ବର୍ମା-ଆସ୍ଥାନା ଚେପା, ରାଓଙ୍କ ଭାଗ୍ୟ ତେଜ୍
– ପ୍ରସାଦ ରାଓ –
୧୩ ଜାନୁୟାରୀ
ସିବିଆଇ ନିର୍ଦେଶକ ପଦରୁ ତଡା ଖାଇ ଥିବା ଆଲୋକ ବର୍ମାଙ୍କୁ ନେଇ ବିବାଦ ଥମୁନି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସଂପନ୍ନ ଚୟନ କମିଟି ଜାନୁୟାରୀ ୧୦ ତାରିଖରେ ତାଙ୍କୁ ସିବିଆଇ ଅଧ୍ୟକ୍ଷ ପଦବୀରୁ ତଡି ଅଗ୍ନିଶମ ସେବା, ସିଭିଲ ଡ଼ିଫେନ୍ସ ଏବଂ ହୋମଗାର୍ଡ ମହାନିର୍ଦେଶକ ଭାବେ ନିଯୁକ୍ତି ଦେଇ ଥିଲେ । କିନ୍ତୁ, ବର୍ମା ୧୧ ତାରିଖ ଦିନ ନୂତନ ପଦବୀରୁ ଇସ୍ତଫା ଦେଇ ତାଙ୍କ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ଉଚ୍ଚ କ୍ଷମତାସଂପନ୍ନ ମନୋନୟନ କମିଟି ସିଭିସି ରିପୋର୍ଟ ଉପରେ ପକ୍ଷ ରଖିବାକୁ ତାଙ୍କୁ ସୁଯୋଗ ଦେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସିବିଆଇ ନିର୍ଦେଶକ ପଦରୁ ତାଙ୍କୁ ହଟାଇବା ସକାଶେ ସମସ୍ତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଓଲଟାଇ ଦିଆଯିବା ସହ ସ୍ୱାଭାବିକ ନ୍ୟାୟକୁ ହତ୍ୟା କରାଯାଇଥିବା ମଧ୍ୟ ବର୍ମା ଅଭିଯୋଗ କରିଛନ୍ତି । ବର୍ମାଙ୍କ ଅଭିଯୋଗ ହେଉଛି, ସଂପ୍ରତି ସିବିଆଇ ଯାହାଙ୍କ କେଲେଙ୍କାରୀ ସଂପର୍କରେ ଅନୁସଂଧାନ କରୁଛି, ସେଭଳି ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ସିଭିସି ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକି ଚୟନ କମିଟି ବିଚାରକୁ ନେଇ ନାହାନ୍ତି । ଅଭିଯୋଗକାରୀଙ୍କ ଲିଖିତ ରିପୋର୍ଟକୁ ଅବିକଳ ଭାବେ ସିଭିସି ଚୟନ କମିଟିକୁ ପଠାଇ ଥିଲେ । ଏପରିକି, ଅଭିଯୋଗକାରୀ ଉକ୍ତ ଅଭିଯୋଗର ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଥିବା ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସମ୍ମୁଖରେ ଥରେ ବି ହାଜର ହୋଇ ନାହାନ୍ତି । ରିପୋର୍ଟ କିମ୍ବା ସେଥିରେ ଉଲ୍ଲିଖ ଥିବା ସିଦ୍ଧାନ୍ତ ତାଙ୍କର ନୁହେଁ ବୋଲି ବିଚାରପତି ଜଷ୍ଟିସ୍ ପଟ୍ଟନାୟକ କହିଥିବା ବେଳେ ତାଙ୍କ (ବର୍ମାଙ୍କ) ବିରୋଧରେ ଚୟନ କମିଟିର କାର୍ଯ୍ୟାନୁଷ୍ଠାନ ସ୍ୱାଭାନିକ ନ୍ୟାୟ ପ୍ରତି ଉପହାସ ।
ସେହିଭଳି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ମଧ୍ୟ ଏହି ମର୍ମରେ ଏକ ଇଂରାଜୀ ଦୈନିକକୁ ପ୍ରତିକ୍ରିୟା ଦେଇ ସମଗ୍ର ଘଟଣାକ୍ରମକୁ ଖୋଲାଖୋଲି ନାପସନ୍ଦ କରିଛନ୍ତି । ଜଷ୍ଟିସ ପଟ୍ଟନାୟକ କହିଛନ୍ତି, ବିଦାୟୀ ସିବିଆଇ ନିର୍ଦେଶକ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର କୌଣସି ପ୍ରମାଣ ନାହିଁ । ଏହାସତ୍ୱେ କେବଳ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍ (ସିଭିସି)ର ଏକତରଫା ରିପୋର୍ଟକୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ବିଦା କରିବା ଏକ ତରବରିଆ ନିଷ୍ପତ୍ତି, ଯାହାକି ଆଦୌ ଗ୍ରହଣୀୟ ନୁହେଁ ।
ବର୍ମାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣି ହଟ୍ଟଚମଟ ସୃଷ୍ଟି କରିଥିବା ସିବିଆଇ ଯୁଗ୍ମ ନିର୍ଦେଶକ ଗୁଜରାଟ କ୍ୟାଡର ଆଇପିଏସ୍ ରାକେଶ ଆସ୍ଥାନା ମଧ୍ୟ କୋର୍ଟରୁ ରିଲିଫ ପାଇ ନାହାନ୍ତି । ମାଂସ ରପ୍ତାନିକାରୀ ମୋଇନ କୁରେଶି ଓ ତା’ ସହଯୋଗୀ ସତୀଶ ସାନା ଠାରୁ ୩ କୋଟି ଟଙ୍କା ଲାଂଚ ନେଇ ଥିବା ଏବଂ କ୍ଷମତାର ଦୁରୁପଯୋଗ କରି ଗୁଜରାଟର ବଡ ବଡ ବ୍ୟବସାୟୀଙ୍କ ଠାରୁ ଅନୁଚିତ ଫାଇଦା ଉଠାଇ ଥିବା ଅଭିଯୋଗରେ ଅଭିଯୁକ୍ତ ଆସ୍ଥାନା ତାଙ୍କ ବିରୋଧରେ ହୋଇ ଥିବା ଦୁର୍ନୀତି ମାମଲା ରଦ୍ଦ କରିବା ସକାଶେ ଦିଲ୍ଲୀ ହାଇକୋର୍ଟର ଆଶ୍ରୟ ନେଇଥିବା ବେଳେ କୋର୍ଟ ଆସ୍ଥାନାଙ୍କୁ କୌଣସି ପ୍ରକାର ରିଲିଫ ଦେବା ବଦଳରେ ତଦନ୍ତ ଜାରି ରଖିବାକୁ ଗତ ୧୧ ତାରିଖ ଦିନ ସିବିଆଇକୁ ନିର୍ଦେଶ ଦେଇଛନ୍ତି । ଆସ୍ଥାନାଙ୍କ ବିରୋଧରେ ହୋଇଥିବା ମାମଲା ସହ ସିବିଆଇର ସମ୍ମାନ ଓ ପ୍ରତିଷ୍ଠା ଜଡିତ ଥିବା ଦର୍ଶାଇ କୋର୍ଟ ମାମଲାର ସବିଶେଷ ତଦନ୍ତ ହେବା ସପକ୍ଷରେ ମତ ଦେଇଛନ୍ତି । ମାମଲା ରଦ୍ଦ ପାଇଁ ଆସ୍ଥାନାଙ୍କ ଆବେଦନକୁ କୋର୍ଟ ଖାରଜ କରିବା ସହ ୧୦ ସପ୍ତାହ ମଧ୍ୟରେ ତଦନ୍ତ ପ୍ରକ୍ରିୟା ସାରିବାକୁ ନିର୍ଦେଶ ଦେଇଛି । ପୂର୍ବ ସିିବିଆଇ ମୁଖ୍ୟ ଆଲୋକ ବର୍ମା ଆସ୍ଥାନାଙ୍କ ବିରୋଧରେ ଏହି ଦୁର୍ନୀତି ମାମଲା ରୁଜୁ କରିଥିଲେ ।
ଦୁଇ ବିରାଡ଼ିଙ୍କ ପିଠା କଳିରୁ ମାଙ୍କଡ ଫାଇଦା ନେବା ଭଳି ବର୍ମା-ଆସ୍ଥାନା ବିବାଦରୁ ଫାଇଦା ପାଇଛନ୍ତି ଓଡ଼ିଶା କ୍ୟାଡରର ଆଇପିଏସ୍ ଅଧିକାରୀ ଏମ୍. ନାଗେଶ୍ୱର ରାଓ । ବର୍ମା ଓ ଆସ୍ଥାନାଙ୍କୁ ଛୁଟିରେ ପଠାଇବା ପରେ କେନ୍ଦ୍ର ସରକାର ପ୍ରଥମେ ଆଲୋକ ବର୍ମାଙ୍କ ସ୍ଥାନରେ ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ବର୍ମା ତାଙ୍କୁ ଛୁଟିରେ ପଠା ଯିବା ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେବା ପରେ ରାଓଙ୍କ ନିଯୁକ୍ତିକୁ ନେଇ ମଧ୍ୟ କେତେକ ମହଲ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମ କୋର୍ଟ ରାଓଙ୍କ କ୍ଷମତା ସଂକୁଚିତ କରିବା ସହ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବା ସୁଯୋଗ ଦେଇଥିଲେ । ୭୭ ଦିନ ଛୁଟିରେ ରହିବା ପରେ ବର୍ମା ସୁପ୍ରିମ କୋର୍ଟଙ୍କ ରାୟ ବଳରେ ପୁନଃ ଅବସ୍ଥାପିତ ହେଲେ ସିନା ଗୋଟିଏ ଦିନ ପରେ ପୁନର୍ବାର ପଦବୀ ହରାଇ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । କେନ୍ଦ୍ର ସରକାର ରାଓଙ୍କୁ ପନର୍ବାର ସିବିଆଇର ଅନ୍ତରୀଣ ମୁଖ୍ୟ ନିଯୁକ୍ତ କରିଛନ୍ତି । ରାଓ ପ୍ରଥମେ ସିବିଆଇର ଆନ୍ତରୀଣ ନିର୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ବର୍ମାଙ୍କୁ ସମର୍ଥନ ଦେଇ ଆସୁଥିବା ସିବିଆଇ ଅଧିକାରୀମାନଙ୍କୁ ରାତି ଅଧିଆ ବଦଳି କରି ହାଟ୍ଟହଟା କରି ଥିଲେ । ବର୍ମା କ୍ଷମତାକୁ ଫେରି ସେମାନଙ୍କୁ ପୁନଃବାହଲ କରି ଥିଲେ । ତେବେ, କେନ୍ଦ୍ର ସରକାର ସିବିଆଇ ମୁଖ୍ୟ ପଦରୁ ବର୍ମାଙ୍କୁ ତଡ଼ି ରାଓଙ୍କୁ ପୁନଃ ଅବସ୍ଥାପିତ କରିବା ପରେ ପୁନର୍ବାର ବର୍ମାଙ୍କୁ ସମର୍ଥନ ଦେଉଥିବା ଅଫିସରମାନଙ୍କ ବଦଳି ଆଦେଶ ବାହାଲ ହୋଇଛି ଏବଂ ସେମାନେ ହଟ୍ଟହଟା ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଖେଳ ସିବିଆଇରେ ସରକାରୀ ହସ୍ତକ୍ଷେପର ନଗ୍ନ ଚରିତ୍ର ପଦାକୁ ଆଣିଛି ।
ଦୀର୍ଘ ୭୦ ବର୍ଷ ହେଲା ଦେଶବାସୀଙ୍କ ବିଶ୍ୱାସ ଥିଲା ସିବିଆଇ ହେଉଛି ସ୍ୱୟଂଶାସିତ ଏବଂ ସମସ୍ତ ଚାପର ଉଦ୍ଧ୍ୱର୍ରେ । ରାଜ୍ୟସ୍ତରରେ ଚାଲି ଥିବା ପୁଲିସ ଓ କ୍ରାଇମ ବ୍ରାଂଚ ତଦନ୍ତ ବାଟବଣା ହୋଇପାରେ ସିନା ସିବିଆଇ ତଦନ୍ତ ନୁହେଁ । କୌଣସି ମାମଲାରେ ଖଇଚା ଦେଖିଲେ ତାହାର ସିବିଆଇ ତଦନ୍ତ କରାଯିବାକୁ ଦାବି ଉଠି ଥାଏ । ତେବେ, ୨୦୧୮ ରେ ସିବିଆଇର ସର୍ବୋଚ୍ଚ ସ୍ତରରେ ଚାଲି ଥିବା କ୍ଷମତା କନ୍ଦଳ ଏବଂ ପ୍ରମୁଖ ଅଧିକାରୀଙ୍କ ବିରୋଧରେ ଆସି ଥିବା ଗୁରୁତର ଦୁର୍ନୀତି ଅଭିଯୋଗ ଜନସାଧାରଣରେ ସିବଆଇ ପ୍ରତି ଥିବା ଥିବା ଧାରଣାକୁ ବହୁମାତ୍ରାରେ ବଦଳାଇ ଦେଇଛି । ବିଦାୟୀ ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଗମ୍ଭୀର ଦୁର୍ନୀତି ଅଭିଯୋଗମାନ ଆଣି ସଂସ୍ଥାର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଉଚ୍ଚ କ୍ଷମତାସଂପନ୍ନ ଚୟନ କମିଟି ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାଙ୍କୁ ହଟାଇବା ସକାଶେ ଯେଭଳି ସମସ୍ତ ନୀତି ନିୟମକୁ ଜଳାଂଜଳୀ ଦେଳେ ତାହା ଦେଶବାସୀଙ୍କୁ ଚକିତ କରିଛି । ବର୍ମା ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ପାଇଥିଲେ । ଜଳିତ ମାସ ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁ ଥିଲା । କେନ୍ଦ୍ର ସରକାର ସେତିକି ସମୟ ବର୍ମାଙ୍କ ନ ଦେଇ ରାତିଅଧିଆ ସିବିଆଇ ନିର୍ଦେଶକ ପଦରୁ ହଟାଇବା ଏବଂ ଦୁର୍ନୀତି ଅଭିଯୋଗ ଥିବା ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦେଶକ ଭାବେ ନିଯୁକ୍ତି ଦେବା ସରକାରଙ୍କ ସ୍ୱଚ୍ଛତାକୁ କାଠଗଡାକୁ ଟାଣିଛି । ସେହିଭଳି, ବର୍ମା ସିବିଆଇ ମୁଖ୍ୟ ଥିବା ସମୟରେ ଗୁଜରାଟ କ୍ୟାଡର ଆଇପିଏସ୍ ଆସ୍ଥାନାଙ୍କୁ ଆଣି ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ତାଙ୍କ ଉପରେ ଲଦି ଦିଆଯିବା ରହସ୍ୟମୟ । ସରକାର ସିବିଆଇରେ ଦୁଇଟି କ୍ଷମତାକେନ୍ଦ୍ର ସୃଷ୍ଟି କରିବା ଯୋଗୁ ଆଜି ସିବିଆଇ ଏଭଳି ବିଶ୍ୱାସ ସଂକଟର ସମ୍ମୁଖୀନ ହେଲା ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
୨୦୦୪ରୁ ୨୦୧୪ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କ୍ଷମତାରେ ଥିବା ବେଳେ ସିବିଆଇକୁ ‘ପଂଜୁରୀବଦ୍ଧ ଶୁଆ’ ବୋଲି କୋର୍ଟ ସମାଲୋଚନା କରି ଥିଲେ । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଏଥି ପାଇଁ ଦାୟି କରି ସରକାରକୁ ଘନ ଘନ ଆକ୍ରମଣ କରିଥିଲା । ଏବେ, ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ସିବିଆଇକୁ ଏକ ଦୁର୍ନୀତି ଓ ବ୍ୟଭିଚାରଗ୍ରସ୍ତ ସଂସ୍ଥାରେ ପରିଣତ କରିଥିବା ଅଭିଯୋଗ ହେଉଛି । କଂଗ୍ରେସ ତାହାର ସମାଲୋଚନା କରୁଛି ।
ସୁପ୍ରିମ କୋର୍ଟଙ୍କ ରାୟ ପରେ ଜାନୁୟାରୀ ୮ ତାରିଖ ଦିନ ନିଜ ପଦକୁ ଫେରିଥିବା ବର୍ମାଙ୍କୁ ଯେଭଳି ଭାବେ ୧୦ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଉଚ୍ଚ କ୍ଷମତାସଂପନ୍ନ କମିଟି କ୍ଷମତାରୁ ହଟାଇ ଅଗ୍ନିଶମ ସେବା, ସିଭିଲ ଡ଼ିଫେନ୍ସ ଏବଂ ହୋମଗାର୍ଡ ଡ଼ିଜି ଭାବେ ବଦଳି କଲେ ତାହା ସିବିଆଇର ୫୫ ବର୍ଷର ଇତିହାସରେ ପ୍ରଥମ ଘଟଣା ବୋଲି ଜଣାପଡିଛି । ୧୯୭୯ ବ୍ୟାଚର ଆଇପିଏସ୍ ଅଧିକାରୀ ବର୍ମା ଅପମାନଜନକ ଅବସ୍ଥାରେ ଚାକିରୀ ଛାଡିଛନ୍ତି । ୧୦ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସଂପନ୍ନକମିଟିର ନିଷ୍ପତ୍ତିକୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ପ୍ରତିନିଧି ବିଚାରପତି ଜଷ୍ଟିସ ସିକ୍ରି ସମର୍ଥନ ଦେଇଛନ୍ତି । ତେବେ, କମିଟି ସଦସ୍ୟ ଥିବା ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଅସହମତ ହୋଇ ସରକାର ଚାପରେ ୭୭ ଦିନ ଛୁଟିରେ ଯାଇ ଥିବା ବର୍ମାଙ୍କୁ ଅନ୍ତତଃ ସେତିକି ଦିନ କାର୍ଯ୍ୟ କରିବାର ସୁଯୋଗ ଦିଆଯିବାକୁ ଦାବି କରିଥିଲେ । କିନ୍ତୁ, ବର୍ମାଙ୍କ ବିରୋଧରେ ସିଭିସି ବା ମୁଖ୍ୟ ଭିଜିଲାନ୍ସ କମିସନ୍ ଦେଇ ଥିବା ରିପୋର୍ଟରେ ୮ଟି ଗୁରୁତର ଅଭିଯୋଗ ଥିବାରୁ ଏବଂ ସିଭିସି ବର୍ମାଙ୍କୁ ନେଇ ପ୍ରତିକୂଳ ମନ୍ତବ୍ୟ ରଖି ଥିବାରୁ ତାଙ୍କୁ ବିଦା କରା ଯିବାକୁ ପ୍ରଧାନମନ୍ତ୍ରୀ କହି ଥିଲେ । ଏହା ବର୍ମାଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଥିବା ତୀକ୍ତ ମନୋଭାବ ପ୍ରତିଫଳିତ କରିଛି । ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବା ପଛରେ କଥିତ ରାଫେଲ୍ ଦୁର୍ନୀତି ପ୍ରମୁଖ କାରଣ ବୋଲି କଂଗ୍ରେସ ଅଭିଯୋଗ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତି ବିରୋଧରେ ଏହା ତାଙ୍କ ସରକାରଙ୍କ ଏକ ଫଳପ୍ରଦ ଅଭିଯାନ କହି ଜନମତ ନିଜ ସପକ୍ଷରେ ନେବାକୁ ଚାହୁଁଛନ୍ତି । ଜନସାଧାରଣ ମୋଦୀଙ୍କୁ ବିଶ୍ୱାସ କରିବେ କି ନାହିଁ – ଭିନ୍ନ କଥା । କିନ୍ତୁ, ସରକାର ଯେ ସ୍ୱଚ୍ଛ ନୁହନ୍ତି ତାହା ବର୍ମା-ଆସ୍ଥାନା ଓ ରାଓ ପ୍ରକରଣ ସ୍ପଷ୍ଟ କରିଦେଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS