପେକ୍ଷା ଆଚାର ବ୍ୟବହାର ଲକ୍ଷ୍ୟ କରିବା ସହ ସେମାନଙ୍କ ପଛ ଦେଖିବାକୁ ଭଲ ପାଉଥିବା ପାଣ୍ଡ୍ୟା ମନ୍ତବ୍ୟ ଦେଇଥିଲେ । ପାଣ୍ଡ୍ୟାଙ୍କ ମନ୍ତବ୍ୟ କରନଙ୍କ ସୋ’ର ଟିଆରପି ବଢାଇ ଥାଇପାରେ, କିନ୍ତୁ ସାମାଜିକ ଗଣମାଧ୍ୟମରେ ତାହା ହଇଚଇ ସୃଷ୍ଟି କରିବା ପରେ ଅଡୁଆରେ ପଡି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଥିବା ବିସିସିଆଇ । ବିସିସିଆଇର ମୁଡ୍ ଦେଖି ପାଣ୍ଡ୍ୟା ଛାନିଆ । ଟୁଇଟର୍ ମାଧ୍ୟମରେ ନିଜ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ସତ୍ୱେ ବିସିସିଆଇ ପ୍ରଶାସନିକ ସମିତି ୨୪ ଘଂଟା ମଧ୍ୟରେ କୈିଫିୟତ ଦେବାକୁ ତାଙ୍କୁ ନିର୍ଦେଶ ଦେଇଥିଲେ । ବିସିସିଆଇ ପ୍ରଶାସନିକ ସମିତିର କାରଣଦର୍ଶାଅ ନୋଟିସର ଉତ୍ତର ଦେଇ ପାଣ୍ଡ୍ୟା ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ ସୁଦ୍ଧା ବିସିସିଆଇ ପ୍ରଶାସନିକ ମୁଖ୍ୟ ସେଥିରେ ସନ୍ତୁଷ୍ଟ ନ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ ।
ଅନ୍ୟତମ ଭାରତୀୟ କ୍ରିକେଟର୍ ଲୋକେଶ ରାହୁଲଙ୍କ ଭୁଲ ହେଉଛି ଜାନୁୟାରୀ ୬ରେ ପ୍ରସାରିତ କରଣଙ୍କ ଚାଟ୍ ସୋ’ରେ ସେ ପାଣ୍ଡ୍ୟାଙ୍କ ସହ ଉପସ୍ଥିତ ଥିଲେ । ବିସିସିଆଇ ରାହୁଲଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ, ରାହୁଲ ତାହାର ଉତ୍ତର ନ ଦେଇ ନୀରବ ରହି ଥିଲେ । ଫଳରେ, ପାଣ୍ଡ୍ୟାଙ୍କ ସହ ତାଙ୍କୁ ମଧ୍ୟ ନିଲମ୍ବନ ହେବାକୁ ପଡିଛି । ସିଓଏର ସଦସ୍ୟା ତଥା ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ଡ଼ାଏନା ଇଦୁଲଜୀ ମାମଲାକୁ ବିସିସିଆଇ ଆଇନ ବିଭାଗକୁ ପଠାଇ ଦେଇ ଥିଲେ । ତେବେ, ସିଓଏ ବିନୋଦ ରାୟଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିବା ଖବର ମିଳିଛି । ପାଣ୍ଡ୍ୟା- ରାହୁଲ ମାମଲାର ତଦନ୍ତ ଭାର ମି-ଠୁ ଅଭିଯାନରେ ଫଶି ଥିବା ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରୀଙ୍କୁ ଦିଆଯିବା କଥାକୁ ନେଇ ଇଦୁଲଜୀ ବିସିସିଆଇ ସିଓଏ ରାୟଙ୍କ ସହ ଏକମତ ହୋଇ ନଥିବା ପ୍ରକାଶ । ଅପରପକ୍ଷରେ, ସିଡ଼ନୀରେ ଶନିବାର ଠାରୁ ଆରମ୍ଭ ହୋଇ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ନିଲମ୍ବିତ ପାଣ୍ଡ୍ୟା ଓ ରାହୁଲଙ୍କୁ ତୁରନ୍ତ ଭାରତ ପ୍ରତ୍ୟାବର୍ତର୍ନ କରିବାକୁ ନିର୍ଦେଶ ମିଳି ଥିବା ବେଳେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୩୪ ରନରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ଶନିବାର ଖେଳରେ ଭାରତ ପାଇଁ ୨୮୯ ରନର ବିଜୟ ଲକ୍ଷ୍ୟ ରଖି ଥିଲା । ତେବେ, ଭାରତ ୯ ୱିକେଟ୍ ହରାଇ ୨୫୪ ରନ ସଂଗ୍ରହ କରିବା ଫଳରେ ଅଷ୍ଟ୍ରେଲିଆ ଭାରତକୁ ପରାଜିତ କରି ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି । ଦେଶର କ୍ରିକେଟରମାନେ ବିଭିନ୍ନ ‘ଟକ୍ ସୋ’କୁ ଯାଇ ସନ୍ତୁଳିତ ମନ୍ତବ୍ୟ ରଖିବା ବଦଳରେ ବିବଦମାନ ହୋଇ ପଡୁ ଥିବାରୁ ବିସିସିଆଇ ସିଓଏ ରାଏ କ୍ଷୋଭ ପ୍ରକାଶ କରି ଭବିଷ୍ୟତରେ ଯେମିତି କୌଣସି ଭାରତୀୟ କ୍ରିକେଟର୍ ଘରୋଇ ଟକ୍ ସୋ’ରେ ଭାଗ ନ ନେବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହି ପାଣ୍ଡ୍ୟା ମାମଲାକୁ ସେ କେତେ ଗମ୍ଭୀର ଭାବରେ ନେଇଛନ୍ତି ତାହାର ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS